Posted inଫୁରସତ

ସରିସ୍କା ବ୍ୟାଘ୍ର ଅଭୟାରଣ୍ୟ

ବାଘମାନଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ରାଜସ୍ଥାନର ଅଲଓ୍ବର ଜିଲାରେ ରହିଛି ଏକ ଅଭୟାରଣ୍ୟ, ଯାହାର ନାଁ ହେଲା ସରିସ୍କା ବ୍ୟାଘ୍ର ଅଭୟାରଣ୍ୟ। କେବଳ ବାଘ ନୁହେଁ, ଏଠାରେ ଅନ୍ୟ କେତେକ ବନ୍ୟପ୍ରାଣୀଙ୍କୁ ବି ପର୍ଯ୍ୟଟକ ଦେଖିପାରିବେ…

ସରିସ୍କା ବ୍ୟାଘ୍ର ଅଭୟାରଣ୍ୟ ଭାରତର ଏକ ଲୋକପ୍ରିୟ ରାଷ୍ଟ୍ରୀୟ ଉଦ୍ୟାନ ଭାବେ ଜଣାଶୁଣା; ଯାହା ରାଜସ୍ଥାନର ଅଲଓ୍ବର ଜିଲାରେ ଅବସ୍ଥିତ। ଦିନେ ଅଲଓ୍ବରର ଏହି ଅଞ୍ଚଳଟି ଶିକାର ପାଇଁ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା। କିନ୍ତୁ ସରକାରଙ୍କ ତରଫରୁ ପଶୁପକ୍ଷୀ ଶିକାର ଉପରେ ରୋକ୍‌ ଲଗାଯିବା ପରେ ତଥା ୧୯୫୮ରେ ଏହି ଅଞ୍ଚଳକୁ ଏକ ପ୍ରାଣୀ ସଂରକ୍ଷଣ କେନ୍ଦ୍ର ଭାବେ ଘୋଷଣା କରାଯିବା ପରଠୁ ଏଠାରେ ଶିକାର କରିବା ପୂରା ବନ୍ଦ ହୋଇଗଲା। ତେବେ ୮୮୧ ବର୍ଗ କି.ମି ପରିବ୍ୟାପ୍ତ ଏହି ସଂରକ୍ଷଣ କେନ୍ଦ୍ରଟିରେ ମୁଖ୍ୟତଃ ବାଘମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବା ପାଇଁ ଯୋଜନା କରାଯାଇ ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୧୯୭୮ରେ ଏହାକୁ ଏକ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଭାବେ ଘୋଷଣା କରାଯାଇଥିଲା। ଏବଂ ଶେଷରେ ୧୯୮୨ ମସିହାରେ ଉକ୍ତ ସଂରକ୍ଷଣ କେନ୍ଦ୍ରଟିକୁ ରାଷ୍ଟ୍ରୀୟ ଉଦ୍ୟାନର ମାନ୍ୟତା ମିଳିଥିଲା।

କ’ଣ ଦେଖିବେ
ଯେହେତୁ ଏହାକୁ ଏକ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରର ମାନ୍ୟତା ମିଳିଛି, ତେଣୁ ଏଠାରେ ଅନେକ ସଂଖ୍ୟାରେ ବାଘ ଥିବାର ପର୍ଯ୍ୟଟକ ଦେଖିବାକୁ ପାଇବେ। କେବଳ ବାଘ କାହିଁକି ଏଠାରେ ଚିତାବାଘ, ଜଙ୍ଗଲି ବିଲେଇ, ହେଟାବାଘ, ବିଲୁଆ, ଚିତ୍ରା ହରିଣ, ସମ୍ବର, ନୀଳଗାଈ, ଜଙ୍ଗଲୀ ଘୁଷୁରି, ନେଉଳ, ଠେକୁଆ, ନାନା ଜାତିର ମାଙ୍କଡ଼ ଇତ୍ୟାଦି ପଶୁ ତଥା ବିଭିନ୍ନ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାନ୍ତି। ଏହାଛଡ଼ା ଉକ୍ତ ଅଭୟାରଣ୍ୟ ଭିତରେ ବିଭିନ୍ନ କିସମର ବୃକ୍ଷଲତା ତଥା ଅନେକ ଔଷଧୀୟ ବୃକ୍ଷ ଥିବାର ମଧ୍ୟ ଆଗନ୍ତୁକ ଦେଖିବାକୁ ପାଇପାରିବେ।

ନିକଟବର୍ତ୍ତୀ ପର୍ଯ୍ୟଟନସ୍ଥଳୀ
ସରିସ୍କା ବ୍ୟାଘ୍ର ଅଭୟାରଣ୍ୟର ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏକାଧିକ ପର୍ଯ୍ୟଟନସ୍ଥଳୀ ରହିଛି। ଯେମିତିକି:
*କଙ୍କଓ୍ବାଡି ଦୁର୍ଗ: ଏହା ହେଉଛି ଏକ ଐତିହାସିକ ଦୁର୍ଗ; ଯାହା ଉକ୍ତ ଅଭୟାରଣ୍ୟ ଠାରୁ ଅଳ୍ପ କିଛି ଦୂରରେ ଅବସ୍ଥିତ। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ଏହି ଦୁର୍ଗଟିକୁ ଦ୍ୱିତୀୟ ଜୟ ସିଂହ ନିର୍ମାଣ କରାଇଥିଲେ।
*ପଣ୍ଡୁପୋଲ ହନୁମାନ ଜି ମନ୍ଦିର: ସରିସ୍କା ବ୍ୟାଘ୍ର ଅଭୟାରଣ୍ୟର ଠିକ୍‌ ମଧ୍ୟବର୍ତ୍ତୀ ଅଞ୍ଚଳରେ ଏକ ପାହାଡ଼ ଥିବାର ଦେଖାଯାଏ। ଉକ୍ତ ପାହାଡ଼ ଉପରେ ରହିଛି ପ୍ରଭୁ ହନୁମାନଙ୍କର ଏହି ମନ୍ଦିରଟି।
*ସରିସ୍କା ପ୍ୟାଲେସ୍‌: ଅଲଓ୍ବର ରାଜପରିବାରର ଏକ ସ୍ମୃତି ସନ୍ତକ ଭାବେ ଏହି ପ୍ୟାଲେସ୍‌ଟି ଆଜି ବି ସେଠାରେ ବିରାଜମାନ। ଏହାର ଆକର୍ଷଣୀୟ ବାସ୍ତୁକଳା ଏବେ ବି ଆଗନ୍ତୁକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ।
କେବଳ ଏତିକି ନୁହେଁ, ଏଠାରେ ବିରାଟନଗର ନାମରେ ଏକ ଆଧ୍ୟାତ୍ମିକସ୍ଥଳୀ ବି ରହିଛି; ଯେଉଁଠାରେ କେତୋଟି ବୌଦ୍ଧ ମଠ ଥିବାର ଦେଖିବାକୁ ମିଳିଥାଏ। ସେହିପରି ଏଠାରେ ଥିବା ନୀଳକଣ୍ଠ ମନ୍ଦିରର ସୌନ୍ଦର୍ଯ୍ୟ ତଥା ମହାତ୍ମୀୟତା ଭକ୍ତଗଣଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।

କେବେ ଓ କେମିତି ଯିବେ
ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ବର୍ଷାଦିନକୁ ଛାଡ଼ି ବାକି ଅନ୍ୟ ଯେ କୌଣସି ସମୟରେ ଏହି ଅଭୟାରଣ୍ୟକୁ ବୁଲିଗଲେ ପର୍ଯ୍ୟଟକ ବୁଲିବାର ଭରପୂର ଆନନ୍ଦ ଉଠାଇପାରିବେ। କାରଣ ବର୍ଷା ଦିନେ ଅଭୟାରଣ୍ୟରେ ଥିବା ପଶୁପକ୍ଷୀଙ୍କୁ ନିକଟରୁ ଦେଖିବା ଏତେଟା ସମ୍ଭବ ହୋଇ ନଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ଦିଲ୍ଲୀଠାରୁ ପ୍ରାୟ ୨୦୦ କି.ମି ତଥା ରାଜସ୍ଥାନର ରାଜଧାନୀ ଜୟପୁରଠାରୁ ପ୍ରାୟ ୧୦୭ କି.ମି ଦୂରରେ ଥିବା ଏହି ଅଭୟାରଣ୍ୟ ନିକଟକୁ ଯିବାପାଇଁ ବିଭିନ୍ନ ସ୍ଥାନରୁ ଟୁରିଷ୍ଟ ବସ୍‌ର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?