ଥୁଆମୂଳ ରାମପୁର, ୧୨।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୁମୁଡ଼ାବାହାଲ ଗ୍ରାମର ପ୍ରାଚୀନ ପ୍ରତାପଗିରି (ବୁଢ଼ାରଜା-ଠାକୁରାଣୀ) ମନ୍ଦିରରୁ ଗୁପ୍ତଧନ ଲୁଟ ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏହି ସୁପରିକଳ୍ପିତ ଲୁଟ ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଇଶାନ ଟେଣ୍ଟକାରୀଙ୍କ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଛି।
ଅଭିଯୋଗ ଅନୁସାରେ, ମୁଖ୍ୟ ଅଭିଯୁକ୍ତ ଇଶାନ ଟେଣ୍ଟକାରୀ ମନ୍ଦିର ପରିସରରେ ପ୍ରାଚୀନ ଗୁପ୍ତଧନ ଥିବା ନେଇ ସୂଚନା ପାଇଥିଲେ। ଏହାକୁ ହାତେଇବା ପାଇଁ ସେ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ସ୍ଥାନୀୟ କିଛି ବ୍ୟକ୍ତିଙ୍କ ସହାୟତାରେ ମନ୍ଦିରରୁ ବହୁମୂଲ୍ୟ ସୁନା ଓ ରୂପା ଅଳଙ୍କାର ଲୁଟି ନେଇଥିଲେ। ଗ୍ରାମବାସୀଙ୍କ ମନରେ ଏହି ଘଟଣାକୁ ନେଇ ଦୀର୍ଘ ଦିନରୁ ସନ୍ଦେହ ରହିଥିଲା।
ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଇଶାନ ଟେଣ୍ଟକାରୀ (୩୯) ମାଷ୍ଟରମାଇଣ୍ଡ (ଦେପୁର, କଲମପୁର), ରିତେଶ ଧ. ମାଝୀ ଓରଫ ପିଚୁଡ଼ (୨୧)- (ତାଳବନ୍ଧପଡ଼ା, ଥୁଆମୂଳ ରାମପୁର),ରୋଶନ ବିଶି ଓରଫ ସତ୍ୟମ (୨୨) -(ଶିବମନ୍ଦିର ପଡ଼ା, ଥୁଆମୂଳ ରାମପୁର), ଚନ୍ଦ୍ର ନାୟକ (୪୦) (ଡ଼ାକକୋଟା ଗ୍ରାମ),ନବ କୁମାର ନାୟକ (୩୪)-(ଗୋପାଳପୁର ଗ୍ରାମ)। ପୋଲିସ ଏମାନଙ୍କ ବିରୋଧରେ BNS ର ଧାରା ୩୦୩(୨), ୩୩୧(୪), ୩୦୫ ଏବଂ ୩(୫) ଅନୁଯାୟୀ ମାମଲା (ନଂ-୧୦/୨୬) ରୁଜୁ କରି କୋର୍ଟ ଚାଲାଣ କରିଛି।
ତଦନ୍ତକାରୀ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସୂଚନା ମୁତାବକ, ଏହି ମାମଲାରେ ଆହୁରି ଅନେକ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ତେବେ ଗିରଫଦାରୀ ହୋଇଥିଲେ ମଧ୍ୟ ଲୁଟ ହୋଇଥିବା ପ୍ରାଚୀନ ସମ୍ପତ୍ତି ଏପର୍ଯ୍ୟନ୍ତ ଜବତ ହୋଇପାରି ନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

