ନୂଆଦିଲ୍ଲୀ,୫ା୧୦: ୟୁକ୍ରେନ୍ରେ ଥିବା ଭାରତର କୁସୁମ ଗ୍ରୁପ୍ ପରିଚାଳିତ ଏକ ଔଷଧ କାରଖାନା ଉପରେ ରୁଷିଆ ଡ୍ରୋନ୍ ଆକ୍ରମଣ କରିବାରୁ ଜଣେ ପ୍ରାଣ ହରାଇବା ସହ ଅନେକେ ଆହତ ହୋଇଛନ୍ତି। ୟୁକ୍ରେନ୍ର ସୁମିଠାରେ ଥିବା ଉକ୍ତ ପ୍ଲାଣ୍ଟର ମୁଖ୍ୟ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି। ଆହତଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଆକ୍ରମଣ ସ୍ଥଳରୁ ବହୁ ଉଚ୍ଚ ପର୍ଯ୍ୟନ୍ତ ଧୂଆଁ ଉଠୁଥିବା ଦେଖାଯାଇଛି। ୧୯୯୪ରେ କୁସୁମ ଗ୍ରୁପ୍ ୟୁକ୍ରେନ୍ରେ ଭାରତୀୟ ଔଷଧ ରପ୍ତାନିର ଡିଷ୍ଟ୍ରିବ୍ୟୁଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ଏବେ ଏହାକୁ ରାଜୀବ ଗୁପ୍ତା ଚଳାଉଛନ୍ତି। ୨୦୦୨ରେ ଏହା ଅନ୍ୟ କମ୍ପାନୀଗୁଡ଼ିକର ଉତ୍ପାଦଗୁଡ଼ିକର ବିପଣନକୁ ବନ୍ଦ କରି ନିଜ ବ୍ରାଣ୍ଡ୍ର ମାର୍କେଟିଂ ଆରମ୍ଭ କରିଥିଲା। ପରେ ଏହା ଔଷଧ ଉତ୍ପାଦନ ଆରମ୍ଭ କରିଥିଲା। ୨୦୦୭ରେ କମ୍ପାନୀ ଭାରତରେ କାରଖାନା ବସାଇବା ସହ ୨୦୦୯ରେ ୟୁକ୍ରେନ୍ର ସୁମିଠାରେ ପ୍ଲାଣ୍ଟ ପ୍ରତିଷ୍ଠା କରିଥିଲା।
ରବିବାର ସକାଳେ ରୁଷିଆ ପୁନର୍ବାର କିଭ୍ରେ ଥିବା ପିଭ୍ନିଚନି ବ୍ରିଜ୍ ଉପରେ ଡ୍ରୋନ୍ ଆକ୍ରମଣ କରିଛି। ସେମାନେ ସାଧାରଣ ଔଷଧ କମ୍ପାନୀର ଗୋଦାମ ଘର ଉପରେ ଆକ୍ରମଣ କରିଛନ୍ତି।

