ଡିଜିଟାଲ ସ୍ୱାସ୍ଥ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ଡିଜିଟାଲ ହେଲ୍‌ଥ ମିଶନ (ପିଏମ୍‌-ଡିଏଚ୍‌ଏମ୍‌)ର ଶୁଭାରମ୍ଭ କରିଛନ୍ତି। ଏଥିରେ ପ୍ରତି ନାଗରିକ ଏକ ସ୍ବାସ୍ଥ୍ୟ ପରିଚୟପତ୍ର ହାସଲ କରିବେ, ଯେଉଁଥିରେ ତାଙ୍କ ହେଲ୍‌ଥ ଆକାଉଣ୍ଟ ରହିବ। ସେହି ଆକାଉଣ୍ଟରେ ନାଗରିକଙ୍କ ବ୍ୟକ୍ତିଗତ ସ୍ବାସ୍ଥ୍ୟ ବିବରଣୀ ମିଶନ ସହ ଯୋଡ଼ି ହୋଇଯିବ ଏବଂ ସବୁକିଛି ମୋବାଇଲ ମାଧ୍ୟମରେ ଦେଖି ହେବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି, ଭାରତରେ ୧୩୦ କୋଟି ଲୋକଙ୍କର ଆଧାର କାର୍ଡ ଅଛି। ସେହିପରି ୧୧୮ କୋଟି ମୋବାଇଲ ଗ୍ରାହକ ଥିବାବେଳେ ୮୦ କୋଟି ଇଣ୍ଟରନେଟ୍‌ ବ୍ୟବହାରକାରୀ ଓ ୪୩ କୋଟି ଲୋକଙ୍କ ଜନଧନ ବ୍ୟାଙ୍କ ଆକାଉଣ୍ଟ ଖେଲାଯିବା ଭଳି ସଂଯୋଗକାରୀ ଭିତ୍ତିଭୂମି ପୃଥିବୀର ଅନ୍ୟ କେଉଁଠାରେ ନାହିଁ ବୋଲି ସେ କହିଛନ୍ତି। ଏହିସବୁ ତଥ୍ୟ ଦେଉଥିବା ପ୍ରଧାନମନ୍ତ୍ରୀ ନିଶ୍ଚିତ ମନେପକାଇପାରିବେ କୋଭିଡ୍‌-୧୯ ଯେତେବେଳେ ଶୀର୍ଷରେ ପହଞ୍ଚତ୍ ଅସଂଖ୍ୟ ଲୋକଙ୍କ ଜୀବନ ନେଉଥିଲା, ସେତେବେଳେ ଭାରତବାସୀ କେଉଁ ପ୍ରକାର ସ୍ବାସ୍ଥ୍ୟ ଭିତ୍ତିଭୂମି ଅଭାବଜନିତ ଦୟନୀୟ ସ୍ଥିତିରେ ଥିଲେ। ନିକଟ ଅତୀତକୁ ଯଦି ମନେପକାଯାଏ ତେବେ ଭାରତ ଯେତେବେଳେ କୋଭିଡ୍‌ ଦ୍ୱିତୀୟ ପର୍ଯ୍ୟାୟରେ ଆକ୍ରାନ୍ତ ହେଲା ସେତେବେଳେ କୌଣସି ଭର୍ଚୁଆଲ ବା ଡିଜିଟାଲ ପ୍ରମାଣପତ୍ର ମୃତ୍ୟୁମୁଖରୁ ଆକ୍ରାନ୍ତଙ୍କୁ ବଞ୍ଚାଇ ପାରିଲା ନାହିଁ। ପ୍ରଥମ କୋଭିଡ୍‌ ସୁଅରେ ସମସ୍ତେ ମୃତ୍ୟୁସଂଖ୍ୟାକୁ ଦୂରରୁ ଦେଖୁଥିଲେ। ଦ୍ୱିତୀୟ ଲହର ବେଳକୁ ଏହି ମୃତ୍ୟୁ ଯେତେବେଳେ ଅତି ନିକଟତର ହୋଇ ପରିବାରକୁ ଛୁଇଁଲା ସେତେବେଳେ ପ୍ରତ୍ୟେକ ଭାରତୀୟ ଦେଶର ଅଦୃଶ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥା ବିଷୟରେ ବୁଝିପାରିଲେ। ପ୍ରଧାନମନ୍ତ୍ରୀ ଯେତେ ଦାବି କଲେ ମଧ୍ୟ ଭାରତର କୌଣସି କୋଭିଡ୍‌ ଆକ୍ରାନ୍ତ କହିପାରିବେ ନାହିଁ ଯେ, ‘ଆରୋଗ୍ୟ ସେତୁ’ ଆପ୍‌ ଯୋଗୁ ତାଙ୍କ ଜୀବନ ବଞ୍ଚତ୍ୟାଇଛି। ଅନେକ ହଜାର କୋଟି ଟଙ୍କା ଖର୍ଚ୍ଚ କରାଚାଲିଛି, କିନ୍ତୁ ଏହିସବୁ ଅସରନ୍ତି ଡିଜିଟାଲ କାର୍ଯ୍ୟକ୍ରମ ସାଧାରଣ ନାଗରିକ ଜୀବନରେ କେଉଁ ପ୍ରକାର ପରିବର୍ତ୍ତନ ଆଣିପାରୁଛି, ତାହାର ସ୍ପଷ୍ଟ ପ୍ରମାଣ ମିଳୁନାହିଁ। ବସ୍ତୁତଃ ମଣିଷର ଶାରୀରିକ ଉପସ୍ଥିତି ଆଗ, ଭର୍ଚୁଆଲ୍‌ ସଂଯୋଗ ପରେ।
ବର୍ତ୍ତମାନର କେନ୍ଦ୍ର ସରକାର ସର୍ବଦା କହି ବୁଲୁଛନ୍ତି, ୭/୮ ବର୍ଷ ତଳେ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଘଟି ନ ଥିଲା। ଏବେ ସେଥିରେ ଅନେକ ପରିବର୍ତ୍ତନ ଦେଖାଦେଇଛି। ହେଲେ ସେହି ପରିବର୍ତ୍ତନକୁ ଦେଖିଲେ କେବଳ ଯୋଜନା, କାର୍ଯ୍ୟକ୍ରମ ଓ ମିଶନ ଭଳି କର୍ତ୍ତୃପକ୍ଷ ଗଢ଼ାଯିବାରେ ଅଧିକ ଅର୍ଥ ଓ ସମୟ ବିନିଯୋଗ କରାଯାଉଛି। ଜାତୀୟ ସ୍ବାସ୍ଥ୍ୟ ମିଶନ, ଆୟୁଷ୍ମାନ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ଡିଜିଟାଲ ହେଲ୍‌ଥ ମିଶନ ଭଳି ଯେତେ ସ୍ବାସ୍ଥ୍ୟ ଯୋଜନାକୁ ନାମକରଣ କରାଗଲେ ମଧ୍ୟ ତାହାଦ୍ୱାରା ଲୋକଙ୍କ ପାଖରେ ସେବା ସହଜରେ ପହଞ୍ଚତ୍ପାରୁ ନାହିଁ। କୌତୂହଳର ବିଷୟ ଯେ, ଏ ଦେଶରେ ଯେତେ ଯୋଜନା ଯେଉଁ ପରିପ୍ରେକ୍ଷୀରେ ଘୋଷଣା ହୋଇଥାଉ ନା କାହିଁକି ସେଗୁଡ଼ିକ ଶିକ୍ଷିତ ଓ ସଚେତନ ନାଗରିକଙ୍କ ସ୍ମୃତି ବାହାରକୁ ଚାଲିଯାଉଥିବା ବେଳେ ସାଧାରଣ ଓ ଅପାଠୁଆଙ୍କ କଥା ନ କହିବା ଭଲ। ଏପରି କି ଯେଉଁ ନୀତି ନିର୍ଦ୍ଧାରକମାନେ ଏତେ ଯୋଜନା ତିଆରି କରୁଛନ୍ତି, କିଛି ଦିନ ଗଲା ପରେ ସେମାନେ ମଧ୍ୟ ତାହାକୁ ପାସୋରି ଦେଉଛନ୍ତି। ପାଶ୍ଚାତ୍ୟ ଦେଶର ଉଦାହରଣ ଦେଖିଲେ ବ୍ରିଟେନ୍‌ରେ ଜାତୀୟ ସ୍ବାସ୍ଥ୍ୟ ସେବା (ଏନ୍‌ଏଚ୍‌ଏସ୍‌) ରହିଛି। ତାହାରି ମାଧ୍ୟମରେ ସବୁ ବର୍ଗର ନାଗରିକ ପ୍ରତ୍ୟେକ ରୋଗ ପାଇଁ ସେବା ପାଇପାରୁଛନ୍ତି। ଭାରତରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ମାଧ୍ୟମରେ ସରକାର ଅର୍ଥ ସଂଗ୍ରହ କରି ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବାରେ ଏକକ ଟିକସ ପଦ୍ଧତି ଯଦି ଆପଣାଇପାରୁଛନ୍ତି, ତାହା ହେଲେ ସ୍ବାସ୍ଥ୍ୟ ସେବା ଲାଗି ଅନୁରୂପ ଏକକ ମିଶନ ଗଢ଼ିବାରେ ଅସୁବିଧା କେଉଁଠି ରହିଛି ବୋଲି ପ୍ରଶ୍ନ ହେବା ସ୍ବାଭାବିକ। ଯଦି ବାସ୍ତବରେ କେନ୍ଦ୍ର ସରକାର ଦେଶର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ମାନଚିତ୍ରକୁ ନୂତନ ଭାବେ ଆଙ୍କିବାକୁ ଚାହୁଁଥାଆନ୍ତି, ତେବେ ସାଧାରଣ ରୋଗୀଟିଏ ଅସୁସ୍ଥ ହେଲେ ମାତ୍ର ଗୋଟିଏ ଯୋଜନା ଅନୁଯାୟୀ ଥିବା ବ୍ୟବସ୍ଥା ଦେଇ ଗଲେ ତାହାର ସୁଫଳ ପାଇପାରନ୍ତା। ହେଲେ ଯେଉଁ ବ୍ୟବସ୍ଥା ଏଠାରେ ବିକଶିତ କରାଯାଉଛି, ତାହାଦ୍ୱାରା ରୋଗୀ କେଉଁ ଯୋଜନା ଅଧୀନରେ ଆସୁଛି ସେ ସଂକ୍ରାନ୍ତ କାଗଜପତ୍ର ଯୋଗାଡ଼ କରୁକରୁ ହୁଏତ ତା’ର ପ୍ରାଣବାୟୁ ଉଡ଼ିଯାଇଥିବ।
ଆମେ ଏହି ସ୍ତମ୍ଭରେ ବାରମ୍ବାର କହିଆସିଛୁ ଯେ, ଜଣେ ନାଗରିକକୁ ଚିହ୍ନଟ କରିବା ଲାଗି ଗୋଟିଏ କାର୍ଡ ଯଥେଷ୍ଟ। ତାହାକୁ ଭିତ୍ତିକରି ବ୍ୟବସ୍ଥା ବିକଶିତ ହୋଇପାରିଲେ ତାହାର ସୁବିଧା ସେ ପାଇପାରିବେ। ଭୋଟର ପରିଚୟପତ୍ର ଥିବା ବେଳେ ଆଧାର କାର୍ଡ ଭଳି ଅବାଞ୍ଛିତ କାର୍ଯ୍ୟକ୍ରମ କରାଯାଇ ତାହାକୁ ମୋବାଇଲଠାରୁ ଆରମ୍ଭ କରି ପାନ୍‌କାର୍ଡ ଓ ଅନ୍ୟାନ୍ୟ କାର୍ଡ ସହିତ ଯେଭଳି ସଂଯୋଗ କରାଯାଉଛି, ତାହାଦ୍ୱାରା ନାଗରିକର ବ୍ୟକ୍ତିଗତ ତଥ୍ୟ ବଜାରରେ ନିଲାମ ହେବା ଛଡ଼ା କୌଣସି ସୁଫଳ ମିଳିପାରୁ ନାହିଁ। ପ୍ରତି କଥା ଓ ପଦକ୍ଷେପରେ ସରକାର ଯେଉଁ ଡିଜିଟାଲ ବିଷୟରେ ଆଲୋକପାତ କରୁଛନ୍ତି, ସେହି ବ୍ୟବସ୍ଥାର ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦିଆଯାଉ ନ ଥିବାରୁ ଦେଶରେ ପ୍ରତ୍ୟହ ଅନେକ ହଜାର ଲୋକ ସାଇବର ଠକାମିର ଶିକାର ହେଉଛନ୍ତି। ଚାଇନା ଭଳି ରାଷ୍ଟ୍ର ତା’ ଡିଜିଟାଲ କ୍ଷେତ୍ରକୁ ଅତ୍ୟନ୍ତ ସୁରକ୍ଷିତ କରି ରଖିଥିବାରୁ ସେଠାରେ ତଥ୍ୟ ଚୋରି ଆଶଙ୍କା କମ୍‌। ଭାରତରେ ଜଣେ ବ୍ୟକ୍ତିଙ୍କ ମୋବାଇଲ ନମ୍ବର ସାଇବର ଠକଙ୍କ ହାତରେ ପଡ଼ିଗଲେ ତାହାକୁ କ୍ଲୋନିଂ କରି ବ୍ୟାଙ୍କରେ ଥିବା ଅର୍ଥ ଉଠାଇ ନେଉଛନ୍ତି। କାରଣ ମୋବାଇଲ ନମ୍ବର ଏବେ ସବୁ କ୍ଷେତ୍ର ସହ ଯୋଡ଼ି ଦିଆଯାଉଛି। ଏହାର ଅସଂଖ୍ୟ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ଏଠାରେ ପାନ୍‌କାର୍ଡ ସହ ଆଧାର ସଂଯୋଗ ପ୍ରକ୍ରିୟାକୁ ଦେଖାଯାଇପାରେ। ପ୍ରତ୍ୟେକ ଦୁଇ ତିନି ମାସରେ ସରକାରୀ ବିଜ୍ଞପ୍ତି ଦ୍ୱାରା ଲୋକଙ୍କୁ ସୂଚାଇ ଦିଆଯାଉଛି ଯେ, ପାନ୍‌ ସହ ଆଧାର ସଂଯୋଗ ନ କଲେ ଅନେକ ଅସୁବିଧା ହେବ। ତା’ ପରେ ନାଗରିକଙ୍କ ଅର୍ଥ ଜମା ରଖିଥିବା ବ୍ୟାଙ୍କ ତରଫରୁ ବାରମ୍ବାର ଧମକ ବାର୍ତ୍ତା ପଠାଯାଉଛି, ଯେଉଁଥିରେ କୁହାଯାଉଛି ଯେ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଏହି ସଂଯୋଗ କରା ନ ଗଲେ ଅର୍ଥ ଉଠାଇବା କଷ୍ଟକର ହେବ କିମ୍ବା ଟିକସ ଦେବାକୁ ପଡ଼ିବ। କରଦାତାଙ୍କ ଅର୍ଥରେ ପରିଚାଳିତ ସରକାରର ନାଗରିକଙ୍କୁ ଧମକାଇବା ଏବେ ହୋଇଯାଇଛି ମୁଖ୍ୟ କାର୍ଯ୍ୟ।
ଗୋଟିଏ ପଟେ ସରକାର ଡିଜିଟାଲ କ୍ଷେତ୍ରକୁ ବ୍ୟବସ୍ଥିତ କରିପାରି ନ ଥିବା ବେଳେ ଅନ୍ୟପଟେ ପ୍ରତି ପଦକ୍ଷେପରେ ଡିଜିଟାଲକରଣକୁ ଅନୁସରଣ କରିବା ଦ୍ୱାରା ତାହାର ପ୍ରକୃତ ସୁଫଳ ଲୋକଙ୍କ ପାଖରେ ପହଞ୍ଚତ୍ବା କଷ୍ଟକର। ସ୍ବାସ୍ଥ୍ୟ ଭଳି ଅତ୍ୟନ୍ତ ମୌଳିକ ଭିତ୍ତିଭୂମି ଯଥା ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀଙ୍କଠାରୁ ଆରମ୍ଭକରି ହସ୍ପିଟାଲ, ରୋଗ ନିରୂପଣ ଯନ୍ତ୍ରାଂଶ, ପର୍ଯ୍ୟାପ୍ତ ଔଷଧ ଆଦି ଲୋକଙ୍କୁ ମିଳିପାରିଲେ ଏତେ ମିଶନ ଗଢ଼ିବାର ଆବଶ୍ୟକତା ପଡ଼ନ୍ତା ନାହିଁ। ସ୍ବାସ୍ଥ୍ୟଜନିତ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସରକାରଙ୍କ ଲକ୍ଷ୍ୟ ପ୍ରଚାରସର୍ବସ୍ବ ନ ହୋଇ ରୋଗୀ କଲ୍ୟାଣ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri