ଆଣବିକ ଯୁଦ୍ଧ ଧମକ ଦେଲା ରୁଷିଆ

କ୍ୱିଭ୍‌/ମସ୍କୋ,୩ା୩: ୟୁକ୍ରେନ୍‌ ଆକ୍ରମଣକୁ ସପ୍ତାହେ ବିତିଥିଲେ ହେଁ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ନିର୍ବାଚିତ ସରକାରକୁ ରୁଷିଆ ହଟାଇପାରି ନାହିଁ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଶକ୍ତିଶାଳୀ ସେନା ସ୍ଥାନୀୟ ଲୋକଙ୍କ ପ୍ରତିରୋଧ ଯୋଗୁ ଜେଲେନ୍‌ସ୍କିଙ୍କ ପତନ ଘଟାଇ ନ ପାରି ରାଜଧାନୀ କ୍ୱିଭ୍‌ ଓ ଖର୍କିଭ୍‌ ସମେତ ଅନ୍ୟ କେତେକ ସହରକୁ ଦଖଲ ପାଇଁ ଆକାଶମାର୍ଗରୁ ଘନ ଘନ ବୋମା ମାଡ଼ କରୁଛନ୍ତି। ଏହି କ୍ରମରେ ଖେରସୋନ୍‌ ସହରକୁ କ୍ରେମ୍‌ଲିନ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଥିବା ବୁଧବାର ଦାବି କରିଥିବାବେଳେ ଏହାକୁ ୟୁକ୍ରେନ୍‌ ଖଣ୍ଡନ କରିଛି। ଏଭଳି ସମୟରେ ରୁଷିଆ ଆଣବିକ ଯୁଦ୍ଧର ଧମକ ଦେଇଛି। ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେର୍ଗେଇ ଲାଭ୍ରୋଭ୍‌ ନିରସ୍ତ୍ରୀକରଣ ସମ୍ପର୍କିତ ଏକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି, ତୃତୀୟ ବିଶ୍ୱଯୁଦ୍ଧ ହେଲେ ଆଣବିକ ଅସ୍ତ୍ର ବ୍ୟବହାର କରାଯିବ। ଏହା ଅଧିକ ବିଧ୍ୱଂସକ ହେବ। ତେବେ କ୍ୱିଭ୍‌ ଯଦି ଆଣବିକ ଅସ୍ତ୍ର ହାତେଇଥାଏ ତେବେ ଗତ ସପ୍ତାହରେ ୟୁକ୍ରେନ୍‌ ବିରୋଧରେ ସାମରିକ ଅଭିଯାନ ଆରମ୍ଭ କରିଥିବା ରୁଷିଆ ‘ଅସଲ ବିପଦ’କୁ ସାମ୍ନା କରିବ। ଏ ନେଇ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି, ସେମାନେ ଆମର ଇତିହାସକୁ ଲିଭାଇଦେବା ପାଇଁ ଉଦ୍ୟମ କରୁଛନ୍ତି। ଆକ୍ରମଣକାରୀଙ୍କୁ ଯଥାଶୀଘ୍ର ସମ୍ଭବ ରୋକିବାକୁ ପଡ଼ିବ। ଏଥିପାଇଁ ଆମେରିକାର ସହଯୋଗ ଲୋଡ଼ିଥିବା ସେ ପ୍ରକାଶ କରିଛନ୍ତି।
ଆକ୍ରମଣର ସପ୍ତମ ଦିନରେ ୟୁକ୍ରେନ୍‌ରେ ରୁଷିଆର ତାଣ୍ଡବଲୀଳା ଜାରି ରହିଛି। ପୁଟିନ୍‌ଙ୍କ ସେନା ପଡ଼ୋଶୀ ଦେଶର ପୂର୍ବାଞ୍ଚଳରେ ଥିବା ୧.୫ ନିୟୁତ ଜନସଂଖ୍ୟା ବିଶିଷ୍ଟ ଦ୍ୱିତୀୟ ବୃହତ୍‌ ସହର ଖର୍କିଭ୍‌ରେ ଜନବସତିଗୁଡ଼ିକୁ ଆକାଶମାର୍ଗରୁ ଟାର୍ଗେଟ କରିଛି। ତୁହାକୁ ତୁହା ବୋମା ବର୍ଷଣରେ ବୁଧବାର ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ଖର୍କିଭ୍‌ ସହର ବସ୍ତୁତଃ ଏକ ଧ୍ୱଂସ୍ତସ୍ତୂପରେ ପରିଣତ ହୋଇଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଆଇଗୋର କୋନାଶେଙ୍କୋଭ୍‌ ଏକ ଟିଭି ସାକ୍ଷାତ୍‌କାରରେ କହିଛନ୍ତି, ସଶସ୍ତ୍ର ବଳ ୟୁକ୍ରେନ୍‌ର ଖେରସୋନ୍‌ସ୍ଥିତ ରିଜିଓନାଲ ସେଣ୍ଟରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ତେବେ ସହରର ସାଧାରଣ ସେବା ଓ ପରିବହନ ସ୍ବାଭାବିକ ଭାବେ କାର୍ଯ୍ୟ କରୁଛି। ସେଠାରେ ଖାଦ୍ୟ ଓ ଅନ୍ୟ ଜରୁରୀ ସାମଗ୍ରୀଗୁଡ଼ିକର ନିଅଣ୍ଟିଆ ସ୍ଥିତି ଦେଖାଦେଇନାହିଁ। ଆଇନଶୃଙ୍ଖଳା ବଜାୟ ରଖିବା, ନାଗରିକଙ୍କୁ ସୁରକ୍ଷା ଦେବା ଏବଂ ସରକାରୀ ଅଫିସଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ନେଇ ରୁଷିଆ ସେନା ଓ ସ୍ଥାନୀୟ ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଅନ୍ୟପକ୍ଷେ ରାସ୍ତାରେ ଏବେ ମଧ୍ୟ ଦୁଇପକ୍ଷଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା କ୍ୱିଭ୍‌ କହିଛି। ରୁଷିଆର ଦାବିକୁ ଭୁଲ୍‌ ପ୍ରମାଣିତ କରିବାକୁ ଯାଇ ଖେରସୋନ୍‌ ମେୟର ଆଇଗୋର କୋଲିଖାଇଭ୍‌ ଏକ ଫେସ୍‌ବୁକ୍‌ ପୋଷ୍ଟରେ ଲେଖିଛନ୍ତି, ଆମେମାନେ ଏବେ ବି ୟୁକ୍ରେନ୍‌ରେ ରହିଛୁ। ଏବେ ବି ଦୃଢ଼ ରହିଛୁ। ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହଗୁଡ଼ିକୁ ସଂଗ୍ରହ କରିବା ପାଇଁ ତାଙ୍କୁ ବାଟ ବାହାର କରିବାକୁ ପଡ଼ିବ। ଭାଙ୍ଗିରୁଜି ଯାଇଥିବା ବିଦ୍ୟୁତ୍‌ ଯୋଗାଣ, ଗ୍ୟାସ୍‌, ପାଣି ଓ ଅନ୍ୟ ଭିତ୍ତିଭୂମି ମଧ୍ୟ ସଜାଡ଼ିବାକୁ ହେବ। କିନ୍ତୁ ଦିନକ ଭିତରେ ଏସବୁ କାର୍ଯ୍ୟ ଶେଷ କରିବାର ତାତ୍ପର୍ଯ୍ୟ ହେଉଛି ଚମତ୍କାର କରିବା ବୋଲି ସେ କହିଛନ୍ତି। ୟୁକ୍ରେନ୍‌ ସଙ୍କଟ ଭିତରେ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ମହାସଚିବ ଜେନ୍ସ ଷ୍ଟୋଲଟେନ୍‌ବର୍ଗ ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରଜେଜ୍‌ ଡୁଡାଙ୍କୁ ଭେଟିଛନ୍ତି। ପୋଲାଣ୍ଡର ଲସ୍କ ଏୟାର ବେସ୍‌ରେ ଉଭୟେ ପୂର୍ବ ୟୁରୋପର ସୁରକ୍ଷା ଉପରେ ଆଲୋଚନା କରିଛନ୍ତି। ନିକଟରେ ଆମେରିକା ନାଟୋ ଅଧୀନରେ ଥିବା ପୂର୍ବ ୟୁରୋପକୁ ପ୍ରାୟ ୫ ହଜାର ସୈନ୍ୟ ପଠାଇଛି।

ଭାରତୀୟ ଛାତ୍ରଙ୍କ ମୃତ୍ୟୁର ତଦନ୍ତ କରିବ ରୁଷିଆ

ରୁଷୀୟ ସୈନ୍ୟଙ୍କ ଆକ୍ରମଣରେ ୟୁକ୍ରେନ୍‌ର ଖର୍କିଭ୍‌ ସହରରେ ପ୍ରାଣ ହରାଇଥିବା ଭାରତୀୟ ଡାକ୍ତରୀ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯିବ ବୋଲି ରୁଷିଆ ରାଷ୍ଟ୍ରଦୂତ ଡେନିସ୍‌ ଆଲିପୋଭ୍‌ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ବୁଧବାର ଡେନିସ୍‌ କହିଛନ୍ତି, ମେଡିକାଲ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତ୍ୟୁରେ ସେ ଦୁଃଖିତ। ତାଙ୍କ ପରିବାର ସହ ପୂରା ଦେଶକୁ ସେ ସମବେଦନା ଜଣାଇଛନ୍ତି। ସମସ୍ତ ଭାରତୀୟ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଫେରାଇ ଆଣିବା ନିମନ୍ତେ ରୁଷିଆ ସବୁ ପଦକ୍ଷେପ ନେବ ଏବଂ ନବୀନଙ୍କ ମୃତ୍ୟୁର ତଦନ୍ତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, କର୍ନାଟକସ୍ଥିତ ହବେରି ଜିଲା ଚଲାଗେରି ଗ୍ରାମର ୨୧ ବର୍ଷୀୟ ନବୀନ ଗ୍ରୋସେରି ଆଣିବାକୁ ଯାଇ ଧାଡ଼ିରେ ଛିଡ଼ା ହୋଇଥିବାବେଳେ ରୁଷୀୟ ସୈନ୍ୟଙ୍କ ଆକ୍ରମଣର ଶିକାର ହୋଇଥିଲେ।

ପୁଣି ଭୋଟ ଦେଲାନି ଭାରତ

ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ବିରୋଧକରି ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ବୁଧବାର ଏକ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ତେବେ ୧୯୩ ସଦସ୍ୟ ବିଶିଷ୍ଟ ୟୁଏନ୍‌ଜିଏରେ ମତଦାନ ବେଳେ ଭାରତ ବିରତ ରହିଥିଲା।
ମସ୍କୋ ଓ କ୍ୱିଭ୍‌ ମଧ୍ୟରେ ବଢ଼ିଚାଲିଥିବା ସାମରିକ ଉତ୍ତେଜନା ପାଇଁ ରୁଷିଆକୁ ଦାୟୀ କରି ଫେବୃୟାରୀ ୨୭ରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା। ରୁଷିଆ ୟୁଏନ୍‌ଏସ୍‌ସିର ସ୍ଥାୟୀ ସଦସ୍ୟ ହୋଇଥିବାରୁ ଭିଟୋ ପାଓ୍ବାର ପ୍ରାୟୋଗ କରିଥିଲା। ଫଳରେ ଉକ୍ତ ପ୍ରସ୍ତାବ କାଟ୍‌ ଖାଇଥିଲା। ରୁଷିଆକୁ ଏକଘରକିଆ କରିବା ପାଇଁ ବୁଧବାର ୟୁଏନ୍‌ଜିଏର ଏକ ଜରୁରୀ ବୈଠକ ବସିଥିଲା। ଏଥିରେ ୟୁକ୍ରେନ୍‌ର ସାର୍ବଭୌମତ୍ୱ, ସ୍ବାଧୀନତା, ଏକତା ଓ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ସାଧାରଣ ସଭା ନିଜ ପ୍ରତିଶ୍ରୁତିବଦ୍ଧତା ଦୋହରାଇଥିଲା। ୟୁକ୍ରେନ୍‌ର ଅନ୍ତର୍ଜାତୀୟ ସ୍ବୀକୃତିପ୍ରାପ୍ତ ସୀମାର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ରୁଷିଆର ଅତିକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଥିଲା। ଆଫଗାନିସ୍ତାନ, କାନାଡା, ଫ୍ରାନ୍ସ, ଜର୍ମାନୀ, ଆୟର୍ଲାଣ୍ଡ, କୁଏତ୍‌, ସିଙ୍ଗାପୁର, ତୁର୍କୀ, ୟୁକ୍ରେନ୍‌, ବ୍ରିଟେନ୍‌ ଓ ଆମେରିକା ସମେତ ପ୍ରାୟ ୧୦୦ ସଦସ୍ୟ ରାଷ୍ଟ୍ରଙ୍କ ସହପୃଷ୍ଠପୋଷକତାରେ ‘ୟୁକ୍ରେନ୍‌ ବିରୋଧରେ ଅତିକ୍ରମଣ’ ଶୀର୍ଷକ ସଂକଳ୍ପନାମା ଆଗତ କରାଯାଇଥିଲା।
ପ୍ରସ୍ତାବ ଗୃହୀତ କରାଇବା ପାଇଁ ଦୁଇତୃତୀୟାଂଶ ସଦସ୍ୟ ରାଷ୍ଟ୍ରଙ୍କ ସମର୍ଥନ ଲୋଡ଼ାଥିବାବେଳେ ଏହା ସପକ୍ଷରେ ୧୪୧ ଓ ବିରୋଧରେ ୫ ଭୋଟ ପଡ଼ିଥିଲା। ଫଳରେ ଉକ୍ତ ପ୍ରସ୍ତାବ ବହୁମତରେ ଗୃହୀତ ହୋଇଥିଲା। ତେବେ ଭାରତ ପୂର୍ବ ଭଳି ଏହି ମତଦାନରୁ ମଧ୍ୟ ବିରତ ରହିଥିଲା। ୟୁକ୍ରେନ୍‌ ସଙ୍କଟ ପରିପ୍ରେକ୍ଷୀରେ ସପ୍ତାହେ ମଧ୍ୟରେ ଜାତିସଂଘ ପକ୍ଷରୁ ଆୟୋଜିତ ତୃତୀୟ ମତଦାନରେ ଭାରତ ସାମିଲ ହେଲାନାହିଁ। କେବଳ ଭାରତ ନୁହେଁ, ଅନ୍ୟ ୩୪ଟି ରାଷ୍ଟ୍ର ମଧ୍ୟ ମତଦାନରୁ ବିରତ ରହିଥିଲେ। ପୂର୍ବରୁ ୧୫ ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦରେ ମଧ୍ୟ ଅନୁରୂପ ସଂକଳ୍ପନାମା ଅଣାଯାଇଥିବାବେଳେ ପ୍ରସ୍ତାବ ସପକ୍ଷରେ ୧୧ ଭୋଟ ପଡ଼ିଥିବାବେଳେ ଭାରତ, ଚାଇନା ଏବଂ ୟୁଏଇ ମତଦାନରୁ ବିରତ ରହିଥିଲେ। କିନ୍ତୁ ରୁଷିଆର ଭିଟୋ ବଳରେ ତାହା କାଟ୍‌ ଖାଇଯାଇଥିଲା। ଏହି ବିଫଳତା ପରେ ରବିବାର ୟୁଏନ୍‌ଜିଏର ଏକ ଜରୁରୀ ତଥା ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ରବିବାର ପୁଣି ଭୋଟ କରାଯାଇଥିଲା। କୂଟନୈତିକ ଆଲୋଚନା ବ୍ୟତୀତ ସମାଧାନ ପାଇଁ ଅନ୍ୟ କିଛି ବାଟ ନ ଥିବା ଦର୍ଶାଇ ଭାରତ ସେଥିରୁ ମଧ୍ୟ ବିରତ ରହିଥିଲା। ୭୬ତମ ୟୁଏନ୍‌ଜିଏ ଅଧ୍ୟକ୍ଷ ଅବ୍‌ଦୁଲ୍ଲା ଶାହିଦ୍‌ ଏଥିରେ ଅଧ୍ୟକ୍ଷତା କରିଥିଲେ। ୧୯୫୦ରେ ଜେନେରାଲ ଆସେମ୍ବ୍ଲି ପ୍ରତିଷ୍ଠା ହେବା ପରଠାରୁ ଏହା ଥିଲା ଏହି ଧରଣର ଏକାଦଶ ସଭା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?