ବିଶ୍ୱାସରେ ବିଷ ଓ ଅମୃତ

ଏ ଜଗତରେ ବିଶ୍ୱାସରେ ବିଷ ମିଶାଇବାର ଇତିହାସ ଏତେ ବିସ୍ତୃତ ଯେ ଗଣିଲେ ସରିବ ନାହିଁ। ବିଶ୍ୱାସର ଅମୃତଭାଣ୍ଡରେ ବିଷ ଭରିଦେବାର ହୀନ ପ୍ରକ୍ରିୟା ମଧ୍ୟରୁ ଏଠାରେ ସୃଷ୍ଟି ହୋଇଛି କେତେ କେତେ ମହାଭାରତ। ପୁଣି ଇତିହାସରେ ଲିପିବଦ୍ଧ ହୋଇଛି ଜୟଚନ୍ଦ୍ର, ଶିଖି ମନାଇ, ମିର୍‌ଜାଫର୍‌ ଆଦି ବିଶ୍ୱାସଘାତକଙ୍କ କଳଙ୍କିତ କାହାଣୀ। ଆଗ ଯୁଗର କଥା ଓ କାହାଣୀଠୁଁ ବଳି ପଡ଼ିଛି ଏ ଯୁଗରେ ଦୃଷ୍ଟିଗୋଚର ହେଉଥିବା ବିଶ୍ୱାସର ସଙ୍କଟ। ବିଶ୍ୱାସ ଏବେ ବହୁଧା ବିଷାକ୍ତ। ବିଷ ବଳୟ ମଧ୍ୟରେ ମଣିଷ ଆଜି ଏମିତି ଅବରୁଦ୍ଧ ଯେ ସ୍ବାମୀ ସ୍ତ୍ରୀ ସମ୍ପର୍କ ଅକାଳରେ ଉଜୁଡ଼ି ଯାଉଛି, ବାପ ପୁଅ, ଭାଇ ଭାଇର ସମ୍ପର୍କ ସନ୍ଦେହ ପଙ୍କରେ ଉବୁଟୁବୁ ହେଉଛି। ସଂସ୍କାରସିଦ୍ଧ ସମ୍ପର୍କ ସବୁ ଯେତେବେଳେ ଏ ପ୍ରକାର ସଙ୍କଟର ସମ୍ମୁଖୀନ, ସେତେବେଳେ ମାମୁଲି ପରିଚୟକୁ ପୁଞ୍ଜିକରି ଗଢ଼ି ଉଠିଥିବା ସମ୍ପର୍କ ଉପରେ ବିଶ୍ୱାସ ସ୍ଥାପନ କରିବା ଏତେ ସହଜ ନୁହେଁ। ତଥାପି ଏମିତି କିଛିଲୋକ ଅଛନ୍ତି, ଯେଉଁମାନେ ବିଶ୍ୱାସ ଭଳି ଶବ୍ଦଟିକୁ ଏତେ ଶୀଘ୍ର ଅବିଶ୍ୱାସ କରିପାରନ୍ତି ନାହିଁ। ଭରପୂର ବିଶ୍ୱାସର ମୁଗ୍ଧ ଅନୁଭବ ନେଇ ପ୍ରତ୍ୟେକ ମଣିଷକୁ ନିଜର ବୋଲି ମନେକରନ୍ତି।
ମାତ୍ର ବିଡ଼ମ୍ବନାର ବିଷୟ, ଏଥିପାଇଁ ବେଳେ ବେଳେ ସେମାନେ ପ୍ରତାରିତ ହୁଅନ୍ତି। ଢେର୍‌ ମୂଲ୍ୟ ଦିଅନ୍ତି ନିଜ ମାନବୀୟ ଆସ୍ଥା ଓ ବିଶ୍ୱାସ ପାଇଁ। ନିସ୍ତେଜ ହୋଇପଡ଼ନ୍ତି ବିଶ୍ୱାସର ବିଷାକ୍ତ ପ୍ରଭାବରେ। ନିକଟରେ ରାଜଧାନୀର ରାଜପଥ ଉପରେ ଏମିତି ଏକ ଘଟଣା ଘଟିଗଲା, ଯାହା କେବଳ ସେଇ ଭୁକ୍ତଭୋଗୀ ଯୁବକଙ୍କ ଉଦାର ମାନବିକତା ଉପରେ ଏକ ପ୍ରଚଣ୍ଡ ପ୍ରହାର ଥିଲା, ତାହା ନୁହେଁ, ବରଂ ଭବିଷ୍ୟତରେ ଏ ପ୍ରକାର ମାନବୀୟ ଆବେଦନର ଆହ୍ବାନରେ ପ୍ରଭାବିତ ହେଉଥିବା ଉଦାର ଲୋକଙ୍କ ପାଇଁ ଥିଲା ଏକ ତୀବ୍ର ଚେତାବନୀ। ଯୁବକ ଜଣକ ସ୍କୁଟରରେ ଯାଉଥିବା ବେଳେ ଜଣେ ପଥଚାରୀ ଯୁବକ ତାଙ୍କୁ ଲିଫ୍ଟ ମାଗିଲେ। ମାନବିକତାର ଆହ୍ବାନରେ ଗାଡ଼ି ଅଟକାଇ ତାଙ୍କ ପଛରେ ଯୁବକଙ୍କୁ ବସାଇଲେ ଚାଳକ। କିଛି ବାଟ ଆସିଛନ୍ତି, ଏକ ତୀକ୍ଷ୍ଣ ଛୁରି ମୁନର ଆଘାତ ସହିତ ଗାଡ଼ି ରଖିବାକୁ ଆଦେଶ ପାଇଲେ ସେ। ସମ୍ଭାବ୍ୟ ଅଘଟଣ ଆଶଙ୍କାରେ ଗାଡ଼ି ରଖିଲେ ଚାଳକ। ଆଖିପିଛୁଳାକେ ସ୍କୁଟର ଚାଳକଙ୍କୁ କାବୁ କରିନେଇ ତାଙ୍କୁ ଗାଡ଼ିରୁ ଓହ୍ଲାଇ ଦେଲେ ସେଇ ଅଜଣା ପ୍ରତାରକ ଓ ନିଜେ ଗାଡ଼ି ନେଇ ଭିଡ଼ ମଧ୍ୟରେ ହଜିଗଲେ। ଅସହାୟ ସ୍କୁଟର ମାଲିକ ସେମିତି ଛିଡ଼ା ହୋଇରହିଲେ ନିଜ ଉଦାରତାକୁ ଅଭିଶାପ ଦେଇ; ଅଜଣା ଲୋକ ଉପରେ ପ୍ରକଟ କରିଥିବା ବିଶ୍ୱାସ ଉପରେ ମୁଣ୍ଡକୋଡ଼ି କାନ୍ଦିବା ପାଇଁ।
ଏ ତ ଗଲା ଜଣେ ଅଜଣା ଅପରିଚିତ ଲୋକ ଉପରେ ବିଶ୍ୱାସର ବିଷାକ୍ତ ପରିଣାମ। ମାତ୍ର ଯେତେବେଳେ ଚିହ୍ନାଜଣା ଲୋକଙ୍କ ଉପରେ ବିଶ୍ୱାସ ସ୍ଥାପନ କରି ମଣିଷ ପ୍ରତାରିତ ହୁଏ, ତାହା ବିପର୍ଯ୍ୟସ୍ତ ମାନବତାର ଆଉ ଏକ ଭୟଙ୍କର ଫଳଶ୍ରୁତି। କେଇଦିନ ତଳେ ଏ ସଂକ୍ରାନ୍ତୀୟ ଏକ ଦୁଃସମ୍ବାଦ ଚେତନାକୁ ଚହଲାଇ ଦେଇଥିଲା। ଅବିବାହିତା ତରୁଣୀଟିଏ ତାଙ୍କ ଭଉଣୀ ଘରୁ ନିଜ ଘରକୁ ଫେରୁଥିବା ବେଳେ ତାଙ୍କ ବସ୍‌ଟି ପ୍ରାୟ ଦୁଇଘଣ୍ଟା ବିଳମ୍ବରେ ପହଞ୍ଚତ୍ଲା। ରାତି ନଅଟା ବାଜି ଯାଇଥିବାରୁ ଏବଂ ତାଙ୍କ ଗଁାକୁ ଯିବା ପାଇଁ ଆଉ କୌଣସି ସାଧନ ନ ଥିବାରୁ ଝିଅଟି ଫୋନ୍‌ କରି ନିଜ ଭାଇକୁ ଡାକିବାକୁ ଉପକ୍ରମ କରୁଥିବାବେଳେ ନିଜ ଗଁା ପାଖର ଜଣେ ପରିଚିତ ଯୁବକଙ୍କ ସହାୟତା ମିଳିଲା। ସେହି ସମୟରେ ସେ ଗଁାକୁ ଫେରୁଥିବାରୁ ଚିହ୍ନାଝିଅଟିକୁ ନେଇ ତାଙ୍କ ଘରେ ପହଞ୍ଚାଇ ଦେବାର ପ୍ରସ୍ତାବ ରଖିଲା। ଝିଅଟି ତା’ ବାଇକ୍‌ ପଛରେ ବସିଗଲା। ପରବର୍ତ୍ତୀ ପରିଣତି ହେଲା ଅତ୍ୟନ୍ତ ଲୋମହର୍ଷଣକାରୀ। ସହରତଳି ଅଞ୍ଚଳର ଏକ ନିଭୃତ କୋଠରିରେ ଝିଅଟିକୁ ବନ୍ଦୀ ରଖି ସେଇ ଯୁବକ ନିଜର ତିନି ସାଥୀଙ୍କ ସହ ମିଶି ଦୀର୍ଘ ତିନିଦିନ କାଳ ଝିଅଟିକୁ ଗଣବଳାତ୍କାର କରିଥିବାର ଖବର କେବଳ ଝିଅଟିର ବିଶ୍ୱାସରେ ବିଷ ଭରିଦେଇ ନ ଥିଲା, କଥାଟି ଶୁଣିଥିବା ସବୁ ମଣିଷଙ୍କ ଶବ୍ଦକୋଷରୁ ବିଶ୍ୱାସକୁ ଚିରଦିନ ପାଇଁ ନିର୍ବାସିତ କରିଦେଇଥିଲା।
ବିଶ୍ୱାସରେ ବିଷକୁ ନେଇ ଏମିତି ଢେର୍‌ ଘଟଣା। ଘଟଣା ତ ନୁହେଁ ଗୋଟିଏ ଗୋଟିଏ ଦୁର୍ଘଟଣା, ଯାହାର ପ୍ରଭାବ ଥରକରେ ସରିଯାଏ ନାହିଁ। ଯେତେ ହାତ ଟେକିଲେ ବି କେହି କାହାକୁ ଲିଫ୍ଟ ଦିଅନ୍ତି ନାହିଁ କି ଯେତେ ପରିଚିତ ହେଲେ ବି ଝିଅଟିଏ କେଉଁ ପୁରୁଷର ବାଇକ୍‌ ପଛରେ ବସିଯାଏ ନାହିଁ। ବିଶ୍ୱାସର ଅମୃତ କଳସରେ ଟୋପାଏ ବିଷର ପ୍ରଭାବ କେତେ ବ୍ୟାପକ, କେତେ ଭୟଙ୍କର ସତେ!
ତଥାପି ସବୁ କଥାରେ କିଛି ନା କିଛି ବ୍ୟତିକ୍ରମ ଥିଲା ଭଳି ଏ କଥାରେ ମଧ୍ୟ ଏମିତି କିଛି ବ୍ୟକ୍ତିକ୍ରମ ପରିଲକ୍ଷିତ ହୁଏ। ଯାହା ବିଶ୍ୱାସରେ ବିଷ ଭଳି ଏକ ବହୁ କଥିତ ପ୍ରବାଦକୁ ଅସତ୍ୟ ପ୍ରମାଣିତ କରେ। ହଁ, ଏ କଥା ସେଇମାନଙ୍କୁ ନେଇ, ଯେଉଁମାନେ ବିଷରେ ବି ବିଶ୍ୱାସ ସ୍ଥାପନ କରନ୍ତି। ଏଇ ଜଗତଟା ଯେତେ ବିଷମୟ ହେଲେ ବି ତାହା ମଧ୍ୟରେ ଅମୃତ ସନ୍ଧାନ କରୁଥିବା ଏ ପ୍ରକାର ଲୋକମାନଙ୍କୁ ଦେଖିଲେ ମନେହୁଏ ଏଇମାନଙ୍କୁ ଆଶ୍ରା କରି ବିଶ୍ୱାସ ଭଳି ଶବ୍ଦଟି ଏ ପର୍ଯ୍ୟନ୍ତ ଏଇ ଜଗତରେ ତିଷ୍ଠି ରହିଛି। ବଞ୍ଚି ରହିଛି ଏ ଯାବତ୍‌ ସମଗ୍ର ବସୁଧାକୁ କୁଟୁମ୍ବ ମନେକରିବାର ସେଇ ପ୍ରାଚୀନ ବେଦବାଣୀ। ବିଷଗ୍ରସ୍ତ ଦୁନିଆରେ ଏମାନେ ପ୍ରକୃତରେ ଅନନ୍ୟ, ଅସାଧାରଣ। ବିଷରେ ବିଶ୍ୱାସ ରଖି ଏକ ଅମୃତମୟ ଅନୁଭବର ଅଧିକାରୀ ହୋଇଥିବା ଏମାନଙ୍କ ବଡ଼ପଣ ପ୍ରତି ଶଙ୍କାଗ୍ରସ୍ତ ମଣିଷ ସମୁଦାୟର କୋଟି କୋଟି ପ୍ରଣାମ।
ଏ ସମ୍ପର୍କରେ ଛୋଟ ଏକ ଘଟଣା। ଘଟଣାଟିର ଆବେଦନ ସାଧାରଣ ଜୀବନରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଜଣେ ବନ୍ଧୁଙ୍କ ପରିବାର ଗଁାକୁ ଯାଇଥିବାରୁ ନିଜ ସରକାରୀ କ୍ୱାର୍ଟରରେ ଏକା ରହୁଥିଲେ ସେ। ଦିନେ ଏକ ହୋଟେଲକୁ ଖାଇବାକୁ ଗଲେ ଯେ ଖାଇସାରି ବିଲ୍‌ ଭରଣା କରିବାକୁ ଯାଇ ଦେଖିଲେ ପକେଟରେ ପର୍ସ ନାହିଁ। ହୋଟେଲ ମାଲିକ ପରିଚିତ ନ ଥିବାରୁ ବିଲ୍‌ ବାବଦକୁ ଶହେ କୋଡିଏ ଟଙ୍କା କେମିତି ଭରିବେ। ସେ ନେଇ କିଛି କ୍ଷଣ ଚିନ୍ତା କରି ଶେଷରେ ସେ ନିଜ ହାତଘଣ୍ଟାଟି ଦୋକାନୀଙ୍କ ଆଗରେ ରଖିଲେ ଓ ଘରୁ ପର୍ସ ଆଣି ତାଙ୍କ ଦେୟ ଭରଣା କରି ଘଣ୍ଟାଟି ନେଇଯିବା ପାଇଁ କହିଲେ। ହୋଟେଲ ମାଲିକ କହିଲେ, ଘଣ୍ଟାଟି ହାତରେ ବାନ୍ଧନ୍ତୁ। ମୋ ପ୍ରାପ୍ୟ ମିଳିଯିବ ବୋଲି ମୋର ବିଶ୍ୱାସ ଅଛି। ପାଖରେ ପର୍ସ ନ ଥିବାରୁ ଲଜ୍ଜା ଓ ଅନୁଶୋଚନାକୁ ଗୋଟିଏ ମୁହୂର୍ତ୍ତରେ ଗିଳିଦେଲା ତାଙ୍କ ପରି ଜଣେ ଦିନିକିଆ ଗରାଖ ଉପରେ ହୋଟେଲ ମାଲିକଙ୍କ ଆସ୍ଥା ଓ ବିଶ୍ୱାସ। ଏକ ଅନିର୍ବଚନୀୟ ମୁଗ୍ଧ ଅନୁଭବରେ ବନ୍ଧୁଙ୍କ ବିକଳ ମୁହଁଟି ବେଶ୍‌ ଉଜ୍ଜ୍ୱଳ ହୋଇଉଠିଲା।
ଆଉ ଏକ ଘଟଣା। କଟକରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ନିଜ ସ୍କୁଟରରେ ଭୁବନେଶ୍ୱର ଫେରୁଥିଲେ ନିର୍ମଳ। ସାଙ୍ଗରେ ଥିଲେ ଯୁବାପନତ୍ୀ ଓ ଆଠବର୍ଷର ଝିଅ। ରାତି ଦଶଟା ବାଜି ସାରିଥିଲା। ନିଜ ଘରେ ପହଞ୍ଚିବାକୁ ଆହୁରି ଅଧା ବାଟ ବାକି ଥିଲା ବେଳେ ଅଚାନକ ତାଙ୍କ ଗାଡ଼ିଟି ଅସଜ ହୋଇଗଲା। ପାଖ ଦେଇ ଦୌଡ଼ୁଥିବା କିଛି ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କଲେ ସେ। ମାତ୍ର ନିଜ ନିଜର ଦୁନିଆରେ ବଞ୍ଚୁଥିବା ଲୋକମାନଙ୍କର ସମୟ ନ ଥିଲା ନିର୍ମଳଙ୍କ ଦୁଃଖ ମୋଚନ ପାଇଁ। ପ୍ରାୟ ଅଧଘଣ୍ଟାଏ ବିତିଗଲା ପରେ ପାଖରେ କାର୍‌ଟିଏ ବ୍ରେକ୍‌ କଶିଲା। କାର୍‌ ଚାଳକ ନିଜେ ସେଇ ଗାଡ଼ିର ମାଲିକ। ସବୁ ଶୁଣି ସେ ସ୍କୁଟରଟିକୁ ପାଖ ଚା ଦୋକାନୀଙ୍କ ଜିମାରେ ରଖି ସେମାନଙ୍କୁ ନିଜ ଗାଡ଼ିରେ ଭୁବନେଶ୍ୱର ନେଇ ଯିବାକୁ ପ୍ରସ୍ତାବ ଦେଲେ। ତାଙ୍କ ଉଦାରତାକୁ ସନ୍ଦେହ ଆଖିରେ ଦେଖିବାର ଯଥେଷ୍ଟ କାରଣ ଥିବାରୁ ନିର୍ମଳଙ୍କ ସ୍ତ୍ରୀ ଅରାଜି ହେଲେ। ନିଜ ସ୍ତ୍ରୀଙ୍କୁ ବୁଝାଇ ରାଜି କରାଇବା ପାଇଁ ନିର୍ମଳଙ୍କ ଅପେକ୍ଷା ଅଧିକ ଉଦ୍ୟମ କଲେ କାର୍‌ ମାଲିକ ଓ ନିରାପଦରେ ଆଣି ସେମାନଙ୍କୁ ଘରେ ଛାଡ଼ି ଦେଲେ। ସ୍ବାମୀସ୍ତ୍ରୀ ଦୁହେଁ କାର୍‌ରୁ ଓହ୍ଲାଇ କେବଳ ଧନ୍ୟବାଦ ଦେଇଥିଲା ବେଳେ ସେମାନଙ୍କ ଆଠବର୍ଷର କୁନି ଝିଅଟିର ପ୍ରତିବେଦନ ଥିଲା ଅତ୍ୟନ୍ତ ହୃଦୟସ୍ପର୍ଶୀ। ନଇଁପଡ଼ି ସେ ସେଇ ଅଚିହ୍ନା ଅଜଣା ଅଙ୍କଲଙ୍କ ପାଦ ଛୁଇଁ ପ୍ରଣାମ କରିଥିଲା। ଅମୃତ ଆସ୍ବାଦନ ଆଉ କାହାକୁ କହନ୍ତି କି!

ଅଧ୍ୟାପକ ନିରଞ୍ଜନ ପାଢ଼ୀ

ପ୍ରଜ୍ଞାନିଳୟ, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

ବଜେଟ: ବିକଶିତ ଭାରତ, ଓଡ଼ିଶାର ନକ୍ସା

ସଂସଦରେ ମୋଦି ସରକାରଙ୍କର ଦ୍ୱାଦଶ ବର୍ଷରେ ଦେଶର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲଗାତର ନବମ ଥର ପାଇଁ ଦେଶର ବଜେଟ ଉପସ୍ଥାପନ କରିଛନ୍ତି। ନୂତନ ସଂସଦ…

ବୋତଲ ବେପାର

ପାଣିର ଉପସ୍ଥିତି ଯୋଗୁ ପୃଥିବୀରେ ଆମେ ତିଷ୍ଠିଛେ। ସେହି ପାଣି ଏବେ ଦ୍ରୁତଗତିରେ ପ୍ରଦୂଷିତ ହେବାରେ ଲାଗିଛି। କୁହାଯାଉଛି, ଭବିଷ୍ୟତରେ ସବୁଠାରୁ ବଡ଼ ସଙ୍କଟ ଭାବେ ଜଳ…

ଏଇ ଭାରତରେ

ପଶ୍ଚିମବଙ୍ଗ ବାଙ୍କୁଡ଼ା ସେନଜୁତି ମାହାତୋ ଓ ଅଭିଷେକ ଚୌଧୁରୀ ସେହି ଅଞ୍ଚଳର ଖଜୁରି ଗୁଡ଼ ଉତ୍ପାଦନ କରି ସେଠାକାର ଏହି ପାରମ୍ପରିକ ଉତ୍ପାଦକୁ ବଞ୍ଚାଇ ରଖିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri