ପ୍ରଶ୍ନ: କ’ଣ, କିପରି, କାହିଁକି

ମାନବର ବିବର୍ତ୍ତନ ସମ୍ବନ୍ଧୀୟ ବିଦ୍ୟା ବା ନୃତତ୍ତ୍ୱ ଅନ୍ୟ ସମସ୍ତ ଜୀବଙ୍କଠାରୁ କିଛିଟା ଅଲଗା। ଅନ୍ୟ ପ୍ରାଣୀ ଓ ଉଦ୍ଭିଦମାନଙ୍କଠାରେ ମୁଖ୍ୟତଃ ଦେଖାଦିଏ କ୍ରମିକ ଶାରୀରିକ ପରିବର୍ତ୍ତନ। ମାନବ ଶରୀରରେ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ପରିବର୍ତ୍ତନ ଆସିଛି। କିନ୍ତୁ ସର୍ବୋପରି ମାନବର ବୌଦ୍ଧିକ ଶକ୍ତି ଏବଂ ଚେତନାର ଉତ୍ତରଣ ଘଟିଛି। ଅନ୍ୟାନ୍ୟ ଜୀବଜନ୍ତୁ ସମୟ ସହିତ ତାଳଦେଇ ଚାଲାକ୍‌ ଚତୁର ହୋଇଛନ୍ତି। କିନ୍ତୁ ମାନବର ଚେତନା ଓ ଧୀ ଶକ୍ତିର ଅଗ୍ରଗତି ତୁଳନାରେ ତାହା ଅତି ନଗଣ୍ୟ।
ତେବେ କାହିଁକି ମଣିଷ କ୍ରମାଗତ ଭାବେ ବୁଦ୍ଧିମାନ୍‌ ହେବା ଅବସରରେ ଅନ୍ୟ ପ୍ରାଣୀମାନେ ଏତେ ପଛରେ ରହିଯାଇଛନ୍ତି? ପ୍ରଶ୍ନଟି ଯେତିକି ଜଟିଳ, ତା’ର ଉତ୍ତରଟି ସେତିକି ସରଳ। ପ୍ରକୃତରେ ଏ ପ୍ରଶ୍ନର ସମାଧାନ ହେଉଛି ଖୋଦ୍‌ ସେଇ ‘ପ୍ରଶ୍ନ’। କିନ୍ତୁ ‘ପ୍ରଶ୍ନ’ ବା ନିଜେ ‘ପ୍ରଶ୍ନର’ ଉତ୍ତର ହେଲା କେମିତି? କ’ଣ ଏମିତି ଅଛି ସେ ‘ପ୍ରଶ୍ନ’ରେ! ଅପରପକ୍ଷରେ ପୁଣି ପ୍ରଶ୍ନ ପଚାରିବାର ଆବଶ୍ୟକତା ବା କାହିଁକି ଅଛି?
ବିଚାର କରନ୍ତୁ, ପ୍ରଶ୍ନ ପଚାରିବାର ଏହି ଅଭ୍ୟାସ ଆମକୁ ଆଣିଦେଇଛି ମାନସିକ, ବୌଦ୍ଧିକ ଓ ଆଧ୍ୟାମତ୍ତ୍ିକ ଉତ୍ତରଣ। ସଭ୍ୟତାର ଆରମ୍ଭରୁ ମଣିଷ ମୁଖ୍ୟତଃ ଦୁଇ ପ୍ରକାରର ପ୍ରଶ୍ନ ପଚାରିବା ଆରମ୍ଭ କରିଛି। ପ୍ରଥମଟି ଭୌତିକ ସ୍ତରରେ ଓ ଅନ୍ୟଟି ଆଧିଭୌତିକ ସ୍ତରରେ। ଭୌତିକ ସ୍ତରରେ ପ୍ରଶ୍ନ; ଯେପରି ମଣିଷ ନିଜ ଚତୁଃପାଶ୍ୱର୍ର୍ରେ ଦୈନନ୍ଦିନ ଦେଖୁଥିବା ସମସ୍ତ ପ୍ରକ୍ରିୟାର କାରଣ ଜାଣିବାକୁ ଚାହିଁଛି। ଆକାଶଟି କାହିଁକି ନୀଳାଭ? ଝରଣା କାହିଁକି ଊର୍ଦ୍ଧ୍ୱମୁଖୀ ପ୍ରବାହିତ ହେଉନାହିଁ? କେବଳ ନିମ୍ନଗାମୀ ହେଉଛି। ଗଛର ପତ୍ର କାହିଁକି ସବୁଜ? ଏ ପ୍ରଶ୍ନଗୁଡ଼ିକର ଅନ୍ତ ନାହିଁ; ପ୍ରଶ୍ନର ଆଦି କେବେଠାରୁ ତାହା ମଧ୍ୟ ଜଣାନାହିଁ। ପ୍ରକୃତି ପୁଣି ନିଜେ ଅନନ୍ତ। ତେବେ ଏ ସମସ୍ତ ଭୌତିକ ସ୍ତରର ପ୍ରଶ୍ନର ଉତ୍ତରରୁ ଜନ୍ମ ନେଇଛି ‘ବିଜ୍ଞାନ’ ବା ବିଶେଷ ଜ୍ଞାନ। ସେଇ ବିଜ୍ଞାନ ହିଁ ମଣିଷ ପାଇଁ ଆଣିଦେଇଛି ମାନସିକ ଓ ବୌଦ୍ଧିକ ବିକାଶ। ତା’ହେଲେ ଆଧିଭୌତିକ ସ୍ତରର ପ୍ରଶ୍ନର ମହତ୍ତ୍ୱ ପୁଣି କ’ଣ?
ଆଧିଭୌତିକ ପ୍ରଶ୍ନର ମର୍ମ ହେଲା, ମଣିଷ ନିଜ ଚାରିପାଖର ପ୍ରକୃତି ପରିବର୍ତ୍ତେ ନିଜକୁ ନିଜ ବିଷୟରେ ପ୍ରଶ୍ନ କରିବା ଆରମ୍ଭ କରିଛି। ମୁଁ କିଏ? ମୋର ଏ ଜଗତକୁ ଆସିବାର ଉଦ୍ଦେଶ୍ୟ କ’ଣ? ମୋର କର୍ମ କ’ଣ? ବର୍ତ୍ତମାନର ଏ ଜୀବନର ପରବର୍ତ୍ତୀ ସୋପାନ କ’ଣ? ଇତ୍ୟାଦି ଇତ୍ୟାଦି। ଏ ସମସ୍ତ ଆଧିଭୌତିକ ପ୍ରଶ୍ନର ଉତ୍ତରର ସମ୍ଭାରରେ ସୃଷ୍ଟି ହୋଇଛି ‘ଦର୍ଶନ ଶାସ୍ତ୍ର’। ବିଜ୍ଞାନର ଜିଜ୍ଞାସା ହେତୁ ଆମର ବୌଦ୍ଧିକ ବିକାଶ ଯେପରି ସମ୍ଭବପର ହୋଇଥିଲା, ସେହିପରି ଦର୍ଶନଶାସ୍ତ୍ର କରିଛି ମାନବିକ ଚେତନାର ଉତ୍ତରଣ।
ଏ ଇଣ୍ଟରନେଟ୍‌ ଯୁଗରେ କିନ୍ତୁ ପ୍ରଶ୍ନର ପ୍ରକୃତି ଓ ସ୍ବରୂପ ପୂରାପୂରି ବଦଳିଯାଇଛି। ଆମେମାନେ ପୂର୍ବର ‘କାହିଁକି’ ଓ ‘କିପରି’ ପ୍ରଶ୍ନ ପରିବର୍ତ୍ତେ ମୁଖ୍ୟତଃ ମନୋନିବେଶ କରୁଛୁ ”କ’ଣ“ ବର୍ଗର ପ୍ରଶ୍ନ ପଚାରିବା ସମ୍ବନ୍ଧରେ। ଇଣ୍ଟରନେଟ୍‌ ଆମକୁ ଠିକ୍‌ ତଥ୍ୟଟିଏ କ୍ଷଣିକ ମଧ୍ୟରେ ଯୋଗାଇ ଦେଇପାରେ। ପୁଣି ‘କିପରି’ ଓ ‘କାହିଁକି’ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ମଧ୍ୟ କିଛିମାତ୍ରାରେ ଦେଇପାରୁଛି। କିନ୍ତୁ ପ୍ରଶ୍ନ ପଚାରିବାର ପ୍ରବୃତ୍ତିକୁ ଆମ ଭିତରେ ଅଙ୍କୁରୋଦ୍‌ଗମ କରାଇବା ପାଇଁ ଇଣ୍ଟରନେଟ୍‌ ଅସମର୍ଥ।
କିଛି ପ୍ରଶ୍ନ ପୁଣି ଉଭୟ ବୌଦ୍ଧିକ ଓ ଚେତନାର ବିକାଶକୁ ଭିତ୍ତିଭୂମି ଭାବେ ନେଇ ମାନବର ସାମଗ୍ରିକ ବିକାଶରେ ସାହାଯ୍ୟ କରନ୍ତି। ଏ ସଂଯୋଗ କେବଳ ସମ୍ଭବପର ହୋଇପାରିଛି ମଣିଷର ନାନ୍ଦନିକତା ଓ ଜିଜ୍ଞାସା ପାଇଁ। କାରଣ ଏଭଳି ପ୍ରଶ୍ନର ଉତ୍ତରରେ ଆମେ ତିଆରି କରିପାରିଛୁ ‘ଚିତ୍ରକଳା’, ସଙ୍ଗୀତ’ ଏବଂ ‘ସାହିତ୍ୟ’ ଭଳି ସୃଜନଶୀଳ ବିଭାଗଗୁଡ଼ିକୁ। ତେଣୁ ମଣିଷର ନିଜସ୍ବ ଉକତ୍ଣ୍ଠା ଓ ସେ ଉକତ୍ଣ୍ଠାର ପ୍ରଶମନ ପାଇଁ ପ୍ରାସଙ୍ଗିକ ପ୍ରଶ୍ନଟିଏ ଲୋଡ଼ା। କାରଣ ସେହି ପ୍ରାସଙ୍ଗିକ ପ୍ରଶ୍ନଟିଏ ହିଁ ଯୁଗଯୁଗ ଧରି ମାନବ ସଭ୍ୟତାର ବିକାଶ ନିମିତ୍ତ ଇନ୍ଧନ ଯୋଗାଇ ଚାଲିଛି।
ପ୍ରଶ୍ନ ପଚାରିବାର ବିଭିନ୍ନ ସ୍ତର ରହିଛି। ତା’ ମଧ୍ୟରୁ ସବୁଠାରୁ ନିମ୍ନତମ ବର୍ଗ ବୋଧହୁଏ ‘କ’ଣ’ ପ୍ରଶ୍ନର; ତା’ ଉପରେ ରହେ ‘କିପରି’ ସମ୍ବନ୍ଧୀୟ ପ୍ରଶ୍ନ ଏବଂ ସର୍ବଶୀର୍ଷରେ ରହେ ‘କାହିଁକି’ ସ୍ତରର ପ୍ରଶ୍ନ। ଭାବିଦେଖନ୍ତୁ ଇଣ୍ଟରନେଟ୍‌ ଓ ପୁସ୍ତକ ମଧ୍ୟରେ ପ୍ରଭେଦ। ଇଣ୍ଟରନେଟ୍‌ ଖାଲି ଆପଣଙ୍କ ‘କ’ଣ’ ପ୍ରଶ୍ନର ତୃଷ୍ଣାକୁ ହୁଏତ ମେଣ୍ଟାଇପାରେ। କିନ୍ତୁ ବହିଟିଏ ନିଜେ ପଢ଼ିଲେ ଆପଣଙ୍କ ମନରେ ବିଭିନ୍ନ ପ୍ରକାର ‘କାହିଁକି’ ପ୍ରଶ୍ନ ଉଙ୍କିମାରିବ ଓ ତା’ ସାଙ୍ଗରେ ସେ ‘କାହିଁକି’ ପ୍ରଶ୍ନର ଉତ୍ତର ମିଳିଲେ ଯାଇ ଆପଣଙ୍କର ବୌଦ୍ଧିକ ବିକାଶ ହୋଇପାରିବ। ଇଣ୍ଟରନେଟ୍‌ କେବଳ ଆପଣଙ୍କ ତଥ୍ୟଭିତ୍ତିକ ଜ୍ଞାନ ପରିସରକୁ ଅଳ୍ପ ମାତ୍ରାରେ ହୁଏତ ବଢ଼ାଇପାରେ। ପୁସ୍ତକ କିନ୍ତୁ ମାନବର ଧୀ ଶକ୍ତି ସମେତ ସାମଗ୍ରିକ ପ୍ରଜ୍ଞାର ବିକାଶ କରେ।
ଏହା କେବଳ ଆଜି ପ୍ରାସଙ୍ଗିକ ନୁହେଁ। ମହାଭାରତ ଯୁଗର ଏକ ଉଦାହରଣ ନେଲେ ସରଳ ଭାବେ ‘ପ୍ରଶ୍ନ’ର ପ୍ରକାର ଭେଦ ବୁଝିହେବ। ମହାଭାରତ ଯୁଦ୍ଧରେ ‘କ’ଣ’ ଯୁଦ୍ଧ ହେଉଛି ପ୍ରଶ୍ନ ପଚାରୁଥିଲେ ଧୃତରାଷ୍ଟ୍ର। ତାଙ୍କର ଶେଷଦଶା ତ ସଭିଁଙ୍କୁ ଜ୍ଞାତ। ସେଠାରୁ ଗୋଟିଏ ସୋପାନ ଅତିକ୍ରମ କରି ଆସିଥାଏ, ‘କିପରି’ ସ୍ତରର ପ୍ରଶ୍ନ। ଯେମିତି ଯୁଦ୍ଧ କରିବାର କୌଶଳ ସମ୍ବନ୍ଧରେ ପ୍ରଶ୍ନ। ଏ ପ୍ରଶ୍ନ ଓ ତା’ର ଉତ୍ତର ପ୍ରାୟତଃ ସମସ୍ତ ମହାଯୋଦ୍ଧା ଯଥା ପିତାମହ ଭୀଷ୍ମ, କର୍ଣ୍ଣ, ଦୁର୍ଯ୍ୟୋଧନ, ଯୁଧିଷ୍ଠିର, ଭୀମ ପ୍ରମୁଖଙ୍କୁ ଜଣାଥିଲା। ସେଥିପାଇଁ ସେମାନଙ୍କର ବୀରତ୍ୱର ଗାଥା ଆଜି ଅମର। କିପରି ଯୁଦ୍ଧ କରିବି ପ୍ରଶ୍ନର; କେବଳ ଅଧା ଉତ୍ତର ଜାଣିଥିବା ହେତୁ ଅଭିମନ୍ୟୁ ଯୁଦ୍ଧରେ ବୀରଗତି ପ୍ରାପ୍ତ ହେଲେ। କିନ୍ତୁ ସେହି କୁରୁକ୍ଷେତ୍ରରେ ଅଂସଖ୍ୟ ବୀର, ଯୋଦ୍ଧା ଓ ଶସ୍ତ୍ରଚାରୀଙ୍କ ମଧ୍ୟରେ କେବଳ ଅର୍ଜୁନ ପଚାରିଥିଲେ; ‘କାହିଁକ’ଯୁଦ୍ଧ କରିବି ଭଳି ପ୍ରଶ୍ନ।’ ସେହି କାହିଁକି ପ୍ରଶ୍ନର ଉତ୍ତର ସ୍ବରୂପ କେବଳ ଅର୍ଜୁନଙ୍କୁ ପ୍ରାପ୍ତି ହୋଇପାରିଲା ଶ୍ରୀମଦ୍‌ ଭଗବଦ୍‌ ଗୀତାର ଗଭୀର ଜ୍ଞାନ। କେବଳ ଅର୍ଜୁନ ଦିବ୍ୟଚକ୍ଷୁରେ ବିଶ୍ୱରୂପ ଦର୍ଶନର ସୌଭାଗ୍ୟ ଲାଭ କଲେ। ତାଙ୍କର ବୌଦ୍ଧିକ, ଚୈତନିକ ଓ ସର୍ବୋପରି ଆଧ୍ୟାମତ୍ିକ ସ୍ତରରେ ଉତ୍ତରଣ ହେଲା। ତେଣୁ ଅଧୁନାତନ ଇଣ୍ଟରନେଟ୍‌ ଯୁଗରେ ପ୍ରାସଙ୍ଗିକ ‘କାହିଁକି’ ସମ୍ବଳିତ ପ୍ରଶ୍ନଟିଏ ହିଁ ଆମର ଧ୍ୟେୟ ହେଉ।

ବିଭାବସୁ ଦତ୍ତ
ମୋ: ୭୩୮୧୬୫୧୬୯୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri