Posted inଜାତୀୟ

ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତୁତି

ନୂଆଦିଲ୍ଲୀ/ଲକ୍ଷ୍ନୌ,୧୨ା୧୨: ଗତ ସପ୍ତାହରେ ବିଶ୍ୱହିନ୍ଦୁ ପରିଷଦ (ଭିଏଚ୍‌ପି)ର ଏକ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଆହ୍ଲାହାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଶେଖର କୁମାର ଯାଦବଙ୍କ ବିରୋଧରେ ରାଜ୍ୟ ସଭାର ଇଣ୍ଡିଆ ବ୍ଲକ୍‌ ସଦସ୍ୟମାନେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ସ୍ବାଧୀନ ସଦସ୍ୟ କପିଲ ସିବଲଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକର ୩୬ ଏମ୍‌ପି ଏନେଇ ଏକ ପିଟିଶନରେ ସ୍ବାକ୍ଷର କରିସାରିଲେଣି। ରାଜ୍ୟ ସଭାରେ ଇଣ୍ଡିଆ ବ୍ଲକ୍‌ର ୮୫ ଆସନ ଥିବାରୁ ଅବଶିଷ୍ଟ ସଦସ୍ୟଙ୍କ ସ୍ବାକ୍ଷର ସଂଗ୍ରହ ପରେ ଗୁରୁବାର ଏହି ପ୍ରସ୍ତାବ ଆଗତ ହୋଇପାରେ। ଅନ୍ୟପକ୍ଷେ ବିଚାରପତିଙ୍କ ମନ୍ତବ୍ୟକୁ ମଙ୍ଗଳବାର ସୁପ୍ରିମକୋର୍ଟ ସଂଜ୍ଞାନକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କଠାରୁ ବିସ୍ତୃତ ବିବରଣୀ ମାଗିଛନ୍ତି।
ଯାଦବଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ପାଇଁ ଉଦ୍ଦିଷ୍ଟ ପିଟିଶନରେ ସ୍ବାକ୍ଷର କରିଥିବା ଅନ୍ୟ ପ୍ରମୁଖ ଏମ୍‌ପିମାନେ ହେଲେ କଂଗ୍ରେସର ଦିଗ୍‌ବିଜୟ ସିଂ, ଜୟରାମ ରମେଶ, ବିବେକ ତନ୍‌ଖା, ଆପ୍‌ର ସଞ୍ଜୟ ସିଂ, ଟିଏମ୍‌ସିର ସାକେତ ଗୋଖଲେ, ସାଗରିକା ଘୋଷ, ଆର୍‌ଜେଡିର ମନୋଜ ସିହ୍ନା, ଏସ୍‌ପିର ଜାଭେଦ ଅଲି ଖାନ୍‌, ସିପିଆଇଏମ୍‌ର ଜନ୍‌ ବ୍ରିଟ୍ଟାସ୍‌ ଏବଂ ସିପିଆଇର ସନ୍ତୋଷ କୁମାର। ଜଷ୍ଟିସ୍‌ ଯାଦବଙ୍କ ବିରୋଧରେ ଜଜେସ୍‌ (ଇନ୍‌କ୍ୱାରି) ଆକ୍ଟର ଧାରା ୩(୧)(ବି) ଏବଂ ସମ୍ବିଧାନର ଅନୁଚ୍ଛେଦ ୧୨୪(୪), ୧୨୪(୫) ବଳରେ ମହାଭିଯୋଗ ପ୍ରସ୍ତାବ ଆଣିବା ପାଇଁ ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି। ସୂତ୍ରରୁ ଜଣାପଡ଼ିଛି ଯେ, ବିରୋଧୀ ଶିବିର ଜଷ୍ଟିସ୍‌ ଶେଖର କୁମାର ଯାଦବଙ୍କ ବିବାଦୀୟ ମନ୍ତବ୍ୟ ବେଳର ଭିଡିଓ ଏବଂ ନ୍ୟୁଜ୍‌ ଲିଙ୍କ୍‌କୁ ପିଟିଶନରେ ସଂଲଗ୍ନ କରି ଦାଖଲ କରିବେ। ଇତିମଧ୍ୟରେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି)ର ରୁହୁଲ୍ଲାହ ମେହଦିଙ୍କ ନେତୃତ୍ୱରେ କେତେଜଣ ଏମ୍‌ପି ଲୋକ ସଭାରେ ମଧ୍ୟ ଜଷ୍ଟିସ୍‌ ଯାଦବଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ଘୋଷଣା କରିଛନ୍ତି। ସେପଟେ କ୍ୟାମ୍ପେନ୍‌ ଫର୍‌ ଜୁଡିସିଆଲ ଆକାଉଣ୍ଟେବିଲିଟି ଆଣ୍ଡ୍‌ ରିଫମର୍‌ସ (ସିଜେଏଆର୍‌) ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ ଏନେଇ ତଦନ୍ତ କରାଇବାକୁ ପତ୍ର ଲେଖିଥିବାବେଳେ ଏକ ଓକିଲ ସଂଘ ପକ୍ଷରୁ ତାଙ୍କ ବକ୍ତବ୍ୟକୁ ‘ଘୃଣା ମନ୍ତବ୍ୟ’ ଦର୍ଶାଯାଇ ନିନ୍ଦା କରାଯାଇଛି। ସିଜେଏଆର୍‌ କହିଛି, କାର୍ଯ୍ୟକ୍ରମରେ ଜଷ୍ଟିସ୍‌ ଯାଦବଙ୍କ ଯୋଗଦାନ ଏବଂ ବିବାଦୀୟ ମନ୍ତବ୍ୟ ନାଗରିକମାନଙ୍କ ମନରେ ନ୍ୟାୟପାଳିକାର ସ୍ବାଧୀନତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ତେଣୁ ଏହାର ସାମ୍ବିଧାନିକ ଜବାବ ଜରୁରୀ ହୋଇପଡ଼ିଛି। ଅନ୍ୟପକ୍ଷେ ଜଷ୍ଟିସ୍‌ ଯାଦବଙ୍କୁ କେତେଜଣ ଭାଜପା ଏମ୍‌ପି ସମର୍ଥନ କରିଛନ୍ତି। ଯାଦବ ୨୦୨୬ରେ ଅବସର ନେବାକୁ ଥିବାବେଳେ ୨୦୨୭ରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଅବସର ପରେ ଜଷ୍ଟିସ୍‌ ଯାଦବ ରାଜନୀତିରେ ଯୋଗଦେଇପାରନ୍ତି ବୋଲି ଅନେକେ ମନେକରୁଛନ୍ତି।

ମହାଭିଯୋଗ: କ’ଣ କହୁଛି ଆଇନ

ଜଜେସ୍‌ ଇନ୍‌କ୍ୱାରି ଆକ୍ଟ, ୧୯୬୮ ଅନୁସାରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ହେଲେ ଲୋକ ସଭାର ଅନୂ୍ୟନ ୧୦୦ କିମ୍ବା ରାଜ୍ୟ ସଭାର ୫୦ ସଦସ୍ୟଙ୍କ ଦସ୍ତଖତ ଆବଶ୍ୟକ।
ପ୍ରସ୍ତାବକୁ ଗ୍ରହଣ ବା ଅଗ୍ରାହ୍ୟ କରିବା ରାଜ୍ୟ ସଭା ଅଧ୍ୟକ୍ଷଙ୍କ ଉପରେ ନିର୍ଭର କରେ। ଅଧ୍ୟକ୍ଷ ଯଦି ଗ୍ରହଣ କରନ୍ତି, ତେବେ ପ୍ରସ୍ତାବ ଉପରେ ତଦନ୍ତ ପାଇଁ ୨ ବିଚାରପତି ଓ ଜଣେ ଜୁରିଷ୍ଟଙ୍କୁ ନେଇ ଏକ ୩ ଜଣିଆ କମିଟି ଗଠନ କରାଯିବ। ବିଚାରପତିଙ୍କ ମଧ୍ୟରୁ ଜଣେ ସୁପ୍ରିମକୋର୍ଟର ଏବଂ ଅନ୍ୟ ଜଣେ ହାଇକୋର୍ଟ ଚିଫ୍‌ ଜଷ୍ଟିସ୍‌ ରହିବେ। ସମ୍ବିଧାନର ଅନୁଚ୍ଛେଦ ୧୨୪(୪) ଅନୁଯାୟୀ ମହାଭିଯୋଗ ପ୍ରସ୍ତାବକୁ ରାଜ୍ୟ ସଭାର ସଂଖ୍ୟାଧିକ ସଦସ୍ୟଙ୍କ ସମର୍ଥନ ଜରୁରୀ। ଉଭୟ ଗୃହରେ ଏନ୍‌ଡିଏର ସଂଖ୍ୟାଗରିଷ୍ଠତା ଥିବାରୁ ଏହା ପାରିତ ହୋଇ ନ ପାରେ। ଅତୀତରେ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ୪ ଥର ଏବଂ ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୋଧରେ ୨ ଥର ମହାଭିଯୋଗ ପ୍ରସ୍ତାବ ଆଗତ ଉଦ୍ୟମ ହୋଇଥିଲା।

ବିବାଦୀୟ ବିଚାରପତି

ଡିସେମ୍ବର ୮ରେ ଆଲ୍ଲାହାବାଦ ହାଇକୋର୍ଟ ପରିସରରେ ଭିଏସ୍‌ପି ଲିଗାଲ ସେଲ୍‌ ପକ୍ଷରୁ ୟୁସିସି ଉପରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜଷ୍ଟିସ୍‌ ଶେଖର କୁମାର ଯାଦବ ଏଥିରେ ସମ୍ବୋଧିତ କରି କହିଥିଲେ, ଭାରତ ସଂଖ୍ୟାବହୁଳଙ୍କ ଇଚ୍ଛା ଅନୁସାରେ ପରିଚାଳିତ ହେବା ଉଚିତ। ସଂଖ୍ୟାବହୁଳ ଲୋକଙ୍କୁ ଖୁସି ଦେଇ ସେମାନଙ୍କ ସ୍ବାର୍ଥରେ କାର୍ଯ୍ୟ କରୁଥିବା ଆଇନ ପ୍ରଚଳିତ ହେବା ଆବଶ୍ୟକ। ଆମ ଶାସ୍ତ୍ର ଓ ବେଦରେ ଦେବୀ ରୂପେ ସ୍ବୀକୃତି ପାଇଥିବା ଜଣେ ମହିଳାଙ୍କୁ ଅସମ୍ମାନ କରାଯାଇପାରିବ ନାହିଁ। ସେହିପରି ୪ ଜଣ ମହିଳାଙ୍କୁ ବିବାହ କରିବା କିମ୍ବା ୩ ତଲାକ୍‌ ଅଧିକାର ଦାବି କରାଯାଇପାରିବ ନାହିଁ।
୨୦୨୧ ସେପ୍ଟେମ୍ବରରେ ଜଷ୍ଟିସ୍‌ ଯାଦବ ଗାଈକୁ ସଂସଦ ଦ୍ୱାରା ଭାରତର ଜାତୀୟ ପ୍ରାଣୀ ମାନ୍ୟତା ଏବଂ ଏହାର ସୁରକ୍ଷାକୁ ହିନ୍ଦୁଙ୍କ ମୌଳିକ ଅଧିକାର ରୂପେ ସ୍ବୀକୃତି ପ୍ରଦାନ କରିବାକୁ ଦାବି କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବୁଧବାର ଏହି ଜିଲାର ସମସ୍ତ ସ୍କୁଲ ବନ୍ଦ ଘୋଷଣା, ନିର୍ଦ୍ଦେଶନାମା ଜାରି କଲେ…

ଛତ୍ରପୁର,୩।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ୪ ତାରିଖ (ବୁଧବାର) ଗଞ୍ଜାମ ଜିଲାର ସମସ୍ତ…

କୋଟିଆରେ ଓଡ଼ିଶାର ଦୃଢ଼ ଆଭିମୁଖ୍ୟ: ପ୍ରଶାସନ-ପୋଲିସର ବିରୋଧ ପରେ ପଛଘୁଞ୍ଚା ଦେଲା ଆନ୍ଧ୍ର ପୋଲିସ୍

ପଟ୍ଟାଙ୍ଗି,୩।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନସ୍ଥ ବିବାଦୀୟ କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମରେ ପୁଣି ଥରେ ସୀମା ବିବାଦ ଉଗ୍ର ରୂପ ନେଇଛି।…

ଆସନ୍ତା ୭ରେ ଗଞ୍ଜାମ ଆସୁଛନ୍ତି ନବୀନ: ବାତ୍ୟା-ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବେ ବିଜେଡି ସୁପ୍ରିମୋ,ନିର୍ବାଚନ ପୂର୍ବରୁ…

ଭଞ୍ଜନଗର,୩।୧୧(ବାବୁଲା ପ୍ରଧାନ): ଗତ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାକୁ ସମ୍ପୂର୍ଣ୍ଣ ଶ୍ରୀହୀନ କରିଦେଇଛି। ପ୍ରାକୃତିକ ଦୁର୍ବିପାକ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ…

୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରା ଜାରିକଲେ ଅର୍ଥମନ୍ତ୍ରୀ, କିଣିବାକୁ ହେଲେ ଦେବାକୁ ହେବ….

ନୂଆଦିଲ୍ଲୀ,୩।୧୧: କର୍ନାଟକ ସଙ୍ଗୀତର ମହାନ ସଙ୍ଗୀତଜ୍ଞ ତଥା କର୍ନାଟକ ସଙ୍ଗୀତର ତ୍ରିମୂର୍ତ୍ତିଙ୍କ ମଧ୍ୟରୁ ଅନ୍ୟତମ ମୁଥୁସ୍ୱାମୀ ଦୀକ୍ଷିତାରଙ୍କ ୨୫୦ତମ ଜୟନ୍ତୀ ଅବସରରେ ୨୫୦ ଟଙ୍କିଆ ସ୍ମାରକୀ ମୁଦ୍ରା…

ନ୍ୟୁଜିଲାଣ୍ଡ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଆଶ୍ୱସ୍ତି, ସୁସ୍ଥ ହେଲେ ଏହି ଷ୍ଟାର ବୋଲର

ନୂଆଦିଲ୍ଲୀ,୩।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଦଳକୁ ମିଳିଛି ବଡ଼ ଆଶ୍ୱସ୍ତି । ଟିମ୍ ଇଣ୍ଡିଆର ଷ୍ଟାର୍‌ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କୁ ତିନୋଟି ଯାକ ଫର୍ମାଟ୍‌ ପାଇଁ…

ରାହୁଲଙ୍କୁ ଅମିତ ଶାହାଙ୍କ ଚ୍ୟାଲେଞ୍ଜ: ସବୁ ପ୍ରସଙ୍ଗରେ ସଂସଦରେ ଆଲୋଚନା….

ନୂଆଦିଲ୍ଲୀ,୩।୧୧ : ସଂସଦରେ ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ମୋଦି ସରକାର ପ୍ରସ୍ତୁତ। ଏଥିରେ SIR ପ୍ରସଙ୍ଗ ମଧ୍ୟ ସାମିଲ ରହିଛି । ଏଥିପାଇଁ ଲୋକସଭାର ବିରୋଧୀ…

ରାଜନୀତିରେ ବଡ଼ ହଲଚଲ! ହଠାତ୍ ଇସ୍ତଫା ଦେଲେ ଏମପି…

ବଡଗାମ,୩ା୧୧: ଶ୍ରୀନଗର ଲୋକସଭା ସାଂସଦ ସୟଦ ଆଗା ରୁହୁଲ୍ଲା ମେହେଦି ମଙ୍ଗଳବାର ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି)ରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ଏକ ନୂଆ ରାଜନୈତିକ ଦଳ…

ଟିମ୍ ଚୟନକୁ ନେଇ ମୁହଁ ଖୋଲିଲେ ଗିଲ୍, କହିଲେ ମୋ ହାତରେ ଥିଲେ….

ନୂଆଦିଲ୍ଲୀ, ୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୪ ତାରିଖ ବୁଧବାରଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?