ଓଡ଼ିଆ ଭାଷାର ଦୁଃଖ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

 

ନିକଟ ଅତୀତରେ ଯେତେବେଳେ ଓଡ଼ିଆ ଭାଷାର ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇ ଏହି ଭାଷାର ଜୟ ଜୟକାର ଧ୍ୱନିରେ ଗଗନ ମଣ୍ଡଳ ପ୍ରକମ୍ପିତ ହୋଇଥିଲା, ଏକ ବ୍ୟୟବହୁଳ ବର୍ଣ୍ଣାଢ଼୍ୟ ସମାରୋହରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଜ୍ଞାନୀ ଗୁଣୀ ଜନେ ଏହି ଭାଷାର ମହିମା ଗାନ କରି ତାହାକୁ ଗୌରବ ମଣ୍ଡିତ କରିଥିଲେ; ସେତେବେଳେ ପୁଣି ତା’ର ଦୁଃଖ କ’ଣ ଯେ! ତଥାପି ଆମ ଓଡ଼ିଆ ଭାଷାଟି ବଡ଼ ଦୁଃଖରେ ଅଛି। ବଡ଼ ବିଚିତ୍ର ଏଇ ଦୁଃଖ। ମଞ୍ଚ ଉପରେ ରାଜାଙ୍କ ବେଶଭୂଷାରେ ରାଜମୁକୁଟ ପରିହିତ ମହାରାଜ ଓଜନ୍‌ଦାର ସଂଳାପ କହି ନିଜ ସଂଭ୍ରାନ୍ତ ରାଜପଣର ପରିଚୟ ଦେଇ ଗ୍ରୀନରୁମ୍‌କୁ ବାହୁଡ଼ି ଆସିଲା ପରେ ଘରେ ଛାଡ଼ି ଆସିଥିବା ନିଜ ଅସୁସ୍ଥ ପୁଅ କଥା ଚିନ୍ତାକରି ଦୁଃଖୀ ହୋଇପଡ଼ିଲା ଭଳି ବିଶ୍ୱ ସମ୍ମିଳନୀର ଜୟଗାନ ପରେ ମଞ୍ଚମୁକ୍ତ ହୋଇ ଗ୍ରୀନ୍‌ରୁମ୍‌ରେ ନିର୍ମମ ବାସ୍ତବତା ପ୍ରତ୍ୟକ୍ଷ କରିଥିବା ଓଡ଼ିଆ ଭାଷାର ଏହି ଦୁଃଖ।
ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ମଞ୍ଚରେ ଓଜଃସ୍ବିନୀ ବକ୍ତୃତା ଦେଇ ଓଡ଼ିଆ ଭାଷାର ମହନୀୟ ଆବେଦନ ସମ୍ପର୍କରେ ଆଲୋକପାତ କରିଥିବା ତଥା ‘ଓଡ଼ିଆ ଏକ୍‌ଟା ସ୍ବତନ୍ତ୍ର ଭାଷା ନୟ’ କହିଥିବା ସେଇ ବଙ୍ଗାଳୀ ବଡ଼ପଣ୍ଡାଙ୍କ ବିରୋଧରେ ବିଷୋଦ୍‌ଗାର କରିଥିବା ଜଣେ ପ୍ରତିଷ୍ଠିତ ଓଡ଼ିଆ ସାହିତି୍ୟକଙ୍କ ଘରେ ତାଙ୍କ ସହ ଆଳାପ କରୁଥିଲେ ଜଣେ ସ୍ବଳ୍ପ ପରିଚିତ ଲେଖକ। କଥାଟି ଅବଶ୍ୟ ଏବେକାର ନୁହେଁ, ତିରିଶ ବର୍ଷ ତଳର। ଏହି ବିଶିଷ୍ଟ ଓଡ଼ିଆଙ୍କ ବୈଠକଖାନାରେ ଦୁହେଁ ବସିଥିଲା ବେଳେ ଘର ମଧ୍ୟକୁ ପଶିଆସିଲେ ତାଙ୍କର ଦୁଇ ସ୍କୁଲ ଫେରନ୍ତା ପୁଅ। ‘ହେଲୋ ଡାଡ୍‌’ କହି ଭିତରକୁ ପଶିଯାଉଥିଲା ବେଳେ ପିଲା ଦୁହିଁଙ୍କୁ ଡାକି ମହୋଦୟ ଅଟକାଇଦେଲେ ଓ ଆଗନ୍ତୁକଙ୍କ ସହ ପରିଚିତ କରାଇ କହିଲେ- ”ତୁମ ଡାଡି ଭଳି ଏଇ ଅଙ୍କଲ ବି ଜଣେ ଲେଖକ।“ କେମିତି ଏକ ଅବଜ୍ଞାର ନଜର ଫିଙ୍ଗି ପିଲା ଦୁହେଁ ନୂଆ ଅଙ୍କଲଙ୍କୁ ‘ହେଲୋ’ କହି ଭିତରକୁ ପଶିଗଲେ। ସେମାନେ ଚାଲିଗଲା ପରେ ଓଡ଼ିଆ ଭାଷାର ପଣ୍ଡିତପ୍ରବର ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ସେମାନଙ୍କ ବାପା ଦାନ୍ତ ଦେଖାଇ ସାମାନ୍ୟ ହସିଲେ ଓ କହିଲେ- ”ପିଲା ଦୁହେଁ କନ୍‌ଭେଣ୍ଟରେ ପଢ଼ୁଛନ୍ତି ତ!“ ଅଥଚ ସେଦିନ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ ମାଧ୍ୟମ ଶିକ୍ଷା ସପକ୍ଷରେ କି ଜ୍ୱାଳାମୟୀ ଭାଷଣ ତାଙ୍କର!
ଓଡ଼ିଆ ଭାଷାର ବିଶ୍ୱସ୍ତରୀୟ ମହତ୍ତ୍ୱ ପ୍ରତିପାଦନ କରିବାର ପ୍ରାଣମୟ ପ୍ରଚେଷ୍ଟା କରାଯାଉଛି ସେତିକିବେଳେ, ଯେତେବେଳେ ନିଜ ପିଲାମାନଙ୍କୁ ବ୍ୟୟବହୁଳ ଇଂଲିଶ୍‌ ମିଡିୟମ ସ୍କୁଲରେ ପାଠ ପଢ଼ାଇବାକୁ ଏକ ‘ଷ୍ଟାଟସ୍‌ ସିମ୍ବଲ’ ବା ସଂଭ୍ରାନ୍ତ ପରିଚୟର ଉପକ୍ରମ ଭାବେ ମାନ୍ୟତା ଦିଆଯାଉଛି। ପରିଚୟ ପାଇଁ ପଦବୀର ପତିଆରା ଥିବ, ରହିବା ପାଇଁ ସୁରମ୍ୟ ଅଟ୍ଟାଳିକା, ଗ୍ୟାରେଜ୍‌ରେ ଦାମୀ ଗାଡ଼ି ଓ ବ୍ୟାଙ୍କରେ ମୋଟାଅଙ୍କର ଅର୍ଥ। ଅଥଚ ନିଜ ପିଲାଏ କେଉଁ ଏକ ସାଧାରଣ ଓଡ଼ିଆ ସ୍କୁଲରେ ପାଠ ପଢୁଥିବେ। ଅସମ୍ଭବ। ଅତ୍ୟନ୍ତ ଅସହ୍ୟ ଅତୃପ୍ତି। ନିଜ ପ୍ରତିଷ୍ଠାର ଔଜ୍ଜଲ୍ୟ ଉପରେ କିଏ ଯେମିତି ମେଞ୍ଚାଏ କଳା ଅନ୍ଧାର ଛାଟିଦେଇଛି! ସବୁ ଥାଇ ମଧ୍ୟ ଲାଗୁଛି ଯେମିତି ଦୁଃସ୍ଥ, ଦରିଦ୍ର!
ସମାଜରେ ନିଜ ପ୍ରତିଷ୍ଠା, ପତିଆରାକୁ ନେଇ ନିଜ ପିଲାଙ୍କୁ ଇଂଲିଶ ମିଡିୟମ ସ୍କୁଲରେ ପଢ଼ାଇବା, ସେମାନଙ୍କ ମୁହଁରୁ ‘ଡାଡି’, ‘ମମି’ର ଆଓ୍ବାଜ୍‌ ଶୁଣି ଏକ ଅନିର୍ବଚନୀୟ ଅନୁଭବରେ ଆହ୍ଲାଦିତ ହେବା ଭଳି ସହରୀ ଆଧୁନିକ ମାତାପିତାଙ୍କ ପାଖରେ ଓଡ଼ିଆ ଭାଷାର ହୀନିମାନ ଚେହେରା ସୀମିତ ଥିଲେ ଆଉ କଥା ନ ଥାନ୍ତା। ମାତ୍ର ଯେଉଁମାନେ ସବୁମତେ ଓଡ଼ିଆ, ନିଚ୍ଛକ ଓଡ଼ିଆମୀ ଯେଉଁମାନଙ୍କ ଅସ୍ଥିମଜ୍ଜାଗତ, ଯେଉଁମାନଙ୍କ ପରିବାରରେ କେଇପୁରୁଷ ଧରି ଓଡ଼ିଆ ଭାଗବତର ସ୍ବର ଝଙ୍କୃତ ହୋଇଆସିଛି, ସେମାନେ ମଧ୍ୟ ନିଜ ପିଲାମାନଙ୍କୁ ଆଧୁନିକତାର ନୂଆ ସ୍ବାଦ ଚଖାଇବା ପାଇଁ ପଛରେ ପଡ଼ିଯାଇନାହାନ୍ତି। ଯେଉଁଠି ପୁରୁଣାକାଳିଆ ମା’ବାପା ଡାକ କାନକୁ ପିତା ଲାଗେ, ଡାଡି ମମିର ସମ୍ବୋଧନ ମଧ୍ୟରେ ଅପୂର୍ବ ପୁଲକରେ ସମ୍ମୋହିତ ହୁଏ ଆପଣାର ପିତୃତ୍ୱ ଓ ମାତୃତ୍ୱ, ସେଠି ହାକିମ ଓ ପିଅନ ମଧ୍ୟରେ କିଛି ଫରକ ନାହିଁ। ଯିଏ ପଇସା ଖର୍ଚ୍ଚ କରିପାରିଲା, ସେ ବାପା ବଦଳରେ ଡାଡି ବା ଡାଡ୍‌ ହୋଇପାରିଲା! ‘ହେ ଆନନ୍ଦମୟ କୋଟି’ ବା ଆହେ ଦୟାମୟ ବିଶ୍ୱ ବିହାରୀ’ ବଦଳରେ ‘ଟ୍ବିଙ୍କ୍‌ଲ ଟ୍ବିଙ୍କ୍‌ଲ ଲିଟିଲ୍‌ ଷ୍ଟାର’ର ଆବୃତ୍ତି ଶୁଣି ବିମୋହିତ ହେଲା! ସେ ଅଫିସର ହୁଅନ୍ତୁ କି ମେହେନ୍ତର, ଶିଳ୍ପପତି ହୁଅନ୍ତୁ କି ପାନଦୋକାନୀ, ସବୁ କିସମର ମାତାପିତା ମାତୃଭାଷା ଓଡ଼ିଆଠୁଁ ଦୂରେଇ ଯାଉଥିବା ନିଜ ପିଲାମାନଙ୍କୁ ନେଇ ଏଥିପାଇଁ ଅଧିକ ଉଲ୍ଲସିତ ହୁଅନ୍ତି ଯେ ସେମାନଙ୍କ ଝିଅପୁଅ ସାଧାରଣ ଓଡ଼ିଆ ସ୍କୁଲରେ ପଢୁଥିବା ଝିଅପୁଅଙ୍କଠାରୁ ଭିନ୍ନ ପରିଚୟ ବହନ କରନ୍ତି ଓ ସେମାନେ ଏହି ଭିନ୍ନ ସନ୍ତାନମାନଙ୍କର ଭାଗ୍ୟବାନ୍‌ ମାତାପିତା!
ଏ ସଂସାରକୁ ଆସିଥିବା ପ୍ରତ୍ୟେକ ମଣିଷଙ୍କର ମା’ଟିଏ ଥାଏ, ଥାଏ ପୁଣି ଏକ ମାତୃଭୂମି ଓ ମାତୃଭାଷା। ଜଣଙ୍କ ଗର୍ଭରୁ ସେ ଜନ୍ମ ନେଇଥାଏ, ଆଉ ଜଣଙ୍କ ଛାତିରେ ପାଦ ରଖି ସେ ଛୋଟରୁ ବଡ଼ ହୁଏ ତ ପୁଣି ଜଣକୁ କଣ୍ଠସ୍ଥ କରି ସେ ନିଜର ପରିଚୟ ସୃଷ୍ଟିକରେ। ଅଥଚ ଭାରି କଷ୍ଟ ଲାଗେ, ଯେତେବେଳେ ଜନ୍ମଦାତ୍ରୀ ମା’ ଏକ ଅନ୍ଧ ଆଧୁନିକତାରେ ଆକ୍ରାନ୍ତ ହୋଇ ମାତୃଭାଷାଠୁ ନିଜ ସନ୍ତାନକୁ ଦୂରେଇରଖେ। କେଇ ବର୍ଷ ତଳେ ଏମିତି ଜଣେ ମା’ଙ୍କ ସହ ଭେଟ ହୋଇଥିଲା ଭୁବନେଶ୍ୱର ପୁସ୍ତକମେଳାରେ। ନିଜ ଆଠ ନଅବର୍ଷର ପୁଅଟି ସହ ବହିମେଳାରେ ବୁଲୁଥିଲା ବେଳେ ପୁଅଟି ହଠାତ୍‌ ଏକ ଷ୍ଟଲ୍‌ ଭିତରକୁ ପଶିଯାଇ କିଛି ଶିଶୁ କିଶୋର ପୁସ୍ତକ କିଣିବାକୁ ଚାହିଁଲା। ନିଜ ଜେଜେଙ୍କ ସହ କଥା ହୋଇ ତା’ ମଧ୍ୟରେ ସୃଷ୍ଟି ହୋଇଥିଲା ଓଡ଼ିଆ ଗପ, କବିତା ପଢ଼ିବାର ଏକ ଅଦମ୍ୟ ଅଭିଳାଷ। ଅଥଚ ଗାଁର ପାଣିପବନ ଓ ପଖାଳରେ ପରିପୁଷ୍ଟ ହୋଇ ପରବର୍ତ୍ତୀ କାଳରେ ସହରୀ ପାଲଟି ଯାଇଥିବା ମା’ ଜଣକ ଭୀଷଣ କ୍ଷୁବ୍‌ଧ ହୋଇଉଠିଲେ ନିଜ ପୁଅର ଏମନ୍ତ ଆଚରଣରେ। ପୁଅଟିକୁ ତାଗିଦ କରି କହିଲେ, ”ତୁ ତ ଇଂଲିଶ୍‌ ମିଡିୟମ୍‌ ସ୍କୁଲ୍‌ର ପିଲା। ସେଇ ଓଡ଼ିଆ ବହିରୁ ତୋତେ କ’ଣ ମିଳିବ! ଚାଲ୍‌, ଇଂଲିଶ୍‌ ବହି ଷ୍ଟଲ୍‌ରୁ ଯେତେ ଚାହିଁବୁ ସେତେ ବହି କିଣିଦେବି। ଇଂଲିଶ ରାଇମ୍‌, କମିକ୍‌ ଆଦି ପଢ଼ିଲେ ଜାଣିବୁ କେତେ ନିକୃଷ୍ଟ ଏଇ ଓଡ଼ିଆ ବହି।
ନିଜ ପୁଅ ପାଇଁ ଜଣେ ମା’ର ଆକଟ ନିହାତି ବ୍ୟକ୍ତିଗତ ହୋଇଥିଲେ ମଧ୍ୟ ଏଥିରୁ ଓଡ଼ିଆ ଭାଷା ପ୍ରତି ତାଙ୍କ ଅନ୍ତରର ବିଦ୍ୱେଷ ଆଖପାଖର କ୍ରେତା ବିକ୍ରେତାଙ୍କ ପାଇଁ ଆଉ ଅପ୍ରକାଶ୍ୟ ହୋଇ ରହି ନ ଥିଲା। ଲକ୍ଷ୍ୟ କରିବାର କଥା, ସେଇ ମା’ ଜଣକ ତାମିଲ, ଗୁଜରାଟୀ ବା ମରାଠୀ ନ ଥିଲେ। ସେ ଥିଲେ ପୂରାପୂରି ଜଣେ ଓଡ଼ିଆ ଘରର ଝିଅ, ଓଡ଼ିଆ ସ୍ବାମୀର ସ୍ତ୍ରୀ ଓ ସର୍ବୋପରି ଓଡ଼ିଆ ପୁଅର ମା’। ଇଏ ବୋଧହୁଏ ସେଇ ସ୍ବତନ୍ତ୍ର ଶ୍ରେଣୀର ଓଡ଼ିଆ ମା’, ଯାହାଙ୍କ ଶିକ୍ଷା ସଂସ୍କାର ପାଇଥିବା ଓଡ଼ିଆ ଝିଅପୁଅମାନେ ପରସ୍ପର ସହ ହିନ୍ଦୀ ବା ଇଂଲିଶ୍‌ରେ କଥା ହୁଅନ୍ତି। ଓଡ଼ିଆ ଭାଷାରେ କଥାହେବାକୁ ନିଜ ସମ୍ଭ୍ରାନ୍ତପଣର ପରିପନ୍ଥୀ ବୋଲି ବିଚାରନ୍ତି ଓ ଓଡ଼ିଆ ପର୍ବପର୍ବାଣିକୁ ପାସୋରି ‘ଭାଲେଣ୍ଟାଇନ୍‌ ଡେ’ ଭଳି ତାଙ୍କର ସଂସ୍କୃତିକୁ ଆପଣେଇ ନିଅନ୍ତି।
ଆପଣାର ସଂସ୍କାର, ସଂସ୍କୃତିକୁ ‘ବ୍ୟାକ୍‌ଓ୍ବାର୍ଡ’ ନାମ ଦେଇ ଫର୍‌ଓ୍ବାର୍ଡ ମାର୍ଚ୍ଚରେ ଆଗେଇ ଚାଲୁଥିବା ଯୁବାବର୍ଗ ଓ ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା ସେମାନଙ୍କ ଆଧୁନିକ ମା’ବାପାଙ୍କ ପାଇଁ ଉପସଂହାରରେ ହାଲୁକା ହସ କଥାଟିଏ। କଥାଟି ଅସତ୍ୟ ନୁହେଁ କି କଳ୍ପନାର କାରୁକାର୍ଯ୍ୟ ନୁହେଁ। ରାଜ୍ୟର ଏକ ପ୍ରମୁଖ କଲେଜର ଅଧ୍ୟକ୍ଷଙ୍କୁ ଅତିକ୍ରମ କରି ଦୁଇଜଣ ଛାତ୍ରୀଛାତ୍ର ପରସ୍ପର ସହ ଇଂଲିଶ୍‌ରେ କଥା ହୋଇ ଚାଲିଯାଉଥିବା ବେଳେ ଅଧ୍ୟକ୍ଷ ସେ ଦୁହିଁଙ୍କୁ ଅଟକାଇଦେଲେ ଓ କହିଲେ-”ତୁମେ ଦୁହେଁ ଇଂଲିଶ୍‌ରେ କଥା ହେଉଛ, ଭଲ କଥା। ମାତ୍ର ଏକଥା ଭୁଲି ଯାଅନି ଯେ ଭୁଲ୍‌ ଇଂଲିଶ୍‌ କହିବାଠାରୁ ଠିକ୍‌ ଓଡ଼ିଆରେ କଥା ହେବା ଓଡ଼ିଆ ବିଦ୍ୟାର୍ଥୀମାନଙ୍କ ପାଇଁ ଅଧିକ ଗୌରବଦାୟୀ।“ ସେଦିନ ସେଇ ବିଦ୍ୟାର୍ଥୀ ଦୁହେଁ ନିଜ ଭୁଲ୍‌ ବୁଝିଲେ କି ନାହିଁ ଜଣା ନାହିଁ, ମାତ୍ର ସେମାନଙ୍କ ମା’ବାପାମାନେ ଏହି ସରଳ ସତ୍ୟକୁ ବୁଝିପାରନ୍ତି ନାହିଁ। ଏହା ହିଁ ଏକ ପକ୍ଷରେ ସମୟର ଦୁର୍ଭାଗ୍ୟ ଓ ଅନ୍ୟପକ୍ଷରେ ଓଡ଼ିଆ ଭାଷାର ଦୁଃଖ!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର,
ଚକେଇସିହାଣୀ, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫

 


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

ସୁନାପିଲା

ପିଲାଦିନେ ଭାରି ଭଲ ଲାଗୁଥିଲା ଶୁଣିବାକୁ। ସୁନାପିଲା ବୋଲି ମୋତେ କେହି କହିଦେଲେ ଛାତି ଭିତରଟା କୁରୁଳି ଉଠେ। ମୋତେ ଆଙ୍ଗୁଠି ଦେଖାଇ ଆମ ଘରକୁ ବୁଲି…

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri