ବିପ୍ଳବ ବୈଦୂର୍ଯ୍ୟ ଭଗବତୀ ଚରଣ

ଡ. ପ୍ରଫୁଲ୍ଲ କୁମାର ସାହୁ

ବିଂଶ ଶତାବ୍ଦୀର ଚତୁର୍ଥ ଦଶକରେ ଯେତେବେଳେ ସାମ୍ୟବାଦୀ ଆନ୍ଦୋଳନର ନାଁ ଶୁଣିବା ମାତ୍ରେ ଭୟରେ ଥରିଉଠୁଥିଲା ଆଭିଜାତ୍ୟ ବର୍ଗ ତଥା ଶୋଷକମାନଙ୍କ ଛାତି, ସେତିକିବେଳେ ମହାନ୍‌ ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀ ଜନନାୟକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ଓଡ଼ିଶାର ରାଜନୈତିକ ବାତାବରଣକୁ ପ୍ରକମ୍ପିତ କରିଥିଲା ସାମ୍ୟବାଦୀ ଆନ୍ଦୋଳନର ତୂର୍ଯ୍ୟନାଦ।
ଅଷ୍ଟାଦଶ ଶତାବ୍ଦୀର ଶିଳ୍ପବିପ୍ଳବ ପରବର୍ତ୍ତୀ ଅର୍ଥନୈତିକ ବୈଷମ୍ୟଜନିତ ପ୍ରତିକ୍ରିୟାରୁ ସାମ୍ୟବାଦର ଜନ୍ମ। ବିଶ୍ୱବିଖ୍ୟାତ ଦାର୍ଶନିକ କାର୍ଲମାର୍କସ ଏହାର ଜନକ ହୋଇଥିବାରୁ ମାର୍କସବାଦୀ ଦର୍ଶନ ନାମରେ ଏହା ପରିଚିତ। ମାର୍କସଙ୍କ ମତରେ ସର୍ବହରା ଓ ବୁର୍ଜୁଆଙ୍କ ମଧ୍ୟରେ ଶ୍ରେଣୀ ସଂଘର୍ଷ ବିନା ପ୍ରତିଷ୍ଠା ହୋଇପାରିବନି ଅର୍ଥନୈତିକ ସମାନତା। ଅର୍ଥାତ୍‌ ‘କ୍ରାନ୍ତି ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା’ ହିଁ ମାର୍କସୀୟ ଦର୍ଶନର ସୈଦ୍ଧାନ୍ତିକ ବକ୍ତବ୍ୟ। ଏହି ସମାଜବାଦୀ ତତ୍ତ୍ୱ ପ୍ରଥମେ ପ୍ରୟୋଗ ହେଲା ରୁଷିଆରେ, ଅତ୍ୟାଚାରୀ ଜାର୍‌ ଶାସନ ବିରୋଧରେ। ସେଠାରେ କାର୍ଲମାର୍କସଙ୍କ ପଟ୍ଟଶିଷ୍ୟ ଲେନିନ୍‌ଙ୍କ ନେତୃତ୍ୱରେ ବିପ୍ଳବକରି ସମାଜବାଦୀମାନେ ଦଖଲ କଲେ କ୍ଷମତା। ରୁଷ ବିପ୍ଳବ ଶୁଣାଇଲା କ୍ରାନ୍ତି ମାଧ୍ୟମରେ ଶ୍ରେଣୀହୀନ ସମାଜ ଗଠନର ବାର୍ତ୍ତା। ମାକସିମ ଗର୍ଗି, ରୁଷୋ ଓ ଭଲଟେୟାର ପ୍ରମୁଖ ବିଶ୍ୱପ୍ରସିଦ୍ଧ ଲେଖକମାନେ ସାହିତ୍ୟ ମାଧ୍ୟମରେ ତା’ର ପ୍ରଚାର ଓ ପ୍ରସାର ପାଇଁ ପ୍ରୟାସ ଆରମ୍ଭ କରିଦେଲେ । ସ୍ବାଧୀନତା ସଂଗ୍ରାମକୁ କେନ୍ଦ୍ରକରି ଯେତେବେଳେ ଭାରତୀୟ କବି ଓ ଲେଖକମାନେ ଜାତୀୟବାଦୀ ଭାବନାରେ ଅଭିମନ୍ତ୍ରିତ ହୋଇଥିଲେ, ସେତିକି ବେଳେ ଭାରତୀୟ ସାହିତ୍ୟକୁ ପ୍ରବେଶ କଲା ପ୍ରଗତିବାଦୀ ଚେତନା। ସେଥିରେ ଅନୁପ୍ରେରିତ ହୋଇ ଭଗବତୀ ଚରଣ ପାଣିଗ୍ରାହୀ ନବଯୁଗ ସାହିତ୍ୟ ସଂସଦ ପ୍ରତିଷ୍ଠା କଲେ(୧୯୩୫) ଏବଂ ତାଙ୍କ ସଂପାଦନାରେ ପ୍ରକାଶ ପାଇଲା ‘ଆଧୁନିକ’ (୧୯୩୬) ପତ୍ରିକା। ସେହିବର୍ଷ ‘ଆଧୁନିକ’ରେ ତାଙ୍କର କାଳଜୟୀ ଗଳ୍ପ ‘ଶିକାର’ ଆମତ୍ପ୍ରକାଶ କରିବାମାତ୍ରେ ଓଡ଼ିଆ ସାହିତ୍ୟକୁ ଆଲୋଡ଼ିତ କଲା। ଶ୍ରେଣୀ ସଂଘର୍ଷ ତତ୍ତ୍ୱକୁ ଅନୁସରଣ କରି ସେ ଏଥିରେ ଶୋଷିତ ହାତକୁ ବଢ଼ାଇ ଦେଇଛନ୍ତି ଶ୍ରେଣୀ ସତ୍ତ୍ୱକୁ ସଂହାର କରିବାର ଅସ୍ତ୍ର। ମାର୍କସଙ୍କ ଦର୍ଶନ କହେ ଶୋଷକ ଓ ଶାସକଙ୍କ ସ୍ବାର୍ଥ ରକ୍ଷା ପାଇଁ ପ୍ରତିଷ୍ଠା ହୋଇଥିବା ବିଚାରାଳୟରୁ କେବେ ମିଳେନି ଶୋଷିତ ଓ ସର୍ବହରାଙ୍କୁ ନ୍ୟାୟ। ସେଥିପାଇଁ ଆଇନର ସୂକ୍ଷ୍ମ ଜାଲରୁ ଖସିଯାଇପାରିନି ସାମନ୍ତବାଦୀ ଗୋଷ୍ଠୀର ଉଗ୍ର ପ୍ରତିନିଧି ଗୋବିନ୍ଦ ସର୍ଦ୍ଦାରକୁ ହତ୍ୟା କରିଥିବା ଗଳ୍ପ (ଶିକାର) ନାୟକ ଘିନୁଆ। ବରଂ ବକ୍‌ସିସ୍‌ ଦେବା ଆଳରେ ତାଙ୍କୁ ଫାଶୀ ଖୁଣ୍ଟରେ ଚଢ଼ାଇ ଦେଇଛି ସାମାଜିକ ଆଇନ। ସରଳ ଆଦିବାସୀ ଘିନୁଆର ମୃତ୍ୟୁ ହୋଇଛି ସତ, କିନ୍ତୁ ଶିଥିଳ ହୋଇଯାଇନି ସର୍ବହରାର ବିଦ୍ରୋହ। ବରଂ ବୁର୍ଜୁଆ ଗୋଷ୍ଠୀ ବିରୋଧରେ ଅଧିକ ତେଜି ଉଠିଛି ବିପ୍ଳବର ନିଆଁ। ‘ଶିକାର’ ବ୍ୟତୀତ ‘ମୀମାଂସା’ଏବଂ ‘ହାତୁଡ଼ି’ ଓ ‘ଦା’ ଆଦି ଗଳ୍ପରେ ମଧ୍ୟ ଶ୍ରେଣୀ ସଂଘର୍ଷର ଚିତ୍ର ଉପସ୍ଥାପନ କରି ଆଗାମୀ ବିପ୍ଳବ ପାଇଁ ଗାଳ୍ପିକ ପ୍ରସ୍ତୁତ କରିଛନ୍ତି ବିସ୍ତୃତ ପଟ୍ଟଭୂମି। ଅଗଣିତ ଓଡ଼ିଆଙ୍କ ଭିତରେ ସାମ୍ୟବାଦୀ ଚିନ୍ତାଧାରାର ପ୍ରସାର ପାଇଁ ସେ କାର୍ଲମାର୍କସଙ୍କ ‘କମ୍ୟୁନିଷ୍ଟ ମେନିଫେଷ୍ଟୋ’କୁ ଓଡ଼ିଆରେ ଅନୁବାଦ କରିଥିଲେ; ଯାହା ପ୍ରକାଶ ପାଇଥିଲା ବୈଜ୍ଞାନିକ ‘ସମାଜବାଦ’ ନାମରେ।
ଭଗବତୀ ଚରଣଙ୍କ ରାଜନୈତିକ ଜୀବନ ଥିଲା ଅଧିକ ସଂଘର୍ଷମୟ ଓ ସମର୍ପିତ। ଓଡ଼ିଶାରେ କମ୍ୟୁନିଷ୍ଟ ଦଳ ଗଠନ ହେବା ପୂର୍ବରୁ ସ୍ବାଧୀନତା ସଂଗ୍ରାମ ପାଇଁ କଂଗ୍ରେସର ଛତାତଳେ ଥିବା ବାମପନ୍ଥୀ ଯୁବକମାନେ ଚାହୁଁଥିଲେ ଏକ ବୈପ୍ଳବିକ ପରିବର୍ତ୍ତନ। ୧୯୩୪ ଫେବୃୟାରୀରେ ନବକୃଷ୍ଣ ଚୌଧୁରୀ ଓ ଭଗବତୀ ଚରଣ ପାଣିଗ୍ରାହୀଙ୍କ ମିଳିତ ଉଦ୍ୟମରେ ଜନ୍ମ ନେଇଥିଲା ଓଡ଼ିଶା କଂଗ୍ରେସ ସୋସିଆଲିଷ୍ଟିକ୍‌ ଦଳ। ଏହାର ସଂପାଦକ ହୋଇଥିଲେ ଭଗବତୀ ଚରଣ ପାଣିଗ୍ରାହୀ। କଂଗ୍ରେସ ସୋସିଆଲିଷ୍ଟ ଦଳରେ ରହି କମ୍ୟୁନିଷ୍ଟମାନେ ଗଢ଼ିଲେ ଏକ ଗୁପ୍ତ ସଂଗଠନ। ୧୯୩୬ରେ ଭଗବତୀ ଚରଣ ପାଣିଗ୍ରାହୀ, ପ୍ରାଣନାଥ ପଟ୍ଟନାୟକ ଓ ଗୁରୁଚରଣ ପଟ୍ଟନାୟକ ପ୍ରମୁଖ ଅନେକ ବାମପନ୍ଥୀଙ୍କ ଉଦ୍ୟମରେ ଓଡ଼ିଶାରେ ବିଧିବଦ୍ଧ ଭାବେ ଗଠନ ହେଲା କମ୍ୟୁନିଷ୍ଟ ଦଳ। ଦଳର ପ୍ରଥମ ସଂପାଦକ ଭାବେ ଭଗବତୀଙ୍କ ନେତୃତ୍ୱ ଯୋଗୁ ଛାତ୍ର ଯୁବକ ଶ୍ରମିକ ତଥା ମେହନତି ମଣିଷଙ୍କ ପ୍ରାଣରେ ବିଚ୍ଛୁରିତ ହୋଇପଡ଼ିଲା ସାମ୍ୟବାଦୀ ବିପ୍ଳବର ଅଗ୍ନିକଣିକା।
ପ୍ରଗତିର ଅଭିଯାତ୍ରୀ ଭଗବତୀ ଚରଣ ପାଣିଗ୍ରାହୀ ଶୋଷିତ ଚାଷୀମୂଲିଆଙ୍କ ସ୍ବାର୍ଥ ସୁରକ୍ଷା ପାଇଁ ନବକୃଷ୍ଣ ଚୌଧୁରୀଙ୍କ ସହ ମିଶି ଗଠନ କରିଥିଲେ କୃଷକ ସଂଗଠନ। ତାଙ୍କ ସଂପାଦନାରେ ପ୍ରକାଶ ପାଉଥିଲା ‘କୃଷକ’ ନାମରେ ଏକ ପତ୍ରିକା। ଓଡ଼ିଶାରେ କମ୍ୟୁନିଷ୍ଟ ଦଳ ପ୍ରତିଷ୍ଠା ପରେ ସବୁଠାରୁ ବଡ଼ ଘଟଣାଥିଲା ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନ। ଢେଙ୍କାନାଳ ରାଜାଙ୍କ ଅନ୍ଧାରି ଶାସନ ବିରୋଧରେ ଯେଉଁ ଗଣ ଆନ୍ଦୋଳନ ହୋଇଥିଲା ସେ ଆନ୍ଦୋଳନରେ ସାମିଲ ହୋଇ ଶହୀଦ ହେଲେ ବାରବର୍ଷର ବାଳକ ବାଜି ରାଉତ ଓ ଅନେକ ନିରୀହ ମଣିଷ। ଢେଙ୍କାନାଳ ଗୁଳିକାଣ୍ଡ ପ୍ରତିବାଦରେ କଟକ ଟାଉନ ହଲ୍‌ରେ ପ୍ରାଣନାଥ ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହେଲା ଏବଂ ସଭାର ନିଷ୍ପତ୍ତିକ୍ରମେ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେବାକୁ ଆଗେଇ ଆସିଲେ ଭଗବତୀ ଚରଣ ପାଣିଗ୍ରାହୀ। ଏଥିପାଇଁ କାରାବରଣ ସହିତ ତାଙ୍କୁ ସହିବାକୁ ପଡ଼ିଛି ଅକଥନୀୟ ଅତ୍ୟାଚାର। ତଥାପି ଶ୍ରେଣୀବାଦର ବିଲୋପ ପାଇଁ ତାଙ୍କ ଲଢ଼େଇ ଥିଲା ସାଲିସ୍‌ବିହୀନ।
ବ୍ୟକ୍ତିଗତ ଭାବେ ଭଗବତୀ ଚରଣ ପୂଜାପାଠର ବିରୋଧୀ ଥିଲେ ଏବଂ ମାର୍କସୀୟ ଦର୍ଶନକୁ ଅନୁସରଣ କରି କହୁଥିଲେ ଧର୍ମ, ଈଶ୍ୱର ଓ ବାହ୍ୟପୂଜା ହେଉଛି ଅଜ୍ଞାନ ଲୋକଙ୍କ ପାଇଁ ନିଶା, ନିଃଶ୍ୱାସ ଓ ଅଫିମ। ଏହାଦ୍ୱାରା ସମାଜରେ ଶୋଷଣ ଓ ଅନ୍ୟାୟ ବୃଦ୍ଧିପାଏ ।
ଭଗବତୀଙ୍କର ଏହି ବାସ୍ତବବାଦୀ ବିଚାରଧାରା ପାଇଁ ତାଙ୍କୁ କିଛି ଲୋକ ନାସ୍ତିକ କହୁଥିଲେ ସତ, କିନ୍ତୁ ଅନେକ ଲୋକ ତାଙ୍କ ଗଳାରେ ପିନ୍ଧାଉଥିଲେ ଫୁଲମାଳ। ୧ ଫେବୃୟାରୀ ୧୯୦୮ରେ ପୁରୀ ଜିଲା ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଭଗବତୀ ଚରଣଙ୍କ ଜୀବନଦୀପ ୨୩ ଅକ୍ଟୋବର୧୯୪୩ ରେ ଲିଭିଗଲା ସତ, କିନ୍ତୁ ନିଃସ୍ବ, ଦଳିତ ଓ ସର୍ବହରା ମଣିଷଙ୍କ କଣ୍ଠରେ ଚିରନ୍ତନ ସଂଗୀତର ଘୋଷାପଦ ପରି ରହିଗଲା ତାଙ୍କ ତ୍ୟାଗ ଓ ତିତୀକ୍ଷାମୟ ଜୀବନ କାହାଣୀ।
ବିଜୁପଟ୍ଟନାୟକ ନଗର, ଭଦ୍ରକ
ମୋ: ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?