ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ କିଛି ପଛକୁ ଛାଡ଼ି ଯାଉନାହିଁ’। ଏଥିରୁ ବୁଝିବାକୁ ହେବ ଯେ, ଆପଣଙ୍କୁ ବ୍ୟବହାର କରିବା ଲାଗି ଯେଭଳି ପରିବେଶ ମିଳିଥିଲା, ସେହି ଭାବରେ ଆପଣ ଅନ୍ୟ ଜଣଙ୍କ ପାଇଁ ତାହା ଛାଡ଼ିଯିବା ଦରକାର। ଏହି ନାଗରିକବୋଧ ପ୍ରଦର୍ଶନ କରିବାରେ ସମଗ୍ର ପୃଥିବୀରେ ଜାପାନବାସୀଙ୍କଠାରେ ବେଶି ଲକ୍ଷ୍ୟ କରାଯାଏ। ୨୦୨୬ ବିଶ୍ୱକପ୍‌ ଫୁଟବଲ ଚାଲିଛି। ଜାପାନ ଆଗକୁ ବଢ଼ି ନ ପାରି ପ୍ରତିଦ୍ୱନ୍ଦ୍ୱିତାରୁ ବିଦାୟ ନେଲାଣି। ତଥାପି ଜାପାନୀ ପ୍ରଶଂସକମାନେ ଷ୍ଟାଡିୟମ ସଫା କରିବା ପାଇଁ ଖେଳ ଶେଷ ପର୍ଯ୍ୟନ୍ତ ରହିବା ଦେଖାଯାଇଥିଲା। ଏହା ପ୍ରଥମ ଥର ପାଇଁ ନୁହେଁ, ପୂର୍ବରୁ ମଧ୍ୟ ଏଭଳି ବ୍ୟବହାର ଦେଖାଇ ଆସିଛନ୍ତି। ସେମାନଙ୍କର ଏଭଳି ସାଂସ୍କୃତିକ ପରମ୍ପରା ସମଗ୍ର ବିଶ୍ୱରେ ପ୍ରଶଂସା ସାଉଁଟୁଛି। ଜାପାନବାସୀଙ୍କ ଏପରି ବ୍ୟବହାରକୁ ଅନୁକରଣ କରି ବ୍ରାଜିଲ ଓ ପର୍ତ୍ତୁଗାଲର ପ୍ରଶଂସକମାନେ ସଫେଇ କରିବାର ଯେଉଁ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି, ତାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପରମାଣୁ ବୋମା ମାଡ଼ ଯୋଗୁ ଧ୍ୱଂସର ସର୍ବାଧିକ କ୍ଷତି ସହିଥିବା ଦେଶ ଜାପାନ। କିନ୍ତୁ ଯୁଦ୍ଧ ପୂର୍ବରୁ ଅତ୍ୟନ୍ତ ନୃଶଂସ ଓ ଅତ୍ୟାଚାରୀ ଜାତି ଭାବେ ଜାପାନ ପରିଚିତ ଥିଲା। ଯୁଦ୍ଧରେ ପରାଜୟ ସେଠାକାର ଲୋକଙ୍କ ଚରିତ୍ରରେ ଆମୂଳଚୂଳ ଚରିତ୍ରରେ ପରିବର୍ତ୍ତନ କରାଇଥିଲା। ସେଠାକାର ପରିଷ୍କାର ପରିଚ୍ଛନ୍ନତା ଓ କାର୍ଯ୍ୟଶୈଳୀର ସଂସ୍କୃତି ସର୍ବଦା ଅନ୍ୟ ଦେଶ ପାଇଁ ଉଦାହରଣ ରହିଆସିଛି। ସ୍କୁଲରେ ପିଲାମାନଙ୍କୁ କୋଠରି ସଫା କରିବା ଲାଗି ଶିକ୍ଷା ଦିଆଯାଇଥାଏ। ପରବର୍ତ୍ତୀ ସମୟରେ ତାହା ସେମାନଙ୍କ କିଶୋର ବୟସରେ ପ୍ରତିଫଳିତ ହେବା ସହ ସେମାନଙ୍କ ଜୀବନରେ ଏକ ଅଭ୍ୟାସ ହୋଇ ରହିଯାଏ। ଏଭଳି ପ୍ରଚ୍ଛଦପଟରେ ଭାରତକୁ ଦେଖିଲେ ସର୍ବସାଧାରଣ ସ୍ଥାନରେ ଆବର୍ଜନା ଫିଙ୍ଗିବା ସଂସ୍କୃତି ବେଶ୍‌ ଦୃଷ୍ଟିଗୋଚର ହୋଇଥାଏ। ଜାପାନୀ ଦର୍ଶନ କହେ, କେହି କଦାପି ଅଳିଆ ଆବର୍ଜନା ଛାଡ଼ିଯିବା ଉଚିତ ନୁହେଁ, ଯାହା ଅନ୍ୟମାନଙ୍କୁ କିମ୍ବା ଷ୍ଟାଡିୟମ ସଫା କରୁଥିବା କର୍ମଚାରୀଙ୍କୁ ଅସୁବିଧାରେ ପକାଇବ। ଅନ୍ୟପକ୍ଷରେ ଭାରତରେ ପ୍ରାୟତଃ ଏକ ମାନସିକତା ରହିଛି ଯେ, ସର୍ବସାଧାରଣ ସ୍ଥାନ ସଫା ରଖିବା ଦାୟିତ୍ୱ ଅନ୍ୟ କାହାର। ସେହି ଅନ୍ୟ ଭାବେ ପଡ଼ୋଶୀ, ସଫେଇ କର୍ମଚାରୀ କିମ୍ବା ବିଧାୟକ ବା ସାଂସଦ ସେଥିପାଇଁ ଦାୟିତ୍ୱ ନେଇଥାଆନ୍ତି। ପିଲାମାନଙ୍କୁ ମାତାପିତାମାନେ ଖୋଲାରେ ପରିସ୍ରା ବା ମଳତ୍ୟାଗ କରିବାକୁ ଉତ୍ସାହିତ କରିଥାନ୍ତି। ଅଧିକାଂଶ ସମୟରେ ପିଲାଦିନରୁ ଶିଖି ଆସିଥିବା ବ୍ୟକ୍ତି ବଡ଼ ହୋଇ ମଧ୍ୟ ରେଳଗାଡ଼ିଠାରୁ ଅନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନରେ ଥିବା ପରିସ୍ରାଗାରକୁ ପ୍ରବେଶ କରିବା ପରିବର୍ତ୍ତେ ଦୁଆରମୁହଁରେ ଠିଆ ହୋଇ ସବୁକିଛି କରନ୍ତି। ସୁନ୍ଦର ଉଦାହରଣ ଭାବେ ମହୀଶୂର ସହରକୁ ନିଆଯାଇପାରେ। କର୍ନାଟକର ଏହି ଐତିହାସିକ ସହରରେ ସେଠାକାର ପୌର ସଂସ୍ଥା ଅନେକ ସ୍ଥାନରେ ବିଶେଷକରି ରାସ୍ତାକଡ଼ରେ ଦର୍ପଣ ଲଗାଇଛନ୍ତି। ସେଥିପାଇଁ କେତେକାଂଶରେ ରାସ୍ତାକଡ଼ରେ ପରିସ୍ରା କରିବାରୁ ଜନସାଧାରଣ ନିବୃତ୍ତ ହୋଇଛନ୍ତି। କିନ୍ତୁ ଏଭଳିଆ ଖର୍ଚ୍ଚବହୁଳ ପଦ୍ଧତିରେ ଅମାନିଆ ଜାତିକୁ ଭଦ୍ର କରିବା ସମ୍ଭବପର ମନେହୁଏ ନାହିଁ।
ମହାତ୍ମା ଗାନ୍ଧୀଙ୍କ କହିବା ଅନୁଯାୟୀ ‘ଭଗବାନଙ୍କ ପରେ ପରିଚ୍ଛନ୍ନତା ଦ୍ୱିତୀୟ ସ୍ଥାନରେ ରହିଛି। ୨ ଅକ୍ଟୋବର ୨୦୧୪ରେ ‘ସ୍ବଚ୍ଛ ଭାରତ ମିଶନ’ ଆରମ୍ଭ ହୋଇଥିଲା। ସେହିଦିନଠାରୁ କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଟିକସ ବା ସେସ୍‌ ପ୍ରାୟ ସବୁ ଦୈନନ୍ଦିନ କିଣାବିକା ଉପରେ ପକାଉଛନ୍ତି। ସେତେବେଳେ ଲୋକଦେଖାଣିଆ ଭାବେ ଝାଡ଼ୁ ଧରି ରାଜନେତା ଓ ସରକାରୀ କର୍ମଚାରୀ ଫଟୋ ଉଠାଇ ଗଣମାଧ୍ୟମକୁ ପଠାଉଥିଲେ। ଏହିମାନଙ୍କର ସ୍ବଚ୍ଛତା କାର୍ଯ୍ୟରେ ଆନ୍ତରିକତାର ଘୋର ଅଭାବ ଥିଲା ବୋଲି ଅକୁହା ଭାବେ ଜନସାଧାରଣ ବୁଝିଲେ। ସେଥିପାଇଁ ଗତ ୧୨ ବର୍ଷ ଭିତରେ କ୍ୱଚିତ୍‌ ସହର ବା ଗ୍ରାମାଞ୍ଚଳ ସମ୍ପୂର୍ଣ୍ଣ ଭାବେ ସ୍ବଚ୍ଛ ହୋଇଛି ବୋଲି କେହି କହିପାରିବେ ନାହିଁ। ସ୍ବଚ୍ଛତା ଅଭିଯାନରେ ସେତେବେଳେ କେତେକ ଅସଙ୍ଗତି ଲକ୍ଷ୍ୟ କରାଯାଇଥିଲା। କିଛି ସ୍ଥାନରେ ଅଳିଆ ପକାଯାଇ ତାହାକୁ ଖରକା ଯିବାର ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ହାସ୍ୟାସ୍ପଦ ସ୍ଥିତି ସୃଷ୍ଟି ହୋଇଥିଲା। ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଏକ ଗଭୀର ସାମାଜିକ ଅଭ୍ୟାସ ହେବା ପରିବର୍ତ୍ତେ ଏବେ ମଧ୍ୟ ଏହା ଏକ ସରକାରୀ ପରିଚାଳିତ ନିର୍ଦ୍ଦେଶନାମା ହୋଇରହିଛି। ‘ଏହା ମୋର କାମ ନୁହେଁ’ ମାନସିକତାରୁ ‘ଏହା ଆମର ସାମୂହିକ ଦାୟିତ୍ୱ’ ମାନସିକତାକୁ ବଦଳାଇବା ପାଇଁ ତାହା ଅଭ୍ୟାସ ପାଲଟିବା ଦରକାର। ବିଗତ ବର୍ଷଗୁଡ଼ିକରେ ବିଦେଶରେ ପ୍ରବାସୀ ଭାରତୀୟମାନେ ଦୀପାବଳି ସମୟରେ ବାଣ ଫୁଟାଇବା ପରେ ସେହି ସ୍ଥାନକୁ ଅପରିଷ୍କାର ଛାଡ଼ି ଦେଇ ଆସିବା ଯୋଗୁ ଭାରତୀୟଙ୍କୁ ନିନ୍ଦିତ ହେବାକୁ ପଡ଼ିଥିଲା। ଭାରତସାରା ଅଳିଆ ଆବର୍ଜନା ସବୁଆଡ଼େ ଦିଶୁଥିବା ହେତୁ ତାହା ଦେଶର ପର୍ଯ୍ୟଟନ ଶିଳ୍ପ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।
ପୂର୍ବରୁ ସ୍କୁଲଗୁଡ଼ିକରେ ସ୍ବଚ୍ଛତା ଓ ନାଗରିକ ଦାୟିତ୍ୱବୋଧ ଦୁଇଟି ପୃଥକ୍‌ ବିଷୟ ଭାବେ ପଢ଼ାଯାଉଥିଲା। ମୋରାଲ ସାଇନ୍ସ ଓ ସିଭିକ୍ସ ଭାବେ ନାମିତ ଏହି ଦୁଇଟି ବିଷୟରେ ପିଲାଙ୍କୁ ସଚେତନ କରାଯାଉଥିଲା ଓ ଘରକୁ ଯାଇ ତାହାକୁ କାର୍ଯ୍ୟକାରୀ କରିବାକୁ ମାଷ୍ଟରମାନେ ପ୍ରବର୍ତ୍ତାଉଥିଲେ। ଏବେ ସେହିସବୁ ବିଷୟ ଶିଖେଇବା ପରିବର୍ତ୍ତେ ଅସତ୍ୟ ଉପରେ ଆଧାରିତ ଦେଶପ୍ରେମ ଓ ଅବାଞ୍ଛିତ ଧାର୍ମିକ ପଦ୍ଧତିକୁ ପାଠ୍ୟକ୍ରମରେ ସଂଲଗ୍ନ କରାଯାଉଛି। ବାରମ୍ବାର ଆମକୁ ଭାରତୀୟ ସଭ୍ୟତା ଓ ସଂସ୍କୃତି ବିଷୟରେ ଶୁଣିବାକୁ ମିଳିଥାଏ। ସଂସ୍କୃତି ଓ ସଭ୍ୟତା ଦୁଇଟିଯାକର ଜୀବନ ଅଛି। ଏହାକୁ ଦୈନନ୍ଦିନ କାର୍ଯ୍ୟରେ ଫୁଟିକି ଦିଶିବା କଥା। ସଂସ୍କୃତି କେବଳ ନାଚ, ଗୀତ ବା କାରୁକାର୍ଯ୍ୟରେ ସୀମିତ ରଖିଦେଲେ ତାହା ଅତୀତ ହୋଇ ମରିଯିବ। ଅନ୍ୟ ବ୍ୟକ୍ତିର ସୁବିଧା ସମ୍ପର୍କରେ ସଚେତନ ରହିବା, ପଡ଼ୋଶୀଙ୍କୁ ହଇରାଣ କରିବାରୁ ନିବୃତ୍ତ ହେବା ଏବଂ ସର୍ବସାଧାରଣ ସ୍ଥାନକୁ ସମ୍ମାନ ଦେଇ ସ୍ବଚ୍ଛ ରଖିପାରୁଥିବା ଜାତି ସଭ୍ୟ ବୋଲି ପରିଗଣିତ ହୋଇଥାଏ। ଏହିଭଳି ଚରିତ୍ର ଆଉ ଭାରତୀୟଙ୍କ ଭିତରେ ଦେଖିବାକୁ ମିଳୁନାହିଁ। ସମସ୍ତେ ବେଖାତିର ମନୋଭାବ ପୋଷଣ କରୁଥିବା ହେତୁ ଭାରତର ସୌନ୍ଦର୍ଯ୍ୟ ସବୁବେଳ ପାଇଁ ଧ୍ୱଂସ ପାଇଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା ପରେ ଭାରତର ସହାୟତାକୁ ପ୍ରଶଂସା, ପ୍ରଧାନମନ୍ତ୍ରୀ କହିଲେ…

କାଠମାଣ୍ଡୁ,୨ା୯: ନେପାଳରେ ଭୟଙ୍କର ବନ୍ୟା ପରେ ଭାରତ ପକ୍ଷରୁ ମିଳୁଥିବା ଲଗାତାର ସହାୟତାକୁ ନେଇ ଭାରତ ଓ ଚାଇନାକୁ ଧନ୍ୟବାଦ ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହା।…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଟିମ ଇଣ୍ଡିଆରେ ହେଲା ବଡ଼ ଓଲଟପାଲଟ: ବୈଭବଙ୍କୁ ମିଳିଲା ସ୍ଥାନ, ୩ ବଡ଼ ଖେଳାଳି ପଡିଲେ ବାଦ୍‌

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ବିସିସିଆଇ ମଙ୍ଗଳବାର ଭାରତୀୟ ଦଳ ଘୋଷଣା କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱରେ ୧୫ ଜଣିଆ ଦଳରେ…

ସମୁଦ୍ରରେ ବୁଡ଼ିଯିବେ କୋଟି କୋଟି ଲୋକ! ନେପାଳ ବିତ୍ପାତ ପରେ ଭାରତର ୨ଟି ସହରକୁ UNର ଭୟଙ୍କର ଚେତାବନୀ?

ନୂଆଦିଲ୍ଲୀ,୧।୯: ସମୁଦ୍ର ପତନ ବୃଦ୍ଧି ପାଇବା ଯୋଗୁଁ କୋଲକାତା ଏବଂ ମୁମ୍ୱାଇର ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇପାରନ୍ତି ବୋଲି ମିଳିତ ଜାତିସଂଘର ରିପୋର୍ଟରେ ଚେତାବନୀ ଦିଆଯାଇଛି।…

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଜନ୍ତରମନ୍ତର ଆନ୍ଦୋଳନରେ ଛାତ୍ରଙ୍କ ବିରୋଧରେ ହୋଇଥିବା ସବୁ ଏଫଆଇଆର ରଦ୍ଦ

ନୂଆଦିଲ୍ଲୀ,୧।୯: ସୁପ୍ରିମକୋର୍ଟ ଯନ୍ତରମନ୍ତର ଆନ୍ଦୋଳନ ସମୟରେ ପ୍ରଦର୍ଶନକାରୀ ଛାତ୍ରୀଛାତ୍ରଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ପ୍ରଧାନ ବିଚାରପତି (ସିଜେଆଇ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri