ଶିକ୍ଷୟିତ୍ରୀଙ୍କ ଦୁଃଖଦ କାହାଣୀ

ସେଦିନ ଦେଖାହୋଇଗଲା ଜଣେ ଶିକ୍ଷୟିତ୍ରୀଙ୍କ ସହିତ ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍‌ର ଏକ ସାଧାରଣ କମ୍ପାର୍ଟମେଣ୍ଟ ଭିତରେ। ଦିଲ୍ଲୀରୁ ଆସୁଥିବାରୁ ବାଟରେ ବୋଧହୁଏ ବହୁ ରେଳଯାତ୍ରୀ ଓହ୍ଲାଇ ଗଲେଣି। କାରଣ ଅନ୍ୟାନ୍ୟ ଟ୍ରେନ୍‌ ଭଳି ସେମିତି ଭିଡ଼ ନ ଥିଲା। ଏଣୁ ଅଧିକ କସରତ କରିବାକୁ ପଡ଼ିଲା ନାହିଁ ନିଜ ପାଇଁ ଏକ ସିଟ୍‌ ଯୋଗାଡ଼ କରିବାକୁ। ପରବର୍ତ୍ତୀ ଷ୍ଟେଶନରେ ସେହି ଭଦ୍ର ମହିଳା ଜଣକ ଟ୍ରେନ୍‌ ଚଢ଼ିଥିଲେ। ସିଟ୍‌ ଆଶାରେ ହେଉ କିମ୍ବା ମୋତେ ଚିହ୍ନିଥିବା ଯୋଗୁ ହେଉ ସେ ମୋ ପାଖକୁ ଆସିଲେ। ଆମେ ନମସ୍କାର ଆଦାନପ୍ରଦାନ ହେଲୁ। ତା’ପରେ ପାଖ ସିଟ୍‌ରେ ସେ ବସିଲେ। ପତଳା ଶରୀର। ମଳିନ ଚେହେରା। ଦେଖିଲେ ଅନୁମାନ କରାଯାଇ ପାରୁଥିଲା ବୟସ ଷାଠିଏ ଅତିକ୍ରମ କରିସାରିବଣି। ମୋର ଅନୁମାନ ସତ୍ୟ ହେଲା, ଯେତେବେଳେ ସେ ମୋ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ, ଏକ ମାସ ପୂର୍ବରୁ ସେ ଚାକିରିରୁ ଅବସର ନେଇସାରିଲେଣି ବୋଲି। କିନ୍ତୁ ଏହି କଥାଟି ସେ କହିଲା ବେଳେ ମୁଁ ଅନୁଭବ କରୁଥିଲି ସତେଯେମିତି ତାଙ୍କ ଭିତରେ ଅନେକ ଅବ୍ୟକ୍ତ ଯନ୍ତ୍ରଣା।
ଶିକ୍ଷୟିତ୍ରୀ ଜଣକ ମୋତେ ପଚାରିଲେ, ”ସାର୍‌! ମୁଁ ବାର୍ଦ୍ଧକ୍ୟ ଭତ୍ତା ପାଇ ପାରିବିନି ?“ ପ୍ରଶ୍ନର ଉତ୍ତର ଯଦିଓ ଅତି ସଂକ୍ଷିପ୍ତ, ‘ହଁ’ କିମ୍ବା ‘ନା’ ରେ ସୀମିତ, ମାତ୍ର ପ୍ରଶ୍ନଟି ମୋତେ ସଂକଟରେ ପକାଇଲା। ମୁଁ ସ୍ଥିର କରିପାରୁନଥିଲି କ’ଣ କହିବି! କାରଣ ମୋର ଉତ୍ତର ସହିତ ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ପାଇବାର କୌଣସି ସମ୍ପର୍କ ନ ଥିଲା। ମୁଁ ଜାଣିଥିଲି ‘ହଁ’ କହିଲେ ମିଛ ଆଶ୍ୱାସନା ହେବ। ‘ନା’ କଲେ ହୁଏତ ତାଙ୍କ ଭିତରେ ଅନ୍ତିମ ଆଶାର ଆଲୋକଟା ଚିରଦିନ ପାଇଁ ନିର୍ବାପିତ ହୋଇଯିବ। କିନ୍ତୁ ମୋର ଉତ୍ତରକୁ ଅପେକ୍ଷା କରିବାକୁ ତାଙ୍କ ନିକଟରେ ଧୈର୍ଯ୍ୟ ନ ଥିଲା। ସେ କହିଚାଲିଲେ…
”ପାଠପଢ଼ା ସମୟରୁ ଧରିନେଇଥିଲି ଶିକ୍ଷକତା ହେଉଛି ଏ ସମାଜରେ ସବୁଠାରୁ ସମ୍ମାନଜନକ ବୃତ୍ତି। ସବୁ ଶ୍ରେଣୀର ଲୋକେ ଶିକ୍ଷକଙ୍କୁ ସମ୍ମାନ ଦିଅନ୍ତି। ଏହି ଅବବୋଧକୁ ଆଧାର କରି ଜଣେ ଆଦର୍ଶ ଶିକ୍ଷୟିତ୍ରୀ ହେବା ପାଇଁ ପିଲାବେଳରୁ ମୋର ଭାରି ଇଚ୍ଛା ଥିଲା। ଏଣୁ ଇତିହାସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିସାରିବା ପରେ ଶିକ୍ଷକ ପ୍ରଶିକ୍ଷଣ ତାଲିମ ବି.ଏଡ୍‌. ଡିଗ୍ରୀ ହାସଲ କଲି। ଏହି ସମସ୍ତ ଶିକ୍ଷାଗତ ଯୋଗ୍ୟତା ହାସଲ କଲାପରେ ନିଯୁକ୍ତି ବିଜ୍ଞାପନକୁ ଅପେକ୍ଷା କଲି। ମାତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଲା ନାହିଁ। ଦୁଇ ତିନି ବର୍ଷ ପରେ ହତାଶାଭାବ ଦେଖାଦେଲା। ମନରେ ବାରମ୍ବାର ପ୍ରଶ୍ନ ଉଠିଲା, ସତରେ କ’ଣ ଶିକ୍ଷକ ହେବା ଆଶା ଆଶାରେ ରହିଯିବ? ସଂଯୋଗକ୍ରମେ ୧୯୯୨ ମସିହାରେ ଆମ ପଞ୍ଚାୟତରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ଖୋଲିଲା। ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନ ଥିବା ହେତୁ ପାଞ୍ଚ ଛଅଟି ଗାଆଁର ଲୋକେ ଏକାଠି ହୋଇ ବିଦ୍ୟାଳୟ ଖୋଲିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକ ମୋତେ ପ୍ରଧାନଶିକ୍ଷକ ଭାବେ ରହିବାକୁ ଆସି ପ୍ରସ୍ତାବ ରଖିଲେ। ବହୁତ ଭାବିଚିନ୍ତି ପ୍ରସ୍ତାବଟି ଗ୍ରହଣ କଲି ଏବଂ ଆବେଦନ କଲି। ପରିଚାଳନା କମିଟି ଦ୍ୱାରା ଗଠିତ ଏକ ଚୟନ କମିଟି ଆବେଦନକାରୀଙ୍କ ସାକ୍ଷାତ୍‌କାର ନେଲେ। ଯେତେବେଳେ ଜାଣିଲି ସେମାନେ ମୋତେ ଚୟନ କରିଛନ୍ତି, ଖୁସିରେ ମୋ ପାଦ ମାଟିରେ ଲାଗି ନଥିଲା। ତାପରେ ନିଯୁକ୍ତି। ଏବେବି ନିଯୁକ୍ତି ପତ୍ରଟି ସୁନ୍ଦର ଭାବେ ବନ୍ଧେଇ ହୋଇ ମୋ ବାକ୍ସରେ ଥୁଆ ହୋଇଛି ମୂଲ୍ୟବାନ ସନ୍ତକ ରୂପରେ।
ବିଦ୍ୟାଳୟ ସୁରୁଖୁରୁରେ ଚାଲିଲା। ଆମେ ଯେତେ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ସେହି ବିଦ୍ୟାଳୟରେ ନିଯୁକ୍ତି ପାଇଲୁ, ସମସ୍ତେ ଶିକ୍ଷକତାକୁ ଏକ ବ୍ରତ ଭାବରେ ଗ୍ରହଣ କରି ଉତ୍ତମ ଶିକ୍ଷାଦାନରେ ଲାଗିପଡ଼ିଲୁ। ଖୁବ୍‌ଶୀଘ୍ର ଏଇ ଖବର ଚାରିଆଡ଼କୁ ବ୍ୟାପିଗଲା। ତା’ ପରବର୍ଷଠାରୁ ଦୂରଦୂରାନ୍ତରୁ ପିଲା ଆସିଲେ ଆମ ବିଦ୍ୟାଳୟକୁ ପାଠପଢ଼ିବା ନିମନ୍ତେ। ଏହାକୁ ଲକ୍ଷ୍ୟ କରି ବିଦ୍ୟାଳୟରେ ଛାତ୍ରାବାସ ଖୋଲିଲୁ। ପ୍ରତି ଶ୍ରେଣୀରେ ଏକ ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର। ୧୯୯୫ ମସିହାରେ ଆମ ସ୍କୁଲର ପିଲାମାନେ ପ୍ରଥମ କରି ମାଟ୍ରିକ୍‌ ପରୀକ୍ଷା ଦେଲେ। ଶତ ପ୍ରତିଶତ ପରୀକ୍ଷାଫଳ। ବିଦ୍ୟାଳୟର ସୁନାମ ଦ୍ୱିଗୁଣ ବଢ଼ିଗଲା। ଏମିତି ଏକ ଦୁଇ ତିନି କରି ଚାରୋଟି ବ୍ୟାଚ୍‌ ପରୀକ୍ଷା ଦିଆସରିଲା। ଆମ ବିଦ୍ୟାଳୟ ଅନୁଦାନଯୋଗ୍ୟ ହେଲା। ଦରମା ପ୍ରାପ୍ତିର ଆଶା ବଢ଼ିଲା। ସବୁ ଦୁଃଖକୁ ଚାପି ରଖି ଆଶାବାନ୍ଧି ପଡ଼ିରହିଲୁ। ଭାବିଲୁ ଏବର୍ଷ ନହେଲେ ଆସନ୍ତା ବର୍ଷ ଅନୁଦାନ ମିଳିବ। ଯାହା ଧାର ଉଧାର ହୋଇଥିବ ସବୁ ଟଙ୍କା ଶୁଝିଯିବ। କିନ୍ତୁ ପଦ୍ମ ଘୁଞ୍ଚତ୍ ଘୁଞ୍ଚତ୍ ଚାଲିଲା। ରାଜ୍ୟରେ ସରକାର ବଦଳିଲା, ହେଲେ ଆମ ଭାଗ୍ୟ ବଦଳିଲା ନାହିଁ।
ଏହାର ପ୍ରତିବାଦରେ ବଡ଼ ବଡ଼ ଆନ୍ଦୋଳନ ଗଢ଼ି ଉଠିଲା। ୨୦୦୪ ମସିହାରେ ଶୁଣାଗଲା ସରକାର ନିଷ୍ପତ୍ତି କରିଛନ୍ତି ଏଯାବତ୍‌ ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ ଦେବେ। ପର୍ବତର ମୂଷିକ ପ୍ରସବ ଉପାଖ୍ୟାନ ପରି ଏକ କଦାକାର ବିକଳାଙ୍ଗ କୁତ୍ସିତ ଅସାମ୍ବିଧାନିକ ଅନୁଦାନ ଆଇନ ସରକାର ଆଣିଲେ। ସେଥିରେ ଲାଗୁ ହେଲା ନାହିଁ ମହଙ୍ଗା ଭତ୍ତା। ବାର୍ଷିକ ଦରମା ବୃଦ୍ଧିର ବ୍ୟବସ୍ଥା ଉଚ୍ଛେଦ ହେଲା। ରହିଲା ନାହିଁ ଚାକିରି ସର୍ତ୍ତାବଳୀ। ଜଣେ ଟିଜି ଶିକ୍ଷକର ମାସିକ ଦରମା ହେଲା ୧୫୭୯ ଟଙ୍କା। ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ଦରମା ଆହୁରି କମ୍‌। କୁହନ୍ତୁ ଏହାକୁ ଦରମା କୁହାଯିବ ନା ଭତ୍ତା? ଶିକ୍ଷକଙ୍କୁ ଅଧିକାର ଦେଲେ ନା ଅନୁକମ୍ପା ଦେଖାଇଲେ?
ଯେଉଁ ଦିନ ଏହି ଭତ୍ତା ପାଇଲି, ଦୁଃଖରେ କାନ୍ଦି ଉଠିଥିଲି। ହେଲେ ନିରୁପାୟ। ମନକୁ ଆଶ୍ୱାସନା ଦେଇ ପଡ଼ି ରହିବା ବ୍ୟତୀତ କୌଣସି ରାସ୍ତା ହିଁ ନଥିଲା। ସରକାରଙ୍କ ଆର୍ଥିକ ଅବସ୍ଥା ସୁଧାରି ଗଲେ ଆମ ନ୍ୟାଯ୍ୟ ଅଧିକାର ପୁଣି ମିଳିଯିବ ବୋଲି ନିଜକୁ ବୁଝାଇଦେଲି। ଏହି ମୁଣ୍ଡାମୁଣ୍ଡି ଭତ୍ତାରେ ଚାଲିଲା ତିନି ବର୍ଷ। ତାପରେ ୪୯୯୫ ଟଙ୍କା। ଏଇଥିରେ ବିତିଗଲା ଛଅ ବର୍ଷ, ଅନୁକମ୍ପା ରାଶି ବଢ଼ାଇ ସରକାର କଲେ ୧୩,୫୦୦ ଟଙ୍କା। ଏହାର ପାଞ୍ଚ ବର୍ଷ ପରେ ୨୦୧୮ ମସିହାରେ ଘୋଷଣା କଲେ ବ୍ଲକ୍‌ଗ୍ରାଣ୍ଟ ପ୍ରଥା ଉଠିଗଲା। ବହୁତ ଖୁସି ଲାଗିଲା। ବିଳମ୍ବରେ ହେଲେବି ସରକାର ଦୁଃଖ ବୁଝିଲେ। ଅବସର ପରେ ଗଣ୍ଡାଏ ପେନସନ୍‌ ମିଳିଗଲେ ବାର୍ଦ୍ଧକ୍ୟଟା ସୁଖ ଶାନ୍ତିରେ କଟିବ। କିନ୍ତୁ ଏ କ’ଣ! ଆମ ପାଇଁ ପେନସନ୍‌ ନାହିଁ ବୋଲି ଶୁଣିବା ପରେ ପାଦତଳର ମାଟିଟା ବି ନାହିଁ ବୋଲି ଅନୁଭବ କଲି। ୩୨ ବର୍ଷ ପରେ ଯେଉଁଦିନ ଅବସର ନେଲି, ସେଦିନ ଗୋଟିଏ ଅନାବଶ୍ୟକ ସମ୍ବର୍ଦ୍ଧନା ପତ୍ର, ପୁଷ୍ପଗୁଚ୍ଛ ନେଇ ଫେରୁଥିବା ବେଳେ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଯାଉଥିଲା। ଦୁଇମାସ ତଳେ ସ୍ବାମୀ ହାର୍ଟ ଆଟାକ୍‌ରେ ଆରପାରିକୁ ଚାଲି ଯାଇଥିଲେ। ଏକମାତ୍ର ପୁଅକୁ ଠିକ୍‌ ସମୟରେ ପଢ଼ାଖର୍ଚ୍ଚ ଯୋଗାଇ ପାରିଲିନି ବୋଲି ଅଭିମାନରେ ଆଇ.ଟି.ଆଇ. ପଢ଼ି ସୁରତରେ। ଯାହା ପାଏ ତା’ ପରିବାର ପାଇଁ ନିଅଣ୍ଟ। ଏବେ ମୁଁ ସମ୍ପୂର୍ଣ୍ଣ ଅସହାୟା।
ଭଦ୍ରମହିଳା ଜଣକ ସମବେଦନା ପାଇବା ପାଇଁ ଯେ ଏସବୁ କହୁଥିଲେ ତାହା ନୁହେଁ। ମୋ ଜାଣିବାରେ ୯୧୬ଟି ଉଚ୍ଚ ପ୍ରାଥମିକ, ୧୩୮ଟି ମଦ୍ରାସା, ୩୭ଟି ସଂସ୍କୃତ ବିଦ୍ୟାଳୟ, ୨୬୦୮ଟି ଉଚ୍ଚ ବିଦ୍ୟାଳୟ, ୬୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୪୮୮ଟି ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିବା ୬୦ ହଜାରରୁ ଊର୍ଦ୍ଧ୍ୱ ଶିକ୍ଷକ, ଶିକ୍ଷା କର୍ମଚାରୀ, ଅଧ୍ୟାପକ ତଥା ଅଣଅଧ୍ୟାପକ କର୍ମଚାରୀଙ୍କର ଜୀବନ କାହାଣୀ ଠିକ୍‌ ଏମିତି ଅକଥନୀୟ ଦୁର୍ଦ୍ଦଶାରେ ଭରପୂର। ଉଚ୍ଚ ନ୍ୟାୟାଳୟ ଏମାନଙ୍କ ସପକ୍ଷରେ ରାୟ ଶୁଣାଇ ସାରିଥିଲେ ମଧ୍ୟ ସରକାର ନୀରବ। ଏମାନେ ପୁରୁଣା ପେନସନ୍‌ କିମ୍ବା ନୂତନ ପେନସନ୍‌ ଯୋଜନା କେଉଁଥିରେ ଅନ୍ତର୍ଭୁକ୍ତ ନୁହନ୍ତି। ଅବସର ପରେ ପେଟ, ପିଠି, ପକେଟ୍‌ ସବୁ ଖାଲି। ଏମାନଙ୍କୁ ରାଶନ୍‌ କାର୍ଡ଼ ମିଳିନାହିଁ। କୌଣସି ସ୍ବାସ୍ଥ୍ୟକାର୍ଡ଼ ପରିସରଭୁକ୍ତ ଏମାନେ ନୁହନ୍ତି। ବାର୍ଦ୍ଧକ୍ୟ ଭତ୍ତା ମନା। କାରଣ ଏମାନେ ଚାକିରି କରୁଥିଲେ। ଅଜାଣତରେ ପାଟିରୁ ବାହାରି ଆସିଲା, ହାୟରେ ବ୍ୟବସ୍ଥା! ବାକି ରହିଲା ଦେଖିବାକୁ, ନୂଆ ସରକାର ଏ ବାବଦରେ କ’ଣ ପଦକ୍ଷେପ ନେଉଛନ୍ତି?
ସଭାପତି, ଓଷ୍ଟା
ମୋ : ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ସବୁଆଡ଼ୁ ଘେରିଗଲାଣି ଚାଇନା

ଭାରତର ପଶ୍ଚିମରେ ଥିବା ଆରବ ସାଗରକୁ ଚାଇନା ପ୍ରବେଶ କରିବା ପାଇଁ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସୃଷ୍ଟି କରାଯାଇଛି। ସେଥିରେ ରାସ୍ତା ନିର୍ମାଣଠାରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri