କେନ୍ଦୁଝର,୧୦ା୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ୬ ବଷର୍ର ଶିଶୁକନ୍ୟାଙ୍କୁ ତାଙ୍କର ସମ୍ପର୍କୀୟ ମାମୁ ବଳାତ୍କାର କରି ହତ୍ୟା ଉଦ୍ୟମ କରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସ ଶିଶୁକନ୍ୟାଙ୍କ ସମ୍ପର୍କୀୟ ମାମୁଙ୍କୁ ଅଟକ ରଖିଥିବା ବେଳେ ଘଟଣାର ତଦନ୍ତ କରୁଛି। ଶୁକ୍ରବାର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛି।
ସୂଚନା ଅନୁଯାୟୀ, ୨୨ ବର୍ଷୀୟ ସମ୍ପର୍କୀୟ ମାମୁ ଶିଶୁକନ୍ୟାଙ୍କୁ ଏକ ଗାଡ଼ିରେ ବସାଇ ଉପର ରାଇଗୋଡ଼ା ଅଞ୍ଚଳକୁ ନେଇଥିଲେ। ସେଠାରେ ଓହ୍ଲାଇ ଚାଲି ଚାଲି ଯାଉଥିବା ବେଳେ ସନ୍ଧ୍ୟା ପ୍ରାୟ ୬ଟା ୩୦ ବେଳେ ପାଖ ଏକ ଫୁଟ୍ବଲ ପଡ଼ିଆରେ ସେ ଶିଶୁକନ୍ୟାଙ୍କୁ ବଳାତ୍କାର କରିଥିଲେ। ପରେ ତଳେ କଚାଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ। ଶିଶୁକନ୍ୟା ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିବା ସହ ମାମୁଙ୍କୁ ଧରି ପୋଲିସକୁ ଖବର ଦେଇଥିଲେ। ରକ୍ତାକ୍ତ ଅବସ୍ଥାରେ ନାବାଳିକାଙ୍କୁ ଏକ ଆମ୍ବୁଲାନ୍ସରେ ପ୍ରଥମେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ଏହି ଘଟଣାକୁ ନେଇ ରାତିରେ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକେ ରାଇଗୋଡ଼ା-ରଙ୍ଗଡିହି ରାସ୍ତା ଅବରୋଧ କରିଥିଲେ। ପରେ ପୋଲିସ ପହଞ୍ଚି ଆଲୋଚନା କରିବା ପରେ ବିଳମ୍ବିତ ରାତିରେ ରାସ୍ତା ଅବରୋଧ ହଟିଥିଲା। ଏନେଇ ସଦର ଥାନା ଅଧିକାରୀ ଅମିତ କୁମାର ଭୂୟାଁ କହିଛନ୍ତି, ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏନେଇ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏକ ମାମଲା (ନଂ.୩୮୯/୨୬) ରୁଜୁ କରାଯାଇଛି। ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତିକୁ ନେଇ ଅଧିକ ତଦନ୍ତ ଚାଲିଛି।

