ସରକାରୀ ସ୍କୁଲ ପାଇଁ ଯୋଜନା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ଚଳିତବର୍ଷ ସରକାରୀ ସ୍କୁଲଗୁଡ଼ିକୁ ସଶକ୍ତ ଓ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ ଉଦ୍ୟମ ସୂଚେଇ ଦେଉଛି ଯେ, ସରକାରୀ ସ୍କୁଲଗୁଡ଼ିକ ସେମାନଙ୍କ ଆକର୍ଷଣ ହରାଇଛନ୍ତି। ଏଣୁ ସେଗୁଡ଼ିକୁ ସଶକ୍ତ, ଦକ୍ଷ ଓ ଆକର୍ଷଣୀୟ କରିବା ପାଇଁ ସରକାରଙ୍କ ଦୁଇଟି ନିଷ୍ପତ୍ତି ବିଷୟରେ ଆଲୋଚନା କରିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ। ପ୍ରଥମଟି ହେଉଛି ପୋଷ୍ୟ ସ୍କୁଲ ଗ୍ରହଣ ଏବଂ ଦ୍ୱିତୀୟଟି ଡାକ୍ତରୀ ଓ ଇଞ୍ଜିନିୟରିଂ ଶିକ୍ଷାରେ ସରକାରୀ ସ୍କୁଲର ଛାତ୍ରୀଛାତ୍ରମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ। ପୋଷ୍ୟ ସ୍କୁଲ ଗ୍ରହଣ ‘ମୋ ସ୍କୁଲ’ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ବୋଲି କୁହାଯାଉଛି। ଏହାରି ମଧ୍ୟରେ ଅନେକ ସ୍କୁଲକୁ ପୁରାତନ ଛାତ୍ରୀଛାତ୍ରମାନେ ପ୍ରଭୂତ ଅର୍ଥଦାନ କରିଛନ୍ତି ଓ ସରକାର ଦୁଇଗୁଣ ଅର୍ଥ ଦେଇ ସେହି ସ୍କୁଲଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି କରୁଛନ୍ତି। ଏହି ଯୋଜନାରେ ସୁନ୍ଦର କୋଠା ସାଙ୍ଗକୁ ବିଜ୍ଞାନାଗାର, ପାଠାଗାର, ଖେଳପଡ଼ିଆ ଆଦିର ଉନ୍ନତି କରାଯାଇ ସ୍କୁଲଗୁଡ଼ିକୁ ଆକର୍ଷଣୀୟ କରାଯାଇଛି। ମାତ୍ର ବିଡ଼ମ୍ବନାର ବିଷୟ ଯେ, ଅଧିକାଂଶ ସ୍କୁଲରେ ଆବଶ୍ୟକ ସବୁ ବିଷୟରେ ତାଲିମପ୍ରାପ୍ତ ଶିକ୍ଷକ ନାହାନ୍ତି। ସ୍କୁଲ ପାଇଁ ଆକର୍ଷଣୀୟ ଭିତ୍ତିଭୂମିର ଆବଶ୍ୟକତା ଥାଇପାରେ, ମାତ୍ର ଉପଯୁକ୍ତ ତାମିଲପ୍ରାପ୍ତ ସମର୍ପିତ ଶିକ୍ଷକ ବିନା ଉନ୍ନତ ଶିକ୍ଷାର କଳ୍ପନା କରାଯାଇ ନ ପାରେ। ସମ୍ପ୍ରତି ଆଉ ସମର୍ପିତ ଶିକ୍ଷକ ନାହାନ୍ତି। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ବନ ବିଦ୍ୟାଳୟର ଆଜିଭଳି ଆକର୍ଷଣୀୟ ଭିତ୍ତିଭୂମି ନ ଥିଲା, ମାତ୍ର ତାହା ଥିଲା ଆଦର୍ଶ ଶିକ୍ଷକମାନଙ୍କ ସାଧନା କେନ୍ଦ୍ର। ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର ସମସ୍ତେ ଥିଲେ ଉଚ୍ଚ ଶିକ୍ଷିତ। ସେମାନଙ୍କ ପାଇଁ ଶିକ୍ଷକତା ଏକ ବ୍ରତ ଥିଲା, ବୃତ୍ତି ନୁହେଁ, ଜୀବନ ଥିଲା, ଜୀବିକା ନୁହେଁ। ଯେଉଁଦିନ ପଣ୍ଡିତ ଗୋଦାବରୀଶ ମିଶ୍ର ସତ୍ୟବାଦୀ ବନବିଦ୍ୟାଳୟରେ ଯୋଗ ଦେଲେ ସେଦିନ ଏକ ସ୍ବାଗତ ସଭା ଅନୁଷ୍ଠିତ ହୋଇଥିଲା। ସେହିଦିନର ଅନୁଭବ ବର୍ଣ୍ଣନା କରି “ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ” ପୁସ୍ତକରେ ସେ ଲେଖିଛନ୍ତି, ସେଦିନ ମୋତେ ଆଉ ଥରେ ବ୍ରତ ହେଲା ପରି ଲାଗିଲା। ମୋ ଆଖିରୁ ଅବିରଳ ଲୁହ ବହିଯାଉଥାଏ। ମାତ୍ର ମୁଁ ପାଟି ଫିଟାଇ କିଛି କହି ପାରିଲି ନାହିଁ। କେବଳ ଯେଉଁ ଗୁରୁଦାୟିତ୍ୱ ମୁଣ୍ଡାଇବାକୁ ଯାଉଥିଲି ତା’ ଭାରରେ ମୋ ମୁଣ୍ଡ ଭାଜି ଯାଉଥାଏ। ମାତ୍ର ଆଜି ଶିକ୍ଷକତା ଆଉ ବ୍ରତ ହୋଇ ରହିନାହିଁ, ହୋଇଛି ଏକ ବୃତ୍ତି। ପୁନଶ୍ଚ ଅଧିକାଂଶ ଶିକ୍ଷକ ସେହି ବୃତ୍ତିକୁ ମଧ୍ୟ ସମର୍ପିତ ଭାବରେ ନିର୍ବାହ କରୁନାହାନ୍ତି। ସେପରି କ୍ଷେତ୍ରରେ ସ୍କୁଲର ଭିତ୍ତିଭୂମି ଯେତେ ଦୃଢ଼ କରାଗଲେ ମଧ୍ୟ ଉପଯୁକ୍ତ ସମର୍ପିତ ଶିକ୍ଷକ ବିନା ଶିକ୍ଷାର ଲକ୍ଷ୍ୟ ସାଧିତ ହେବ ନାହିଁ।
ସମ୍ପ୍ରତି ଘୋଷିତ ହୋଇଥିବା ପୋଷ୍ୟସ୍କୁଲ ଯୋଜନା ମଡେଲ ସ୍କୁଲ ବା ଆଦର୍ଶ ବିଦ୍ୟାଳୟ ଯୋଜନାକୁ ମନେପକାଇ ଦିଏ। ସରକାର ପବ୍ଲିକ ସ୍କୁଲ ଶୈଳୀରେ ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏ ମଡେଲ ସ୍କୁଲ ପ୍ରତିଷ୍ଠା କରିଛନ୍ତି। ଏହି ସ୍କୁଲଗୁଡ଼ିକରେ ବିଜ୍ଞାନ, ଗଣିତ, ଇଂଲିଶ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଭଲ ବହି ଓ ପତ୍ରପତ୍ରିକାଯୁକ୍ତ ପାଠାଗାର ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ସୁନ୍ଦର କୋଠା ଓ ଭିତ୍ତିଭୂମି ମଧ୍ୟ ନିର୍ମାଣ କରାଯାଇଛି। ଯାହା କିଛି ଶ୍ରେଷ୍ଠ ଓ ଅନୁକରଣଯୋଗ୍ୟ ତାକୁ ଇଂଲିଶରେ ମଡେଲ ଓ ଓଡ଼ିଆରେ ଆଦର୍ଶ କୁହାଯାଏ। ସୀମିତ ସଂଖ୍ୟକ ପିଲାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦେଇ ପ୍ରତି ବ୍ଲକରେ ମୁଣ୍ଡ ଟେକିଥିବା ଗୋଟିଏ ଲେଖାଏ ସ୍କୁଲ ଅନ୍ୟ ସ୍କୁଲଗୁଡ଼ିକ ପାଇଁ ଅନୁକରଣୀୟ ହେବ। ସେହି ବ୍ଲକର ସମସ୍ତ ଅଣମଡେଲ ସ୍କୁଲର ଶିକ୍ଷକ ଓ ଛାତ୍ରୀଛାତ୍ର ଏହି ମଡେଲ ସ୍କୁଲକୁ ଦେଖିବେ ଓ ଉଦ୍‌ବୁଦ୍ଧ ହେବେ। ଏହି ଅଣମଡେଲ ସ୍କୁଲଗୁଡ଼ିକର ସଂଖ୍ୟା ବେଶି। ସେଠାରେ ଆଦର୍ଶ ଶିକ୍ଷା ପାଇଁ ଭିତ୍ତିଭୂମି ନାହିଁ, ଯୋଗ୍ୟ ଶିକ୍ଷକ ନାହାନ୍ତି, ଉନ୍ନତ ପାଠାଗାର ନାହିଁ। ସେଠି କେବଳ ମଧ୍ୟାହ୍ନ ଭୋଜନ, ସାଇକେଲ, ୟୁନିଫର୍ମ ଓ ବହି ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଅଣମଡେଲ ସ୍କୁଲଗୁଡ଼ିକ ମଡେଲ ସ୍କୁଲକୁ କିପରି ଅନୁକରଣ କରିବେ ବୁଝା ପଡୁନାହିଁ। ବରଂ ଏହି ମଡେଲ ସ୍କୁଲ ପ୍ରତିଷ୍ଠିତ ହେବା ପରେ ଦୁଇ ପ୍ରକାର ଶିକ୍ଷା ପ୍ରଣାଳୀ ପ୍ରଚଳିତ ହୋଇଛି। ଖୁବ୍‌ ଅଳ୍ପ ସଂଖ୍ୟକ ଛାତ୍ରୀଛାତ୍ର ସମସ୍ତ ଶୈକ୍ଷିକ ସୁବିଧା ସୁଯୋଗ ପାଇ ମଡେଲ ସ୍କୁଲରେ ପଢ଼ୁଛନ୍ତି ଓ ବହୁ ସଂଖ୍ୟକ ଛାତ୍ରୀଛାତ୍ର ସାଧାରଣ ସ୍କୁଲରେ ପଢ଼ି ସେହିସବୁ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି।
ସମ୍ପ୍ରତି ଘୋଷିତ ହୋଇଥିବା ପୋଷ୍ୟ ସ୍କୁଲ ଯୋଜନା ଏହି ମଡେଲ ସ୍କୁଲ ଯୋଜନାର ସମ୍ପ୍ରସାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାନ ଉଚ୍ଚ ପଦାଧିକାରୀମାନେ ଓ ବିଧାୟିକା ବିଧାୟକମାନେ ଗୋଟିଏ କିମ୍ବା ଦୁଇଟି ଲେଖାଏ ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିବା ପାଇଁ ଘୋଷଣା କରିସାରିଲେଣି। ଏହା ଅବଶ୍ୟ ସ୍ବାଗତଯୋଗ୍ୟ। ମାତ୍ର ଓଡ଼ିଶାରେ ଅଛି ହଜାର ହଜାର ସ୍କୁଲ। ସୀମିତ ସଂଖ୍ୟକ ଉଚ୍ଚ ପଦାଧିକାରୀ ଏବଂ ବିଧାୟିକା ବିଧାୟକ ଓଡ଼ିଶାର ସମସ୍ତ ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିବା ସମ୍ଭବ ନୁହେଁ। ସେମାନେ ଯେଉଁ ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିବେ ସେହି ସ୍କୁଲର ସର୍ବାଙ୍ଗୀନ ଉନ୍ନତି ସେମାନଙ୍କ ଧ୍ୟେୟ ହେବା ସ୍ବାଭାବିକ। କିଛିଶହ ସ୍କୁଲ ପୋଷ୍ୟ ହେବା ବେଳେ ହଜାର ହଜାର ସ୍କୁଲ ଅଣପୋଷ୍ୟ ହୋଇ ଅବହେଳିତ ହେବେ ଓ ଦ୍ୱିତୀୟ ଶ୍ରେଣୀର ସ୍କୁଲ ଭାବରେ ପରିଚିତ ହେବେ। ଯେଉଁ ଛାତ୍ରୀଛାତ୍ରମାନେ ପୋଷ୍ୟ ସ୍କୁଲରେ ପଢ଼ିବା ପାଇଁ ସୁଯୋଗ ପାଇବେ ସେମାନେ ନିଜକୁ ଭାଗ୍ୟବାନ୍‌ ମଣିବେ ଓ ଅନ୍ୟମାନେ ସେହି ସୁଯୋଗରୁ ବଞ୍ଚିତ ହୋଇ ଅଣପୋଷ୍ୟ ସ୍କୁଲରେ ପଢ଼ି ନିଜକୁ ହତଭାଗା ମଣିବେ। ଅଳ୍ପ ସଂଖ୍ୟକ ମଡେଲ ସ୍କୁଲ ପ୍ରତିଷ୍ଠା କରି ଯେପରି ଦୁଇଶ୍ରେଣୀର ଛାତ୍ରୀଛାତ୍ର ସୃଷ୍ଟି କରାଗଲା ପୋଷ୍ୟ ସ୍କୁଲ ଯୋଜନାରେ ମଧ୍ୟ ଠିକ୍‌ ସେହି ବ୍ୟବସ୍ଥାର ପୁନରାବୃତ୍ତି ହେବ। ଏଣୁ ଏହିଭଳି ବିଭାଜନ ସୃଷ୍ଟି ନ କରି ରାଜ୍ୟର ସବୁ ସ୍କୁଲ ସମାନ ଭାବରେ ସବୁ ସୁବିଧା ସୁଯୋଗ ପାଇବେ ନାହିଁ କାହିଁକି?
ସରକାରଙ୍କ ଆଉ ଏକ ନିଷ୍ପତ୍ତି ହେଲା ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ପାଇଁ ଡାକ୍ତରୀ ଇଞ୍ଜିନିୟରିଂ ଶିକ୍ଷାରେ ସ୍ଥାନ ସଂରକ୍ଷଣ। ଏହି ଦୁଇ ବିଭାଗରେ ପ୍ରବେଶ କରିବା ପାଇଁ ସରକାରୀ ସ୍କୁଲ ପିଲାମାନଙ୍କ ସଫଳତା ହାର ଅତ୍ୟନ୍ତ କମ୍‌ ରହୁଥିବାରୁ ସରକାର ଏହି ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଆଜି ଯେଉଁମାନେ ଉଚ୍ଚ ପ୍ରତିଷ୍ଠିତ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ସରକାରୀ ସ୍କୁଲରେ ପଢ଼ିଛନ୍ତି। ଆଜି ସରକାରୀ ସ୍କୁଲରେ ପଢ଼ିବା ପାଇଁ କେହି ଆଗ୍ରହ ପ୍ରକାଶ ନ କରିବାର କାରଣ ସେଠି ଶିକ୍ଷାଦାନ ଠିକ୍‌ ହେଉନାହିଁ। ବର୍ତ୍ତମାନ ପ୍ରଶ୍ନ ଉଠୁଛି ସରକାରଙ୍କ ଏହି ସଂରକ୍ଷଣ ବ୍ୟବସ୍ଥା ସରକାରୀ ସ୍କୁଲର ଭୁଶୁଡ଼ି ପଡ଼ିଥିବା ଶିକ୍ଷାବ୍ୟବସ୍ଥାକୁ ସଜାଡ଼ି ପାରିବକି? ଯଦି ଏହି ବ୍ୟବସ୍ଥା ଲାଗୁ ହୁଏ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ରମାନେ ଭାବିନେବେ ଯେ ପରୀକ୍ଷାରେ କମ୍‌ ନମ୍ବର ରଖିଲେ ମଧ୍ୟ ସେମାନେ ଡାକ୍ତରୀ ଓ ଇଞ୍ଜିନିୟରିଂ ଶିକ୍ଷାକ୍ଷେତ୍ରରେ ପ୍ରବେଶ କରିପାରିବେ। ତେଣୁ ସେମାନେ ଅନ୍ୟମାନଙ୍କ ସହ ପ୍ରତିଯୋଗିତା କରିବା ପାଇଁ ଆଉ ଅଧିକ ପରିଶ୍ରମ କରିବେ ନାହିଁ। ଏହାଦ୍ୱାରା ଏହି ଦୁଇ ଶିକ୍ଷାକ୍ଷେତ୍ରରେ ଆହୁରି କିଛି ଦୁର୍ବଳ ଛାତ୍ରୀଛାତ୍ର ପ୍ରବେଶ କରିବାର ସୁଯୋଗ ପାଇବେ ଓ ତଦ୍ଦ୍ବାରା ସେମାନଙ୍କ ଠାରୁ ବେଶି ମେଧାବୀ ଛାତ୍ର ସେହି ସୁଯୋଗରୁ ବଞ୍ଚିତ ହେବେ। ଏଣୁ ସରକାର ସ୍କୁଲଗୁଡ଼ିକର ଭିତ୍ତିଭୂମି ବିକାଶ ସାଙ୍ଗକୁ ଉପଯୁକ୍ତ ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି ଦେଇ ଏକ ଯୁଗୋପଯୋଗୀ ଶୈକ୍ଷିକ ପରିବେଶ ସୃଷ୍ଟି କଲେ ଛାତ୍ରୀଛାତ୍ରମାନେ ସ୍ବତଃପ୍ରବୃତ୍ତ ହୋଇ ସରକାରୀ ସ୍କୁଲରେ ପାଠ ପଢ଼ିବା ପାଇଁ ଆଗ୍ରହୀ ହେବେ ଓ ପରିଶ୍ରମ କରି ସର୍ବଭାରତୀୟସ୍ତରୀୟ ପ୍ରତିଯୋଗିତାଗୁଡ଼ିକରେଅଂଶଗ୍ରହଣ କରିବାକୁ ଯୋଗ୍ୟ ହେବେ ଓ ସଫଳ ହେବେ। ସେତେବେଳେ ସଂରକ୍ଷଣ ବ୍ୟବସ୍ଥାର ଆବଶ୍ୟକତା ରହିବ ନାହିଁ।
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ
ମୋ- ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri