ବଞ୍ଚୋ,୨୯।୭ (ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ ସାହୁ ): ଲଗାଣ ବର୍ଷା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପରେ ଆଜି ଭୋର ପ୍ରାୟ ୪ଟାରୁ ଆନନ୍ଦପୁର ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆନନ୍ଦପୁର ରିଙ୍ଗ ରୋଡରେ ବଡ଼ ଧରଣର ଘାଇ ସୃଷ୍ଟି ହୋଇଥିବାରୁ ବନ୍ୟାଜଳ ଦ୍ରୁତ ଗତିରେ ସହର ଭିତରକୁ ପ୍ରବେଶ କରିଛି। ଫଳରେ ପୌରାଞ୍ଚଳର ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।
ରାସ୍ତାଘାଟ, ବଜାର ଓ ବିଭିନ୍ନ ବାସଭବନରେ ପାଣି ପଶିଯାଇଥିବାରୁ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇଥିଲା। ପ୍ରାୟ ୫୦ ରୁ ୬୦ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି।
ସେପଟେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ତଳମୁଣ୍ଡ ଯାଜପୁର ଓ ଭଦ୍ରକ ଜିଲାକୁ ସତର୍କ କରାଯାଇଛି। ଜଳ ସମ୍ପଦ ବିଭାଗ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସ୍ଥାନୀୟ ଲୋକମାନେ ଗୁଜବରୁ ଦୂରେଇ ରହି ପ୍ରଶାସନକୁ ସହଯୋଗ କରିବାକୁ ଜିଲାପାଳ ଅନୁରୋଧ କରିଛନ୍ତି।
Odisha’s No.1 Odia Daily

