ସ୍ୱପ୍ନ ନୁହେଁ ବାସ୍ତବିକତା

ବସନ୍ତ ମଞ୍ଜରୀ ମିଶ୍ର

 

ଯେବେଠାରୁ ଅଯୋଧ୍ୟାରେ ରାମମନ୍ଦିର ତଥା ରାମଙ୍କର ପ୍ରାଣପ୍ରତିଷ୍ଠା ହେଲାଣି ସେବେଠାରୁ ସମସ୍ତେ ଆଶାବାଦୀ ବୋଧହୁଏ ପୁଣି ଥରେ ରାମରାଜ୍ୟ ଫେରିଆସିବ। ଏପରିକି ଶ୍ରୀରାମଙ୍କ ମୂର୍ତ୍ତି ଗଢ଼ିଥିବା ଶିଳ୍ପୀ ବି କହୁଛନ୍ତି ଯେ, ସେ ଗଢ଼ିଥିବା ମୂର୍ତ୍ତି ପ୍ରାଣପ୍ରତିଷ୍ଠା ପରେ ସମ୍ପୂର୍ଣ୍ଣ ଜୀବନ୍ତ ମନେ ହେଉଛନ୍ତି। ବିଭିନ୍ନ ମିଡ଼ିଆରେ ମଧ୍ୟ ପ୍ରଚାର ହେଉଛି ଯେ, ସ୍ବୟଂ ରାମଚନ୍ଦ୍ର ପୁନଶ୍ଚ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହା ନିରାଟ ସତ୍ୟ ଯେ ଅଧର୍ମର ବିନାଶ ନିଶ୍ଚୟ ହେବ। ଉପନିଷଦ୍‌ରେ ମଧ୍ୟ ଉଲ୍ଲେଖ ଅଛି ‘ସତ୍ୟମେବ ଜୟତେ’ ସତ୍ୟର ସର୍ବଦା ବିଜୟ ହୁଏ। କିନ୍ତୁ ସ୍ବତଃ ପ୍ରଶ୍ନ ଉଠେ,‘କିନ୍ତୁ କେମିତି? ’ସତ କହିବାକୁ ଗଲେ ସ୍ରଷ୍ଟାଙ୍କ ଶ୍ରେଷ୍ଠ ସୃଷ୍ଟି ମନୁଷ୍ୟ। କାରଣ କେବଳ ମାତ୍ର ମନୁଷ୍ୟ ପାଖରେ ହିଁ ଭୁଲ୍‌ ଠିକ୍‌ ବିବେଚନା କରିବାର ଦକ୍ଷତା ଥାଏ। କିନ୍ତୁ ସାମୟିକ ଲୋଭର ବଶବର୍ତ୍ତୀ ହୋଇ ସେ ନିଜ ଦେବତ୍ୱକୁ ଭୁଲି ଆସୁରିକ ପ୍ରବୃତ୍ତିକୁ ଆପଣେଇ ନିଏ।
ଆଉ ସବୁ ମଣିଷ ହିଁ ଜଣେ ଜଣେ ରାମଚନ୍ଦ୍ର। କେବଳ ସେମାନେ ନିଜ ନିଜର ମହାନତାକୁ ଭୁଲି, ସଂଯମତାକୁ ଭୁଲି ଆସୁରିକ ପ୍ରବୃତ୍ତି ଆପଣେଇ ନେଉଥିବାରୁ ସବୁଠି ଅରାଜକତା, ଆଉ ଅଧର୍ମର ରାଜୁତି। ଅନ୍ୟଥା ଆମ ନିଜ ହୃଦୟ ଭିତରେ ହିଁ ରାମଚନ୍ଦ୍ର ଓ ରାବଣ ବିରାଜମାନ କରୁଛନ୍ତି। ମନ ଯଦି ରାବଣ ହୁଏ ବିବେକ ରାମଚନ୍ଦ୍ର। ମନ ଓ ବିବେକର ଲଢ଼େଇରେ ଯେତେଦିନ ଯାଏ ମନର ଆଦେଶରେ ଆମେ ପରିଚାଳିତ ହେଉ, ସବୁ ଆସୁରିକ ପ୍ରବୃତ୍ତି ଯଥା କ୍ରୋଧ, ଲୋଭ, ମୋହ, ଗର୍ବ, ଅହଂକାର ଓ କାମନା ଆମକୁ ବାନ୍ଧି ପକାଏ। ଆମେ ନାଚାର ହୋଇ ସେମାନଙ୍କ ଇସାରାରେ ନାଚି ଚାଲୁ ଠିକ୍‌ ମଦ୍ୟାଶକ୍ତ ବ୍ୟକ୍ତିଟିଏ ପରି। ଆଉ ଯଦି ବିବେକ ଜିତିଯାଏ, ଆମେ ନିରହଂକାର, ଶାନ୍ତ ସରଳ ହୋଇ ଯାଉ। ଯୁକ୍ତିଠାରୁ ନୀରବତାକୁ ଆଉ ଆଳସ୍ୟଠାରୁ କର୍ମପ୍ରବଣତାକୁ ଚୟନ କରୁ। କାହାର କଟୂକ୍ତି ବା ନିନ୍ଦା ଆମକୁ ସ୍ପର୍ଶ କରିପାରେ ନାହିଁ। ବରଂ ଆମେ ଘୂରି ବୁଲୁ ଅମୃତତ୍ତ୍ୱର ସନ୍ଧାନରେ। ଦୟା, କ୍ଷମା, ପ୍ରେମ, ଆଉ ସେବାକୁ ଜୀବନର ମୂଳମନ୍ତ୍ର ଭାବି ଦିବ୍ୟତ୍ୱର ଅନୁଭବ ପାଇବାକୁ ଚେଷ୍ଟା କରୁ।
ଯୁଗେ ଯୁଗେ ମନ୍ଥରା ଭଳି ଚରିତ୍ର ସମାଜରେ ଜନ୍ମ ନେଇଥାନ୍ତି। କିନ୍ତୁ ସେଇ ଚରିତ୍ରକୁ ଅଣଦେଖା କରି ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନଙ୍କର ତ୍ୟାଗ, ସେବା ଓ ନିଷ୍ଠାପରତାକୁ ହୃଦୟଙ୍ଗମ କରିବାକୁ ପଡ଼ିବ। ଯେଉଁଠି କୈକେୟୀ ଭଳି ଚରିତ୍ର ନିଜ ସନ୍ତାନ ପ୍ରେମରେ ଅନ୍ଧ ହୋଇ ପ୍ରଭୁ ରାମଚନ୍ଦ୍ରଙ୍କୁ ବନ ଗମନ ନିମନ୍ତେ ପ୍ରେରିତ କରୁଛନ୍ତି, ସେଇଠି ସାନରାଣୀ ସୁମିତ୍ରା ନିଜ ପୁତ୍ର ଲକ୍ଷ୍ମଣଙ୍କୁ ଭାଇ ଭାଉଜଙ୍କ ସେବାରେ ନିୟୋଜିତ କରିବାକୁ ପ୍ରୋତ୍ସାହନ କରୁଛନ୍ତି। ରାଜପଥ ନୁହେଁ ବରଂ ବନବାସକୁ ଶ୍ରେଷ୍ଠ ମାର୍ଗ ହିସାବରେ ଚୟନ କରିଥିଲେ ପ୍ରଭୁ ରାମଚନ୍ଦ୍ର। ରାଜ ସିଂହାସନକୁ ତ୍ୟାଗକରି ବନବାସକୁ ନିର୍ଦ୍ୱନ୍ଦ୍ୱରେ ଜ୍ଞାନପଥ ରୂପେ ବିବେଚନା କରି, ବିନା ପ୍ରତିବାଦରେ ଆପଣେଇ ନେଇ ସେ ସୂଚିତ କରିଦେଇଥିଲେ ଯେ ସବୁ କିଛି ବିଧିର ନିର୍ଦ୍ଦେଶରେ ସମ୍ପନ୍ନ ହୁଏ। ଆମର ପ୍ରତିଟି କାର୍ଯ୍ୟର ନିର୍ଦ୍ଦେଶକ ସେଇ ଅଦୃଶ୍ୟ ଶକ୍ତି, ଯାହା ଆଗରେ ଆମେ ନାଚାର। ଅଥଚ ସ୍ବାର୍ଥରେ ଟିକେ ବି ବାଧା ଆସିଲେ ଆମେ ପ୍ରତିକ୍ରିୟାଶୀଳ ହୋଇଉଠୁ। ଭୁଲିଯାଉ ଯେ ପରମାତ୍ମାଙ୍କ ନିର୍ଦ୍ଦେଶ ବିନା ଏ ସଂସାରରେ ପତ୍ରଟିଏ ବି ହଲେନାହିଁ। ନିଃଶ୍ୱାସ ସହ ପ୍ରଶ୍ୱାସ ମିଶି ରହିଲା ଭଳି, ଭଲ ସହ ମନ୍ଦ ଯୁଗେ ଯୁଗେ ମିଶି ରହିଥାଏ। କିନ୍ତୁ ଚୟନ କରିବା ହିଁ ଗୁରୁତ୍ୱପୂର୍ଣ୍ଣ। ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଲାପରି ଯଦି ସବୁ ଖରାପ ପ୍ରବୃତ୍ତି ଆମ ମନ ଭିତରକୁ ପ୍ରବେଶ କରେ ତେବେ ବିନାଶ ସୁନିଶ୍ଚିତ। ତେଣୁ ଆସୁରିକ ପ୍ରବୃତ୍ତିକୁ ଭୁଲି କେବଳ ଈଶ୍ୱରୀୟ ପ୍ରବୃତ୍ତିକୁ ଆପଣେଇନେଲେ ଆପେ ଆପେ ରାମରାଜ୍ୟ ପ୍ରତିଷ୍ଠା ହୋଇପାରିବ। ନିଜକୁ ଓ ନିଜର ପ୍ରତିଟି କାର୍ଯ୍ୟକୁ ପରାମାତ୍ମାଙ୍କୁ ସମର୍ପିଦେଲେ ସବୁକିଛି ନିଦର୍‌ବନ୍ଦ୍ୱରେ ହୋଇଯିବ। ନିନ୍ଦା, ପରଶ୍ରୀକାତରତା ନୁହେଁ ବରଂ ପ୍ରଶଂସା, ସମ୍ବେଦନଶୀଳତା ହିଁ ଆମକୁ ଅମୃତତ୍ତ୍ୱର ସନ୍ଧାନ ଦେବ। ବିବେକକୁ ମୁଖ୍ୟ ପରାମର୍ଶଦାତା କଲେ ଆମେ ଆତ୍ମତୃପ୍ତି ପାଇପାରିବା।
ରାମାୟଣର ଦୁଇ ମୁଖ୍ୟ ଚରିତ୍ର ହିଁ ଆମ ଜୀବନର ଦୁଇଟି ମୁଖ୍ୟ ମାର୍ଗକୁ ଦର୍ଶାଇଥାଏ। ଗୋଟିଏ ପଟେ ପ୍ରଭୁ ଶ୍ରୀରାମ ସତ୍ୟ, ଧର୍ମ ଓ ତ୍ୟାଗର ମାର୍ଗ ଚୟନ କଲାବେଳେ ରାବଣ ଅସତ୍ୟ, ଅଧର୍ମ ଓ ଅହଂକାରର ପ୍ରତୀକ ସ୍ବରୂପ ପ୍ରତୀୟମାନ ହୋଇଥାଏ। ଠିକ୍‌ ସେପରି ପ୍ରତ୍ୟେକ ମନୁଷ୍ୟଠାରେ ଦୈବୀ ଓ ଆସୁରିକ ଦୁଇଟି ପ୍ରବୃତ୍ତି ଅବଶ୍ୟ ରହିଥାଏ। କିନ୍ତୁ କେବଳ ବିବେକି ମନୁଷ୍ୟ ହିଁ ଚୟନ କରିଥାଏ ଉପଯୁକ୍ତ ମାର୍ଗ। ଯଦି ପ୍ରତ୍ୟେକ ମନୁଷ୍ୟ ନିଜ ଭିତରେ ଦିବ୍ୟତ୍ୱର ସନ୍ଧାନ କରି ନିଜକୁ ସତ୍‌ମାର୍ଗରେ ପରିଚାଳିତ କରିପାରିବ, ତା’ହାଲେ ଅଭିପ୍ସିତ ରାମରାଜ୍ୟ ଏକ କଳ୍ପନା ନ ହୋଇ ବାସ୍ତବିକତା ହୋଇପାରିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ଅଧ୍ୟାପିକା
ମୋ: ୯୮୬୧୧୯୨୪୪୫


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri