ରମ୍ଭା, ୨୫।୮ (ବିଦ୍ୟାଧର ସାହୁ): ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ପକ୍ଷରୁ ସାଇବର୍ ଅପରାଧ ଓ ନିଶା ନିବାରଣ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ସି.ଏଚ. ସୁଧାକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏସଡିପିଓ ଚନ୍ଦନ କୁମାର ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଗଞ୍ଜାମ ପୋଲିସ ଜିଲ୍ଲା ସାଇବର୍ ଅପରାଧ ନିୟନ୍ତ୍ରଣ ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ଡିଜିଟାଲ୍ ସାଇବର୍ ଠକେଇ ଓ ମୋବାଇଲ ବ୍ୟବହାର ସମୟରେ ସତର୍କତା ସମ୍ପର୍କରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସୁବଳୟା ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମରେ ରମ୍ଭା ଥାନା ଆଇଆଇସି କୁମାର ମୁଦୁଲି ଏବଂ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ। କର୍ମଶାଳାରେ ପୋଲିସ ବ୍ୟବସ୍ଥା ଓ ସଡ଼କ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ବେଆଇନ ଭାବେ ମଦ ବିକ୍ରୟ ଉପରେ ଅଙ୍କୁଶ ଲଗାଇବାକୁ ପୋଲିସ ପ୍ରଶାସନକୁ ଅନୁରୋଧ କରାଯାଇଥିଲା।
ହୁମ୍ମା ଫାଣ୍ଡି ଅଧିକାରୀ ବିନୟ ଦାଶ ଓ ଓଡ଼ିଆ ଅଧ୍ୟାପିକା ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁବଳୟା ଗ୍ରାମ କମିଟି ସଭାପତି ରାମହରି ସାହୁ, ପୂର୍ବତନ ସରପଞ୍ଚ କେଦାରନାଥ ସ୍ୱାଇଁ, ସ୍କୁଲ ପରିଚାଳନା କମିଟି ସଭାପତି କହ୍ନେଇ ନାୟକ, ସଦସ୍ୟ ଅଶୋକ କୁମାର ସାହୁ, ଶଶୀ ଭୂଷଣ ସାହୁ, ବରିଷ୍ଠ ନାଗରିକ ପୀତାମ୍ବର ସାହୁ, ଦୁର୍ଗା ଚରଣ ବେହେରା ଏବଂ ଗୋଲକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତେ ସଂକଳ୍ପ ନେବାକୁ ଆହ୍ୱାନ ଦିଆଯାଇଥିଲା।

