ପୁରୁଷୋତ୍ତମପୁର,୨୨ା୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପରିସରସ୍ଥିତ ସରକାରୀ କ୍ୱାର୍ଟର୍ସରୁ ମହିଳା ସବଇନ୍ସପେକ୍ଟର ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଏବେ ରହସ୍ୟ ଘେରରେ। ଆତ୍ମହତ୍ୟା ନା ଏହା ପଛରେ ରହିଛି ଅନ୍ୟ କିଛି କାରଣ। ଏଭଳି ଅନେକ ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ଭୋର୍ରୁ ସ୍ବର୍ଗଦ୍ୱାରରେ ଶବସତ୍କାର କରାଯାଇଛି। ପରେ ମୃତ ପ୍ରଭାସିନୀଙ୍କ ଭାଇ ଓ ସମ୍ପର୍କୀୟ ଭଉଣୀ ପୁରୁଷୋତ୍ତମପୁର ଥାନାକୁ ଆସି ଆଇଆଇସି କୁଳମଣି ସେଠୀ ଓଏସ୍ଡିପିଓ ସୁଜିତ କୁମାର ନାୟକଙ୍କ ସହ ଆଲୋଚନା କରିବା ସହ ଆତ୍ମହତ୍ୟା କରିଥିବା କ୍ୱାର୍ଟର୍ସକୁ ଯାଇ ଘଟଣାସ୍ଥଳ ଦେଖି ତାଙ୍କ ପୋଷାକ ଓ ଚୁନରିଟିଏ ନେଇଛନ୍ତି। ତେବେ ଭଉଣୀ ଆତ୍ମହତ୍ୟା କରିଥିବା ଘଟଣାକୁ ବିଶ୍ୱାସ କରିପାରୁ ନ ଥିବା ତାଙ୍କ ଭାଇ କହିଛନ୍ତି। ପରିବାରରେ କେବେ ବି କୌଣସି ପ୍ରକାର ଅଶାନ୍ତି ନ ଥିବା କହି ମୃତଦେହ ବ୍ୟବଚ୍ଛେଦ ଓ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ରିପୋର୍ଟକୁ ଅପେକ୍ଷା କରିଥିବାର କହିଛନ୍ତି।
ଅନ୍ୟପକ୍ଷରେ ତଦନ୍ତକାରୀ ଅଧିକାରୀ ତଥା ଏସ୍ଡିପିଓ ସୁଜିତ କୁମାର ନାୟକ କହିଛନ୍ତି ଯେ, ପ୍ରଭାସିନୀଙ୍କ ଶ୍ୱଶୁରଙ୍କ ଅଭିଯୋଗ ଆଧାରରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ବ୍ରହ୍ମପୁର ବଡ଼ ମେଡିକାଲରେ ଡାକ୍ତରୀ ଟିମ୍ ଦ୍ୱାରା ମୃତଦେହ ବ୍ୟବଚ୍ଛେଦ ହୋଇଛି। ପ୍ରାଥମିକ ତଦନ୍ତରେ ପ୍ରଭାସିନୀଙ୍କ ମୋବାଇଲ ଓ ଲାପଟପ୍ ସହ ମେଡିକାଲ ପ୍ରେସ୍କ୍ରିପ୍ଶନ ଜବତ କରାଯାଇଛି। ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ ଘଟଣାଦିନ ସକାଳ ପ୍ରାୟ ୬ଟା ୪୦ରେ ସେ ସ୍ବାମୀଙ୍କ ସହ ମୋବାଇଲ ହ୍ବାଟ୍ସଆପ୍ରେ ଚାଟ୍ କରିଥିଲେ। ତେବେ ତାଙ୍କ ମୋବାଇଲ ଲକ୍ ଖୋଲି ପାରି ନ ଥିବାରୁ ଏହାକୁ ଫରେନ୍ସିକ୍ ଲାବ୍କୁ ପଠାଯିବ। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ସଠିକ୍ ଭାବେ ଜଣାପଡ଼ିବ ବୋଲି କହି ପାରିପାର୍ଶ୍ୱିକ ସ୍ଥିତିକୁ ଆଧାର କରି ତଦନ୍ତ ଆରମ୍ଭ କରାଯାଇଥିବା କହିଛନ୍ତି।

