Posted inଜାତୀୟ

ପ୍ରାଚୁର୍ଯ୍ୟ ଭିତରେ ଦରିଦ୍ର ଆଫଗାନ୍‌

ମାଟିତଳେ ରତ୍ନ ସମ୍ପଦର ପ୍ରାଚୁର୍ଯ୍ୟ, ଉପରେ ଉତ୍କଟ ଦାରିଦ୍ର୍ୟର ଅଖଣ୍ଡ ରାଜୁତି। ଏହା ହେଉଛି ସମ୍ପ୍ରତି ତାଲିବାନ ନିୟନ୍ତ୍ରଣରେ ଥିବା ପଡ଼ୋଶୀ ଆଫ୍‌ଗାନିସ୍ତାନର ପରିଚୟ। ପାଶ୍ଚାତ୍ୟ ସମର୍ଥତ୍ତ ନାଗରିକ ସରକାରଙ୍କ ପତନ ପରେ ଆତଙ୍କବାଦୀଙ୍କ ହାତକୁ ଚାଲିଆସିଛି ମୂଲ୍ୟବାନ ଖଣିଜ ସମ୍ପଦ। ପୂର୍ବରୁ ଅଫିମ, ହେରୋଇନ୍‌ ଭଳି ବେଆଇନ ନିଶା କାରବାରରୁ ବିପୁଳ ଅର୍ଥ ଯୋଗାଡ଼ କରୁଥିବା ତାଲିବାନ ଏବେ ଏହି ଦୁର୍ମୂଲ୍ୟ ଧାତବ ଖଣିଜ ସମ୍ପଦରୁ ପର୍ଯ୍ୟାପ୍ତ ଲାଭର ସୁଯୋଗକୁ ହାତଛଡ଼ା କରିବ ନାହିଁ ବୋଲି କୂଟନୀତିଜ୍ଞମାନେ କହିଛନ୍ତି।

 

କାବୁଲ, ୨୧।୮: ତାଲିବାନର କାବୁଲ ଦଖଲ ପରେ ବଦଳିଯାଇଛି ବିଶ୍ୱ ଭୂ-ରାଜନୈତିକ ଚିତ୍ରପଟ। ଆତଙ୍କବାଦୀ ଗୋଷ୍ଠୀ ପାଦରେ ଆର୍ଥିକ ବେଡ଼ି ପକାଇବାକୁ ଯାଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ ବିତ୍ତୀୟ ସହାୟତା ପ୍ରଦାନ ଉପରେ ଅଙ୍କୁଶ ଲଗାଯାଇଥିଲେ ହେଁ ବନ୍ଧୁକ ମୁନରେ ଶାସନ କରୁଥିବା ତାଲିବାନୀଙ୍କୁ ରୋକିବା ଆଉ ସମ୍ଭବ ନୁହେଁ ବୋଲି ହୃଦ୍‌ବୋଧ ହେଲାଣି। କାରଣ ଆଫ୍‌ଗାନିସ୍ତାନ ମାଟି ତଳେ ମହଜୁଦ୍‌ ଥିବା ଲକ୍ଷାଧିକ କୋଟି ଟଙ୍କାର ମୂଲ୍ୟବାନ ଧାତୁ ଏବେ ସେମାନଙ୍କୁ ଆର୍ଥିକ ବଳ ଯୋଗାଇବ।
ବିଶ୍ୱର ଅଫିମ ରାଜଧାନୀ ଭାବେ ଦୁର୍ନାମ ମୁଣ୍ଡାଇଛି ଆଫ୍‌ଗାନିସ୍ତାନ। ହେଲେ ଖଣିଜ ଭଣ୍ଡାରରେ ମଧ୍ୟ ଏହି ଦେଶ ସମୃଦ୍ଧ। ୨୦୧୦ରେ ଆମେରିକୀୟ ସେନାର ବିଶେଷଜ୍ଞମାନେ ଏଠାରେ ୧ ଟ୍ରିଲିୟନ୍‌ ଡଲାର ମୂଲ୍ୟର ଖଣିଜ ସମ୍ପଦ ମହଜୁଦ୍‌ ରହିଥିବା ଆକଳନ କରିଥିଲେ। ଲିଥିୟମ, ଜୀବାଶ୍ମ ଇନ୍ଧନ, ସୁନା, ତମ୍ବା, ଲୁହା, ବକ୍ସାଇଟ, କ୍ରୋମିୟମ୍‌, କୋବାଲ୍‌ଟ, ଜିଙ୍କ୍‌, କୋଇଲା, ସଲ୍‌ଫର, ଜିପ୍‌ସମ, ରତ୍ନପଥର ଭଳି ମୂଲ୍ୟବାନ ଧାତୁ ଏଥିରେ ସାମିଲ। ସମୟ ବିତିବା ସହିତ ଏହି ମାଟିତଳ ସମ୍ପଦର ଆନୁମାନିକ ମୂଲ୍ୟ ୩ ଟ୍ରିଲିୟନ ଡଲାର ଟପିଲାଣି। ଆଫଗାନ୍‌ ଭୂଖଣ୍ଡରେ ଆମେରିକାର ଦୁଇ ଦଶନ୍ଧିର ଉପସ୍ଥିତି ଏବଂ ପରବର୍ତ୍ତୀ ସମୟରେ ଆତଙ୍କବାଦୀଙ୍କୁ ଦମନ, ଗୃହଯୁଦ୍ଧ, ହିଂସା, ଅସୁରକ୍ଷିତ ବାତାବରଣ ମଧ୍ୟରେ ଖଣିଜ ଉତ୍ତୋଳନ ସମ୍ଭବ ହୋଇପାରି ନ ଥିଲା। ତେଣୁ ଅସୁରକ୍ଷିତ ଆଫଗାନିସ୍ତାନରେ ଏବେ ବି ସୁରକ୍ଷିତ ହୋଇ ରହିଛି ବହୁ କୋଟି ଟଙ୍କା ମୂଲ୍ୟର ଧାତୁ। ଏସବୁକୁ ଠିକ୍‌ ଭାବେ ଉତ୍ତୋଳନ କରାଯାଇପାରିଲେ ଆଫଗାନିସ୍ତାନ ବିଶ୍ୱର ସମୃଦ୍ଧଶାଳୀ ରାଷ୍ଟ୍ର ମଧ୍ୟରେ ନିଜକୁ ସାମିଲ କରିପାରିବ। ହେଲେ ତାଲିବାନ ଶାସନରେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଥିବା ଦେଶରେ ଗୃହଯୁଦ୍ଧ ମୁଣ୍ଡ ଟେକିବା ପରେ ଏଭଳି ଧାତବ ଖଣିଜ ସମ୍ପଦର ଉତ୍ତୋଳନ ଏବଂ ଠିକ୍‌ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅନ୍ୟପକ୍ଷେ ଆଫ୍‌ଗାନିସ୍ତାନରେ ତାଲିବାନ ଶାସନକୁ ପାକିସ୍ତାନ, ଚାଇନା ଖୋଲାଖୋଲି ସମର୍ଥନ ଦେଉଥିବାବେଳେ ଏବେ ସେଥିରେ ସଦ୍ୟତମ ରାଷ୍ଟ୍ରଭାବେ ସାମିଲ ହୋଇଛି ରୁଷିଆ। ଆଫ୍‌ଗାନିସ୍ତାନରେ ବିପୁଳ ବିଦେଶୀ ପୁଞ୍ଜି ଲଗାଇଥିବା ଏବଂ ଔଦ୍ୟୋଗିକ ସାମଗ୍ରୀ ନିର୍ମାଣରେ ଆଗୁଆ ଚାଇନା ଏଭଳି ସମ୍ପଦ ଉପରେ ଆଖି ପକାଇବା ସ୍ବାଭାବିକ। ଏଥିପୂର୍ବରୁ ମେଟଲେର୍ଜିକାଲ କର୍ପୋରେଶନ ଅଫ୍‌ ଚାଇନା (ଏମ୍‌ସିସି) ଆଫ୍‌ଗାନିସ୍ତାନର ଲୋଗାର ପ୍ରଦେଶର ବିସ୍ତୃତ ଜମିକୁ ତମ୍ବା ଖନନ ଲାଗି ୩୦ ବର୍ଷିଆ ଲିଜ୍‌ ସୂତ୍ରରେ ନେଇଛି। ପାକିସ୍ତାନ, ରୁଷିଆ ମଧ୍ୟ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଅନୁରୂପ ଭାବେ ବେଆଇନ ଡ୍ରଗ୍ସ ଚାଲାଣରୁ କୋଟି କୋଟି ଆଫ୍‌ଗାନ ଆଫଗାନୀ (ଦେଶୀୟ ମୁଦ୍ରା) ରୋଜଗାର କରୁଥିବା ତାଲିବାନ ନିଜର ଭାବମୂର୍ତ୍ତି ସୁଧାର ଲାଗି କୌଣସି ସ୍ଥିତିରେ ଏହାକୁ ହାତଛଡ଼ା କରିବ ନାହିଁ। ହେଲେ ଏ ଦିଗରେ ରହିଛି ବୈଷୟିକ ସମସ୍ୟା। କାରଣ ଯୁଦ୍ଧଖୋର ତଥା ରୂଢ଼ିବାଦୀ ତାଲିବାନୀ ଅତ୍ୟାଧୁନିକ ଜ୍ଞାନକୌଶଳଠାରୁ ବହୁ ଦୂରରେ। ତେଣୁ ଖଣିଜ ଖନନ ଲାଗି ସେମାନେ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭର କରିବେ। ଏହା ହେଲେ ଚାଇନା, ପାକିସ୍ତାନ, ରୁଷିଆ ଆଗରେ ରହିବେ। କୌଣସି ପରିସ୍ଥିତିରେ ତାଲିବାନ ଗୋଷ୍ଠୀ ନିଜର ଅଭିସନ୍ଧିରେ ସଫଳ ହେଲେ ଦେଶର ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଏବଂ ଦୈନିକ ମୁଣ୍ଡପିଛା ଆୟ ୨ ଡଲାରରେ ସୀମିତ ଥିବା ୯୦% ନାଗରିକଙ୍କ ଭାଗ୍ୟ ଖୋଲିଯିବ। ତେବେ ଆଭ୍ୟନ୍ତରୀଣ ଶାନ୍ତି ଓ ସ୍ଥିରତା ବ୍ୟାହତ ହେଲେ ଏହା ସହଜ ହେବ ନାହିଁ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଲିଥିୟମ୍‌, କପର, ଜୀବାଶ୍ମ ଇନ୍ଧନର ଭଣ୍ଡାର
ଭବିଷ୍ୟତର ପରିବେଶ ଅନୁକୂଳ ଇନ୍ଧନ ହେଉଛି ଲିଥିୟମ। ପେଟ୍ରୋଲ, ଡିଜେଲ ଭଳି ସୀମିତ ଜୀବାଶ୍ମ ଇନ୍ଧନ ଭଣ୍ଡାର ଶେଷ ହୋଇଯିବା ପରେ ଆଗାମୀ ଦିନରେ ଏହା ଉପରେ ନିର୍ଭରଶୀଳତା ବଢ଼ିବ। କାରଣ ଇଲେକ୍ଟ୍ରିକ୍‌ ଯାନ, ଲାପ୍‌ଟପ୍‌, ସ୍ମାର୍ଟଫୋନ ଭଳି ଯୁଗୋପଯୋଗୀ ସାମଗ୍ରୀରେ ବ୍ୟବହୃତ ବ୍ୟାଟେରି ପାଇଁ ଏକ ଜରୁରୀ ସାମଗ୍ରୀ ହେଉଛି ଲିଥିୟମ। ବିଶ୍ୱତାପନ ସମସ୍ୟାର ଆହ୍ବାନରେ ତାପମାତ୍ରା କମାଇବା ଲାଗି ବିକଶିତ ଏବଂ ବିକାଶଶୀଳ ରାଷ୍ଟ୍ର ଗୁରୁତ୍ୱ ଦେଉଥିବାବେଳେ ଲିଥିୟମ ବ୍ୟାଟେରିର ଚାହିଦା ବଢ଼ିଛି। ଗତ କିଛିବର୍ଷ ମଧ୍ୟରେ ଲିଥିୟମ୍‌ର ଆବଶ୍ୟକତା ୬%ରୁ ବୃଦ୍ଧି ପାଇ ୨୦%ରେ ପହଞ୍ଚତ୍ଛି। ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବଲିଭିଆ ପରେ ଆଫ୍‌ଗାନିସ୍ତାନରେ ଲିଥିୟମର ଦ୍ୱିତୀୟ ବୃହତ୍ତମ ଭଣ୍ଡାର ରହିଥିବା ସର୍ଭେରୁ ଜଣାପଡ଼ିଛି। ସେହିପରି ତମ୍ବାର ଚାହିଦା ୪୩% ଯାଏ ବୃଦ୍ଧି ପାଇଛି। ଆଫ୍‌ଗାନିସ୍ତାନର ମୋଟ ପ୍ରାକୃତିକ ଖଣିଜର ଏକ ଚତୁର୍ଥାଂଶ ତମ୍ବା। ୨୦୧୯ରେ ଅଫ୍‌ଗାନିସ୍ତାନ ଖଣି ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆଫ୍‌ଗାନ୍‌ ଭୂଗର୍ଭରେ ମୋଟ ୩୦ ମିଲିୟନ ଟନ୍‌ ତମ୍ବା ଗଚ୍ଛିତ ରହିଛି। ସେହିବର୍ଷ ଅନ୍ୟ ଏକ ରିପୋର୍ଟରେ ପୃଥକ୍‌ ସ୍ଥାନରେ ୨୮.୫ ମିଲିୟନ ଟନ୍‌ ତମ୍ବା ଗଚ୍ଛିତ ଥିବା କୁହାଯାଇଥିଲା। ଏହାକୁ ଦେଖିଲେ ଦେଶରେ ହାରାହାରି ୬୦ ମିଲିୟନ ଟନ୍‌ ତମ୍ବା ଖନନ ଅପେକ୍ଷାରେ ରହିଛି। ସେହିପରି ୨.୨ ବିଲିୟନ ଟନ୍‌ ଇସ୍ପାତ ଶିଳ୍ପରେ ବ୍ୟବହାରଯୋଗ୍ୟ ଆଇରନ୍‌ (ଯାହାର ବର୍ତ୍ତମାନର ବଜାର ଦର ୩୫୦ ବିଲିୟନ ଡଲାର), ୨୭୦୦ କେଜି ସୁନା (ବଜାର ଦର ୧୭୦ ମିଲିୟନ ଡଲାର) ରହିଥିବା ସର୍ଭେରୁ ଜଣାପଡ଼ିଛି। ଏଥିସହ ୧୭ ପ୍ରକାରର ମୋଟ ୧.୪ ମିଲିୟନ ଟନ୍‌ ଦୁର୍ଲ୍ଲଭ ଖଣିଜ ରହିଛି। ଏହାକୁ ବାଦ୍‌ଦେଲେ ଆଫଗାନିସ୍ତାନ ହାର୍‌ବରରେ ୧.୬ ବିଲିୟନ ବ୍ୟାରେଲ ଅଶୋଧିତ ତେଲ, ୧୬ ଟ୍ରିଲିୟନ ଘନଫୁଟ ପ୍ରାକୃତିକ ଗ୍ୟାସ୍‌ ଏବଂ ଅନ୍ୟତ୍ର ୫୦୦ ମିଲିୟନ ବ୍ୟାରେଲ ପ୍ରାକୃତିକ ଗ୍ୟାସ୍‌ ମହଜୁଦ ରହିଛି। ଅଧିକାଂଶ ଜୀବାଶ୍ମ ଇନ୍ଧନ ଆଫଗାନ-ତାଜିକ୍‌ ବେସିନରେ ରହିଥିବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?