ରାଜନୈତିକ ବିଚାର ନା ଆତଙ୍କବାଦ

ଅନିଲ କୁମାର ବିଶ୍ୱାଳ

କୋଭିଡ୍‌ ବିରୋଧରେ ସାରା ଦେଶର ଜନତା ଲଢ଼େଇ କରୁଥିବା ବେଳେ ଆଉ ଏକ ଦୁଃଖଦାୟକ ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ଏପ୍ରିଲ ୩ ତାରିଖରେ ଛତିଶଗଡ଼ରେ, ଯେଉଁଠି ଦେଶର ସବୁଠାରୁ ଅଧିକ କରୋନା ସେତେବେଳେ ସଂକ୍ରମିତ ହେଉଥିଲେ, ସେଠାରେ ମାଓବାଦୀମାନେ ୨୨ କେନ୍ଦ୍ରୀୟ ସୁରକ୍ଷା ବଳର ସିପାହିଙ୍କୁ ହତ୍ୟା କରିଲେ। କଥା ହେଉଛି ଯେତେବେଳେ ଏକ ମହାମାରୀ ମାତିଛି, ଲୋକମାନଙ୍କ ଜୀବନ ବିପନ୍ନରେ, ସେତିକିବେଳେ ମାଓବାଦୀଙ୍କର ଏପରି ବର୍ବରୋଚିତ ଆକ୍ରମଣ କୌଣସି ଜେହାଦି ଆତଙ୍କବାଦୀଙ୍କଠାରୁ ବି କିଛି କମ୍‌ ନୁହେଁ। ମାଓଙ୍କ ଆଦର୍ଶରେ ଚାଲୁଥିବା ଏଭଳି ହିଂସାକୁ ଏକ ରାଜନୈତିକ ବିଚାର କୁହାଯାଇପାରିବ କି ନାହିଁ ଏହା ଉପରେ ପୁନଃ ବିଚାର କରିବାର ଆବଶ୍ୟକତା ରହିଛି। ସବୁବେଳେ ହିଂସା, ଗଳା କଟା, ଗୁଳିକାଣ୍ଡ ଉପରେ ବିଶ୍ୱାସ କରୁଥିବା ଦଳେ ବନ୍ଧୁକଧାରୀଙ୍କୁ କ’ଣ ରାଜନୈତିକ ବିଚାରର ମର୍ଯ୍ୟାଦା ଦିଆଯାଇ ପାରିବ?
ଆନ୍ଦୋଳନ କରିବା, ପ୍ରତିବାଦ କରିବାର ଅଧିକାର ଗଣତନ୍ତ୍ରରେ ସମସ୍ତଙ୍କର ଅଛି। ହେଲେ ପ୍ରତିବାଦ କରିବା ନାଁରେ ଯଦି ଲୁଚି ଲୁଚି ଜଙ୍ଗଲ ଭିତରେ ସମାନ୍ତରାଳ ସେନା ତିଆରି କରାଯାଇ ସାଧାରଣ ଲୋକ ଓ ଦେଶର ପୋଲିସଙ୍କୁ ହତ୍ୟା କରାହୁଏ ତା’ହେଲେ ଏହା ଆଉ ଆନ୍ଦୋଳନର ପଦବାଚ୍ୟ ହୋଇ ରହିବ କି ? ଏହାକୁ ଆତଙ୍କବାଦ କାର୍ଯ୍ୟକଳାପ କୁହାଯିବ। ଗାନ୍ଧୀଙ୍କର ଅହିଂସା ହେଉଛି ଆମର ପାଥେୟ। ପୂରା ବିଶ୍ୱରେ ଅହିଂସା ବର୍ତ୍ତମାନର ସବୁଠାରୁ ବଡ଼ ରାଜନୈତିକ ବିଚାରର ରୂପ ନେବାକୁ ଯାଉଛି। କିନ୍ତୁ ବଡ଼ ଦୁଃଖର କଥା ଆମ ଦେଶରେ ହିଁ କିଛି ଏପରି ରାଜନୈତିକ ବିଚାର ଏବେ ବି ବଞ୍ଚିଛି, ଯାହା କେବଳ ହିଂସା ଏବଂ ହତ୍ୟାରେ ବିଶ୍ୱାସ କରୁଛି।
ମୂଳତଃ ବାମପନ୍ଥୀ ବିଚାର ଜର୍ମାନୀର ଦାର୍ଶନିକ କାର୍ଲମାକର୍‌ସଙ୍କ ଦ୍ୱାରା ଦିଆଯାଇଥିବା ସିଦ୍ଧାନ୍ତ ଉପରେ ଠିଆ ହୋଇଛି। ବାମପନ୍ଥୀମାନେ ଏକ ଏପରି ସମାଜର ପରିକଳ୍ପନା କରି ଆସୁଛନ୍ତି ଯେଉଁ ସମାଜରେ ବର୍ଗଭେଦ ଓ ଜାତିଭେଦ ନ ଥିବ। ଏହା ଶୁଣିବାକୁ ଭଲ, କିନ୍ତୁ ଏପରି ସମାଜର ନିର୍ମାଣ କେବଳ ହିଂସାତ୍ମକ ଆନ୍ଦୋଳନ ଦ୍ୱାରା ହିଁ ହୋଇପାରିବ ବୋଲି ସେମାନଙ୍କର ସିଦ୍ଧାନ୍ତ କହୁଛି। ସେହି ଶାନ୍ତିପୂର୍ଣ୍ଣ ଭବିଷ୍ୟତ ନ ଆସିବା ପର୍ଯ୍ୟନ୍ତ ପୂରା ହିଂସାତ୍ମକ ଭାବେ ଲଢ଼ିବାକୁ ପଡ଼ିବ; ଯାହା ପରବର୍ତ୍ତୀ ସମୟରେ ମାଓବାଦ ନାମରେ ଆଗକୁ ବଢ଼ିଛି। ଏମାନଙ୍କର ବୈଚାରିକ ଆଦର୍ଶ ହେଉଛନ୍ତି ମାଓ ସେ ତୁଙ୍ଗ, ଯାହାଙ୍କ ନେତୃତ୍ୱରେ ହୋଇଥିବା ‘ଚାଇନିଜ ସିଭିଲ ଓ୍ବାର୍‌’ରେ ପ୍ରାୟ ୧୫ ଲକ୍ଷ ଲୋକଙ୍କର ଜୀବନ ଯାଇଥିଲା। ବାମପନ୍ଥୀ ବୈଚାରିକ ଆଧାରରେ ବିଭିନ୍ନ ଆତଙ୍କି ସଙ୍ଗଠନ ସାରା ବିଶ୍ୱରେ ଏକ ସମୟରେ (୧୯୬୭ ରୁ ୧୯୭୦) ଆରମ୍ଭ ହୋଇଥିଲା। ବିଶ୍ୱରେ କମ୍ୟୁନିଷ୍ଟ ପାର୍ଟି (ମାର୍କିଷ୍ଟ – ଲେନିନିଷ୍ଟ) ନାମରେ ଗୁଡ଼ିଏ ସଙ୍ଗଠନ ଅନେକ ଦେଶରେ ଏକ ସମୟରେ ଜନ୍ମ ନେଲେ ଆଉ ସେମାନେ ସମସ୍ତେ ହିଂସାତ୍ମକ ରାଜନୈତିକ ଆଭିମୁଖ୍ୟରେ ବିଶ୍ୱାସ ରଖିଲେ। ଭାରତରେ ବି ୧୯୬୭ ମସିହାରେ କାନୁ ସାନ୍ୟାଲଙ୍କ ନେତୃତ୍ୱରେ ଏକ ନୂଆ ପାର୍ଟି ଗଠନ ହେଲା, ଯାହାର ନାମ ଥିଲା କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କିଷ୍ଟ-ଲେନିନିଷ୍ଟ)। ‘ତେରାଇ ରିପୋର୍ଟ’ ରେ କାନୁ ଲେଖିଛନ୍ତି, ସେ ଓ ଅନ୍ୟ ୩ ଜଣ ଯେଉଁମାନେ ଭାରତରେ ମାଓବାଦ ଆରମ୍ଭ କରିଥିଲେ ସେମାନେ ୧୯୬୭ରେ ଚାଇନା ଯାଇ ସେଠାରେ ମାଓଙ୍କ ସହିତ ଆଲୋଚନା କରିଥିଲେ। ମାଓ କେମିତି ବନ୍ଧୁକ ମୁନରେ ଶାସନ କ୍ଷମତାକୁ ଆସିଲେ ତାହା ତାଙ୍କୁ ବେଶି ଅନୁପ୍ରାଣିତ କରିଲା ଓ ସେମାନେ ସେହି ଅନୁସାରେ ଭାରତ ପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରିଲେ। କାନୁ ସାନ୍ୟାଲ ୧୯୭୦ରେ ଗିରଫ ହେଲେ। ୧୯୭୭ରେ ଯେତେବେଳେ ପଶ୍ଚିମବଙ୍ଗ ଓ ଦେଶରେ ସରକାର ବଦଳିଲା ସେ ଜେଲରୁ ମୁକୁଳିଲେ। ୧୯୭୭ ପରେ ପୁଣି ଦେଶରେ ବାମ ଆତଙ୍କ ବୃଦ୍ଧି ପାଇଲା। ୨୦୦୭ରେ ଦେଶର ପ୍ରାୟ ଅଧା ଜିଲାରେ ମାଓବାଦୀମାନେ ସକ୍ରିୟ ଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବାମପନ୍ଥୀ ଆତଙ୍କବାଦ ଦେଶର ଅନ୍ତରୀଣ ସୁରକ୍ଷା ବିରୋଧରେ ବର୍ତ୍ତମାନ ବଡ଼ ଶତ୍ରୁ ବୋଲି କହିଥିଲେ। ୨୦୧୮ରେ କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁସାରେ ଭାରତରେ ବିଗତ ୨୦ ବର୍ଷରେ ୧୨ହଜାର ଲୋକଙ୍କର ଜୀବନ ଯାଇଛି ମାଓବାଦୀଙ୍କ ହିଂସାରେ। ସେଥିରୁ ୨୭୦୦ ହେଉଛନ୍ତି ପୋଲିସ ବା ସୁରକ୍ଷାକର୍ମୀ। ଆମ ଦେଶର ଗୋଇନ୍ଦା ଖବର ଅନୁସାରେ ଭାରତରେ ମାଓବାଦ ନାଁରେ ହେଉଥିବା ଆତଙ୍କି କାର୍ଯ୍ୟକଳାପକୁ ଚାଇନା, ପାକିସ୍ତାନ, ନେପାଳରୁ ସାହାଯ୍ୟ ମିଳେ। ସେହିପରି ପ୍ରତିବନ୍ଧିତ ଆତଙ୍କି ସଙ୍ଗଠନ ଉଲଫା, ନାଗାଲାଣ୍ଡ ସୋସିଆଲିଷ୍ଟ କାଉନ୍‌ସିଲ, ଏଲଟିଟିଇ ଭଳି ଉଗ୍ରବାଦୀ ସଙ୍ଗଠନ ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରର ମାଓବାଦୀମାନଙ୍କୁ ତାଲିମ, ଗୁଳିଗୋଳା ଦେଇଥିବାର ପ୍ରମାଣ ଅଛି। ଛତିଶଗଡ଼ର ସୁକୁମାର ଦରଭାରେ ୨୫ ମେ, ୨୦୧୩ରେ ହୋଇଥିବା ମାଓ ଆକ୍ରମଣରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିଲା, ଯେଉଁଥିରେ ଛତିଶଗଡ଼ କଂଗ୍ରେସ ଦଳର ଜଣେ ପୂର୍ବତନ ମନ୍ତ୍ରୀ ମହେନ୍ଦ୍ର ଶର୍ମା ଓ ଛତିଶଗଡ କଂଗ୍ରେସର ମୁଖ୍ୟ ନନ୍ଦ ପଟେଲ ଥିଲେ। ଫେବୃୟାରୀ ୧୫, ୨୦୧୦ରେ ପଶ୍ଚିମବଙ୍ଗର ସିଲଦାରେ ମାଓବାଦୀମାନେ ଇଷ୍ଟର୍ନ ଫ୍ରଣ୍ଟ ରାଇଫଲର ୨୪ ଯବାନଙ୍କୁ ହତ୍ୟା କରିଥିଲେ। ୬ ଏପ୍ରିଲ ୨୦୧୦ରେ ଦାନ୍ତଓ୍ବୋଡାରେ ମାଓବାଦୀମାନେ ୭୬ କେନ୍ଦ୍ରୀୟ ସୁରକ୍ଷା ସିପାହିଙ୍କୁ ହତ୍ୟା କରିଥିଲେ। ୦୩ ଏପ୍ରିଲ ୨୦୨୧ରେ ସୁକ୍‌ମାରେ ୨୨ ସିପାହିଙ୍କୁ ମାରିଥିଲେ ମାଓବାଦୀ। ଏହାଛଡ଼ା ଯିଏ ତାଙ୍କର କଥା ନ ମାନିଲା ତାକୁ ପୋଲିସ ଇନଫର୍ମର କହି ସରଳ ନିରୀହ ଆଦିବାସୀଙ୍କୁ ହତ୍ୟା କରିବା ମାଓବାଦୀଙ୍କର ନିୟମିତ କାମ ହୋଇଆସିଛି।
ରୁଷିଆରେ ସମାଜବାଦ ନାଁରେ ବାମପନ୍ଥୀମାନଙ୍କ ଦ୍ୱାରା ୧୯୧୭ରୁ ୧୯୫୯ ଭିତରେ ୧ କୋଟି ଲୋକଙ୍କର ହତ୍ୟା ହୋଇଥିଲା। ୧୯୮୯ରେ ଚାଇନାରେ ହୋଇଥିବା ଛାତ୍ର ଆନ୍ଦୋଳନକୁ ଦମନ କରିବା ପାଇଁ ଚାଇନାର ବାମପନ୍ଥୀ ସରକାର ଟିନାମେନ ଛକରେ ଆଖିବୁଜା ଗୁଳିଚାଳନା କରିଥିଲେ। ୧୦ ହଜାର ଛାତ୍ର, ସାଧାରଣ ଜନତା ଜୀବନ ହରାଇଥିଲେ। କ୍ୟୁବାର କମ୍ୟୁନିଷ୍ଟ ଶାସକ ଫିଡେଲ କାଷ୍ଟ୍ରୋଙ୍କର ବର୍ବରତା ସାରା ଦୁନିଆ ଜାଣିଛି। ଉତ୍ତର କୋରିଆର ବାମପନ୍ଥୀ ରାଷ୍ଟ୍ରପତି କିମଙ୍କର ଏକଚ୍ଛତ୍ରବାଦୀ ପାଗଳାମିର ଚର୍ଚ୍ଚା, ସବୁବେଳେ ଯୁଦ୍ଧ ଘୋଷଣାର ଧମକ ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ। ୭୦ ଦଶକରେ ବାମବାଦ ଆତଙ୍କବାଦୀ ଯାହାକୁ ରେଡ୍‌ ଆର୍ମି ବୋଲି ମଧ୍ୟ କୁହାଯାଉଥିଲା ତାହା ସାରା ବିଶ୍ୱରେ ବ୍ୟାପିଥିଲା। ଆମେରିକା, କାନାଡା, ଜାପାନ ଭଳି ଦେଶ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ। ଭାରତରେ ଏବେ ଚାଲୁଥିବା ନକ୍ସଲ ଆନ୍ଦୋଳନ ସେହି ୭୦ ଦଶକରେ ସାରା ବିଶ୍ୱରେ ହୋଇଥିବା ବାମବାଦ ଆତଙ୍କବାଦରୁ ସୃଷ୍ଟି।
ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ପ୍ରକାଶ ପାଉଥିବା ‘ଦି ହାର୍ଭାର୍ଡ କ୍ରିମଶନ’ରେ ପ୍ରକାଶିତ ଏକ ସନ୍ଦର୍ଭରେ କୁହାଯାଇଛି ଯେ, କମ୍ୟୁନିଜମ ବିଚାରଧାରାର ସମୁଦାୟ ୧୦୦ ବର୍ଷର ଇତିହାସ, ଯେଉଁଥିରେ ସେମାନେ ୧୦୦ ମିଲିୟନ ଲୋକଙ୍କର ହତ୍ୟା କରିଛନ୍ତି। କମ୍ୟୁନିଜମ ଯେଉଁଠି କ୍ଷମତାକୁ ଆସିଛି ସବୁଠାରେ ବର୍ଗ ସଂଘର୍ଷ ନାଁରେ ଲକ୍ଷ ଲକ୍ଷ ଲୋକଙ୍କର ହତ୍ୟା ହୋଇଛି ଓ କମ୍ୟୁନିଷ୍ଟମାନେ ସରକାର ତିଆରି କରିଛନ୍ତି। ୧୯୯୭ରେ ଷ୍ଟିଫେନାସ କର୍ସସ, ନିକୋଲାସ ଓ୍ବାର୍ଥଙ୍କ ଦ୍ୱାରା ଲିଖିତ ‘ଦି ବ୍ଲାକ ବୁକ୍‌ ଅଫ କମ୍ୟୁନିଜମ’ ପୁସ୍ତକରେ କମ୍ୟୁନିଷ୍ଟମାନଙ୍କର ସରକାର କେଉଁଠି କେଉଁଠି ଆସିଲା ବେଳେ କ’ଣ କ’ଣ ଘଟିଥିଲା ସେ ସବୁର ତଥ୍ୟ ଅଛି, ଯାହାନୁସାରେ କମ୍ୟୁନିଜମମାନଙ୍କ ପାଇଁ ୯୪ ମିଲିୟନ ଲୋକଙ୍କର ଜୀବନ ଯାଇଛି; ଯେଉଁଥିରେ ଗଣହତ୍ୟା, ବନ୍ଦୀଶାଳାରେ ହତ୍ୟା, ଯୁଦ୍ଧ, ଅନାହାର ମୃତ୍ୟୁ ଆଦି ସାମିଲ ଅଛି। ସବୁଠାରୁ ବେଶି ହୋଇଛି ରୁଷିଆ ଏବଂ ଚାଇନାରେ। ବିଶ୍ୱରେ ଅନେକ ଦେଶ ଏହି ବାମ ଆତଙ୍କରେ ପ୍ରଭାବିତ ହୋଇଛନ୍ତି। କାନାଡା, ଆମେରିକା, ପେରୁ, କଲମ୍ବିଆ, ବେଲଜିୟମ, ଇଟାଲି, ସ୍ପେନ, ଜର୍ମାନୀ, ଗ୍ରୀସ, ଫ୍ରାନ୍ସ, ତୁର୍କୀ, ପର୍ତ୍ତୁଗାଲ ସମସ୍ତେ କ୍ଷତିଗ୍ରସ୍ତ ହୋଇଛନ୍ତି, ଆଭ୍ୟନ୍ତରୀଣ ହିଂସାର ସମ୍ମୁଖୀନ ହୋଇଛନ୍ତି। ପେରୁରେ ବାମ ଆତଙ୍କବାଦ ସଙ୍ଗଠନଗୁଡ଼ିକ ଦ୍ୱାରା ପାଖାପାଖି ୩୧ ହଜାର ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ପେରୁର ସରକାରୀ ତଥ୍ୟ କହୁଛି। ରୁଷିଆରେ କମ୍ୟୁନିଜମ୍‌ର ପତନ ପରେ ବିଶ୍ୱରେ ଅନେକ ଦେଶରେ ବାମପନ୍ଥୀ ଉଗ୍ରବାଦୀ ସଙ୍ଗଠନଗୁଡ଼ିକ ଦୁର୍ବଳ ହୋଇଗଲେ।
କିଛି ବର୍ଷ ତଳେ ବସ୍ତରର ସୁକ୍‌ମା ଜିଲାରେ ମାଓବାଦୀମାନେ ଜଣେ ସ୍କୁଲ ଛାତ୍ର କୁଞ୍ଜାମୀ ଶଙ୍କରଙ୍କୁ ପୋଲିସ ଇନ୍‌ଫର୍ମର ବୋଲି କହି ଗଳା କାଟି ହତ୍ୟା କରିଥିଲେ। ସ୍କୁଲରେ ପାଠ ପଢୁଥିବା ଏହି ଛାତ୍ରଙ୍କଠାରୁ ସେହି ତଥାକଥିତ ବିପ୍ଳବୀମାନଙ୍କର କ’ଣ ଡର ଥିଲା? ମାର୍କ୍ସଙ୍କ ବର୍ଗ ସଂଘର୍ଷର ଶବ୍ଦାବଳୀରେ ଏହି ଆଦିବାସୀ ଛାତ୍ର କେଉଁ ବର୍ଗରେ ଆସୁଥିଲା? ଓଡ଼ିଶା- ଝାଡ଼ଖଣ୍ଡ ସୀମା ସୁନ୍ଦରଗଡ଼ ଜିଲାରେ ୨୦୧୧ରେ କାନ୍ଦରୀ ଲୋହାର ନାମକ ଜଣେ ହୋମ ଗାର୍ଡଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ବେଳେ ତା’ର ତିନି ବର୍ଷର ଶିଶୁକୁ ମଧ୍ୟ ଗଳାକାଟି ହତ୍ୟା କରିଥିଲେ । ଏଠାରେ ପ୍ରଶ୍ନ ଉଠେ ସେହି ତିନି ବର୍ଷର ଶିଶୁ କ’ଣ ପୁଞ୍ଜିବାଦୀ ଥିଲା ନା ଶୋଷକ ଥିଲା? ଏହିପରି ଘଟଣା ସ୍ପଷ୍ଟ କରିଥାଏ ଯେ, ମାଓବାଦୀମାନେ କୌଣସି ବୈଚାରିକ ଆନ୍ଦୋଳନ ଚଳାଉ ନାହାନ୍ତି ବରଂ ସେମାନେ ଏକ ଆତଙ୍କି ଗ୍ୟାଙ୍ଗରେ ପରିଣତ ହୋଇ ସାରିଛନ୍ତି ଓ ଆତଙ୍କ ବଳରେ କିଛି ଅଞ୍ଚଳରେ ନିଜର ସାମ୍ରାଜ୍ୟ ସ୍ଥାପିତ କରିବାକୁ ଚାହାନ୍ତି।
ହରିରାଜପୁର, ପୁରୀ
ମୋ- ୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri