ଆଞ୍ଚଳିକ ବୈଷମ୍ୟ

ଡ. ଦୀପକ କୁମାର ନନ୍ଦ

ଓଡ଼ିଶାର ଆଞ୍ଚଳିକ ବୈଷମ୍ୟ ତଥା ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳ, ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତରାଞ୍ଚଳ ମଧ୍ୟରେ ଅତିମାତ୍ରାରେ ପରିଲକ୍ଷିତ ହୁଏ। ୧୯୯୪ ରେ ପଶ୍ଚିମ ଓଡ଼ିଶା ପାଇଁ ଭିନ୍ନ ଏକ ବିକାଶ ପରିଷଦ ଗଠନ, ମାନବ ବିକାଶ ରିପୋର୍ଟ-୨୦୦୨ ଏବଂ ଆଞ୍ଚଳିକ ବୈଷମ୍ୟ ଆୟୋଗ ରିପୋର୍ଟ-୨୦୦୮ ମାଧ୍ୟମରେ ଏହାର ମାତ୍ରା ପରିଲକ୍ଷିତ। ସାମ୍ପ୍ରତିକ ସମୟରେ ଆଞ୍ଚଳିକ ବୈଷମ୍ୟ ପାଇଁ ଭାରତରେ ପୃଥକ୍‌ ରାଜ୍ୟର ତର୍କ ଆଧାର ପାଲଟିଛି ଏବଂ ସେହିଭଳି ଭିନ୍ନ ଏକ କୋଶଲ ରାଜ୍ୟର ତର୍କ ଏହାର ପ୍ରତିଫଳନ। ଅବଶ୍ୟ କୋଶଲ ରାଜ୍ୟର ତର୍କ ଏକ ପୁରାତନ ବିଷୟ। ପ୍ରଥମକରି ଦେଶ ସ୍ବାଧୀନ ପରେ ପରେ ରାଜ୍ୟ ଏକତ୍ରୀକରଣ ସମୟରେ ସାମନ୍ତବାଦୀ ଶାସକ ଗୋଷ୍ଠୀ ଏହାର ପରିକଳ୍ପନା କରିଥିଲେ। ପାଟ୍‌ନା ରାଜ୍ୟ (ବର୍ତ୍ତମାନର ବାଲାଙ୍ଗୀର)ର ଶାସକ ଏହାର ନେତୃତ୍ୱ ନିଭାଇ ଥିଲେ। ତେଣୁ କୋଶଲ ରାଜ୍ୟର ପ୍ରଥମ ଦାବିଠାରୁ ଇତିମଧ୍ୟରେ ପାଖାପାଖି ୭୫ ବର୍ଷ ବିତିଗଲାଣି ଏବଂ ଆନ୍ଦୋଳନର ପ୍ରକୃତି ମଧ୍ୟ ସମ୍ପୂର୍ଣ୍ଣ ବଦଳିଗଲାଣି। ଏହା ପୂର୍ବରୁ ସାମନ୍ତବାଦୀ ଶାସକମାନଙ୍କ ପାଇଁ କୋଶଲ ରାଜ୍ୟର ଦାବି କେବଳ ନିଜର ଶାସନ ବଜାୟ ରଖିବାର ଏକ ସୁନିୟୋଜିତ ପରିକଳ୍ପନା ଥିଲା। କିନ୍ତୁ ବର୍ତ୍ତମାନ ଏହା ଏକ ସର୍ବସାଧାରଣ ସମ୍ବଳ ବଣ୍ଟନରେ ଆଞ୍ଚଳିକ ପ୍ରାଧାନ୍ୟ ଏବଂ ଶୋଷଣ ଉପରେ ଅଧାରିତ। ତେବେ ପ୍ରଶ୍ନ ହେଉଛି, ଓଡ଼ିଶାରେ କାହିଁକି ଆଞ୍ଚଳିକ ବୈଷମ୍ୟ ପରିଲକ୍ଷିତ ହୁଏ?
ଅର୍ଥନୈତିକ, ଭୌଗୋଳିକ, ସାମାଜିକ ଏବଂ ଶାସନ ପରି ଏକାଧିକ କାରଣ ଆଞ୍ଚଳିକ ବୈଷମ୍ୟ ସହିତ ଜଡ଼ିତ। ହେଲେ ବିକାଶର ରାଜନୀତି ଅନେକ ମାତ୍ରାରେ ଜଡ଼ିତ। ପ୍ରତ୍ୟେକ ସମ୍ବଳଋ ଉତ୍ପାଦନ, ବ୍ୟବହାର ଏବଂ ବଣ୍ଟନ ପ୍ରକ୍ରିୟାରେ ଭବିଷ୍ୟତର ଲାଭ ଏବଂ ହାନିକୁ ହିସାବ ଆଧାରରେ ବିବାଦ ସୃଷ୍ଟି ହୋଇଥାଏ। ଯୋଉମାନେ ଶାସନଭାର ସମ୍ଭାଳିଥା’ନ୍ତି, ସେମାନେ ନିଜର ଚାହିଦା ଏବଂ ଲାଭାନୁସାରେ ସର୍ବସାଧାରଣ ସମ୍ବଳର ଉତ୍ପାଦନ, ବ୍ୟବହାର ଏବଂ ବଣ୍ଟନକୁ ପ୍ରଭାବିତ କରିଥା’ନ୍ତି ଉଭୟ ବ୍ୟକ୍ତିଗତ, ସାମାଜିକ ଏବଂ ଆଞ୍ଚଳିକ ସ୍ତରରେ। ତେଣୁ ଓଡ଼ିଶାରେ ଆଞ୍ଚଳିକ ବୈଷମ୍ୟର ତିନୋଟି ମୁଖ୍ୟ କାରଣ ହେଉଛି, ସାମାଜିକ ଏବଂ ସଂସ୍କୃତିକୁ ବିବିଧତା, ଜାତିଗତ ଏବଂ ଆଞ୍ଚଳିକ ଭେଦଭାବକାରୀ ରାଜନୈତିକ ନେତୃତ୍ୱ ଶକ୍ତି ଏବଂ ସର୍ବସାଧାରଣ ସମ୍ବଳର ଅସନ୍ତୁଳିତ ଉତ୍ପାଦନ, ବ୍ୟବହାର ଏବଂ ବଣ୍ଟନ, ଯାହା ଏକ ଆରେକକୁ ପ୍ରଭାବିତ କରିଥାଏ।
ସର୍ବସାଧାରଣ ସମ୍ବଳର ବ୍ୟବହାର ଏବଂ ବିତରଣରେ ସାମାଜିକ ତଥା ଆଞ୍ଚଳିକ ସ୍ତରରେ ରାଜନୈତିକ ଶକ୍ତି ଏବଂ ନେତୃତ୍ୱର ସ୍ବାର୍ଥ, ଆଦର୍ଶ ଏବଂ ପ୍ରକୃତି ଉପରେ ନିର୍ଭର କରେ। ଓଡ଼ିଶାରେ ଏହା ଏକ ଐତିହାସିକ ଏବଂ ସମସାମୟିକ ସମସ୍ୟା। ଉଦାହରଣ ସ୍ବରୂପ ଐତିହାସିକ ଭାବରେ, ମଧ୍ୟଯୁଗ କାଳରେ, ପୂର୍ବ ଉପକୂଳ ଅଞ୍ଚଳ ମୋଗଲ ଶାସନ ଅଧୀନରେ ଥିଲା ଏବଂ ଅଷ୍ଟାଦଶ ଶତାବ୍ଦୀରେ ପ୍ରତ୍ୟକ୍ଷ ବ୍ରିଟିଶ୍‌ ଶାସନ ଅଧୀନରେ ଆସିଥିଲା। ଅନ୍ୟପଟେ, ରାଜପୁତ ଶାସକମାନେ ଓଡ଼ିଶାର ପଶ୍ଚିମାଞ୍ଚଳକୁ ପ୍ରାୟତଃ ଖ୍ରୀଷ୍ଟାବ୍ଦ ୮୦୦-୧୦୦୦ରୁ ନିଜ ଅକ୍ତିଆରରେ ରଖିଥିଲେ। ଇଂରେଜ ଶାସନ ସମୟରେ ମଧ୍ୟ ତାଙ୍କ ସହିତ ମିଶି ଶାସନ କରିଥିଲେ। ତେଣୁ କୃଷି ଜମିର ବଣ୍ଟନ ଏବଂ ଅନ୍ୟାନ୍ୟ ଜନ କଲ୍ୟାଣ କାର୍ଯ୍ୟ ଯେପରିକି ଶିକ୍ଷା ଏବଂ ସ୍ବାସ୍ଥ୍ୟ ପଦକ୍ଷେପ ଦୁଇଟି ଅଞ୍ଚଳରେ ଭିନ୍ନ । ଅବଶ୍ୟ କୃଷି ଜମିର ବଣ୍ଟନ ଉଭୟ ଅଞ୍ଚଳରେ ସମାଜରେ ସମାନ ଭାବରେ ବଣ୍ଟନ କରାଯାଇ ନାହିଁ, କିନ୍ତୁ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ଆଧୁନିକ ଶିକ୍ଷା ଏବଂ ସ୍ବାସ୍ଥ୍ୟ ଭିତ୍ତିଭୂମି ପ୍ରଥମେ ସୃଷ୍ଟି କରାଯାଇଥିଲା। ଅନ୍ୟପକ୍ଷରେ, ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପଶ୍ଚିମ ଅଞ୍ଚଳରେ ବ୍ରିଟିଶ୍‌ ଶାସକଙ୍କ ପ୍ରଭାବ ପରେ ବିଦ୍ୟାଳୟ ଏବଂ ଡାକ୍ତରଖାନା ଖୋଲାଯାଇଥିଲା। ଅବଶ୍ୟ ଉଭୟ ଅଞ୍ଚଳରେ ସାମାଜିକ ଏବଂ ସାଂସ୍କୃତିକ ପରମ୍ପରା ଏବଂ ଆଦର୍ଶ ସର୍ବଦା ଜାତିବାଦୀ, ଯାହାକି ଐତିହାସିକ ଭାବରେ ଓଡ଼ିଶାର ରାଜପୁତ ସାମ୍ରାଜ୍ୟବାଦୀଙ୍କ ଶ୍ରେୟ, ଯେଉଁଠାରେ ଦଳିତ, ଆଦିବାସୀ ଏବଂ ଅନ୍ୟାନ୍ୟ ଅନଗ୍ରସର ଜାତିମାନେ ଅବହେଳିତ ଏବଂ ଶୋଷିତ। ସେହି ସମାନ ବ୍ୟବସ୍ଥା ଦେଶ ସ୍ବାଧୀନ ପରବର୍ତ୍ତୀ ଓଡ଼ିଶା ରାଜ୍ୟ ଶାସନ ଏବଂ ରାଜନୈତିକ ନେତୃତ୍ୱରେ ମଧ୍ୟ ପରିଲକ୍ଷିତ ହୁଏ। ରାଜନୈତିକ ବିଶେଷଜ୍ଞ ମନୋରଞ୍ଜନ ମହାନ୍ତିଙ୍କ ଅନୁସାରେ, ରାଜ୍ୟ ନିର୍ବାଚନ ରାଜନୀତିରେ ଉଚ୍ଚ ବର୍ଗର ରାଜନେତାଙ୍କ ଅତ୍ୟଧିକ ପ୍ରଭାବ ଗଣତନ୍ତ୍ରରେ ସଙ୍କଟ ସୃଷ୍ଟି କରୁଛି। ଅନ୍ୟପକ୍ଷରେ, ଆଦିବାସୀ ଏବଂ ଦଳିତବର୍ଗ ଏବେ ମଧ୍ୟ ଅଧିକାଂଶ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ୨୦୧୧-୧୨ ଦାରିଦ୍ର୍ୟ ଜନଗଣନା ଅନୁଯାୟୀ, ଏସ୍‌ଟି ଏବଂ ଏସ୍‌ସି ବର୍ଗର ଦାରିଦ୍ର୍ୟ ହାର ଯଥାକ୍ରମେ ୬୩.୫୨ ଏବଂ ୪୧.୩୯ ପ୍ରତିଶତ ଥିଲାବେଳେ ଅନ୍ୟାନ୍ୟ ଅନଗ୍ରସର ଏବଂ ସାଧାରଣବର୍ଗ ଗୋଷ୍ଠୀର ଦାରିଦ୍ର୍ୟ ହାର ୨୪.୧୬ ଏବଂ ୧୪.୨୦ ପ୍ରତିଶତ। ତେବେ ପ୍ରଶ୍ନହୁଏ ସାମାଜିକ, ଅର୍ଥନୀତି ଏବଂ ରାଜନୀତିରେ ଅଗ୍ରସର ସାଧାରଣ ବର୍ଗ କିଭଳି ଭାବରେ ପୂର୍ବ ଉପକୂଳ ଅଞ୍ଚଳର ପ୍ରାଧାନ୍ୟକୁ ଦର୍ଶାଏ? ଯାହା କୋଶଲ ଆନ୍ଦୋଳନର ଏକ ଗୁରୁତ୍ୱପୂର୍ଣ୍ଣ ଯୁକ୍ତି। ଏହାର ଉତ୍ତରଟି ଅତି ସରଳ; ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ଅନ୍ୟାନ୍ୟ ଅନଗ୍ରସର ଏବଂ ସାଧାରଣବର୍ଗ ଗୋଷ୍ଠୀ ଅଧିକ ବସବାସ କରୁଥିଲାବେଳେ ପଶ୍ଚିମାଞ୍ଚଳରେ ଆଦିବାସୀ ଏବଂ ଦଳିତଙ୍କ ଜନସଂଖ୍ୟା ଅଧିକ। ୨୦୧୧ ଜନଗଣନା ଅନୁଯାୟୀ, ସମୁଦାୟ ପୂର୍ବବର୍ତ୍ତୀ ଅଞ୍ଚଳ ଜନସଂଖ୍ୟାର (୧,୫୭,୬୯,୦୫୨) ୧୯.୪୨ ଏବଂ ୪.୮୦ ପ୍ରତିଶତ ଭାଗ ଏସ୍‌ସି ଏବଂ ଏସ୍‌ଟି ହୋଇଥିବାବେଳେ ତାହା ସମୁଦାୟ ପଶ୍ଚିମାଞ୍ଚଳ ଜନସଂଖ୍ୟାର (୯୯,୫୪,୨୪୭) ୧୬.୬୬ ଏବଂ ୩୦.୬୦ ପ୍ରତିଶତ । ତେଣୁ ଓଡ଼ିଶା ଶାସନ ଏବଂ ରାଜନୈତିକ ନେତୃତ୍ୱରେ ପୂର୍ବ ଉପକୂଳବର୍ତ୍ତୀ ଆଞ୍ଚଳିକ ପ୍ରାଧାନ୍ୟର ଅନ୍ୟ ଅର୍ଥ ହେଉଛି ସାଧାରଣବର୍ଗ ଗୋଷ୍ଠୀଙ୍କ ଶାସନ ଏବଂ ରାଜନୈତିକ ନେତୃତ୍ୱରେ ଅଧିପତ୍ୟ, କାହିଁକିନା ଏହାର ଜନସଂଖ୍ୟାକୁ ନେଇ ହିଁ କୌଣସି ଏକ ଅଞ୍ଚଳ ଗଠିତ। ଅନ୍ୟପଟେ ପଶ୍ଚିମାଞ୍ଚଳର ଚିତ୍ରପଟ ମଧ୍ୟ ସମାନ। ଯଥା ସାମ୍ରାଜ୍ୟବାଦୀ ରାଜପୁତ ଶାସକ ବଂଶ ସହିତ ଅନ୍ୟାନ୍ୟ ସାଧାରଣବର୍ଗର ଶାସନ ଏବଂ ରାଜନୈତିକ ନେତୃତ୍ୱ ପରିଲକ୍ଷିତ। ଆଉ ସେହି ଦୁଇ ସାମାଜିକ ଶ୍ରେଣୀ ହିଁ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳର ନେତୃତ୍ୱ ସହିତ ମିଶି ଦେଶ ସ୍ବାଧୀନତା ପରବର୍ତ୍ତୀ ସମୟରୁ କ୍ଷମତାସୀନ। ଅତଏବ, ସାମାଜିକ ଅସମାନତା ଅବଂ ଆଞ୍ଚଳିକ ବୈଷମ୍ୟ ଏକ ଆରେକର ପରିପୂରକ। ତେଣୁ ଆଞ୍ଚଳିକ ବୈଷମ୍ୟ ଦୂର କରିବାରେ ସାମାଜିକ ଏବଂ ସାଂସ୍କୃତିକ ଅସମାନତା, ଜାତିଗତ ଏବଂ ଆଞ୍ଚଳିକ ଭେଦଭାବକାରୀ ରାଜନୈତିକ ଶକ୍ତି ଏବଂ ସର୍ବସାଧାରଣ ସମ୍ବଳଋ ଅସନ୍ତୁଳିତ ଉତ୍ପାଦନ, ବ୍ୟବହାର ଏବଂ ବଣ୍ଟନକୁ ନିଶ୍ଚୟ ସମାନ ଭାବରେ ପ୍ରାଧାନ୍ୟ ଦେବା ଉଚିତ।
nandadeepak3@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri