ବଡ଼ଗାଁ, ୩୧।୧୦(ଅଶୋକ ଷଡ଼ଙ୍ଗୀ): ଦେଶର ଅଖଣ୍ଡତା, ଏକତା ଓ ସଂହତିର ପ୍ରତୀକ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଶନିବାର ବଡ଼ଗାଁଠାରେ ‘ରନ୍ ଫର୍ ୟୁନିଟି’ (ଏକତା ପାଇଁ ଦୌଡ଼) କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି। ବଡ଼ଗାଁ ପୋଲିସ ଏବଂ ବିଗ୍ (BIG) ଅନୁଷ୍ଠାନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।
ଥାନା ଆଇଆଇସି ମୁକେଶ ସାହାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଜାତୀୟ ଏକତା ଦୌଡ଼ରେ ବିଗ୍ର ଚେୟାରମ୍ୟାନ୍ ଡଃ ଅରୁଣ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଗ୍ ପରିସରରୁ ପ୍ରାୟ ୫୦୦ ଛାତ୍ରଛାତ୍ରୀ ଉତ୍ସାହର ସହ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବଡ଼ଗାଁ ଗ୍ରାମ ପରିକ୍ରମା କରିଥିଲେ। ଦେଶର ଏକତା ଓ ଅଖଣ୍ଡତାର ବାର୍ତ୍ତା ଦେଇ ଏହି ଶୋଭାଯାତ୍ରା ଦୁର୍ଗା ମଣ୍ଡପଠାରେ ପହଞ୍ଚିବା ପରେ ସେଠାରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା।
ସଭାରେ ଥାନା ଆଇଆଇସି ମୁକେଶ ସାହାଣୀ ଓ ଡଃ ଅରୁଣ କୁମାର ନାୟକ ଛାତ୍ରଛାତ୍ରୀମାନଙ୍କୁ ନିଶା ନିବାରଣ, ସାଇବର ସୁରକ୍ଷା, ଜାତୀୟ ଏକତା ଓ ସାମାଜିକ ସଦ୍ଭାବନା ଉପରେ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ। ନିଶା ସେବନ ଓ ସାଇବର ଠକେଇ ଭଳି ସାମାଜିକ ସମସ୍ୟାଠାରୁ ଦୂରେଇ ରହି ଜଣେ ଜଣେ ଦାୟିତ୍ୱବାନ ନାଗରିକ ଭାବେ ଦେଶର ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ ସେମାନେ ଆହ୍ୱାନ ଦେଇଥିଲେ।
ଏହାପରେ ବଡ଼ଗାଁ ଥାନା ପରିସରରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତିଚାରଣ କରାଯାଇଥିଲା। ଏହି ଅବସରରେ ଶନିବାର ପୂର୍ବାହ୍ନ ୧୧ଟାରେ ବଡ଼ଗାଁ ନର୍ସିଂ କଲେଜ ପରିସରରେ ୬୦୦ ଛାତ୍ରଛାତ୍ରୀଙ୍କୁ ନେଇ ଏକତା ଓ ସଦ୍ଭାବନାର ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ସମସ୍ତ କାର୍ଯ୍ୟକ୍ରମକୁ ବଡ଼ଗାଁ ଥାନାର କର୍ମଚାରୀ ଓ ବିଗ୍ର ବରିଷ୍ଠ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ପରିଚାଳନା କରିଥିଲେ।

