ଜଳ ଭୀରୁତାର ପରିଣାମ

ଡ. ପ୍ରମୋଦ କୁମାର ପଣ୍ଡା

 

ସଭ୍ୟତାର ଅଭ୍ୟୁଦୟରେ ନଦୀଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ବଣମଣିଷ ସ୍ଥାୟୀ ଭାବରେ ବସବାସ କରିବା ପାଇଁ ନଦୀକୂଳକୁ ସର୍ବୋକୃଷ୍ଟ ସ୍ଥାନ ହିସାବରେ ବାଛିଥିଲା। କାରଣ ଏଠାରେ ବର୍ଷସାରା ପାନୀୟ ଜଳ ମିଳୁଥିଲା ଓ ବିଭିନ୍ନ ପ୍ରକାର ଫସଲ ଚାଷ ପାଇଁ ଆବଶ୍ୟକ ଉର୍ବର ମୃତ୍ତିକା ଓ ପ୍ରଚୁର ଜଳ ଥିଲା। ସେ ସିନ୍ଧୁ ନଦୀକୂଳରେ ଗଢ଼ିଉଠିଥିବା ପ୍ରାଚୀନ ସିନ୍ଧୁ ସଭ୍ୟତା ହେଉ କିମ୍ବା ମିଶରର ନୀଳନଦୀ କୂଳରେ ଗଢ଼ିଉଠିଥିବା ସଭ୍ୟତା ହେଉ କିମ୍ବା ଟାଇଗ୍ରୀସ ଓ ୟୁଫ୍ରେଟିସ ନଦୀକୂଳରେ ଗଢ଼ିଉଠିଥିବା ମେସୋପଟାମିଆ ସଭ୍ୟତା ହେଉ କିମ୍ବା ହୋୟାଙ୍ଗ ହୋ ନଦୀକୂଳରେ ଚୀନ ସଭ୍ୟତା ହେଉ, ସବୁଠି ନଦୀକୂଳ ଆଦିମ ଅଧିବାସୀମାନଙ୍କର ଭରସା ଜିତିଥିଲା । ସେମାନଙ୍କର ନାନାବିଧ ଆବଶ୍ୟକତା ପୂର୍ଣ୍ଣ କରିବାରେ ସହାୟକ ହେଉଥିଲା। ସେତେବେଳେ ନଦୀନାଳ ପୂର୍ଣ୍ଣ ଏବଂ ହିଂସ୍ରଜନ୍ତୁ ସଙ୍କୁଳ ସ୍ଥଳ ପଥରେ ଯାତାୟାତର ସୁବିଧା ହେଉ ନ ଥିବାରୁ ନଦୀଜଳ ଗମନାଗମନ ଓ ବ୍ୟବସାୟର ମୁଖ୍ୟ ଭୂମିକା ନେଇଥିଲା। ପ୍ରାଚୀନ କାଳରୁ ଓଡ଼ିଶାରେ ମଧ୍ୟ ନଦୀ ବିକାଶର ଇଞ୍ଜିନ ଭାବରେ କାର୍ଯ୍ୟ କରିଆସିଛି। ନଦୀ ଜଳପଥ ଦେଇ ବିଦେଶକୁ ବାଣିଜ୍ୟ ହେଉଥିଲା। ପୁରୀ ଓ କୋଣାର୍କ ଭଳି ବିଶାଳକାୟ ମନ୍ଦିରର ପଥର ଏହି ନଦୀଜଳ ପଥ ଦେଇ ଆସିଥିବାର ଇତିହାସ କହେ। କହିବାକୁ ଗଲେ ନଦୀ ଓଡ଼ିଶାର ଜନ, ଧାନ, ପାନ ଓ ମୀନ ବିକାଶ ଦିଗରେ ଭୂମିକା ନେଇଥିଲା। ମାତ୍ର ଆଜି ଅବସ୍ଥା ବଦଳିଯାଇଛି। ଆମେ କୁମ୍ଭୀରର ବଂଶ ବୃଦ୍ଧି କରି ନଦୀ ନାଳରେ ଛାଡ଼ିବା ଦ୍ୱାରା ନଈକୂଳିଆ ଅଞ୍ଚଳର ଜନଜୀବନ ବିପନ୍ନ ହୋଇପଡ଼ିଛି। ପ୍ରତି ମାସରେ କେନ୍ଦ୍ରାପଡ଼ା ଜିଲାରୁ କୁମ୍ଭୀରଟଣା ଜନ ମୃତ୍ୟୁ ଖବର ଆସୁଛି। ବର୍ତ୍ତମାନ ନଦୀ ଓ ନାଳରେ କୁମ୍ଭୀର ଉପସ୍ଥିତି ଭୟ ଏକପ୍ରକାର ଜନଜୀବନକୁ ପ୍ରଭାବିତ କରିବାକୁ ବସିଲାଣି।
ନଦୀକୂଳିଆ ଲୋକେ ଶୌଚ, ଗାଧୋଇବା, ଲୁଗାପଟା ଧୋଇବା, ଗୋରୁ ଗାଧୋଇବା, ଗୋରୁଙ୍କୁ ପାଣି ପିଆଇବା, ଜଳସେଚନ ଆଦି କାର୍ଯ୍ୟ ପାଇଁ ନଦୀ ନାଳ ଉପରେ ନିର୍ଭର କରନ୍ତି। କୁମ୍ଭୀର ନଦୀ ନାଳରେ ରହିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହେବ। ଫଳରେ ଲୋକେ ଆଉ ନଦୀ ନାଳକୁ ଯିବାକୁ ସାହସ କରିବେ ନାହିଁ। ଗୋରୁ, ଛେଳି, ମେଣ୍ଢା ସବୁ ନଦୀକୂଳିଆ ପାଟ ଜମିରେ ଚରୁଥିଲେ ଓ ନଈରୁ ପାଣି ପିଉଥିଲେ। କୁମ୍ଭୀର ଭୟରେ ଲୋକେ ଗୋରୁ ପାଳିବେନି। ଗୋପାଳନ ଉପରେ ନିର୍ଭରଶୀଳ ଭୂମିହିନ ଗରିବ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହେବା ସ୍ବାଭାବିକ। ଆଉ ଏକ ବଡ଼ ସମସ୍ୟା ଉପୁଜିବାକୁ ଯାଉଛି। ତାହା ହେଲା ଧୀବରମାନଙ୍କ ଜୀବନ ଜୀବିକା। ଆଦିମ କାଳରୁ ଧୀବର ସମ୍ପ୍ରଦାୟ ନଦୀ ନାଳରୁ ମାଛ ମାରି ସେମାନଙ୍କ ପରିବାର ଚଳାଇ ଆସୁଛନ୍ତି। ମାତ୍ର କୁମ୍ଭୀର ଭୟରେ ସେମାନେ ନଦୀ ନାଳ ଯିବା ବନ୍ଦ କରିଦେଲେ ଧୀରେ ଧୀରେ ତାଙ୍କ ବଂଶଧର ମାଛ ଧରିବା କୌଶଳ ଭୁଲିଯିବେ। ସମୟ ଆସିବ ନଦୀ ନାଳରୁ ମାଛ ଧରିବା ପାଇଁ ମାଛ ଧରାଳି ମିଳିବେ ନାହିଁ। ପଡ଼ୋଶୀ ରାଜ୍ୟରୁ ଧୀବର ଆଣିବାକୁ ପଡ଼ିବ ଆମ ରାଜ୍ୟକୁ। ଆମ ରାଜ୍ୟରେ ଏହାର ଝଲକ ଦେଖିବାକୁ ମିଳିଲାଣି। ନଡ଼ିଆ ଓ ତାଳର ଗଡ଼ କୁହାଯାଉଥିବା ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଗଛ ଚଢ଼ାଳି ଆଉ ମିଳୁ ନାହାନ୍ତି। ସେଥିପାଇଁ ଲୋକେ ନଡ଼ିଆ ଗଛ ଲଗାଇବା କମାଇଲେଣି।
ଭିତରକନିକାରେ କୁମ୍ଭୀର ପାଳନ କରିବା ଦ୍ୱାରା କୁମ୍ଭୀରମାନେ ଜଳ ପ୍ରବାହରେ ବିଭିନ୍ନ ନଦୀ ନାଳକୁ ଯାଇ ଧନଜୀବନ ନଷ୍ଟ କରୁଛନ୍ତି। ତାଙ୍କର ବଂଶ ବୃଦ୍ଧି ଦ୍ୱାରା ଖାଦ୍ୟାଭାବ ସମୟରେ ଉପର ମୁଣ୍ଡରେ ପ୍ରବେଶ କରି ମଣିଷ ଓ ଗୃହପାଳିତ ପଶୁଙ୍କୁ ମାରି ଖାଇବା ଘଟଣା ବଢ଼ିବାରେ ଲାଗିଛି। ସେଥିପାଇଁ ବନ ବିଭାଗ ନଦୀର ବିଭିନ୍ନ ଘାଟରେ ବା ତୁଠରେ ତା’ର ଜାଲି ବ୍ୟବସ୍ଥା କରୁଛନ୍ତି। ମାତ୍ର ଖରା, ବର୍ଷା ଓ ପାଣିରେ ବୁଡୁଥିବା ବାଡ ବା ଜାଲି ଯେ ସବୁଦିନ ସବଳ ହୋଇ ରହିବ, ଏହାର ଗ୍ୟାରେଣ୍ଟି ନାହିଁ। ତା’ଛଡା ନଦୀ ନାଳର ସମସ୍ତ ସ୍ଥାନରେ ବାଡ଼ ଲଗାଇବା ପ୍ରଶାସନ ପକ୍ଷେ ମଧ୍ୟ ସମ୍ଭବ ନୁହେଁ। କିଛି ଅଧିକାରୀଙ୍କ ମତରେ ନଦୀକୂଳିଆ ଲୋକଙ୍କୁ ସଚେତନ କରାଯାଇପାରିଲେ କୁମ୍ଭୀର ଉପଦ୍ରବରୁ ରକ୍ଷା ମିଳିପାରିବ। ମାତ୍ର ଏହା ଆଂଶିକ ସମ୍ଭବ।
ଭୋକିଲା କୁମ୍ଭୀର ଯେକୌଣସି ଉପାୟରେ କ୍ଷତି କରିପାରିବ। ଜୈବ ବିବିଧତାର ସୁରକ୍ଷା ପାଇଁ କୁମ୍ଭୀର ପାଳନ କରାଯାଉ, ମାତ୍ର ତାହା ତାର ଜାଲି ମଧ୍ୟରେ ଆବଦ୍ଧ କରି କରାଯାଉ। ଆମେ କୃତ୍ରିମ ହ୍ରଦ ସୃଷ୍ଟି କରି ସେଠାରେ କୁମ୍ଭୀର ପାଳନ କରିପାରିବା ତାର ଜାଲି ଘେରାଇ। ତା’ ଛଡା ସମୁଦ୍ର କୂଳିଆ ତଳି ଜଳବନ୍ଦୀ ବା ଜଳମଗ୍ନ ଅଞ୍ଚଳରେ ତାରବାଡ ଦେଇ ସୀମିତ ସଂଖ୍ୟକ କୁମ୍ଭୀର ପାଳନ କରାଯାଇ ପାରିବ। ମାତ୍ର ସେପରି ନ କରି ନଦୀ ନାଳରେ ଅସଂଖ୍ୟ କୁମ୍ଭୀର ପାଳନ କଲେ, ଲୋକେ ନଦୀ ନାଳକୁ ଭୟ କରିବେ। ନୂଆ ପିଢ଼ି ବା ପିଲାମାନଙ୍କୁ ନଦୀ ନାଳକୁ ଛାଡ଼ିବେ ନାହିଁ। ନୂଆ ପିଢ଼ି ନଦୀ ନାଳକୁ ଗାଧୋଇବା, ପହଁରିବା, ଡଙ୍ଗା ଚଳାଇବା, ଡଙ୍ଗାରେ ଜିନିଷ ପରିବହନ କରିବା, ମାଛ ଧରିବା ଆଦି କାମ ପାଇଁ ନଈକୁ ନ ପଶିଲେ, କିଛି ବର୍ଷ ପରେ ସେମାନେ ନଦୀଜଳକୁ ଦେଖିଲେ ଡରିବେ। ଏବେବି ନଈ ନ ଥିବା ଆଭ୍ୟନ୍ତରଣ ଅଞ୍ଚଳର ଲୋକେ ନଈରେ ପଶିବାକୁ ଭୟ କରନ୍ତି। ଆମ ଦୁଃସାହସୀ ଜାତିଟା ଡରପୋକ ଜାତିରେ ପରିଣତ ହେବ। ଆମ ରାଜ୍ୟରେ ଲୋକଙ୍କ ପାଣିରେ ଚଳିବାର ସାହସ କମିଯିବ, ବନ୍ୟା ସମୟରେ ଧନଜୀବନ ସୁରକ୍ଷା କେମିତି କରିବେ ? ବନ୍ୟା ସମୟରେ କୁମ୍ଭୀର ଚାରିଆଡେ ବ୍ୟାପିବାର ସମ୍ଭାବନା ମଧ୍ୟ ରହିଛି। ଇତିହାସ କହେ ଆମ ପୂର୍ବପୁରୁଷ ଦୁଃସାହସୀ ଥିଲେ ଓ ସମୁଦ୍ରର ଭୟାବହତାକୁ ଖାତିର ନ କରି କାଠ ବୋଇତରେ ଜାଭା ସୁମାତ୍ରା ମଧ୍ୟ ଯାତ୍ରା କରିପାରୁଥିଲେ। ଏବେ ଆମ ପାଖରେ ସେ ଦୁଃସାହସ ଆଜି ଆଉ ନାହିଁ। ଆମେ ଭୀରୁ ହୋଇ ସାରିଲେଣି। ସେପରି ସ୍ଥଳେ ପିଢ଼ି ପରେ ପିଢ଼ି ଯେତେବେଳେ ନଦୀନାଳଠାରୁ ଦୂରେଇ ରହିବେ, ସେତେବେଳେ ଗାଁରେ ଥିବା ଗଡିଆରେ ବି ପହଁରିବାକୁ ସକ୍ଷମ ହେବେ ନାହିଁ।
ଶ୍ୟାମଚାନ୍ଦପାଟନା, ଭଦ୍ରକ
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri