ଈଶ୍ୱରଭାବର ଅନୁଚିନ୍ତା

ଅଲେଖ ଚନ୍ଦ୍ର ମିଶ୍ର

ଦିନେ ନିରୋଳା ମୁହୂର୍ତ୍ତରେ ଦ୍ୱାରକାଧୀଶ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ତାଙ୍କର ଅଷ୍ଟ ପାଟବଂଶୀ ପ୍ରଶ୍ନ କଲେ, “ପ୍ରଭୁ ଆପଣ ଗୋପପୁର ଛାଡି ମଥୁରା ଆସିଲେ। ଆମ୍ଭମାନଙ୍କୁ ଯଥାରୀତି ବିବାହ କରି ପତ୍ନୀର ମର୍ଯ୍ୟାଦା ଅର୍ପଣ କଲେ। କିନ୍ତୁ ଆମ୍ଭମାନଙ୍କ ମଧ୍ୟରୁ କାହାରି ଜଣକର ନାମ ସହିତ ଆପଣଙ୍କର ନାମ ଯୋଡାହୋଇ ପାରିଲା ନାହିଁ। ଅଥଚ ଗୋପର ସାମାନ୍ୟ ଗୋପାଳୁଣୀଙ୍କ ପାଇଁ ଆପଣ ଗୋପୀଜନ ପ୍ରାଣବନ୍ଧୁ ଗୋପୀନାଥ ହୋଇ ରହିଗଲେ। ଏପରିକି ପରକୀୟା ପ୍ରୀତିର ପ୍ରତୀକ ରାଧାଙ୍କ ପାଇ ରାଧିକାଜୀବନ ରାଧାକୃଷ୍ଣ ନାମ ଧାରଣ କଲେ। ଦୟାକରି ଯଦି ଆମର ଏ ସଂଶୟ ମୋଚନ କରି ଦିଅନ୍ତେ….।” ସେମାନଙ୍କର ପ୍ରଶ୍ନର ଉତ୍ତରରେ ପ୍ରଭୁ କହିଲେ, “ଅଚିରେ ତୁମ୍ଭମାନଙ୍କର ମନରେ ଥିବା ଦ୍ୱନ୍ଦ୍ୱର ସମାଧାନ ହୋଇଯିବ।”
କିଛିଦିନ ବିତିଗଲା। ପ୍ରଭୁ ଦିନେ ଜ୍ୱରରେ ପଡିଗଲେ ଏବଂ ଅନେକ ଚେଷ୍ଟା ସତ୍ତ୍ୱେ ତାଙ୍କର ଅସୁସ୍ଥତାର ଉପଶମ ହେଲା ନାହିଁ। ଶେଷରେ ପ୍ରଭୁ ଉଦ୍ଧବଙ୍କୁ ଡକେଇ ପଠେଇଲେ। ଉଦ୍ଧବ କହିଲେ, ”ଏ ରୋଗର ଔଷଧ ମାତ୍ର ଗୋଟିଏ। ତାହା ହେଲା ନାରୀମାନଙ୍କର ପାଦଧୂଳି ପ୍ରଭୁଙ୍କର ମସ୍ତକରେ ବୋଳିବା। ତୁମ୍ଭେମାନେ ଯଥାଶୀଘ୍ର ଏହାର ବ୍ୟବସ୍ଥା କର।“ ଆଠଜଣ ଯାକ ପରସ୍ପର ମଧ୍ୟରେ ଆଲୋଚନା କରି କହିଲେ, ଆମେ କିପରି ଏତେବଡ଼ ଅନ୍ୟାୟ, ଅଧର୍ମ କରିବୁ? ସ୍ବାମୀ ଦେବତା। ତାଙ୍କୁ ପୁଣି ଦେବୁ ପାଦର ଧୂଳି? ଅସମ୍ଭବ। ଉଦ୍ଧବଙ୍କୁ ନିରୁପାୟ ଦେଖି ଶ୍ରୀକୃଷ୍ଣ କହିଲେ, ” ତୁମେ ଟିକେ କଷ୍ଟକରି ଗୋପପୁର ଯାଅ ଏବଂ ଗୋପୀମାନଙ୍କୁ ଏକଥା ଜଣେଇଦିଅ। ସେମାନେ କ’ଣ କହିବେ ଫେରିଆସି ଜଣେଇବ।“
ଉଦ୍ଧବ ଗୋକୁଳରେ ପହଞ୍ଚି ଗୋପୀମାନଙ୍କୁ ସବୁକଥା ଜଣେଇଲେ। ଏହା ଶୁଣି ଗୋପୀମାନେ କହିଲେ, ”କ’ଣ, ଆମ କାହ୍ନାର ଦେହ ଭଲ ନାହିଁ? ଏଇ ନିଅ ଆମର ପାଦଧୂଳି। କାହ୍ନାର ମୁଣ୍ଡସାରା ବୋଳିଦେବ ଏବଂ କହିବ ଆମ୍ଭମାନଙ୍କର ଆୟୁଷ ନେଇ ସେ ଚିରଦିନ ବଞ୍ଚିରହୁ।“
ଗୋପୀଙ୍କର ପାଦଧୂଳିକୁ ଗାମୁଛାରେ ବାନ୍ଧି ମୁଣ୍ଡ ଉପରେ ଥୋଇ ଉଦ୍ଧବ ଦ୍ୱାରକା ଫେରିଲେ । ପ୍ରଭୁ ସେ ଧୂଳିକୁ ଅତ୍ୟନ୍ତ ଭାବାବେଗରେ ଗ୍ରହଣ କରି ମୁଣ୍ଡରେ ଲଗେଇଲେ। ଜଡବତ୍‌ ଠିଆ ହୋଇ ରହିଥିଲେ ଅଷ୍ଟମହିଷୀ। ‘ଆପଣ’ ଓ ‘ତୁ’ ସମ୍ବୋଧନରେ ଥିବା ଆତ୍ମୀୟତାର ଦୂରତ୍ୱ ମଧ୍ୟରେ ଖୋଜୁଥିଲେ ସରଳା ଗୋପାଙ୍ଗନା ଏବଂ ସେମାନଙ୍କ ମଧ୍ୟରେ ଥିବା ଭାବଗତ ବ୍ୟବଧାନ ଓ ନିଜ ପ୍ରଶ୍ନର ଉତ୍ତର।
ସଂଶିତ ଉପାଖ୍ୟାନଟିର ପୃଷ୍ଠଭୂମିରେ ଯେଉଁ ସନ୍ଦେଶ ପ୍ରଚ୍ଛନ୍ନ ରହିଛି ତାହାହେଲା ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୌଣସି ପ୍ରକାରର ସଂଶୟ, ଅବିଶ୍ୱାସ, ଦ୍ୱିଧା, କୁଣ୍ଠା କିମ୍ବା ବିକାର ରହିବା ଅନୁଚିତ। ଯାହା ରହିବା ଉଚିତ ତାହା ହେଲା, ନିର୍ମଳ ଭାବ, ଅନାବିଳ ପ୍ରେମ ଓ ସମ୍ପୂର୍ଣ୍ଣ ସମର୍ପଣ। ‘ଭାବକୁ ନିକଟ ସେ, ଅଭାବକୁ ଦୂର।’ ତେଣୁ ସେ ଭାବଗ୍ରାହୀ। ଭକ୍ତବଲ୍ଲଭ। କିନ୍ତୁ ଏଭଳି ‘ଭାବ’ ବି ପ୍ରଭୁଙ୍କର କୃପା ବିନା ମିଳେନା। ପ୍ରଭୁଙ୍କ ଭାଷାରେ, ”ମୁଁ ଯାକୁ ହୁଅଇ ସଦୟ, ଜ୍ଞାନ ତା’ ହୃଦରୁ ଉଦୟ।“ (ଶ୍ରୀମଦ୍‌ ଭାଗବତ)। ମହାପାପୀ ଅଜାମିଳ ମୃତ୍ୟୁ ସମୟରେ ଯେତେବେଳେ ନାରାୟଣ ନାମକୁ ସ୍ମରଣ କଲା ସେତେବେଳେ ତା’ର ଅନ୍ତସ୍କରଣରେ ଭଗବାନ ନାରାୟଣଙ୍କର (ତା’ର ସାନପୁଅ ନାରାୟଣ ନୁହେଁ) ଚେତନା ମୁହୂର୍ତ୍ତକ ପାଇଁ ଝଲସି ଉଠିଥିଲା। ଯାହା ଥିଲା ତା’ର ପୂର୍ବାର୍ଜିତ ସୁକୃତର ଫଳ। ତେଣୁ ସେ ପ୍ରଭୁଙ୍କ କୃପା ଲାଭ କରିଥିଲା। ”ଅଜାମିଳ ନାମେ ସେ ମହାପାପୀ, ତରିଗଲା ପୁତ୍ର ନାମକୁ ଜପି।“ କୁରୁସଭା ତଳେ ନିଜର ଲଜ୍ଜା ନିବାରଣ ପାଇଁ ଦ୍ରୌପଦୀ ସର୍ବତୋଭାବେ ଚେଷ୍ଟା କରିଥିଲେ। ଯେତେବେଳେ ନିତାନ୍ତ ଅସହାୟ ହୋଇ ଶୂନ୍ୟକୁ ହାତ ଟେକିଦେଲେ ସେତିକି ବେଳେ ହିଁ ପ୍ରଭୁଙ୍କର ସହାୟତାର ହାତ ଲମ୍ବି ଆସିଲା। ସୂର୍ପଣଖା ପ୍ରଭୁଙ୍କୁ ପ୍ରେମ କରିଥିଲା। କିନ୍ତୁ ସେ ପ୍ରେମ ଥିଲା କାୟିକ, ବିକାରଗ୍ରସ୍ତ। ତେଣୁ ତା’ର ପ୍ରେମ ଅସଫଳ ହୋଇଥିଲା। ଯେତେବେଳେ ପ୍ରଭୁଙ୍କ ପାଇଁ ତା’ର ମନରେ ନିଷ୍କାମ, ନିର୍ମଳ ପ୍ରେମର ଉଦ୍ରେକ ହେଲା ସେତେବେଳେ ହିଁ ତା’ର କାମନା ଚରିତାର୍ଥ ହେଲା। (ପରବର୍ତ୍ତୀ ଜନ୍ମରେ କୁବ୍‌ଜା ରୂପରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ସାନ୍ନିଧ୍ୟ ଲାଭ)।
ପ୍ରଭୁଙ୍କର ଦୃଷ୍ଟିରେ ଆସ୍ତିକ ଓ ନାସ୍ତିକ ଉଭୟେ ସମାନ ଏବଂ ସମସ୍ତଙ୍କ ପାଇଁ ତାଙ୍କ କୃପାର ଭଣ୍ଡାର ସଦା ଉନ୍ମୁକ୍ତ। ତେଣୁ ଯିଏ ଦେଇ ମଲା (ବଳି), ଯିଏ ନ ଦେଇ ମଲା (ରାବଣ), ଯିଏ ଦେଖି ମଲା (କଂସ), ଯିଏ ନ ଦେଖି ମଲା (ଦଶରଥ), ଯିଏ ଖୋଇ ମଲା (ପୁତନା), ଯିଏ ନ ଖୋଇ ମଲା (ଯଜ୍ଞଧାରୀ ବ୍ରାହ୍ମଣ ପତ୍ନୀ), ଯିଏ ମାନି ମଲା (ମଧୁ କୈଟଭ), ଯିଏ ନ ମାନି ମଲା (ହିରଣ୍ୟକଶିପୁ) ସମସ୍ତେ ପ୍ରଭୁଙ୍କର ଅନନ୍ତ ସତ୍ତାରେ ବିଲୀନ ହୋଇଯାଇଥିଲେ। ଏଭଳି ପ୍ରଭୁଙ୍କୁ ମଣିଷ ଅବା କ’ଣ ଦେଇପାରିବ? ସବୁତ ତାଙ୍କରି ଦାନ। ନିଜର ଦାନକୁ ସେ କିପରି ଗ୍ରହଣ କରନ୍ତେ। ତେଣୁ ତାଙ୍କୁ ଅର୍ପଣ କରାଯାଉଥିବା ସମସ୍ତ ପଦାର୍ଥ ଅନ୍ୟମାନେ ହିଁ ଭୋଗ କରନ୍ତି। ସେ କେବଳ ଆଘ୍ରାଣଭୋଗୀ। ସେ ଯାହା ଗ୍ରହଣ କରନ୍ତି ତାହା ହେଲା ଭାବ। ସେଥିପାଇଁ ପ୍ରଭୁ କୌରବାଧିପତି ଦୁର୍ଯ୍ୟୋଧନର ବିଳାସପୂର୍ଣ୍ଣ ଭୋଜନସାମଗ୍ରୀକୁ ପ୍ରତ୍ୟାଖ୍ୟାନ କରି ଦରିଦ୍ର ବିଦୂର ଘରେ ଆଗ୍ରହରେ ଶାକାନ୍ନ ଭୋଜନ କରିଥିଲେ ଏବଂ ଶବରୀର ଉଚିଷ୍ଟ ଫଳକୁ ଆନନ୍ଦରେ ଖାଇଥିଲେ। ତେଣୁ ପ୍ରଭୁଙ୍କର ଉପାସନା ପାଇଁ ଯାହା ଲୋଡା ତାହାହେଲା ‘ଭାବ’। ସମ୍ପୂର୍ଣ୍ଣ କାର୍ଯ୍ୟବ୍ୟସ୍ତତା ଭିତରେ ପ୍ରଭୁଙ୍କ ପାଇଁ ମୁହୂର୍ତ୍ତଟିଏ ସମର୍ପଣ କଲେ ଯଥେଷ୍ଟ।
ସାରଦାଶ୍ରୀ, ୯୦୪ ଶାସ୍ତ୍ରୀନଗର, ୟୁନିଟ-୪, ଭୁବନେଶ୍ୱର, ମୋ : ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri