
ଧର୍ମଶାଳା,୨୩ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଆସନ୍ତା ୨୭ ତାରିଖରେ ଏକାଦଶ ବାର୍ଷିକ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ମହାଆଡ଼ମ୍ବର ସହକାରେ ପାଳିତ ହେବାକୁ ଯାଉଛି। ଧର୍ମଶାଳା ମୁନ୍ସୀ ମେଳଣ କମିଟି ଓ ଭାଲୁଖାଇ ଜଗନ୍ନାଥ ମନ୍ଦିର କମିଟି ମିଳିତ ଆନୁକୂଲ୍ୟରେ ଏହି ରଥଯାତ୍ରା ସମାପନ କରାଯିବ। ପୁରାତନ କଳା ସଂସ୍କୃତି ଓ ପରମ୍ପରା ରୀତିନୀତିରେ ମହା ଆଡ଼ମ୍ବରରେ ଏହାକୁ ପାଳନ କରାଯିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୨୭ ତାରିଖରେ ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ଜାରକା, ଶାନ୍ତି ବଜାର ଓ ଧର୍ମଶାଳା ବଜାର ଦେଇ ହାଟପଡ଼ିଆସ୍ଥିତ ମାଉସୀ’ମା ମନ୍ଦିରକୁ ଯିବେ। ମାଉସୀ ମନ୍ଦିରରେ ନଅ ଦିନ ଠାକୁର ରହିବା ଅବସରରେ କମିଟି ପକ୍ଷରୁ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ଏବଂ ଜୁଲାଇ ୫ରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରକୁ ବାହୁଡ଼ିବେ ବୋଲି ଆଜି କମିଟି ପକ୍ଷରୁ ମନ୍ଦିର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।