ବେଲଗୁଣ୍ଠା,୨୪ା୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଅବପାତ ପ୍ରଭାବରେ ବେଲଗୁଣ୍ଠା ଅଞ୍ଚଳରେ ଗତ ୩ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଧାନ ଫସଲକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏଭଳିସ୍ଥିତିରେ ଗୁରୁବାର ବର୍ଷାର ପିରିମାଣ ଆହୁରି ବୃଦ୍ଧି ପାଇବାରେ ଲାଗିଛି। ଅଞ୍ଚଳରେ ପ୍ରାୟ ୧୦୦ ମି.ମି. ବର୍ଷା ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।
ମାଧବରୀଡା ଅନିକଟର ସହକାରୀ ଯନ୍ତ୍ରୀ ସଞ୍ଜୀବ କୁମାର ସାହୁଙ୍କ ସୂଚନାନୁସାରେ, ଆନିକଟର ବିପଦ ସଂକେତ ୬୦.୬୬ ମିଟର ରହିଥିବା ବେଳେ ଗୁରୁବାର ଜଳସ୍ତର ୫୯.୪୨ ମିଟରରେ ପହଞ୍ଚିଛି। ନଦୀରେ ପ୍ରାୟ ୪୭୦ କ୍ୟୁମେକ୍ସ ଜଳ ପ୍ରବାହିତ ହେଉଛି। ତେବେ ବର୍ତ୍ତମାନ ଜଳସ୍ତର ବିପଦ ସଙ୍କେତଠାରୁ ତଳେ ଥିବାରୁ ଭୟଭୀତ ନ ହେବାକୁ ବିଭାଗୀୟ ଯନ୍ତ୍ରୀ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭାଗ ପକ୍ଷରୁ ଅନିକଟ ଓ ନଦୀଜଳ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁ ଜମିରେ ପାଣି ରହିଲେ ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହାସହ ପବନର ବେଗ ବଢ଼ିଲେ ଫୁଲ ଧରିଥିବା ଧାନ ଗଛ ନଇଁପଡ଼ିବା ନେଇ ମଧ୍ୟ ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।

