ବିଚରା ବାବାମାନେ

ଡ. କୁଳାଙ୍ଗାର

ଜଗତର କଲ୍ୟାଣ ପାଇଁ ବାବାମାନେ ବା ହେବା ଓ ବାପା ହେବା ପ୍ରଥାକୁ ପରିତ୍ୟାଗ କରି ସାଧନାରେ ବ୍ରତୀ ହୁଅନ୍ତି ବୋଲି ଦାବି କରିଥାଆନ୍ତି। କିନ୍ତୁ ହାୟ, ବାବାଙ୍କ ଜଗତରେ କଲ୍ୟାଣ ଅପେକ୍ଷା ସାଧନାମାନଙ୍କର ଅଧିକ ପ୍ରବେଶ ଥାଏ ବୋଲି ନିନ୍ଦୁକେ ଦାବି କରନ୍ତି। ଅଧ୍ୟବସାୟ ଓ ଗଭୀର ନିଷ୍ଠା ବଳରେ ବାବାମାନେ ନିଜର ଆଶ୍ରମ ପ୍ରତିଷ୍ଠା କରିବା ସହିତ ଆୟ ଓ ଅନୁଗାମୀ ସୃଷ୍ଟି କରିଥାଆନ୍ତି। ଅନୁଗାମୀଙ୍କର ଭଲମନ୍ଦ ବୁଝିବା ବାବାଙ୍କର ଦାୟିତ୍ୱ। କାହାର ରୋଜଗାର ଦରକାର, କାହାର ପିଲାଛୁଆ, କାହାର ବିଜୟ ଆଉ କାହାର ସଫଳତା। ସବୁରି ପାଇଁ ବାବାମାନେ ହେଲେ ଚମତ୍କାରୀ ଜିମ୍‌। ଅତଏବ ଏତେ ଚାପରେ ରହିବା କାରଣରୁ ମଝିରେ ମଝିରେ କିଛି ଭୁଲ୍‌ ଭଟକା ହୋଇଯାଉଛି। ଫଳରେ ବିଚରା ବାବାମାନଙ୍କୁ ସର୍ବ ସମ୍ମୁଖରେ ନିନ୍ଦିତ ହେବାକୁ ପଡୁଛି। ସେତେବେଳେ ସମସ୍ତେ ଭୁଲି ଯାଉଛନ୍ତି କି ବାବାଜି ଗୋଟିଏ ରଙ୍ଗର ପୋଷାକ ପିନ୍ଧି, ଦାଢ଼ିନିଶ ନ କାଟି, ଘିଅ ଅନ୍ନ ଖାଇ କେତେ କଷ୍ଟ ନ କରିଛନ୍ତି! ବାବାଙ୍କୁ ମଝିରେ ରଖି ଲୋକେ ନାନା କାର୍ଯ୍ୟ କରନ୍ତି। ଆଉ କାମଟି ହୋଇଗଲା ପରେ ବାବାଙ୍କୁ ଖୁସିରେ କିଛି ଦକ୍ଷିଣା ବା ଭିକ୍ଷା ପ୍ରଦାନ କରିଥାଆନ୍ତି। ବାସ୍‌, ସେଇ ଦାନର ପରିମାଣ ଯେତେବେଳେ କୋଟି ଅତିକ୍ରମ କରିଯାଏ ବିଚରା ବାବାମାନେ ଦୋଷୀ ପାଲଟି ଯାଆନ୍ତି!
ବାବାମାନଙ୍କ ଚମତ୍କାର କାରଣରୁ ଅନେକ ଚିକିତ୍ସା ପରେ ନିରାଶ ହୋଇଥିବା ନାରୀମାନେ ମାଆ ହେବାର ସୌଭାଗ୍ୟ ଲାଭ କରନ୍ତି। ଖୁସିରେ ସମସ୍ତ ପରିବାରବର୍ଗ ବାବାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରନ୍ତି। ହେଲେ ପରବର୍ତ୍ତୀ ସମୟରେ ବାବାମାନଙ୍କ ପାଇଁ ହିଁ ପରିବାରରେ ବିଶୃଙ୍ଖଳା ଓ ଅଶାନ୍ତି ସୃଷ୍ଟି ହେଉଛି ବୋଲି ଅଭିଯୋଗ ଆଣନ୍ତି।
ତା’ କଥା ତ ଜାଣନ୍ତି। ବିବାହର ବହୁବର୍ଷ ପରେ ଅନେକ ଦିନ ଧରି ଚାରିଆଡ଼େ ବୁଲିଲା ପରେ ମଧ୍ୟ କୋଳରେ ପିଲାଛୁଆ ନ ହେବାରୁ ସିଏ ନିରାଶ ହୋଇ ବସିଥିଲା। ସବୁ ଚିକିତ୍ସା ଅସଫଳ ହେଲା ପରେ କିଛି ବନ୍ଧୁ ତାଙ୍କୁ ବାବାଙ୍କ ଶରଣାଗତ ହେବାକୁ ପରାମର୍ଶ ଦେଲେ। ଏହାର ସୁରାକ ପାଇ ଶଶୁର ଘର ଲୋକେ ତାଙ୍କର ଘରୋଇ ବାବା ବା କୁଳଗୁରୁଙ୍କ ଠିକଣା ବତେଇ ଦେଲେ। ସିଏ ସପତ୍ନୀକ ବାବାଙ୍କୁ ଦର୍ଶନ କଲା ଏବଂ ବାବାଙ୍କ ଆଦେଶ କ୍ରମେ ପତ୍ନୀକୁ ଆଶ୍ରମରେ ଛାଡ଼ି ଆସିଲା। ବାବା କହିଲେ- ପ୍ରାରବ୍ଧ ଏବଂ ଏହି ଜୀବନରେ ନାନା ପାପ କାରଣରୁ ଏପରି ସଙ୍କଟ ସୃଷ୍ଟି ହୋଇଛି। ତେବେ କିଛିଦିନ ଗୋ ସେବା ଓ ସାଧୁସେବା କଲେ ଏହି ରିଷ୍ଟ ଖଣ୍ଡନ ହେବ।
ସିଏ ଏ ଜୀବନରେ ପାପକଥା ଶୁଣି ଘରଣୀକୁ ବଡ଼ବଡ଼ ଆଖିରେ ଚାହିଁଲା। ଅଭିଜ୍ଞତା କାରଣରୁ ପରବର୍ତ୍ତୀ ପରିସ୍ଥିତି ଆକଳନ କରି ଘରଣୀ କହିଲା- ତା’ ହେଲେ ମୁଁ ଆଉ ଘରକୁ ଯିବି କାହିଁକି? ଏଇଠି ଆଶ୍ରମରେ ତ ଗୋପାଳନ ହେଉଛି। ଏଇଠି ରହି ମୁଁ ରିଷ୍ଟ ଖଣ୍ଡନ ହେବା ପର୍ଯ୍ୟନ୍ତ ବାବାଙ୍କର ସେବା କରିବି। ନା କ’ଣ କହୁଛ?
ସିଏ ପତ୍ନୀର କଥାରେ ମହଣ ବଳଦ ପରି ମୁଣ୍ଡ ଟୁଙ୍ଗାରିଲା। ପିତା ହେବାର ଲୋଭରେ ପତ୍ନୀଙ୍କୁ ଆଶ୍ରମରେ ଛାଡ଼ି ଘରକୁ ଚାଲି ଆସିଲା। ବହୁଦିନ ପରେ ସିଏ ସ୍ବାଧୀନ ଜୀବନଯାପନ କରିବାର ସୁଯୋଗ ଲାଭକଲା। ସେପଟେ ପତ୍ନୀ ଦେବୀ ଧୀରେ ଧୀରେ ବାବାଙ୍କର ଦିବ୍ୟକୃପା ହାସଲ କରିବାରେ ଲାଗିଲେ। ଆଶ୍ଚର୍ଯ୍ୟ, ବାବାଙ୍କର ଶରଣାଗତ ହେବାର ମାତ୍ର କିଛିମାସ ପରେ ଶୁଭଖବର ପ୍ରାପ୍ତ ହେଲା। ସିଏ ଖୁସିରେ କୃତକୃତ୍ୟ ହେଲା। ବାବାଙ୍କର ମହିମାକୁ କଥାରେ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରଚାର କଲା। ବାବାଙ୍କ ଆଶ୍ରମକୁ ମୋଟା ଅଙ୍କରେ ଦାନ ଦେଲା। ଶେଷରେ ସେହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ଆସିଲା ଏବଂ ତା’ ଘରେ କୁନି ପୁଅର କୁଆଁକୁଆଁ କାନ୍ଦ ଶୁଭିଲା।
ଧୀରେ ଧୀରେ ପୁଅ ବଡ଼ ହେଲା ପରେ ସେହି ଖୁସି ଅପସରି ଗଲା। କାରଣ ପୁଅର ମୁହଁଟି କାଳେ ଅବିକଳ ବାବାଜିଙ୍କ ପରି ହୋଇଛି ବୋଲି ପଡ଼ୋଶୀଏ ଭୁଟ୍‌ଭାଟ୍‌ ହେଲେ। ଘରଣୀ ପୁଅ ହେବା ପରେ ମଧ୍ୟ ଅଧିକ ସମୟ ଘରେ ନ ରହି ଆଶ୍ରମରେ ରହିବାକୁ ପସନ୍ଦ କଲେ। ଏହାକୁ ନିରୀକ୍ଷଣ କରି ସିଏ ଦିନେ କୋର୍ଟରେ ମାମଲା ଦାଏର କଲା କି ତା’ ପିଲାର ଡିଏନ୍‌ଏ ଟେଷ୍ଟ କରାଯାଉ ଏବଂ ସେ ବାବାଙ୍କୁ ତୁରନ୍ତ ଗିରଫ କରାଯାଉ। ତା’ ମାମଲା ଖବର ଗଣମାଧ୍ୟମରେ ଖେଳିଗଲା ପରେ ତା’ ପରି ଅନେକେ ବାହାରିଲେ । କହିଲେ, ଆମ ସହିତ ମଧ୍ୟ ଏପରି ହୋଇଛି। କିନ୍ତୁ ଲୋକଲଜ୍ଜା ଭୟରେ ଆମେ ପାଟି ଖୋଲୁ ନ ଥିଲୁ। ଆଇନ ତ ଅନ୍ଧ। ବିଚରା ବାବାଙ୍କୁ ବାନ୍ଧିଲା। ବାବାଜି ଆଶ୍ରମ ଛାଡ଼ି ଜେଲରେ କଏଦୀଙ୍କ ସେବାରେ ନିଜକୁ ଉତ୍ସର୍ଗ କଲେ।
ଏମିତି ନିତିଦିନ ଅନେକ ବାବା ଜନତା ତଥା ଭକ୍ତଙ୍କ ସେବାରେ ନିଜକୁ ଅର୍ପଣ କରୁଛନ୍ତି। କିନ୍ତୁ ପ୍ରତିଦାନ ସ୍ବରୂପ ନିନ୍ଦିତ ଓ ଲାଞ୍ଛିତ ହେଉଛନ୍ତି ବୋଲି ଏକାଧିକ ବାବା ଆମକୁ ନାମ ପ୍ରକାଶ ନ କରିବା ସର୍ତ୍ତରେ ଖୋଲି କହିଛନ୍ତି। ବାବାମାନଙ୍କର କହିବାର କଥା କି କିଏ ଚାକିରି କରିଛି, ସୁବିଧା ଜାଗାକୁ ବଦଳି ହେବାକୁ ଚାହିଁଲା। କିଏ ଠିକାଦାରି କରୁଛି, ଅଧିକ ଟଙ୍କାର କାର୍ଯ୍ୟାଦେଶ ହାସଲ କରିବାକୁ ଚାହିଁଲା। କିଏ ବ୍ୟବସାୟ କରୁଛି, ଅଧିକ ଲାଭ ହାସଲ ଚାହିଁଲା, କିଏ ବୁଲିବୁଲି ନିରାଶ ହେଲା ପରେ ରୋଗରୁ ଉପଶମ ଚାହିଁଲା, କିଏ କଳା କ୍ଷେତ୍ରରେ ସଫଳତା ହାସଲ କରିବାକୁ ଚାହିଁଲା, କିଏ ରାଜନୀତିରେ ସଫଳ ହେବାକୁ ଚାହିଁଲା ଆଉ ସେଥିପାଇଁ ବାବାଙ୍କୁ ଚାହିଁଲା। ବାସ୍‌, ବାବା ଏକକୁ ଆର ସହିତ ଯୋଡ଼ିଦେଲେ। ସେମାନଙ୍କର କାମ ହେଲା ପରେ ସିଏ ବାବାଙ୍କୁ ଖୁସିରେ ଦକ୍ଷିଣା ଆକାରରେ କିଛି ଦେଲେ। ଏକାଠି କରନ୍ତେ ତାହା ଅଧିକ ପରିମାଣର ହେଲେ କ’ଣ ବାବାଙ୍କର ଦୋଷ?
ସେଥିରେ ଆୟକର, ମିଡିଆ, ପୋଲିସ ଆଉ ହେତୁବାଦୀମାନେ ଏ ବାବାମାନଙ୍କୁ ନାନା ଦହଗଞ୍ଜ କରୁଛନ୍ତି। ଫଳରେ ବାବାମାନଙ୍କର ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି। ପରିସ୍ଥିତି ଏପରି ହୋଇଛି ଯେ ବାବା ଶବ୍ଦଟି ଶ୍ରବଣ ମାତ୍ରେ ଅଧିକାଂଶ ନାକ ସାବଧାନ ମୁଦ୍ରାରେ ଛିଡ଼ା ହୋଇଯାଉଛି।
ବାବାମାନଙ୍କର ଆତ୍ମବିଶ୍ୱାସକୁ କିନ୍ତୁ ମାନିବାକୁ ହେବ। ବାବାମାନେ ପହିଲେ ଈଶ୍ୱରଙ୍କ ଅନୁଗାମୀ ସାଜନ୍ତି, ଧୀରେ ଧୀରେ ଈଶ୍ୱରଙ୍କ ଦୂତ ପାଲଟନ୍ତି ଏବଂ କିଛିଦିନ ପରେ ଈଶ୍ୱରଙ୍କ ପ୍ରତିଯୋଗୀ। ତାଙ୍କର ଅନୁଗାମୀର ଯାହା ମଙ୍ଗଳ ହୁଏ ସବୁ ତାଙ୍କରି କରୁଣାରୁ, ଆଉ ଯାହା ଅମଙ୍ଗଳ ହୁଏ ସବୁ ଈଶ୍ୱରଙ୍କ କୋପ କାରଣରୁ। ଆଉ ସେହି ଈଶ୍ୱରଙ୍କୁ ଟକ୍କର ଦେଇ ତାଙ୍କଠାରୁ ଅନୁଗାମୀକୁ ମୁକ୍ତ କରିବା ପାଇଁ ମଧ୍ୟ ବାବା ଉପାୟ ବତାଇ ଥାଆନ୍ତି।
ଅନେକ ବାବା ଦାବି କରନ୍ତି କି ସେମାନେ ଏ ରାଜ୍ୟ ଏ ଦେଶ ଚଳାଉଛନ୍ତି। କାରଣ ତାଙ୍କରି ପରି ବାବାଜିଆ ଅର୍ଥାତ୍‌ ବ୍ରହ୍ମଚାରୀ ଲୋକ ପ୍ରଧାନମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏଥିରେ ଚାଲାଖିଟି ଦେଖନ୍ତୁ, ଶାସନ ମୁଖ୍ୟ ହୋଇ ସେମାନଙ୍କ ଉପରେ ଯେତେବେଳେ ନାନା ଅଭିଯୋଗ ଆସୁଛି ଏ ବାବାମାନଙ୍କ ନାମରେ ଅଭିଯୋଗଟା କୋଉ ଗୁରୁତର କଥା।
ଚୂନାମାଛ ଭିତରୁ ସୁନୁସୁନିଆ ଶାଗ ଖୋଜିବା ପରି, ଝିଅର ସ୍ମାର୍ଟଫୋନରୁ ଜେଜେବାପାଙ୍କ ଫଟୋ ଖୋଜିବା ପରି ଏବେ ଏ ମିଛବାବାମାନଙ୍କ ଭିତରୁ ସତବାବା ଖୋଜିବା କଷ୍ଟକର ହୋଇପଡ଼ିଛି।
ଅଲରା, ନରସିଂହପୁର, କଟକ
ମୋ:୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri