ସନାତନୀ ହିନ୍ଦୁ ଓ ଗାନ୍ଧିଜୀ

ଖ୍ରୀପୂ. ଷଷ୍ଠ ଶତକରେ ଡେରିଅସ ଶିଳାଲେଖରେ (୫୫୦-୪୮୬) ‘ହିନ୍ଦୁ’ ଶବ୍ଦର ଉଲ୍ଲେଖ ଥିଲେ ହେଁ ସେଥିରେ ଏହା ଭୌଗୋଳିକ ଶବ୍ଦ ଭାବରେ ବ୍ୟବହୃତ ହୋଇଛି। ରାଜା ରାମମୋହନ ରାୟ ପ୍ରଥମେ ହିନ୍ଦୁଧର୍ମ (Hinduism) ଶବ୍ଦ ୧୮୧୬ ମସିହାରେ ବ୍ୟବହାର କଲେ। ତା’ପରେ ଯେଉଁମାନେ ବ୍ରିଟିଶ ଉପନିବେଶବାଦକୁ ବିରୋଧ କରୁଥିଲେ ଏବଂ ନିଜକୁ ମୁସଲମାନ୍‌ ଓ ଖ୍ରୀଷ୍ଟିଆନ୍‌ଙ୍କଠାରୁ ଭିନ୍ନ ବୋଲି ପ୍ରତିପାଦନ କରିବାକୁ ଚାହିଁଥିଲେ ସେମାନେ ଏହି ଶବ୍ଦକୁ ବ୍ୟବହାର କଲେ। ବେଦ ଓ ଉପନିଷଦ ଆଧାରିତ ବିଚାରଧାରା ବା ଜୀବନ ପଦ୍ଧତିକୁ ହିନ୍ଦୁଧର୍ମ ବୋଲି କୁହାଗଲା। ସନାତନ ଶବ୍ଦର ଅର୍ଥ ଚିରନ୍ତନ। ଏହା କେଉଁ ନିର୍ଦ୍ଦିଷ୍ଟ ସମୟରେ ବା କେଉଁ ନିର୍ଦ୍ଦିଷ୍ଟ ବ୍ୟକ୍ତିଦ୍ୱାରା ସୃଷ୍ଟି ହୋଇଥିଲା ତାହା କେହି କହିପାରିବେ ନାହିଁ। ଏହା ସମଗ୍ର ମାନବ ଜାତି ପାଇଁ ଉଦ୍ଦିଷ୍ଟ। ଏଣୁ ଯୋଗୀ ଶ୍ରୀଅରବିନ୍ଦ କହିଥିଲେ, ”ଯାହାକୁ ଆମେ ହିନ୍ଦୁ ଧର୍ମ କହୁ, ତାହା ବାସ୍ତବରେ ସନାତନ ଧମର୍, କାରଣ ଏହି ଧର୍ମ ବିଶ୍ୱବ୍ୟାପୀ। ଯଦି କୌଣସି ଧର୍ମ ବିଶ୍ୱବ୍ୟାପୀ ନ ହୁଏ ତାହା ସନାତନ ହୋଇ ପାରିବ ନାହିଁ।“ ମହାତ୍ମା ଗାନ୍ଧୀ କହୁଥିଲେ, ”ମୁଁ ଜଣେ ହିନ୍ଦୁ, କେବଳ ହିନ୍ଦୁ ପରିବାରରେ ଜନ୍ମ ହୋଇଥିବାରୁ ନୁହେଁ, ଉଭୟ ବିଶ୍ୱାସ ଓ ପସନ୍ଦରେ ମୁଁ ହିନ୍ଦୁ“। ପୁନଶ୍ଚ ସେ ଅନେକ ଥର ନିଜକୁ ଜଣେ ‘ସନାତନୀ ହିନ୍ଦୁ’ ଭାବରେ ଘୋଷଣା କରିଛନ୍ତି। ହିନ୍ଦୁ ଧର୍ମପ୍ରତି ତାଙ୍କ ଦୃ୍‌ଷ୍ଟିଭଙ୍ଗୀ କିପରି ଥିଲା ଓ ସନାତନୀ ହିନ୍ଦୁ କହିଲେ ସେ କ’ଣ ବୁଝୁଥିଲେ ଏବଂ ସେ କେଉଁ ପ୍ରସଙ୍ଗରେ ଏହା କହିଥିଲେ ତାହା ଆଲୋଚନା କରିବା ହେଉଛି ଏହି ପ୍ରବନ୍ଧର ଲକ୍ଷ୍ୟ।
୧୯୦୫ରେ ଜୋହାନ୍‌ସବର୍ଗ ଥିଓସୋଫିକାଲ୍‌ ସୋସାଇଟିରେ ବକ୍ତବ୍ୟ ଉପସ୍ଥାପନ କଲାବେଳେ ସେ କହିଥିଲେ ହିନ୍ଦୁଧର୍ମ ଅପେକ୍ଷା ଆର୍ଯ୍ୟଧର୍ମ ଶବ୍ଦ ବେଶି ଗ୍ରହଣୀୟ। ବେଦରେ ମଧ୍ୟ ହିନ୍ଦୁ ଶବ୍ଦ ନାହିଁ, କିନ୍ତୁ ଆର୍ଯ୍ୟ ଶବ୍ଦ ଅଛି ଯଥା ‘କୃଣ୍ବନ୍ତୁ ବିଶ୍ୱମାର୍ଯ୍ୟମ୍‌’ (ଋଗ୍‌ବେଦ ୯/୬୩/୫)। ପୁନଶ୍ଚ ତାଙ୍କ ମତ ଥିଲା ଏହି ଧର୍ମ କେଉଁ ପୁରାତନ କାଳରୁ ବଞ୍ଚତ୍ରହିଛି। ଦକ୍ଷିଣ ଆଫ୍ରିକାରେ ଥିଲାବେଳେ ସେ ଉଭୟ ହିନ୍ଦୁ ଓ ଅଣହିନ୍ଦୁଙ୍କୁ ତୁଳସୀ ଦାସଙ୍କ ‘ରାମଚରିତ ମାନସ’ ପଢ଼ିବା ପାଇଁ ପରାମର୍ଶ ଦେଉଥିଲେ। ସେ କହୁଥିଲେ ”ବାସ୍ତବରେ ହିନ୍ଦୁଧର୍ମ ଏକ ନୈତିକତା ଆଧାରିତ ଧର୍ମ। ସେହି ଦୃଷ୍ଟିରୁ କୁହାଯାଇପାରେ ସବୁଧର୍ମ ସମାନ ଭାବରେ ସତ୍ୟ, ଯେହେତୁ ନୈତିକତାଠାରୁ କୌଣସି ଧର୍ମ ବିଚ୍ଛିନ୍ନ ହୋଇପାରିବ ନାହିଁ।“ ବେଦ ଉପନିଷଦ ଆଧାରିତ ସନାତନ ଧର୍ମ ପରବର୍ତ୍ତୀ କାଳରେ ହିନ୍ଦୁଧର୍ମ ଭାବରେ କଥିତ ହେବା ବେଳକୁ ସେଥିରେ ଅନେକ କୁସଂସ୍କାର ପ୍ରବେଶ କରିସାରିଥିଲା। ଗାନ୍ଧିଜୀ ସନାତନ ଧର୍ମକୁ ସେହି କୁସଂସ୍କାରଗୁଡ଼ିକରୁ ମୁକ୍ତ କରିବା ପାଇଁ ଆହ୍ବାନ ଦେଲେ। ସେତେବେଳେ ସନାତନ ଧର୍ମରେ ଅସ୍ପୃଶ୍ୟତା ପ୍ରବେଶ କରିସାରିଥିଲା , ଯାହା ଗାନ୍ଧିଜୀ ଗ୍ରହଣ କରିପାରୁ ନ ଥିଲେ। ୧୯୧୭ରେ ସେ ଅସ୍ପୃଶ୍ୟ ମାହାରମାନଙ୍କ ସହ ଭୋଜନ କଲେ ଓ ଅସ୍ପୃଶ୍ୟତା ବିରୋଧରେ ଆନ୍ଦୋଳନ ଆରମ୍ଭ କଲେ। ଫଳରେ ତତ୍କାଳୀନ ପରମ୍ପରା ବିଶ୍ୱାସୀ ହିନ୍ଦୁମାନେ ତାଙ୍କୁ ସମାଲୋଚନା କଲେ। ପୁନଶ୍ଚ ୧୯୨୦ ଡିସେମ୍ବର ୨୫ ରେ ସେ ‘ଅନ୍ତ୍ୟାଜ (ଅସ୍ପୃଶ୍ୟ) ସମ୍ମିଳନୀ’ ରେ ଯୋଗଦେଇ କହିଲେ, ”ମୁଁ ନିଜେ ଜଣେ ହିନ୍ଦୁ, ଜଣେ ସନାତନୀ ହିନ୍ଦୁ। ବୈଷ୍ଣବମାନେ ମୋର ଏହି ଦାବିକୁ ଗ୍ରହଣ କରୁନାହାନ୍ତି। ମୁଁ ପୁଣିଥରେ ଜୋର ଦେଇ କହୁଛି ଯେ ମୁଁ ଜଣେ ସନାତନୀ ହିନ୍ଦୁ ଓ ହିନ୍ଦୁମାନେ ଅସ୍ପୃଶ୍ୟତା ରୂପକ ପାପରୁ ମୁକ୍ତ ନ ହେବା ପର୍ଯ୍ୟନ୍ତ ସ୍ବରାଜ ସମ୍ଭବ ନୁହେଁ। ଏହି ଅସ୍ପୃଶ୍ୟତା ହିନ୍ଦୁ ସମାଜରେ ପ୍ରଚଳିତ ଥିବା ପର୍ଯ୍ୟନ୍ତ ମୁଁ ନିଜକୁ ହିନ୍ଦୁ କହିବାକୁ ଲଜ୍ଜିତବୋଧ କରୁଛି।“ ସେ ଲେଖିତ୍ଥିବା ପ୍ରବନ୍ଧ ”ସନାତନୀ ହିନ୍ଦୁ କିଏ“ ଗୁଜରାଟୀ ସାପ୍ତାହିକ ପତ୍ରିକା ‘ନବଜୀବନ’ରେ ପ୍ରକାଶ ପାଇଥିଲା। ସେଥିରେ ସେ ଅସ୍ପୃଶ୍ୟତାକୁ ଅଧର୍ମ ବୋଲି ବିଚାର କରି ଲେଖିଥିଲେ ”କୌଣସି ବ୍ୟକ୍ତିକୁ ସମାଜରୁ ଘଉଡ଼ାଇ ଦେଇ ଗାଁର ଉପାନ୍ତ ଅଞ୍ଚଳରେ ସ୍ଥାନ ଦେବା, ସେମାନେ ବଞ୍ଚତ୍ଲେ କି ମଲେ ସେ ସମ୍ପର୍କରେ ଚିନ୍ତିତ ନ ହେବା, ନିଜର ଉଚ୍ଛିଷ୍ଟ ଖାଦ୍ୟ ସେମାନଙ୍କୁ ଖାଇବାକୁ ଦେବା କେବେ ଧର୍ମ ପଦବାଚ୍ୟ ନୁହେଁ- ଏହା ହିନ୍ଦୁ ଧର୍ମ ନୁହେଁ।“
ଗାନ୍ଧୀ ନିଜକୁ ଅନେକଥର ଜଣେ ପୁରାତନ ପନ୍ଥୀ (Orthodox) ହିନ୍ଦୁ ବୋଲି କହିଛନ୍ତି, ମାତ୍ର ତାଙ୍କ ପାଇଁ ଏହି ଶବ୍ଦ ପ୍ରଚଳିତ ଅର୍ଥଠାରୁ ଭିନ୍ନ ଥିଲା। ଜାଫନାରେ (୧୯୨୭) ଏକ ହିନ୍ଦୁ ସଭାରେ ସେ କହିଥିଲେ ”ଯଦି ପୁରାତନ ପନ୍ଥୀ ହିନ୍ଦୁଧର୍ମ (Orthodox Hinduism ) କହିଲେ କାହା ସଙ୍ଗେ ଏକତ୍ର ଭୋଜନ କରିବା ବା କରିବା ନାହିଁ, କାହାକୁ ଛୁଇଁବା ବା ଛୁଇଁବା ନାହିଁ, କିମ୍ବା ମୁସଲମାନ୍‌ ଓ ଖ୍ରୀଷ୍ଟିଆନ୍‌ଙ୍କ ସହ କଳହରେ ବ୍ୟାପୃତ ହେବା, ତା’ହେଲେ ମୁଁ ନିଶ୍ଚିତ ଭାବରେ ଜଣେ ପୁରାତନପନ୍ଥୀ ହିନ୍ଦୁ ନୁହେଁ। ମାତ୍ର ଯଦି ପୁରାତନ ପନ୍ଥୀ ହିନ୍ଦୁଧର୍ମ କହିଲେ ଧର୍ମକୁ ଯଥା ସାଧ୍ୟ ଜୀବନରେ ଉତ୍ତମ ଭାବରେ ପ୍ରକାଶ କରିବା ପାଇଁ ଅବିରତ ଉଦ୍ୟମକୁ ବୁଝାଏ, ତା’ହେଲେ ମୁଁ ଜଣେ ପୁରାତନବାଦୀ ହିନ୍ଦୁ।“ ପୁରାତନବାଦୀ ହିନ୍ଦୁଧର୍ମ କଠୋରବାଦୀ ଓ ସଂସ୍କାର ବିରୋଧୀ ଥିବାବେଳେ ଗାନ୍ଧୀଙ୍କ ପୁରାତନବାଦୀ ହିନ୍ଦୁଧର୍ମ ସଂସ୍କାରବାଦୀ ଥିଲା। ତାଙ୍କର ଏହି ବକ୍ତବ୍ୟରୁ ସ୍ପଷ୍ଟ ହୁଏ ଯେ ସେ ହିନ୍ଦୁଧର୍ମକୁ ପ୍ରଚଳିତ ଥିବା ଅସୃଶ୍ୟତା ଭଳି କୁସଂସ୍କାରରୁ ମୁକ୍ତ କରିପାରିଲେ ହିଁ ଜଣେ ନିଜକୁ ପୁରାତନପନ୍ଥୀ ହିନ୍ଦୁ ବୋଲି ଦାବି କରିପାରିବ। ପୁରାତନ ପନ୍ଥୀ ହିନ୍ଦୁ ଓ ସନାତନୀ ହିନ୍ଦୁ ମଧ୍ୟରେ ସେ କୌଣସି ଭିନ୍ନତା ଦେଖୁ ନ ଥିଲେ, କାରଣ ସନାତନ ଧର୍ମରେ ପ୍ରଚଳିତ ଜାତିପ୍ରଥା ନ ଥିଲା, କି ଅସୃଶ୍ୟତା ନ ଥିଲା ମାତ୍ର ଗାନ୍ଧିଜୀଙ୍କ ସମୟରେ ଜନ୍ମରୁ ଜାତି ପ୍ରଥା ପ୍ରଚଳିତ ଥିଲା ଓ ପୁଣି ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଜାତି ମଧ୍ୟରେ ଉଚ୍ଚ ନୀଚ ଭେଦଭାବ ଥିଲା। ମାତ୍ର ସନାତନ ଧର୍ମରେ ଏହି ପ୍ରଥା ନ ଥିଲା।
ବେଦରେ ଥିଲା ବର୍ଣ୍ଣାଶ୍ରମ ଧର୍ମ। ମଣିଷର ସ୍ବଭାବଗତ ଗୁଣ ଓ କର୍ମ ଅନୁସାରେ ଜଣେ ବ୍ରାହ୍ମଣ, କ୍ଷତ୍ରିୟ ବୈଶ୍ୟ ବା ଶୂଦ୍ର ଭାବରେ ବିଦିତ ହେଉଥିଲା। ଗାନ୍ଧିଜୀ ସ୍ପଷ୍ଟ ଭାବରେ କହୁଥିଲେ ଯେ ଜ୍ଞାନାର୍ଜନ ଓ ଜ୍ଞାନବିତରଣ ଦ୍ୱାରା ବ୍ରାହ୍ମଣ, ଦେଶରକ୍ଷା କର୍ମଦ୍ୱାରା କ୍ଷତ୍ରିୟ, ବାଣିଜ୍ୟ ବ୍ୟବସାୟ କର୍ମଦ୍ୱାରା ବୈଶ୍ୟ ଓ ଅନ୍ୟମାନଙ୍କ ସେବା କରିବା ଦ୍ୱାରା ଶୂଦ୍ର ଭାବରେ ବିଦିତ ହେଲେ ମଧ୍ୟ ଜଣକର କାମ ଅନ୍ୟଜଣେ କରିବା ପାଇଁ କୌଣସି ପ୍ରତିବନ୍ଧକ ନ ଥିଲା। କର୍ମ ବିଭାଜନ ମାଧ୍ୟମରେ ସମାଜକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ଥିଲା ବର୍ଣ୍ଣାଶ୍ରମ ଧର୍ମର ଉଦ୍ଦେଶ୍ୟ। ମାତ୍ର କାଳକ୍ରମେ ବର୍ଣ୍ଣ କର୍ମ ଆଧାରିତ ନ ହୋଇ ଜନ୍ମ ଆଧାରିତ ‘ଜାତି’ ରେ ପରିଣତ ହେଲା ଓ ଉଚ୍ଚନୀଚ ଭେଦଭାବ ସୃଷ୍ଟି ହୋଇ ଅସୃଶ୍ୟତା ଭଳି ଅମାନବୀୟ ପ୍ରଥା ପ୍ରଚଳିତ ହେଲା। ମହାତ୍ମା ଗାନ୍ଧୀ ସନାତନ ଧର୍ମର ମୂଳତତ୍ତ୍ୱ ଆଧାରରେ ତଥାକଥିତ ହିନ୍ଦୁଧର୍ମରେ ପ୍ରବେଶ କରିଥିବା ଅସୃଶ୍ୟତା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସେ ଏହି ଅସ୍ପୃଶ୍ୟତା ଓ ଉଚ୍ଚନୀଚ ଭେଦଭାବକୁ ଦୂର କରିବା ପାଇଁ ଘୋଷଣା କରିଥିଲେ, ”ଯଦି ମୋର ପୁନର୍ଜନ୍ମ ଥାଏ, ତା’ହେଲେ ମୁଁ ଅସ୍ପୃଶ୍ୟ ଜାତିରେ ଜନ୍ମଗ୍ରହଣ କରିବାକୁ ଚାହେଁ।“ ପୁନଶ୍ଚ ସେ ଜଣେ ଅସ୍ପୃଶ୍ୟ କନ୍ୟାକୁ ପୋଷ୍ୟକନ୍ୟା ଭାବରେ ଗ୍ରହଣ କରି ଆଶ୍ରମରେ ସ୍ଥାନ ଦେଇଥିଲେ। ୧୯୨୬ ଡିସେମ୍ବରରେ ସେ କଂଗ୍ରେସର ଗୁଆହାଟୀ ଅଧିବେସନରେ କହିଲେ, ”ମୁଁ ଜନ୍ମରେ ହିନ୍ଦୁ ଓ ହିନ୍ଦୁ ଧର୍ମରେ ମୁଁ ଶାନ୍ତି ପାଏ। ଯେତେବେଳେ ମୁଁ ଶାନ୍ତି ହରାଏ, ତାହା ମୁଁ ହିନ୍ଦୁ ଧର୍ମରେ ପାଏ। ମୁଁ ହିନ୍ଦୁଧର୍ମକୁ ଅଧ୍ୟୟନ କରିଛି ଓ ନିଷ୍ପତ୍ତି ନେଇଛି ଯେ ସେଥିରେ ଯାହାବି ଦୋଷତ୍ରୁଟି ଥାଉ, ଏହି ହିନ୍ଦୁଧର୍ମ ହିଁ ମୋ ପାଇଁ ଧର୍ମ। ଏହା ମୋର ଅନୁଭବ ଓ ସେଥିପାଇଁ ମୁଁ ନିଜକୁ ଜଣେ ସନାତନୀ ହିନ୍ଦୁ କହେ।“ ତାଙ୍କ ଦୃଷ୍ଟିରେ ଯେଉଁ ହିନ୍ଦୁ କୁସଂସ୍କାର ମୁକ୍ତ ଓ ଯାହାର ପ୍ରତ୍ୟେକ କର୍ମ ବିବେକ ଓ ନୀତିବୋଧ ଦ୍ୱାରା ନିୟନ୍ତ୍ରିତ ସେ ହିଁ ସନାତନୀ ହିନ୍ଦୁ।

ଡ. ଛାୟାକାନ୍ତ ଷଡ଼ଙ୍ଗୀ
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri