ସଣ୍ଢୁଆଶି ଆକ୍ରମଣ

ଏକବିଂଶ ଶତାବ୍ଦୀରେ ମଣିଷକୁ ବାଘ ଖାଇଯିବା କଥା ଆଶ୍ଚର୍ଯ୍ୟଜନକ ମନେହୁଏ। ପୃଥିବୀଟା କେତେ ବଡ଼ ଏବଂ ଆମେ ନିଜର ଗୁରୁତ୍ୱକୁ ଅତ୍ୟଧିକ ମାତ୍ରାରେ ବଡ଼ ଭାବି ଚାଲିଛୁ ବୋଲି ବାସ୍ତବତା ଜାଣିପାରୁ ନାହୁଁ। ଆମ ରାଜ୍ୟ ଓଡ଼ିଶାରେ ନଈକୂଳ ବସତିରୁ କେତେବେଳେ କୁମ୍ଭୀର ଆକ୍ରମଣ କରି ମଣିଷକୁ ପାଣି ଭିତରକୁ ଟାଣିନେଇ ମାରିଦେଉଛି ଓ ଅନ୍ୟ କେତେବେଳେ ନୂଆପଡ଼ା ଭଳି ସ୍ଥାନରେ ବାଘର ଶିକାର ହେଉଛି ମଣିଷ। ନୂଆପଡ଼ା ଜିଲାର ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଗତ ୬ ଦିନ ମଧ୍ୟରେ କଲରାପତରିଆ ବାଘ ଦୁଇଜଣଙ୍କୁ ମାରି ଖାଇଦେଇଛି। ୩୦ ଅକ୍ଟୋବରରେ ଭରୁଆମୁଣ୍ଡି ପଞ୍ଚାୟତ କଟିଙ୍ଗପାଣି ଗାଁର ୭ ବର୍ଷର ବାଳକକୁ ମାରିଥିବା ବାଘ ୪ ନଭେମ୍ବରରେ ସିଲିଆରିବାହାରା ଗାଁରେ ୫୦ ବର୍ଷୀୟା ଜଣେ ମହିଳାଙ୍କୁ ମଧ୍ୟ ମାରି ଖାଇଦେଇଛି। ବନ ବିଭାଗ ଏହାକୁ ସ୍ବୀକାର କରିଛି। ଗତ ମାର୍ଚ୍ଚରେ ୭୦ ବର୍ଷୀୟା ଜଣେ ମହିଳାଙ୍କୁ ମଧ୍ୟ ବାଘ ଖାଇଦେଇଥିବା ସେତେବେଳେ ହୁରି ପଡ଼ିଥିଲା। ଇତିମଧ୍ୟରେ ସେହି ମଣିଷଖିଆ ବାଘକୁ ଧରାଯାଇଛି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଆଉ ଗୋଟେ କଲରାପତରିଆ ବାଘ ଉକ୍ତ ଅଞ୍ଚଳରେ ୫ ନଭେମ୍ବରରେ ବୁଲୁଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଜନବସତି ଆଡ଼କୁ ବାଘ ମାଡ଼ିଆସିବା ଯୋଗୁ ସମ୍ପୃକ୍ତ ଅଞ୍ଚଳବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି।
ବିଶେଷଜ୍ଞଙ୍କ ମତରେ ବାଘଗୁଡ଼ିକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରିଥାଆନ୍ତି। ଗୋଟେ ଅଣ୍ଡିରା ବାଘ ୩୦ରୁ ୩୫ ବର୍ଗ କିଲୋମିଟର ଅଞ୍ଚଳରେ ବୁଲିଥାଏ। କେବଳ ସଙ୍ଗମ ସମୟରେ ଏହା ମାଈ ବାଘକୁ ତା’ ଅଞ୍ଚଳକୁ ପ୍ରବେଶ କରିବା ଲାଗି ଅନୁମତି ଦେଇଥାଏ। ହେଲେ ଦୁଇଟି ଅଣ୍ଡିରା ବାଘ ଗୋଟେ ଅଞ୍ଚଳରେ ଥିବା ଦେଖାଯାଇ ନ ଥାନ୍ତି। କୁହାଯାଏ ବାଘ ଛୁଆ ଅଢ଼େଇ ମାସର ହୋଇଗଲେ ନିଜ ମା’ଠାରୁ ଅଲଗା ହୋଇ ନିଜର ନୂଆ ଅଞ୍ଚଳ ବାଛିଥାଏ। ଦେଖିବାକୁ ଗଲେ ବାଘ ତା’ ଇଲାକାରେ ଘୂରି ବୁଲୁଥାଏ ଓ ଜଙ୍ଗଲ ଜନ୍ତୁ ଶିକାର କରେ। ସେମାନଙ୍କ ମଧ୍ୟରୁ କିଛି ହିଂସ୍ର ହୋଇ ମଣିଷକୁ ହାବୁଡ଼ରେ ପାଇଲେ ମାରିଥାଆନ୍ତି। ସାଧାରଣରେ ଅନେକ ବାଘ ଜନବସତିଠାରୁ ଦୂରେଇ ରହିଥାଆନ୍ତି। ବାଘ ମଣିଷକୁ ଖାଇବା ନେଇ ୨୦୨୧ରେ ପ୍ରକାଶିତ ଏକ ରିପୋର୍ଟରେ ତାମିଲନାଡୁର ଏରିଗ୍‌ନାର ପ୍ରାଣୀଉଦ୍ୟାନ ଭେଟେରିନାରି ସର୍ଜନ ଡକ୍ଟର ଶ୍ରୀଧର କେ. କହିଥିଲେ ଯେ, ବାଘଗୁଡ଼ିକର ଚରିତ୍ର ହେଉଛି ଲୁଚି ପଳାଇବା। କିନ୍ତୁ ଯଦି ସେଗୁଡ଼ିକ ମଧ୍ୟରୁ କିଛି ମଣିଷ ମାରିବା ଆରମ୍ଭ କରିଥାଆନ୍ତି କିମ୍ବା ଜନବସତି ଆଡ଼କୁ ଯାଇଥାଆନ୍ତି, ତାହାର କାରଣ ଅଲଗା ଥାଇପାରେ। ତେବେ ଏହି ପରିପ୍ରେକ୍ଷୀରେ ନୂଆପଡ଼ାର ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ବାଘ ହିଂସ୍ର ହେବା ପଛରେ ସମ୍ଭବତଃ ମଣିଷ ସେମାନଙ୍କ ଇଲାକା ଭିତରକୁ ପ୍ରବେଶ କରିଯାଉଥିବ। ସେହିଭଳି ବାଘର ନିର୍ଦ୍ଦିଷ୍ଟ ଅଞ୍ଚଳ ସଙ୍କୁଚିତ ହୋଇଯାଉଥିବାରୁ ସେ ଜନବସତି ମୁହାଁ ହୋଇ ମଣିଷକୁ ଆକ୍ରମଣ କରୁଛି। ବିଗତ କିଛିବର୍ଷ ହେବ ହାତୀ-ମଣିଷ ଲଢ଼େଇ ସର୍ବୋଚ୍ଚରେ ପହଞ୍ଚିଯାଇଛି । କେଉଁଠାରେ ଶିକାରୀ ହାତୀକୁ ମାରି ତା’ର ଦାନ୍ତ ବିକି ଦେଉଥିବା ବେଳେ ଅନ୍ୟ କେଉଁଠାରେ ହାତୀ ମଣିଷକୁ ଦଳିଦେଉଥିବାର ଖବର ନିୟମିତ ପ୍ରକାଶ ପାଉଛି। ଏହାର ମୁଖ୍ୟ କାରଣ ମଧ୍ୟ ମଣିଷର ଲୋଭ। ଜଙ୍ଗଲ ଅଞ୍ଚଳକୁ ପଦା କରି ସେଠାରେ ମଣିଷ କାରଖାନା କିମ୍ବା ଅନ୍ୟାନ୍ୟ ପ୍ରକଳ୍ପ ଗଢ଼ୁଥିବାରୁ ହାତୀ ଇତସ୍ତତଃ ହୋଇ ବିଚରଣ କରୁଛନ୍ତି। ଏହି ବିଷୟକୁ ସମସ୍ତେ ହୃଦୟଙ୍ଗମ କରୁଥିଲେ ମଧ୍ୟ ମଣିଷ ଲୋଭକୁ ଛାଡ଼ି ନ ପାରି ହାତୀକୁ ବେଘର କରିଚାଲିଛି। ସେହିଭଳି ଭାଲୁ ଭଳି ଜନ୍ତୁ ମଧ୍ୟ ଲୋକଙ୍କ ଘର ଭିତରକୁ ପଶିଆସୁଥିବା ଖବର ଜଙ୍ଗଲ ପାଖ ଅଞ୍ଚଳରୁ ବାରମ୍ବାର ଶୁଣିବାକୁ ମିଳୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ସବୁ ଜଙ୍ଗଲୀ ଜନ୍ତୁ ମଣିଷକୁ ଭୟ କରନ୍ତି ଓ ତା’ଠାରୁ ଦୂରେଇ ରହନ୍ତି। ତେବେ ହାତୀ, ବାଘ, ଭାଲୁ କାହିଁକି ଏବେ ଗାଁ ପାଖକୁ ଆସୁଛନ୍ତି ତାହା ଚିନ୍ତାର ବିଷୟ। ବନ୍ୟଜନ୍ତୁଙ୍କ ଅଞ୍ଚଳ କିଭଳି ସଙ୍କୁଚିତ ନ ହେବ ସେହି ଦିଗରେ ସରକାର କାର୍ଯ୍ୟ କରିବା ଦରକାର। କେବଳ ବନ ବିଭାଗ ଉପରେ ଦାୟିତ୍ୱ ପକାଇଦେଲେ ସମସ୍ୟାର ସମାଧାନ ହେବ ନାହିଁ। ଖଣି, ଶିଳ୍ପ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ମିଳିତ ଟାସ୍କଫୋର୍ସ ଗଠନ କରାଯାଇ ଏ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବା ଦରକାର। ଏହାର ଅର୍ଥ ନୁହେଁ, କେବଳ ମଣିଷଙ୍କୁ ସୁରକ୍ଷିତ ରଖାଯାଇ ବନ୍ୟଜନ୍ତୁଙ୍କୁ ଲୋପ କରିଦିଆଯିବ। ସନ୍ତୁଳନତା ଧ୍ୱଂସ ପାଇଲେ ମଣିଷ ମଧ୍ୟ ବଞ୍ଚିବ ନାହିଁ। ଏହି ସାଧାରଣ ବିଷୟ ଜାଣିବା ପାଇଁ ବାବା ଭାଙ୍ଗାଙ୍କ ବାଣୀକୁ ଶୁଣିବା ଦରକାର ନାହିଁ। ମଣିଷ ସୁରକ୍ଷିତ ରହିବା ସହିତ ସବୁପ୍ରକାର ପଶୁପକ୍ଷୀଙ୍କ ସୁରକ୍ଷା ମଧ୍ୟ ସରକାରଙ୍କ ଦାୟିତ୍ୱ। ଭୁବନେଶ୍ୱର ନିକଟ ଭରତପୁର ଏବଂ ବାଙ୍କୀ-ଡମପଡ଼ା ଅଭୟାରଣ୍ୟକୁ ଯେଉଁଭଳି ଚାରିଆଡୁ ସଣ୍ଢୁଆଶି ଆକ୍ରମଣ କରାଯାଉଛି ତାହା ସମସ୍ତେ ଦେଖୁଛନ୍ତି। ଏହାର ପ୍ରତିକାର ଆଜି ଏବଂ ଏବେ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri