ଧର୍ମକୁ ନେଇ ରାଜନୀତି

ସୌଭାଗ୍ୟ ସୁନ୍ଦରରାୟ

 

ସନାତନ ଧର୍ମ ନିଶ୍ଚିହ୍ନ ପାଇଁ ଡିଏମ୍‌କେ ଶାସିତ ରାଜ୍ୟ ତାମିଲନାଡ଼ୁର ଶିକ୍ଷାମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟକୁ ଭାରତୀୟ ଜନତା ପାର୍ଟି (ଭାଜପା) ସଦ୍ୟ ସମାପ୍ତ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ବିଧାନସଭା ନିର୍ବାଚନରେ ନିର୍ବାଚନୀ ପ୍ରସଙ୍ଗ କରିଥିଲା। ଅଣଭାଜପା ଦଳ ସନାତନ ଧର୍ମବିରୋଧୀ ବୋଲି ଦଳ ପକ୍ଷରୁ ନିର୍ବାଚନ ସମୟରେ ପ୍ରଚାର କରାଗଲା। ଏଥିରୁ ଭାଜପା ସୁଫଳ ମଧ୍ୟ ପାଇଲା। ଏହି ସଫଳତା ପରେ ଏବେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଦଳ ଉତ୍ସାହୀ ରହିଛି। ଅଯୋଧ୍ୟାର ଧାର୍ମିକ ବାତାବରଣକୁ ସମଗ୍ର ଦେଶରେ ଖେଳାଇ ଦଳକୁ ଆଗାମୀ ଲୋକ ସଭା ନିର୍ବାଚନରେ ବିଜୟୀ କରିବା ନେଇ ନେତୃବୃନ୍ଦ ଆଶା ରଖିଛନ୍ତି। ଦେଖିବାକୁ ଗଲେ ନୂଆ ମନ୍ଦିରରେ ରାମଲାଲାଙ୍କ ଗୃହ ପ୍ରବେଶ କରାଇବା ନେଇ ଭାଜପା ଯେତେଟା ଆଗ୍ରହୀ, ତା’ଠାରୁ ଅଧିକ ଆଗ୍ରହୀ ଧାର୍ମିକ ପରିବେଶ ଓ ସନାତନ ଧର୍ମକୁ ଆଳ କରି ଭୋଟରଙ୍କ ମାନସିକତାକୁ ଶୋଷଣ କରିବା। ତେବେ ରାମଲାଲାଙ୍କ ଗୃହ ପ୍ରବେଶକୁ ନେଇ ପୁଣି ଥରେ ଉଠିଛି ସନାତନ ଧର୍ମ ପ୍ରସଙ୍ଗ। ଏ ବିଷୟ ଉଠାଇଛନ୍ତି ଶଙ୍କରାଚାର୍ଯ୍ୟ। ଶଙ୍କରାଚାର୍ଯ୍ୟଗଣ କେଉଁ ପରିସ୍ଥିତିରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବାସନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ତାହା ଏବେ ବିତର୍କର ଆଲେଖ୍ୟ ରଖେ।
ଦେଖିବାକୁ ଗଲେ ସନାତନ ଧର୍ମ ଏବେ ବ୍ୟାପକ ଦର୍ଶନ। ଏହା ଦେବଦେବୀଙ୍କ ମଧ୍ୟରେ ସୀମିତ ନୁହେଁ। ଏହା ମଧ୍ୟରେ ତର୍କ ରହିଛି, ଯୁକ୍ତି ରହିଛି, ଶାସ୍ତ୍ର ଆଦି ଅନେକ ଜ୍ଞାନ ବିଜ୍ଞାନ ରହିଛି। ପ୍ରାଚୀନ ଆର୍ଯ୍ୟାବର୍ତ୍ତରେ ଏହି ଧର୍ମ ପ୍ରଚଳନ ରହିଥିଲା। ଏହା ଏକ ଧର୍ମ ନୁହେଁ ବରଂ କହିବାକୁ ଗଲେ କର୍ମ। ତ୍ରେତୟାର ଅବତାରୀ ବ୍ରହ୍ମ ହେଉଛନ୍ତି ପ୍ରଭୁ ରାମଚନ୍ଦ୍ର। ଅହଲ୍ୟାଙ୍କୁ ଉଦ୍ଧାର କଲେ, ପତ୍ନୀ ବୈଦେହୀଙ୍କୁ ବନବାସ ଦଣ୍ଡ ଦେଲେ ।
ଆବଶ୍ୟକ ଅନୁଯାୟୀ କର୍ମ କରି ହୋଇପାରିଲେ ମର୍ଯ୍ୟାଦା ପୁରୁଷ। ଶ୍ରୀରାମ କେବଳ ଯେ ଭାରତୀୟଙ୍କ ହୃଦୟରେ ବିରାଜିତ ସେକଥା ନୁହେଁ, ବିଶ୍ୱର ଅନେକ ଶ୍ରଦ୍ଧାଳୁଙ୍କ ମନରେ ସେ ରହିଛନ୍ତି। ଏକଥା କେହି ଅସ୍ବୀକାର କରିପାରିବେ ନାହିଁ। ସେ ପ୍ରଭୁ ତ କୌଣସି ରାଜନୈତିକ ଦଳର ହୋଇପାରିବେ ନାହିଁ। କିନ୍ତୁ ଭାଜପା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ପ୍ରଭୁଙ୍କୁ ଏକପ୍ରକାର ଅପହରଣ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରିଥିବା ପରି ମନେହୁଏ। ଯେଉଁ ସମୟରେ ଅନ୍ୟ ଧର୍ମର ଚାପରେ ସନାତନ ଧର୍ମ ଚାପି ହୋଇ ନିଜର ଅସ୍ତିତ୍ୱ ହରାଇବାକୁ ଯାଉଥିଲା, ଠିକ୍‌ ସେହି ସମୟରେ ଦେଶର ଦକ୍ଷିଣ ଭାଗରେ ଆବିର୍ଭାବ ଘଟିଥିଲା ଜଣେ ସନ୍ଥଙ୍କର। ସେ ଆଉ କେହି ନୁହନ୍ତି, ହେଉଛନ୍ତି ଆଦି ଶଙ୍କରାଚାର୍ଯ୍ୟ। କେରଳର କାଲାଡିରେ ଜନ୍ମ ଗ୍ରହଣ କରିଥିଲେ। ସନାତନ ଧର୍ମ ପ୍ରଚାର ଓ ପ୍ରସାର ନିମନ୍ତେ ପଦବ୍ରଜରେ ସମଗ୍ର ଭାରତବର୍ଷ ଭ୍ରମଣ କରିଥିଲେ। ଭବିଷ୍ୟତ ପାଇଁ ସନାତନ ଧର୍ମ ସୁରକ୍ଷିତ ରଖିବା ନିମନ୍ତେ ଦେଶର ଚାରି ପ୍ରାନ୍ତରେ ସେ ପ୍ରତିଷ୍ଠା କରିଥିଲେ ୪ଟି ଆଶ୍ରମ। ଏହି ଆଶ୍ରମଗୁଡ଼ିକ ଏବେ ଧାମ ବା ଶଙ୍କରାଚାର୍ଯ୍ୟ ପୀଠ ଭାବେ ପରିଗଣିତ। ୪ଟି ଧାମ ଦାୟିତ୍ୱରେ ଚତୁର୍ବେଦ ରହିଛି। ସଂପୃକ୍ତ ପୀଠ ନିଜ ନିଜ ବେଦର ପଠନ, ତର୍ଜମା କରି ଉପଲବ୍‌ଧ ଜ୍ଞାନ ଜନସାଧାରଣଙ୍କ ମଧ୍ୟରେ ପ୍ରସାର ପ୍ରଚାର କରାଇବା ଦେଉଛି ଏହି ପୀଠର କର୍ତ୍ତବ୍ୟ। ଏହି କ୍ରମରେ ଅଦ୍ୱୈତ ବେଦାନ୍ତ ପ୍ରସାର ଓ ସନାତନ ଧର୍ମର ସୁରକ୍ଷା ପାଇଁ ଆଦି ଶଙ୍କରାଚାର୍ଯ୍ୟ ଯେଉଁ ୪ଟି ମଠ ପ୍ରତିଷ୍ଠା କରିଥିଲେ ସେଥିମଧ୍ୟରୁ ଜ୍ୟୋତିର୍ପୀଠ ଅନ୍ୟତମ। ଏହା ଉତ୍ତରାଖଣ୍ଡର ଯୋଶୀମଠ ଭାବେ ପରିଚିତ। ଏହି ମଠ ଦାୟିତ୍ୱରେ ଅଥର୍ବ ବେଦ ରହିଛି। ପୂର୍ବ ଦିଗରେ ପୁରୀଠାରେ ଗୋବର୍ଦ୍ଧନ ପୀଠ ରହିଛି। ଏହି ମଠ ଦାୟିତ୍ୱରେ ଋଗ୍‌ବେଦ ରହିଛି। ପଶ୍ଚିମରେ ଥିବା ଦ୍ୱାରକା ପୀଠ ଦାୟିତ୍ୱରେ ସାମ୍‌ ବେଦ ରହିଛି। ଦକ୍ଷିଣରେ କର୍ନାଟକର ଶୃଙ୍ଗେରୀ ପୀଠ ହେପାଜତରେ ଯଜୁର୍ବେଦ ରହିଛି। ଏ ୪ ପୀଠର ମୁଖ୍ୟମାନେ ଶଙ୍କରାଚାର୍ଯ୍ୟ ଭାବେ ପରିଚିତ। ଏମାନେ ବିଦ୍ୱାନ ଓ ଦାର୍ଶନିକ। ଠାକୁରଙ୍କ କର୍ମକର୍ମାଣୀ ଓ ରୀତିନୀତିରେ ଏମାନଙ୍କ ପରାମର୍ଶ ଆବଶ୍ୟକ ପଡ଼ିଥାଏ। ତେବେ ରାମମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ପାଇଁ ନିମନ୍ତ୍ରଣ ଦିଆଯାଇଥିଲେ ମଧ୍ୟ ଶଙ୍କରାଚାର୍ଯ୍ୟଗଣ ଏହାକୁ ଅଗ୍ରାହ୍ୟ କରିଛନ୍ତି। ସନାତନ ଧର୍ମର ବିରୁଦ୍ଧାଚରଣ କରାଯାଇ ନୂଆ ମନ୍ଦିର ପ୍ରତିଷ୍ଠା କରାଯାଉଥିବା ଅଭିଯୋଗ ଆଣି ସେମାନେ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତିି। ଅଯୋଧ୍ୟାରେ ଏକ ଅସଂପୂର୍ଣ୍ଣ ମନ୍ଦିର ନିର୍ମାଣ କରାଯାଇ ପ୍ରତିଷ୍ଠା କରାଯାଉଛି। ଏହା ଆର୍ଯ୍ୟାବର୍ତ୍ତର ସନାତନ ଧର୍ମବିହିତ ନୁହେଁ ବୋଲି ଶଙ୍କରାଚାର୍ଯ୍ୟଗଣ କହିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ଅଭିଯୋଗ ପରେ ଏବେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଓ ଭାରତୀୟ ଜନତା ପାର୍ଟି କ’ଣ କହିବେ? ପ୍ରଭୁ ଶ୍ରୀରାମ ତ ଟ୍ରଷ୍ଟର ନୁହନ୍ତି। ଦାନ ଓ ଚାନ୍ଦା ବଳରେ ଅସଂପୂର୍ଣ୍ଣ ମନ୍ଦିର ନିର୍ମାଣ ହୋଇଛି । ଏହା ସନାତନ ଧର୍ମର ପ୍ରତୀକ। ଶଙ୍କରାଚାର୍ଯ୍ୟଙ୍କ ଅଭିଯୋଗ ପରେ କାହା ପରାମର୍ଶକ୍ରମେ ମନ୍ଦିର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଗଲା ସେ ପ୍ରଶ୍ନର ଉତ୍ତର ଏବେ ଟ୍ରଷ୍ଟ ଦେବା ଆବଶ୍ୟକ।
ନୂଆ ଅଯୋଧ୍ୟା ନଗରୀ ଶ୍ରଦ୍ଧାଳୁଙ୍କ ଅର୍ଥରେ ନିର୍ମାଣ ହୋଇଛି। ତାହାଲେ କେନ୍ଦ୍ର ଓ ଉତ୍ତରପ୍ରଦେଶରେ କ୍ଷମତାସୀନ ରାଜନୈତିକ ଦଳ ଏହାର ଶ୍ରେୟ ନେବାକୁ ଚାହୁଁଛନ୍ତି କାହିଁକି। ବାସ୍ତବ କାରଣଟି ହେଲା ଲୋକ ସଭା ନିର୍ବାଚନକୁ ଆଉ ମାତ୍ର ୨ ମାସ ସମୟ ରହିଲା। ଉତ୍ତରପ୍ରଦେଶରେ ସର୍ବାଧିକ ୮୦ ଲୋକ ସଭା ଆସନ ରହିଛି। ଏହି ଆସନଗୁଡ଼ିକରେ ବିଜୟୀ ହେଲେ ଦଳ ଦିଲ୍ଲୀ କ୍ଷମତା ହାସଲ କରିବା ସହଜ ହୋଇପାରିବ। ଓଡ଼ିଶାରେ ଯେପରି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଓଡ଼ିଆଙ୍କ ଶ୍ରଦ୍ଧା ଅପାର, ସେହିପରି ଉତ୍ତର ଭାରତର ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ଶ୍ରୀରାମଙ୍କ ପ୍ରତି ଆଦର ଅନେକ। ଏହି ଆବେଗରୁ ଉତ୍ତର ଭାରତରେ ରାଜନୈତିକ ଫାଇଦା ନେବା ପାଇଁ ଭାଜପା ତରବରିଆ ଭାବେ ମନ୍ଦିର ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛି। ଏଥିରେ ହାତବାରିସି ହୋଇଛି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ। ମୁରଲୀ ମନୋହର ଯୋଶୀ ଓ ଲାଲକୃଷ୍ଣ ଆଡ୍‌ଭାନୀଙ୍କ ରାମ ମନ୍ଦିର ଆନ୍ଦୋଳନ ପାଇଁ ୧୯୯୨ରେ ବାବ୍ରୀ ମସ୍‌ଜିଦ୍‌ ଭାଙ୍ଗିଲା। ଏହାପରେ ଭାଜପା କ୍ଷମତାକୁ ଆସିଲା। ଉଦାରପନ୍ଥୀ ନେତା ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହେଲେ। ପରବର୍ତ୍ତୀ ସମୟରେ ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ଅଭିଯୋଗରେ ଆଇନ ଅଦାଲତ ଜାଲରେ ଛନ୍ଦି ହୋଇ ଆଡ୍‌ଭାନୀ ବା ଯୋଶୀଙ୍କ ଦଳରେ କୌଣସି ଅଗ୍ରଗତି ଘଟିଲା ନାହିଁ। ନୂଆ ପିଢ଼ିରେ ସେମାନେ ଅଲୋଡ଼ା ହୋଇଗଲେ। ତଥାକଥିତ ଅଯୋଧ୍ୟା ରାମମନ୍ଦିର ନିର୍ମାଣରେ ଏହି ନେତା ଦ୍ୱୟଙ୍କ ଅବଦାନକୁ ଇତିହାସ ପୃଷ୍ଠାରୁ ଏଡ଼ାଇ ଦେଇ ହେବ ନାହିଁ। କିନ୍ତୁ ଦୁର୍ଭାଗ୍ୟର ବିଷୟ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ସେମାନେ ନ ଆସନ୍ତୁ ବୋଲି ଟ୍ରଷ୍ଟ ଉଭୟଙ୍କୁ ପରାମର୍ଶ ଦେଲେ। ତେବେ ପରବର୍ତ୍ତୀ ସମୟରେ ବିଶ୍ୱ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପକ୍ଷରୁ ସେମାନଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା। ଉଭୟ ନେତାଙ୍କୁ ଟ୍ରଷ୍ଟ ପକ୍ଷରୁ ପ୍ରଥମେ ନିମନ୍ତ୍ରଣ ଦିଆଯିବାର ଆବଶ୍ୟକତା ଥିଲା। ସେମାନେ ନିଜ ସ୍ବାସ୍ଥ୍ୟଗତ ସୁବିଧା ଅନୁଯାୟୀ ଉପସ୍ଥିତ ହୋଇଥାନ୍ତେ ବା କାରଣରୁ ହୋଇ ନ ଥାନ୍ତେ। ଉଭୟଙ୍କ ସ୍ବାସ୍ଥ୍ୟ ବାବଦରେ ଟ୍ରଷ୍ଟ କାହିଁକି ଆଗୁଆ ଏତେଟା ଚିନ୍ତିତ ହୋଇପଡ଼ିଲା ? କଥା ହେଲା ଘଟଣା ସ୍ଥଳରେ ଆଡ୍‌ଭାନୀଙ୍କ ଉପସ୍ଥିତି ଯୋଗୁ ରାମମନ୍ଦିର ପ୍ରସଙ୍ଗକୁ ନେଇ କେନ୍ଦ୍ର ନେତୃତ୍ୱର ପତିଆରା କ୍ଷୁଣ୍ଣ ହେବାର ସମ୍ଭାବନା ଥିବାରୁ ଉଭୟ ନେତାଙ୍କୁ ଦୂରେଇ ରଖିବା ପାଇଁ ଉଦ୍ୟମ କରାଯାଇଛି।
ସନାତନ ଧର୍ମ ଓ ରାଜଧର୍ମ ମଧ୍ୟରେ ପାର୍ଥକ୍ୟ କେତେ ତାହା ବିତର୍କର ବିଷୟ। ଶ୍ରୀରାମ ପ୍ରଧାନତଃ ରାଜଧର୍ମ ପାଳନ କରିଥିଲେ। ନିଜ ପରାକାଷ୍ଠା ବଳରେ ସାଧୁସନ୍ଥଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ। ବରୁଣଙ୍କୁ ଭୟଭୀତ କରାଇ ସେତୁବନ୍ଧ ପ୍ରତିଷ୍ଠା ମାର୍ଗ ସହଜ କରିଥିଲେ। ଏହା ଥିଲା ରାମଙ୍କ ବ୍ୟକ୍ତିତ୍ୱ। ଏବେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶାସକ ଦଳ କେଉଁ ଧର୍ମ ପାଳନ କରୁଛି ତାହ ସ୍ପଷ୍ଟ ହୋଇପାରୁ ନାହିଁ। ଶଙ୍କରାଚାର୍ଯ୍ୟ କହୁଛନ୍ତି ସନାତନ ଧର୍ମ ପାଳନ ହେଉନାହିଁ। ଏବେ ଯାହା ଦେଖାଯାଉଛି ଭାରତୀୟ ଜନତା ପାର୍ଟି ରାଜଧର୍ମ ପାଳନ ପରିବର୍ତ୍ତେ ସନାତନ ଧର୍ମକୁ ରାଜନୀତି ପାଇଁ ଉପଯୋଗ କରିବା ନିମନ୍ତେ ମନ ସ୍ଥିର କରିସାରିଛି।
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?