
ବଲିଉଡ୍ ଷ୍ଟାର ସୈଫ୍ ଅଲୀ ଖାନ୍ଙ୍କ ବାନ୍ଦ୍ରା ଓ୍ବେଷ୍ଟ୍ସ୍ଥିତ ‘ସତ୍ଗୁରୁ ଶରଣ’ ବିଲ୍ଡିଂରେ ବୁଧବାର ରାତି ୨ଟା ୩୦ରେ ଜଣେ ବ୍ୟକ୍ତି ଅନୁପ୍ରବେଶକରି ତାଙ୍କୁ ୬ ଥର ଛୁରାମାଡ଼ କରିଥିଲେ। ଅନୁପ୍ରବେଶକାରୀ ଚୋରି ଉଦ୍ଦେଶ୍ୟରେ ସୈଫ୍ଙ୍କ ଘରକୁ ଯାଇଥିବା ତାଙ୍କ ସାନପୁଅ ଜେହାଙ୍ଗୀର(୪)ଙ୍କ ନର୍ସ ଏଲିୟାମା ଫିଲ୍ଲିପ୍ସ ଓରଫ୍ ଲିମା ବାନ୍ଦ୍ରା ଥାନାରେ ଏତଲା ଦେଇଥିଲେ। ମୁମ୍ବାଇ ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ସଶସ୍ତ୍ର ଡକାୟତି ଉଦ୍ୟମ ଓ ହତ୍ୟା ଉଦ୍ୟମ ମାମଲା ରୁଜୁକରି ତଦନ୍ତ ଚଳାଇଛି। ଷଷ୍ଠ ଫ୍ଲୋର୍ର ସିସିଟିଭି ଫୁଟେଜ୍ରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ପରେ ଗୁରୁବାର ତାଙ୍କ ଫଟୋ ଜାରି କରାଯାଇଥିଲା। ଆକ୍ରମଣକାରୀଙ୍କୁ ଧରିବା ପାଇଁ ମୁମ୍ବାଇ ପୋଲିସର ୩୫ ଟିମ୍ ଗଠନ କରାଯାଇଛି। ଏହି ଘଟଣାକୁ ଅନେକ ସମୟ ବିତିଯାଇଥିଲେ ମଧ୍ୟ ଆକ୍ରମଣକାରୀଙ୍କୁ ଏଯାଏ ଧରାଯାଇପାରି ନାହିଁ। ପୋଲିସ ଜଣେ ପରେ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଧରି ଥାନାରେ ଅଟକ ରଖୁଛି। କିନ୍ତୁ ପ୍ରମାଣ ନ ମିଳିବାରୁ ପରବର୍ତ୍ତୀ ସମୟରେ ତାଙ୍କୁ ଛାଡ଼ିଦେଉଛି। ଏହି ପ୍ରସଙ୍ଗରେ ଭାଜପା ନେତୃତ୍ୱାଧୀନ ମହାୟୁତି ସରକାରଙ୍କ ପାରିବାପଣିଆକୁ ନେଇ ବିରୋଧୀ ମହାବିକାଶ ଅଘାଡ଼ି (ଏମ୍ଭିଏ) ପ୍ରଶ୍ନ ଉଠାଉଥିବାବେଳେ ରବିବାର ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟରେ ହାଜର ପରେ ୫ ଦିନିଆ ରିମାଣ୍ଡ୍ରେ ନେଇଛି ମୁମ୍ବାଇ ପୋଲିସ। ତେଣୁ ପ୍ରକୃତରେ ଆକ୍ରମଣ କରିଥିବା ବ୍ୟକ୍ତି ଜଣକ କିଏ ଏବଂ ଏହା ପଛରେ ତାଙ୍କର କି ଉଦ୍ଦେଶ୍ୟ ଥିଲା ତାକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଛି।
ଜାନୁଆରୀ ୧୭: ମୁମ୍ବାଇ ପୋଲିସ ପ୍ରକୃତ ଅଭିଯୁକ୍ତଙ୍କ ପରିବର୍ତ୍ତେ ସୈଫ୍ଙ୍କ ଆକ୍ରମଣ ସହ ଜଡ଼ିତ ନ ଥିବା ଜଣେ ଭିନ୍ନ ବ୍ୟକ୍ତିଙ୍କୁ ଧରି ବାନ୍ଦ୍ରା ଥାନାକୁ ନେଇ ପଚରାଉଚରା କରିଥିଲା। ସୈଫ୍ଙ୍କ ଘରେ ଏହି କାଣ୍ଡ ଭିଆଇବା ପରେ ସେଠାରୁ ଫେରାର ହେଉଥିବାବେଳେ ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବା ଅନୁପ୍ରବେଶକାରୀଙ୍କ ସହ ଅଟକ ବ୍ୟକ୍ତିଙ୍କ ଚେହେରାର ସାମଞ୍ଜସ୍ୟ ଥିବାରୁ ତାଙ୍କୁ ବାନ୍ଦ୍ରା ରେଳ ଷ୍ଟେଶନ୍ରୁ ପୋଲିସ ଧରିଥିଲା। କିନ୍ତୁ ସତ ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ଛାଡ଼ିଦେଇଥିଲା।
ଜାନୁଆରୀ ୧୮: ପ୍ରଥମେ କୁହାଗଲା, ମଧ୍ୟପ୍ରଦେଶ ଓ ଛତିଶଗଡ଼ରୁ ୨ ଜଣ ସନ୍ଦିଗ୍ଧ ଧରାପଡ଼ିଛନ୍ତି। ପ୍ରଶ୍ନ ଉଠିଲା, ଯଦି ଆକ୍ରମଣକାରୀ ଜଣେ ବ୍ୟକ୍ତି ତେବେ ୨ ଜଣ କିପରି ଧରାପଡ଼ିଲେ? ପରେ କୁହାଗଲା, ଛତିଶଗଡ଼ର ଦୁର୍ଗ ରେଳ ଷ୍ଟେଶନ୍ରୁ ଧରାପଡ଼ିଥିବା ବ୍ୟକ୍ତି ହିଁ ଆକ୍ରମଣକାରୀ। ତାଙ୍କ ନାମ ଆକାଶ କନୌଜିଆ, ବୟସ ୩୦ ବର୍ଷ। ଷ୍ଟେଶନ୍ର ରେଲଓ୍ବେ ପୋଲିସ ଫୋର୍ସ ପୋଷ୍ଟରେ ରାତିସାରା ପଚରାଉଚରା ପରେ କିଛି ପ୍ରମାଣ ନ ମିଳିବାରୁ ରବିବାର ସକାଳେ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।
ଜାନୁଆରୀ ୧୯: ସୈଫ୍ଙ୍କ ଆକ୍ରମଣକାରୀ ବୋଲି ମୁମ୍ବାଇ ପୋଲିସ ଜଣେ ବ୍ୟକ୍ତିଙ୍କୁ ଧରିଛି। ତାଙ୍କ ନାମ ମହମ୍ମଦ ଶରିଫୁଲ ଇସ୍ଲାମ୍ ଶେହଜାଦ୍। ଠାଣେରେ ଶନିବାର ରାତିରେ ଧରାପଡ଼ିଥିବା ୩୦ ବର୍ଷୀୟ ଶେହଜାଦ୍ ଜଣେ ବାଂଲାଦେଶୀ। ସେ ନିଜ ନାମ ‘ବିଜୟ ଦାସ’କୁ ବଦଳାଇ ଭାରତକୁ ଅନୁପ୍ରବେଶ କରିଥିବା ପୋଲିସ କହିଛି। ପୋଲିସର କହିବା ହେଲା ଶେହଜାଦ୍ ୧୬ ତାରିଖ ସକାଳ ୭ଟା ଯାଏ ବାନ୍ଦ୍ରା ଓ୍ବେଷ୍ଟ୍ରେ ଥିବା ପଟଓ୍ବର୍ଦ୍ଧନ ଗାର୍ଡେନରେ ଶୋଇଥିଲେ। ପରେ ସେ ଏକ ଟ୍ରେନ୍ରେ ଓ୍ବର୍ଲି ଯାଇଥିଲେ। ଏହି ବ୍ୟକ୍ତି ହିଁ ପ୍ରକୃତ ଆକ୍ରମଣକାରୀ ବୋଲି ମୁମ୍ବାଇ ପୋଲିସ ବାନ୍ଦ୍ରା କୋର୍ଟରେ ଯୁକ୍ତି ବାଢ଼ିଥିଲା। ଏଥିସହ ୧୪ ଦିନଆ ରିମାଣ୍ଡ୍ ଦାବି କରିଥିଲା। କିନ୍ତୁ କୋର୍ଟ ୫ ଦିନ ପାଇଁ ପୋଲିସକୁ ରିମାଣ୍ଡ୍ ଅନୁମତି ଦେଇଛନ୍ତି। କେବଳ ଏତିକି ନୁହେଁ, ଶେହଜାଦ୍ ଏହି ଆକ୍ରମଣ କରିବା ପଛରେ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର ରହିଥିବା ସରକାରୀ ଓକିଲ ଯୁକ୍ତି ବାଢ଼ିଛନ୍ତି। ତେଣୁ ପ୍ରକୃତ ଆକ୍ରମଣକାରୀଙ୍କୁ ଧରି ନ ପାରି ନିଜ ଅପାରଗତା ଲୁଚାଇବା ପାଇଁ ପୋଲିସ ଏହାକୁ ଏକ ଭିନ୍ନ ରୂପ ଦେବାକୁ ଉଦ୍ୟମ ଚଳାଇଥିବା ଲୋକେ କହୁଛନ୍ତି।