ପ୍ରତିନିଧିଙ୍କ ଇଚ୍ଛାଧୀନ କୋଟା ଦୁର୍ନୀତିର ସୂଚକ

ସହଦେବ ସାହୁ

କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରତି ଏମ୍‌ପି ୧୦ଟି ଲେଖାଏ ସିଟ୍‌ ନିଜ ହସ୍ତମୁଦି ମାହାଲ କରିଥିଲେ। ତା’ ଉପରେ ଏ ବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରହିତାଦେଶ ଜାରି କରିଛି। ବିଭିନ୍ନ ସମୟରେ ଶାସକ ଦଳଗୁଡ଼ିକ ଏମ୍‌ପିମାନଙ୍କୁ ଜମିଦାର-ସୁଲଭ ଅନୁଗ୍ରହ ଦେଖାଇଆସିଛନ୍ତି! ରାଜନୈତିକ ଦଳଟିଏ ଶାସନ ଗାଦିକୁ ଆସିଲେ ଭାବିନେଉଛି ରାଜ୍ୟ ଜିଣିନେଲା, ତାଙ୍କର ଦଳପତି ରାଜ୍ୟର ସମ୍ରାଟ; ଆଉ ଏମ୍‌ଏଲ୍‌ଏ ତଥା ଏମ୍‌ପିମାନେ ଜଣେ ଜଣେ ସତ୍ରପ, ସେମାନଙ୍କୁ ଦରମା ଓ ଭତ୍ତା ସହିତ କିଛି ହସ୍ତମୁଦି ମାହାଲ ବା ପ୍ରିଭିଲେଜ୍‌ (ସ୍ବାଧିକାର) ମିଳୁ। ମନସ୍ତତ୍ତ୍ୱବିଦମାନେ କହନ୍ତି, ଆସୋସିଏଶନ ବା ସଙ୍ଗଠନ ହିଁ ମିଳିମିଶି ଖାଇବାର ଆବହାୱା ତିଆରି କରେ; ପଙ୍ଗତ ସୃଷ୍ଟି କରେ। ରାଜନୈତିକ ଦଳ ବ୍ୟତିକ୍ରମ ନୁହେଁ। ‘ଗଣ’ କେବଳ ଭୋଟ ଦେବା ଲାଗି; ‘ଦଳ’ ହିଁ ଶାସନ କରେ। ବିଧାନସଭା ବା ସଂସଦରେ ଉପସ୍ଥିତ ପ୍ରତିନିଧିମାନଙ୍କ ଭିତରୁ ଅର୍ଦ୍ଧାଧିକଙ୍କ ସମର୍ଥନ ହାସଲ ନ କଲେ କୌଣସି ପ୍ରସ୍ତାବ ବା ଆଇନ ଗୃହୀତ ହେଲା ବୋଲି ଧରାଯାଏ ନାହିଁ। ଏ ପ୍ରକାର ବହୁମତ କେବଳ ଦଳର ନେତାଙ୍କ ଛାଟ (ହୁଇପ୍‌) ଡରରେ ମିଳିଥାଏ, ଏ ଡରକୁ ଆଇନର ମାନ୍ୟତା ଦେଲେ ୧୯୮୭ ରୁ ୨୦୦୩ ଭିତରେ, ଦଳବଦଳ ନିରୋଧ ଆଇନକୁ ସମ୍ବିଧାନରେ ସ୍ଥାନ ଦେଇ। ଆସନ ହରାଇବା ଡର ନ ଥିଲେ କେତେଜଣ ପ୍ରତିନିଧି ବାହାରେ ବୁଲୁଥାନ୍ତେ, ଅଥବା ଘୁଙ୍ଗୁଡ଼ି ମାରନ୍ତେ। ନିଜ ସୁବିଧା କରୁଥିବା ବିଧେୟକ ଏମ୍‌ପିମାନେ ପାରିତ କରିନିଅନ୍ତି, ରୁଲ୍ସ ଗୃହର ମେଜ ଉପରେ ୧୫ ବା ୨୧ ଦିନ ପଡ଼ିରହି ପାରିତ ହୋଇଗଲା ବୋଲି ଧରିନିଆଯାଏ। ସେମାନେ ଦେଖନ୍ତି, ସରକାରୀ ଅଧିକାରୀମାନେ ବା ଏକ୍‌ଜିକ୍ୟୁଟିଭ୍‌ ଶାଖା ସବୁ ପଇସାର କାରବାର କରୁଛି, ସରକାରୀ ଯୋଜନାର ଉପଭୋକ୍ତା ଚୟନ କରୁଛି, ନିରପେକ୍ଷତା ଓ ଯୋଗ୍ୟତା ରହିଲେ ନିଜ ପାଇଁ ଭୋଟ ଗୋଟେଇ ଆଣିଥିବା ଏଜେଣ୍ଟ ବା ଦାଦାମାନଙ୍କୁ କିଛି ଫାଇଦା ମିଳୁନାହିଁ; ସ୍ବଚ୍ଛ ଶୁଦ୍ଧ ଲେଜିସ୍ଲେଟର ହୋଇ କେବଳ ଆଇନ ପ୍ରଣୟନ କାମ କଲେ କିଛି ଲାଭ ନାହିଁ। ମନ୍ତ୍ରୀମାନଙ୍କ ଜରିଆରେ କେତେ ବା ହାସଲ କରିହେବ? ଏକ୍‌ଜିକ୍ୟୁଟିଭ କାମରେ ମୁଣ୍ଡ ପୂରାଇବା ସ୍ବାଧିକାର (ପ୍ରିଭିଲେଜ୍‌) ପାଇଲେ ଜିଲାପାଳ, ସଚିବ ଏପରିକି ମୁଖ୍ୟ ଶାସନ ସଚିବଙ୍କ ଉପରେ ଲାଲିଆଖି ଦେଖାଇ ହେବ! ଫଳରେ (କେତେକ ଦୁର୍ଦ୍ଧର୍ଷ ପ୍ରତିନିଧିଙ୍କ କ୍ଷେତ୍ରରେ) ସିଧାସଳଖ ଅଫିସରମାନଙ୍କ ସହ ହାତାହାତି ହୋଇହେବ; ଉପୁରି ଆଦାୟର ସୁବିଧା ବି ମିଳିବ। ସମାଜରେ ଭ୍ରଷ୍ଟାଚାର ବଢ଼ିଲେ ବି ଚିନ୍ତା ନାହିଁ ଯେ ପର୍ଯ୍ୟନ୍ତ ଦଳପତିଙ୍କ ଭାବମୂର୍ତ୍ତି ସ୍ବଚ୍ଛ ଅଛି! କେତେଜଣ ମନ୍ତ୍ରୀ ତ ସେମାନଙ୍କ ଏକ୍‌ଜିକ୍ୟୁଟିଭ କ୍ଷମତା ଜରିଆରେ ଲାଞ୍ଚ ନିଅନ୍ତି ବୋଲି ସମସ୍ତେ ଜାଣନ୍ତି, ଏହାକୁ ଯେଉଁମାନେ ଉଡ଼ା ଖବର ବୋଲି କହିବେ ସେମାନେ କର୍ନାଟକର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଈଶ୍ୱରପ୍ପାଙ୍କ ସଦ୍ୟ ଇସ୍ତଫା ଖବର ପଢ଼ନ୍ତୁ। ନିଜ ଦଳର କଣ୍ଟ୍ରାକ୍ଟର ଉପରେ ଲାଞ୍ଚ-ଜୁଲମ କରି ତା’ର ମୃତ୍ୟୁର କାରଣ ହୋଇଥିବା ଅଭିଯୋଗ ତାଙ୍କ ବିରୋଧରେ ଆସିଛି। ସରକାରୀ ସେବା ତଥା ଅନୁଦାନର ଉପଭୋକ୍ତା ଚୟନ କରିବା ତାଲିକାରେ ଏମ୍‌ପି ମାନଙ୍କ ସୁପାରିସ ବାଧ୍ୟତାମୂଳକ ହେବା କଥା। କେନ୍ଦ୍ରୀୟ ବିଦ୍ୟାଳୟରେ ଆଡ୍‌ମିସନ ପାଇଁ ୧୦ଟି ସିଟ୍‌ ଏମ୍‌ପିଙ୍କ କୋଟା ଏକମାତ୍ର ଉଦାହରଣ ନୁହେଁ, ରାସ୍ତାକଡ଼ରେ ପେଟ୍ରୋଲ ପମ୍ପ ବସାଇବା, ହସ୍ପିଟାଲ ହତାରେ ଔଷଧ ଦୋକାନ କରିବା, ତାର ବିଭାଗରୁ ଶୀଘ୍ର ଫୋନ୍‌ ଲାଇନ ପାଇବା, ସରକାରୀ ହସ୍ପିଟାଲରେ କ୍ୟାବିନ୍‌ ପାଇବା ଆଦି କ୍ଷେତ୍ରରେ ଏମ୍‌ପିଙ୍କ ସୁପାରିସ (କୋଟା) ଅଛି। ଡିସ୍‌କ୍ରେସନାରି କୋଟା ଯେତେ ବଢ଼ିବ ଉପୁରିର ଉତ୍ସ ସେତେ ପ୍ରଶସ୍ତ ହେବ। ବର୍ଷକ ପାଇଁ ସ୍କୁଲ କୋଟା ବନ୍ଦ ରଖିବା ଉତ୍ସର ଅତଡ଼ାରେ ଫାଟ ଆଣିଛି, ଡାକ୍ତରୀ ଭାଷାରେ ହେଆର୍‌ ଲାଇନ୍‌ ଫାଟ, ଆପେ ଆପେ ଫାଟଟା ବନ୍ଦ ହୋଇଯାଇପାରେ!
ଦଳର ନେତା ପ୍ରତି ରାଜ୍ୟରେ ସୁପ୍ରିମୋ ଓ ସାରା ଦେଶରେ ହାଇକମାଣ୍ଡ ବୋଲି କୁହାଯାଉଛି। ତାଙ୍କର କର୍ତ୍ତୃତ୍ୱ ଆମ ଦେଶର ରିପ୍ରେଜେଣ୍ଟେଶନ ଅଫ୍‌ ପିପୁଲ୍ସ ଆକ୍ଟ (ଲୋକ ପ୍ରତିନିଧି ଆଇନ)ରେ ସ୍ବୀକୃତି ପାଇଛି: ପ୍ରତିନିଧି-ପ୍ରାର୍ଥୀ ତାଙ୍କର ନୋମିନେଶନ ପତ୍ରରେ ଦଳପତିଙ୍କ ସୁପାରିସ ନ ନେଇଥିଲେ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇପାରିବେ ନାହିଁ। ପ୍ରାର୍ଥୀମାନେ ଲୋକ ପ୍ରତିନିଧି ବୋଲାଉଥିଲେ ବି କାଗଜପତ୍ରରେ ଦଳ ପ୍ରତିନିଧି। ସବୁଠି ଦଳପତିଙ୍କ ଗୁଣଗାନ କରି, ତାଙ୍କ ମତ ସମର୍ଥନରେ ଓକିଲାତି କରି (କେବଳ ସଂସଦ ବା ବିଧାନସଭାରେ ନୁହେଁ, ଦୈନନ୍ଦିନ କଥାବାର୍ତ୍ତାରେ ବା ଟେଲିଭିଜନ ଆଲୋଚନାରେ) ପ୍ରାର୍ଥୀମାନେ ବିବେକର ବଳି ଦେଇଥାନ୍ତି! ରାଜୀବ ଗାନ୍ଧୀଙ୍କ ସମୟର ଦଳ-ବଦଳ-ନିରୋଧ ଆଇନ ୨୦୦୩ ରେ ସାମ୍ବିଧାନିକ ମର୍ଯ୍ୟାଦା ପାଇଛି। ଦଳପତିଙ୍କ ମତ (ହୁଇପ୍‌) ନ ମାନିଲେ ଦଳପତି ତାଙ୍କୁ ତ ଦଳରୁ ବହିଷ୍କାର କରିବେ, ବାଚସ୍ପତିଙ୍କ ଅନୁମୋଦନକ୍ରମେ ତାଙ୍କୁ ଏମ୍‌ପି ବା ଏମ୍‌ଏଲ୍‌ଏ ପଦରୁ ତଡ଼ିଦେଇପାରିବେ: ଆଗରୁ ଲୋକଙ୍କ ଭୋଟ ପାଇଥିଲେ ବି ତାହା ତୁଚ୍ଛ!
୧୯୪୭ ରେ ସିନା ବିଲାତି ଔପନିବେଶିକତା ଗଲା; ୧୯୯୦ରୁ ୨୦୦୩ ଭିତରେ ସମ୍ବିଧାନ ସଂଶୋଧନ ହୋଇ ସ୍ବଦେଶୀ ଔପନିବେଶିକତା ଆସିଯାଇଛି। ଗଣତନ୍ତ୍ର ଛାଲରେ ଦଳପତିଙ୍କ ସ୍ବୈରତନ୍ତ୍ର ଘୋଡ଼େଇହୋଇଛି। ସେତେବେଳେ ବିଲାତ ରାଣୀଙ୍କ ଲୋକେ ମାରିନେଉଥିଲେ ଆମେ ଚାହୁଁ ରହୁଥିଲୁ ଜଳକା, ଏବେ ଦଳର ଲୋକେ ମାରିନେଉଛନ୍ତି ଆମେ ଚାହିଁରହୁଛୁ ଜଳକା! ଆମେ ‘ଗଣ’ତନ୍ତ୍ରକୁ ଚଳାଇବା ପାଇଁ ଯେଉଁ ପ୍ରତିନିଧି ପଠାଉଛୁ ସେମାନେ କେବଳ ଦରମା ଓ ତତ୍‌ସଂକ୍ରାନ୍ତୀୟ ଭତ୍ତାରେ ସନ୍ତୁଷ୍ଟ (ଅର୍ଥାତ୍‌ ଦଳପତିଙ୍କ ଅନୁଗତ) ହେଉ ନାହାନ୍ତି, ୧୯୫୨ର ସରଳ ‘ଦି ସାଲେରିଜ ଆଣ୍ଡ ଆଲାୱାନ୍ସେସ୍‌ ଆକ୍ଟ’ ବାରମ୍ବାର ସଂଶୋଧିତ ହୋଇ ଏବେ ଯାବତୀୟ ସୁବିଧା ଦିଆହୋଇ ଜଟିଳ ‘ଦି ସାଲେରିଜ, ଆଲାୱାନ୍ସେସ୍‌ ଆଣ୍ଡ ପେନ୍‌ସନ୍ସ ଆକ୍ଟ ଓ ରୁଲ୍ସ’ ହେଲାଣି: ଆଜାଦୀର ୭୫ ବର୍ଷରେ ଉପୁରିର ସୁବର୍ଣ୍ଣ ଜୟନ୍ତୀ। କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ଏମ୍‌ପିଙ୍କ କୋଟା କଥା ଦେଖନ୍ତୁ। ୧୯୭୫ ରେ ପ୍ରଥମଥର ଏଚ୍‌ଆର୍‌ଡି ମନ୍ତ୍ରୀଙ୍କ ପାଇଁ କୋଟା କରାଗଲା, ତା’ପରେ ଏମ୍‌ପିମାନଙ୍କ ପାଇଁ କୋଟା ଆରମ୍ଭ ହୋଇଗଲା ୧୯୭୫ରୁ ୧୯୯୫ ଭିତରେ। ଏଭଳି ଇଚ୍ଛାଧୀନ କୋଟାରେ ଆଡମିସନ ପାଇଥିବା ପିଲାଙ୍କ ସଂଖ୍ୟା ୧୫୦୦୦ ହୋଇଗଲା। ୧୯୯୮ ରେ ମୁରଲୀ ମନୋହର ଜୋଷୀ ୧୭୦୦ ଆଡମିସନ ସୁପାରିସ କରିଥିଲେ ହେଁ ୭୩୦ କୁ କମାଇ ଦିଆଗଲା। ୨୦୧୦ ପର୍ଯ୍ୟନ୍ତ ପ୍ରତି ଏମ୍‌୍‌ପିଙ୍କ ହାତରେ ୨ଟି ଆସନ ସୁପାରିସ କରିବାର ଥିଲା, ସିବାଲ ୬ କୁ ବଢ଼ାଇ ଦେଲେ । ୨୦୧୪ ରେ ସ୍ମୃତି ଇରାନୀ ବର୍ଷେ ମନ୍ତ୍ରୀ ହୋଇଛନ୍ତିକି ନାହିଁ ପ୍ରତି ଏମ୍‌ପି କୋଟାକୁ ୧୦ କରିଦେଲେ, ଅର୍ଥାତ୍‌ ସାରା ଦେଶରେ ୮୦୦୦ କେନ୍ଦ୍ରୀୟ ବିଦ୍ୟାଳୟ ସିଟ୍‌ ରିଜର୍ଭ ହୋଇଗଲା। ମନ୍ତ୍ରୀଙ୍କ କୋଟା -୨୦୧୬ ରେ ପ୍ରଥମେ ୩୫୦୦ ଓ ପରେ ୮୦୦୦ ଥିଲେ ବି ପ୍ରକାଶ ଜାଭଡେକର ୧୫୪୯୨ ଆଡ୍‌ମିସନ ସୁପାରିସ କରିଥିଲେ । ବାର୍ଷିକ ଦେଢ଼ଲକ୍ଷ ପିଲାଙ୍କୁ ଆଡମିସନ ଦେଉଥିବା କେନ୍ଦ୍ରୀୟ ବିଦ୍ୟାଳୟ ଉପରେ ବୋଝ ବଢ଼ିଗଲା। ଗରିବଗୁରୁବା ତ ଏମ୍‌ପିଙ୍କ ସାକ୍ଷାତ ପାଆନ୍ତି ନାହିଁ, କେବଳ ଧରାଧରି କରୁଥିବା ଲୋକେ ଏମ୍‌ପିଙ୍କ କୋଟା ପାଆନ୍ତି। ଯେଉଁ କେତେଜଣ ଏମ୍‌ପି ସଭାଗୃହରେ ପ୍ରଶ୍ନ ଉଠାଇବା ପାଇଁ ପଇସା ନିଅନ୍ତି ସେମାନଙ୍କୁ ଏଭଳି କୋଟା ଶିକା ଛିଣ୍ଡିଲା ଭଳି ଲାଗୁଥିବ, ଯେଉଁଠି ଏମ୍‌ପି ନେଉ ନ ଥିବେ ତାଙ୍କ ପିଏ ଓ ପିଅନ ଯେ କିଛି ଖାଉ ନ ଥିବେ ସେ ଗାରେଣ୍ଟି ଅଛିକି? ସେମାନେ ତ ଏମ୍‌ପିଙ୍କ ମତ ବଦଳାଇଦେବେ ବା କେନ୍ଦ୍ରୀୟ ବିଦ୍ୟାଳୟକୁ ସମୟସୀମା ଭିତରେ ଚିଠିଟା ଇସୁ କରିବେ ନାହିଁ! ଏମ୍‌ପି କୋଟା ଅଯୋଗ୍ୟ ପିଲାକୁ ଯୋଗ୍ୟ କରିଦେଇପାରିବ! ସବୁଠୁ ବଡ଼ ଜମିଦାରି ହେଉଛି ଏମ୍‌ପି ଲାଡ୍‌ (ଲୋକାଲ ଏରିଆ ଡେଭଲେପମେଣ୍ଟ, ସଂକ୍ଷେପରେ ଲାଡ୍‌ ବା ପିଲା)ା ବର୍ଷକୁ ୫ କୋଟି, ଯଦି ମାତ୍ର ୧୦% ନିଅନ୍ତି ତେବେ ତ ୫ ଲକ୍ଷ ଟଙ୍କା ବର୍ଷକୁ; ୫ ବର୍ଷରେ ୨୫ ଲକ୍ଷ ଟଙ୍କା। ଏମ୍‌ପିମାନେ ନିଜେ ଏମିତି ବହୁ ରକମର ମାଗଣା ଜିନିଷ ବା ସେବା ପାଆନ୍ତି ଯାହା ହାସ୍ୟାସ୍ପଦ। ଗୋଟିଏ ଉଦାହରଣ ବର୍ଷକୁ ୫୦ ହଜାର ଫୋନ୍‌ କଲ୍‌ ମାଗଣା। ନିଦ୍ରା ସମୟ ଓ ଭ୍ରମଣ ସମୟକୁ ବାଦ୍‌ ଦେଲେ ୩ ମିନିଟ୍‌କୁ ଗୋଟିଏ କଲ୍‌। ପୁଣି ନାଗରିକମାନଙ୍କ କଲ୍‌ ତ ସମୟ ନେଉଥିବ, ତେବେ ପ୍ରତି କଲ୍‌ ପାଇଁ ଗୋଟିଏ ମିନିଟ୍‌! ତା’ ମାନେ କ’ଣ ପିଅନ, ପିଏ ଓ ଘରବାଲାଏ ଫାଇଦା ଉଠାଉଥିବେ!
ତାଙ୍କ ନିର୍ବାଚନ ରଦ୍ଦ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ରହିବାକୁ ଏମ୍‌ପିମାନଙ୍କ ସମର୍ଥନ ପାଇବା ପାଇଁ ଇନ୍ଦିରା ଗାନ୍ଧୀ ପେନ୍‌ସନ ବ୍ୟବସ୍ଥା ଚାଲୁକଲେ। ୧୯୭୬ରେ ଆଇନର ପ୍ରସାରିତ ନାମ ହେଲା ‘ଦି ସାଲେରିଜ, ଆଲାୱାନ୍ସେସ୍‌ ଆଣ୍ଡ ପେନ୍‌ସନ ଅଫ୍‌ ମେମ୍ବର୍ସ ଅଫ୍‌ ପାର୍ଲାମେଣ୍ଟ ଆକ୍ଟ ’ା ଚେର ଏ ଯାଏ ପଚି ନ ଥିବା ଦଳରୁ ଆସିଥିବାରୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଲେଜିସ୍ଲେଟରମାନଙ୍କ ପେନ୍‌ସନ ଏକାଧିକ ଟର୍ମ ପାଇଁ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ରାଜକୋଷରୁ ବହିର୍ଗମନ କେତେ କମୁଛି ଭବିଷ୍ୟତ କହିବ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri