ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣିର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାମାଜିକ ସମୀକ୍ଷା ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା ସମିତି (ଓସାଟ) ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ଅତିରିକ୍ତ ବିଡ଼ିଓ ବୈଜୟନ୍ତି ମୁଣ୍ଡା ଅଧ୍ୟକ୍ଷତା କରିଥିଲେ।
ଏହି ଶିବିରରେ ଅତିରିକ୍ତ ଜିଲାପାଳ ସୁନୀଲ କେରକେଟା, ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର, ଜିଲ୍ଲା ସାମାଜିକ ସମୀକ୍ଷକ ବାବୁଲା ବିଶୋୟୀ, ବ୍ଲକ ହିସାବ ରକ୍ଷକ ସଞ୍ଜିତ ସୁମନ, ଏବଂ ବ୍ଲକ ନିର୍ବାହୀ ଯନ୍ତ୍ରୀ ଇଂ. ଘନଶ୍ୟାମ ଡାକୁଆଙ୍କ ଉପସ୍ଥିତିରେ ସାମାଜିକ ସମୀକ୍ଷା ଓ ଜନ ଅଭିଯୋଗ ଶୁଣାଣି କରାଯାଇଥିଲା।
ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ପ୍ରଶାନ୍ତ କୁମାର ଗୌଡ଼ ୨୦୨୫-୨୬ ଆର୍ଥିକ ବର୍ଷର (ଅକ୍ଟୋବର ୧ ରୁ ମାର୍ଚ୍ଚ ୩୧) ଏମଜିଏନଆରଜିଏସ (MGNREGS) କାର୍ଯ୍ୟକାରୀ ପ୍ରକଳ୍ପ ବିବରଣୀ ପାଠ କରିଥିଲେ। ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୮ ଲକ୍ଷ ୩୦ ହଜାର ଶ୍ରମ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ୧୨୨ ପ୍ରତିଶତ ସଫଳତା ସହ ସମୁଦାୟ ୧୦ ଲକ୍ଷ ୧୬ ହଜାର ଶ୍ରମ ଦିବସ ସୃଷ୍ଟି କରାଯାଇଛି। ବ୍ଲକର ୨୩,୨୭୯ ଜଣ ଜବକାର୍ଡଧାରୀଙ୍କ ମଧ୍ୟରୁ ୧୯,୨୨୨ ଜଣଙ୍କୁ ଶ୍ରମ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ୧,୦୫୨ ଜଣ ଶ୍ରମିକଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆଯାଇଛି। ବ୍ଲକର ୨୬ଟି ପଞ୍ଚାୟତରେ ମଞ୍ଜୁର ହୋଇଥିବା ୧,୫୩୫ଟି ପ୍ରକଳ୍ପ ମଧ୍ୟରୁ ୫୧୭ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି।
ପଞ୍ଚାୟତଗୁଡ଼ିକରେ ଜନପ୍ରତିନିଧି, ଗ୍ରାମବାସୀ ଓ ଜବକାର୍ଡ ହିତାଧିକାରୀଙ୍କୁ ନେଇ ଗ୍ରାମସଭା ଆଦୌ କରାଯାଉ ନଥିବା ନେଇ ଜିଲା ସାମାଜିକ ସମୀକ୍ଷକ କ୍ଷୋଭ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଏଭଳି ବେନିୟମ କାର୍ଯ୍ୟ ନକରିବା ପାଇଁ ସେ କ୍ଷେତ୍ର କର୍ମଚାରୀମାନଙ୍କୁ ଦୃଢ଼ ତାଗିଦ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୃତ୍ତିକା ସଂରକ୍ଷଣ ବିଭାଗ ସହକାରୀ ନିର୍ଦ୍ଦେଶିକା ଇପସିତା ମିଶ୍ର, ଦିଗପହଣ୍ଡି ବନ ବିଭାଗ ରେଞ୍ଜର ଦିବ୍ୟ ରଞ୍ଜନ ସାହୁଙ୍କ ସମେତ ବହୁ ସଂଖ୍ୟକ ଜିଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ ଓ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

