ପ୍ରାସଙ୍ଗିକତା ହ୍ରାସ

ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ୩ ନଭେମ୍ବରରେ ଅନୁଷ୍ଠିତ ହୋଇଛି। ଏଥିସହିତ ମଧ୍ୟପ୍ରଦେଶର ୨୮, ଓଡ଼ିଶାର ୨ଟି ସହ ୧୦ ରାଜ୍ୟର ୫୪ ବିଧାନସଭା ଆସନର ଉପନିର୍ବାଚନ ଲାଗି ମତଦାନ ହୋଇଯାଇଛି। କୋଭିଡ୍‌-୧୯ ନିୟମ ପାଳନ କରି ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ନିର୍ବାଚନ କମିଶନ (ଇସି)ଙ୍କ ପକ୍ଷରୁ ନିର୍ଦ୍ଦେଶ ଥିଲା। ଗଣମାଧ୍ୟମ, ସ୍ବାସ୍ଥ୍ୟକର୍ମୀ ଏବଂ ସର୍ବଉପରେ ସରକାର ବିଭିନ୍ନ ଅଭିଯାନ ମାଧ୍ୟମରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିଲେ ମଧ୍ୟ ତାହା ବିହାର ନିର୍ବାଚନ ଶୋଭାଯାତ୍ରାରୁ ଆଦୌ ଦେଖିବାକୁ ମିଳି ନାହିଁ। ସେହିପରି ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଭାରତରେ ଯେବେ କୋଭିଡ୍‌-୧୯ ମାର୍ଚ୍ଚରେ କାୟା ବିସ୍ତାର କଲା, ସେତେବେଳେ ନିର୍ବାଚନ ବିଷୟକୁ ଆଖି ଆଗରେ ରଖି ବିଶେଷଜ୍ଞମାନେ ମତ ରଖିଥିଲେ ଯେ, ଶାରୀରିକ ଦୃଷ୍ଟିରୁ ନେତାମାନେ ପ୍ରଚାର କରିବାରେ ସଫଳ ହେବେ ନାହିଁ। ସୋସିଆଲ ମିଡିଆ ଓ ପାରମ୍ପରିକ ଗଣମାଧ୍ୟମ ଶୋଭାଯାତ୍ରା ଓ ମଞ୍ଚର ସ୍ଥାନ ନେବ। କିନ୍ତୁ ନେତାମାନେ ବଡ଼ ବଡ଼ ରାଲି କରି କୋଭିଡ୍‌-୧୯ ନିୟମକୁ ସିଧାସଳଖ ଭାଙ୍ଗିଦେଇଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଚାର ଅଭିଯାନ ସମୟରେ ଅନେକ ରାଲି ଅନୁଷ୍ଠିତ ହୋଇଥିଲା, ଯାହାକୁ ଏବେ ସୁପରସ୍ପ୍ରେଡର ଆଖ୍ୟା ଦିଆଯାଉଛି। ଟ୍ରମ୍ପ୍‌ଙ୍କ ବିଭିନ୍ନ ଶୋଭାଯାତ୍ରାରେ ଯୋଗ ଦେଇଥିବା ଅନେକ ଲକ୍ଷ ଲୋକଙ୍କ ମଧ୍ୟରୁ ୫୪ ହଜାର ଲୋକ କୋଭିଡ୍‌ ସଂକ୍ରମିତ ହୋଇଥିବା ବେଳେ ୭ ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ଏହାର ମୁଖ୍ୟ କାରଣ ହେଲା ରାଷ୍ଟ୍ରପତି ଟ୍ରମ୍ପ୍‌ ନିଜେ ଏହି ରୋଗକୁ ଗୌଣ ଭାବେ ଆରମ୍ଭରୁ ଦେଖିଆସୁଥିଲେ। ସେଥିଯୋଗୁ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ସମୁଦାୟ ୯୦ ଲକ୍ଷ ୩୮ ହଜାର ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୩୨ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏଠାରେ ସ୍ବୀକାର କରିବାକୁ ହେବ ଯେ, ଅନ୍ୟ ଦେଶ ତୁଳନାରେ ଆମେରିକାର ମେଡିକାଲ ସୁବିଧା ଅଧିକ ଓ ଉନ୍ନତ। ତଥାପି କୋଭିଡ୍‌-୧୯କୁ ସମ୍ମୁଖୀନ ହେବାର ଅସଫଳତା ପାଇଁ ଦେଶର ଶାସକମାନଙ୍କୁ, ବିଶେଷକରି ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ଦୋଷ ଦିଆଯାଉଛି। ସେହିପରି ଭାରତର ବିହାର ନିର୍ବାଚନରେ ଅସଂଖ୍ୟ ଶୋଭାଯାତ୍ରା ଓ ଭିଡ଼ ହେଉଥିବାର ପରିଲକ୍ଷିତ ହେଉଛି। କିନ୍ତୁ ଆମେରିକା ଭଳି ଭାରତରେ କେହି ତଥ୍ୟରେ ବିଶ୍ୱାସ କରୁ ନ ଥିବା ହେତୁ ବିହାରରେ ନିର୍ବାଚନ ପ୍ରଚାର ଯୋଗୁ କେତେ ସଂକ୍ରମିତ ହେଲେ ଓ ତନ୍ମଧ୍ୟରୁ କେତେ ମୃତ୍ୟୁମୁଖରେ ପଡ଼ିଲେ, ତାହା ଜାଣିବା ସମ୍ଭବପର ହେବ ନାହିଁ। କାହିଁ ଇସି ସେସବୁକୁ ନିୟନ୍ତ୍ରଣ ତ କରିପାରିଲେ ନାହିଁ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ‘ତାରକା ପ୍ରଚାରକ’ ତାଲିକାରୁ ହଟାଇବା କାମରେ ଲାଗି ପଡ଼ିଲେ। କେବଳ ସେତିକି ନୁହେଁ, ମାଗଣା ‘କୋଭିଡ୍‌-୧୯ ଟିକା’ ଦିଆଯିବାକୁ ନେଇ ଯେଉଁ ପ୍ରଚାର ଭାଜପା ତରଫରୁ କରାଗଲା ତାହା କୌଣସି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁନାହିଁ ବୋଲି ଇସି କହି ବିବାଦୀୟ ହୋଇପଡ଼ିଛନ୍ତି।
ମଧ୍ୟପ୍ରଦେଶରେ ଉପନିର୍ବାଚନ ପ୍ରଚାର ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଇସି ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍‌ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଗ୍ବାଲିଅର ଜିଲାର ଡାବ୍‌ରା ନିର୍ବାଚନୀ ଶୋଭାଯାତ୍ରାରେ କମଲ ନାଥ ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହ୍ବାନ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ଇମର୍ତ୍ତୀ ଦେବୀଙ୍କୁ ‘ଏକ ଆଇଟମ୍‌’ ବୋଲି କହିଥିଲେ। ଇମର୍ତ୍ତୀ ପୂର୍ବରୁ କମଲ ନାଥଙ୍କ ସରକାରରେ ମନ୍ତ୍ରୀ ଥିଲେ। ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶ ରାଜନୀତିରେ ଝଡ଼ ସୃଷ୍ଟି କରି ଯେଉଁ ୨୨ ଜଣ ସମର୍ଥକଙ୍କୁ ଧରି ଭାଜପାରେ ମିଶିଥିଲେ ତାଙ୍କ ଭିତରୁ ଇମର୍ତ୍ତୀ ଅନ୍ୟତମ। କିନ୍ତୁ କମଲ ନାଥ ବ୍ୟବହାର କରିଥିବା ଶବ୍ଦ ‘ଆଇଟମ୍‌’ ନିହାତି ଅଶୋଭନୀୟ ବୋଲି ମନେହୁଏ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇସିଙ୍କ କମଲ ନାଥ ବିରୋଧୀ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ (ଏସ୍‌ସି) ଖାରଜ କରିଦେଇଛନ୍ତି। ମାତ୍ର ଏହି ନିଷ୍ପତ୍ତି ଶୁଣାଇବାର ସମୟ ଅତ୍ୟନ୍ତ କୌତୂହଳପୂର୍ଣ୍ଣ। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ କହିଛନ୍ତି ଯେ, ଗୋଟେ ପାର୍ଟିରେ କିଏ ତାରକା ପ୍ରଚାରକ ହେବେ ତାହା ଇସି ସ୍ଥିର କରିବାର ଅଧିକାର ନାହିଁ। ନିର୍ବାଚନ ପ୍ରଚାର ଶେଷ ହେବା ପରେ ଏଭଳି ନିର୍ଦ୍ଦେଶ ପ୍ରକାଶ କରାଯିବା କୋର୍ଟଙ୍କ ଲକ୍ଷ୍ୟକୁ ନିଷ୍ଫଳ କରିଦେଇଛି।
ଆଜିର ସ୍ଥିତିକୁ ଦେଖିଲେ ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ସଂସ୍ଥା ଶାସକ ଦଳ ପ୍ରତି ଢଳି ରହୁଛନ୍ତି। ତାହା ନ ହୋଇଥିଲେ କୋଭିଡ୍‌-୧୯ ମାଗଣା ଟିକାକୁ ନିର୍ବାଚନୀ ପ୍ରଚାରରେ ଅନୁମତି ଦେଇ ନ ଥାଆନ୍ତେ। ଅନ୍ୟପକ୍ଷରେ ନିର୍ବାଚନ ପ୍ରଚାର ବେଳେ ନେତା ଓ ଲୋକେ କୋଭିଡ୍‌-୧୯ ନିୟମକୁ ବାରମ୍ବାର ଉଲ୍ଲଂଘନ କରିଥିଲେ ମଧ୍ୟ ସେ ନେଇ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି। ସର୍ବୋଚ୍ଚ ଅଦାଲତଙ୍କ କଥା ଦେଖିଲେ ଅନେକ କ୍ଷେତ୍ରରେ ବ୍ୟତିକ୍ରମ ହେଉଥିବା ଲକ୍ଷ୍ୟ କରାଯାଉଛି। ବାସ୍ତବରେ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଯଥା-ଇସି ଓ ଏସ୍‌ସି ସାମାଜିକ ମଙ୍ଗଳକୁ ଅଗ୍ରାଧିକାର ଦେବା ପରିବର୍ତ୍ତେ ଅସମୟରେ ଓ ଅସ୍ବାଭାବିକ ଭାବେ କେବଳ ନିର୍ଦ୍ଦେଶ ଦେଉଥିବାରୁ ସେଗୁଡ଼ିକର ପ୍ରାସଙ୍ଗିକତା ହ୍ରାସ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri