ଚେଇଁ ଶୋଇଥିବା ଲୋକ

ଶୁଭନାରାୟଣ ଶତପଥୀ

କରୋନା ସଂକ୍ରମଣ ଦ୍ୱିତୀୟ ଲହର ଆରମ୍ଭ ସମୟ। ପ୍ରାରମ୍ଭରୁ ସବୁବେଳେ ସଚେତନ କରାଯାଉଥାଏ ଯେ ମାସ୍କ ପିନ୍ଧିବା, ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର ଆଦି ନିୟମଗୁଡ଼ିକ ସମସ୍ତେ ନିରନ୍ତର ମାନନ୍ତୁ। ସେତେବେଳେ ସାରା ବିଶ୍ୱରେ କୋଭିଡ୍‌ଜନିତ ମୋଟ ସଂକ୍ରମଣ ସଂଖ୍ୟା ପ୍ରାୟ ୧୨୭ ମିଲିୟନ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୨.୭୯ ମିଲିୟନରେ ପହଞ୍ଚତ୍ ସାରିଥାଏ। ଏ ତଥ୍ୟ କ’ଣ ଆମ ପାଇଁ ଅଧିକ ନ ଥିଲା? ତଥାପି ଆଜି ବି କିଛି ଲୋକ କାହିଁକି କୁହନ୍ତି ଯେ, କରୋନା ବୋଲି କିଛି ନାହିଁ, ବୁଝାପଡ଼େ ନାହିଁ । କିଏ କହେ ଏସବୁ ରାଜନୀତି ତ ଆଉ କିଏ କହେ ବ୍ୟବସାୟ ଇତ୍ୟାଦି। ଏ ମାନସିକତା କାରଣରୁ ଅନେକ ସାମାଜିକ ଦୂରତା ମାନୁନାହାନ୍ତି, ଆଉ କେତେକ ଲୋକ ପକେଟରେ ସାନିଟାଇଜର ରଖୁ ନାହାନ୍ତି। ଆଉ ମାସ୍କ କଥା ନ କହିଲେ ଭଲ। ଅନେକ ବ୍ୟକ୍ତି ବାହାରକୁ ଯାଉଛନ୍ତି କିନ୍ତୁ ମୁହଁରେ ମାସ୍କ ବହୁତ କମ୍‌ ଲୋକଙ୍କର ଥାଏ। କିଛି ଲୋକ ଜରିମାନା, ଆକ୍ଷେପ, ପ୍ରତିବାଦ ଭୟରେ ମାସ୍କ ପିନ୍ଧି ଯାଉଛନ୍ତି; ଯାହାଫଳରେ ମାସ୍କ ପିନ୍ଧିବାର ପ୍ରକୃତ ମୂଲ୍ୟ ଏବେ ବି ସମସ୍ତେ ବୁଝିପାରୁନାହାନ୍ତି। ଆଉ ନାକ ମୁହଁକୁ ଘୋଡ଼ାଇ ରଖି ମାସ୍କ ପିନ୍ଧୁଥିବା ଲୋକଙ୍କ ସଂଖ୍ୟା ବହୁତ କମ୍‌। ତେବେ ଆମେ ସମସ୍ତେ ଜାଣୁ ଯେ ମାସ୍କ ହେଉଛି କରୋନା ସଂକ୍ରମଣ ରୋକିବା ନିମନ୍ତେ ସବୁଠୁ ବଡ ଜୀବନ ରକ୍ଷାକାରୀ କବଚ। ଯଦି ଆମେ ଏହି ମାସ୍କକୁ ପାଟି ନାକରୁ ଖସାଇଦେଇ ମୁହଁର ତଳ ଭାଗରେ ରଖିବା ବା ମୁଣ୍ଡ ଉପରକୁ ଟେକିଦେବା ତା’ହେଲେ ସେ ମାସ୍କ ପିନ୍ଧିବାର ଅର୍ଥ କ’ଣ?
ଜଣେ ବ୍ୟବସାୟୀ ତାଙ୍କର ମାସ୍କଟିକୁ ମୁଣ୍ଡ ଉପରକୁ ଟେକିଦେଇ ପିନ୍ଧିଥିବାର ନଜରକୁ ଆସିଲା। ଗ୍ରାହକ ଜଣକ ଏହା ଦେଖି ପଚାରିଲେ ମଉସା ତୁମ ମାସ୍କଟିକୁ ଠିକଭାବେ ନ ପିନ୍ଧି ଏମିତି ଅବସ୍ଥାରେ କାହଁିକି ରଖିଛ? ବ୍ୟବସାୟୀ ଜଣକ କହିଲେ, ପୁଅ ଏ ପୋଲିସବାବୁମାନେ ଫାଇନ ଆଦାୟ କରୁଛନ୍ତି ବୋଲି ମୁଁ ପିନ୍ଧିଛି। ହେଇଟି ଦେଖୁନ କରୋନା ଆସିବାର ବର୍ଷେ ହେଲାଣି କାହିଁ ମୋର ଟିକେ ଛିଙ୍କ ବିି ତ ହୋଇନି ! ଆଉ ଜଣେ ବ୍ୟକ୍ତିଙ୍କ ମାସ୍କ ମୁହଁତଳେ ଝୁଲୁଥିବାର ଦେଖି ବ୍ୟଙ୍ଗାତ୍ମକ ଢଙ୍ଗରେ ହରିହରବାବୁ କହିଲେ, ଆଜ୍ଞା! ମୁହଁକୁ ବାଲାନ୍ସ କରି ରଖିବା ପାଇଁ କ’ଣ ଏ ମାସ୍କ ପିନ୍ଧିଛନ୍ତି କି? ଉକ୍ତ ବ୍ୟକ୍ତି ଜଣକ ଦାନ୍ତ ନିକୁଟି କହିଲେ, ହେଁ ଆପଣ କେମିତି ଜାଣିଲେ? କଥା କ’ଣ କି ମୁଁ ଟିକେ କୁହାଳିଆ। ଭୁଲ୍‌ଭାଲ କହିଦେବି କାଳେ। ସେଥିପାଇଁ ମାସ୍କଟା ମୁହଁତଳକୁ ରଖିଛି। ଫଳରେ ପାଟିମେଲାଇ କଥା କହିଲା ବେଳେ କାନଆଡୁ ଭିଡି ହେବ ମାସ୍କ। ତାହା କାନକୁ କଷ୍ଟ ଦିଏ ଓ ବେଶି କଥା କହୁଥିବା ଲୋକକୁ ଅସୁବିଧାରେ ପକାଏ। ଏହା ମୋ ପାଇଁ ଏକ ଭଲ ଉପାୟ।
ସେଦିନ ଏକ ବାହାଘର ଭୋଜିରେ ଯୋଗଦେବାକୁ ମୁଁ ଯାଇଥାଏ ଢେଙ୍କାନାଳ। ବରଯାତ୍ରୀଠାରୁ ବନ୍ଧୁବାନ୍ଧବ ଓଗେର ମୋତେ ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି। କାରଣଟା ମୁଁ ହଠାତ୍‌ ଜାଣିପାରି ନ ଥିଲି। ତେବେ ଆବଶ୍ୟକୀୟ ସମୟ ବ୍ୟତିରେକ ମୁହଁରୁ ଜମାରୁ ମାସ୍କ ବାହାର କରୁ ନ ଥାଏ। ଅଧିକାଂଶ ଲୋକଙ୍କ ମୁହଁରେ ସେଠାରେ ମାସ୍କ ନ ଥାଏ। ବୋଧହୁଏ ମୁଁ ଏକୁଟିଆ ମାସ୍କ ପିନ୍ଧିଥିବାର ଦେଖି ଜଣେ ମହିଳା ମୋତେ କହିଲେ, କ’ଣ କରୋନାକୁ ଏତେ ଭୟ? ମୁଁ ଏ କଥାକୁ ନା ଥଟ୍ଟା ନା ସିରିୟସଲି ଗ୍ରହଣ କଲି । କେବଳ ଚାହିଁ ରହିଥିଲି ତାଙ୍କ ମୁହଁକୁ। କାରଣ ତାଙ୍କ ମୁହଁ ମାସ୍କ ବିନା ମୁକୁଳା। ଆଉ ଏତେଲୋକଙ୍କ ଭିତରେ ମୁଁ ସେଠାରେ ଥିଲି ଅଡ୍‌ ମ୍ୟାନ ବା ଭିନ୍ନ ମଣିଷ।
ଏଇ ନିକଟରେ ଜଣେ ହାର୍ଟ ପେସେଣ୍ଟ ଦେଖା ହେଲେ। ତାଙ୍କ ମୁହଁରେ ବି ମାସ୍କ ନ ଥିଲା। ପଚାରିବାରୁ କହିଲେ, ଶତପଥୀବାବୁ ବର୍ଷକ ଭିତରେ ନା ମୁଁ ମାସ୍କ, ନା ସାନିଟାଇଜର, ନା ହାତଧୁଆ ଅଭ୍ୟାସ ବାରମ୍ବାର କରିଛି। କାହିଁ କିଛି ହୋଇନି ତ ?
ଆଉ ମାସ୍କ ପ୍ରସଙ୍ଗରେ ସେ କହିଲେ ମୁଁ ହାର୍ଟ ପେସେଣ୍ଟ, ମୋତେ ଶୁଦ୍ଧ ଓ ସମ୍ପୂର୍ଣ୍ଣ ଅକ୍ସିଜେନର ଆବଶ୍ୟକତା ଥିବାରୁ ମାସ୍କ ଏଥିପାଇଁ ପ୍ରତିବନ୍ଧକ ସାଜିଛି। ମୁଁ କହିଲି ତେବେ ଆପଣ ବାହାରକୁ ନ ଆସି ଓ ଘରେ ବେଶି ସମୟ କାଟନ୍ତୁ। ସେ ମୋ କଥାକୁ କେତେ ଗ୍ରହଣ କରିବେ ମୁଁ ଜାଣେନା। କିନ୍ତୁ ଏମିତି ଭିନ୍ନ ଭିନ୍ନ ଚିନ୍ତାଧାରାରେ ମଣିଷ ସମାଜରେ ରହିବା କିଛି ଅସ୍ବାଭାବିକ ନୁହେଁ। ଖାଲି କରୋନା ଭୂତାଣୁ ସହ ଲଢ଼େଇ କରିବା ପାଇଁ ଲୋକ ଦେଖାଣିଆ ଆଚାର ବ୍ୟବହାର କଲେ କିମ୍ବା କେବଳ ନିୟମ ଭିତରେ ଫାଙ୍କ ଖୋଜିଲେ ପର୍ଯ୍ୟାୟକ୍ରମେ କରୋନା ଆସୁଥିବ ଓ ନିରୀହ ମଣିଷ ଜୀବନ ତା’ ଜାଲରେ ପଡି ଛଟପଟ ହେଉଥିବ।
ମାସ୍କ କିଏ କେଉଁଠି କେମିତି ପିନ୍ଧିବ ବିଚାର ନିଜର। ବିଶେଷଜ୍ଞଙ୍କ ପରାମର୍ଶ ନେଇ ଅସୁସ୍ଥ, ରୁଗ୍‌ଣ ବ୍ୟକ୍ତି କେତେ ସମୟ ଓ କେଉଁ ପ୍ରକାରର ମାସ୍କ ବ୍ୟବହାର କରିବେ ତାହା ନିଶ୍ଚିତ ହେବା ଉଚିତ। କିନ୍ତୁ ସମାଜର ବାକି ଲୋକ ଠିକ୍‌ ରୂପେ ମାସ୍କ ପିନ୍ଧିବାରେ ଅସୁବିଧା କ’ଣ? ମାସ୍କ କାହିଁ ମୁହଁ ଉପରେ, ତଳେ ବା ପକେଟରେ ରଖି ମଣିଷ ବୁଲିବ? କ’ଣ ନିଜେ କରୋନାରେ ଆକ୍ରାନ୍ତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା?
ସେ ସମୟରୁ ଆଜି ଭିତରେ ଏହି ମାସ୍କ ପିନ୍ଧାକୁ ନେଇ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ।
କେବଳ ମୃତ୍ୟୁ ଓ ସଂକ୍ରମଣ ସଂଖ୍ୟା ହିଁ ବଢ଼ିଛି। ଆଉ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଏ ମୃତ୍ୟୁ ଓ ସଂକ୍ରମଣ ବଢ଼ିବାର କାରଣ ହେଉଛି ମାସ୍କ ଠିକ୍‌ ରୂପେ ବା ମୋଟେ ନ ପିନ୍ଧିବା। ପ୍ରଥମରୁ ବାରମ୍ବାର କୁହାଯାଉଥିଲା, ଆମେ ନିୟମ ମାନିଲେ ଲକ୍‌ଡାଉନ ଆସିବ ନାହିଁ। ବୋଧହୁଏ ଆମେ ଠିକ୍‌ ରୂୂପେ ନିୟମ ପାଳନ କରିବାରେ ଅସମର୍ଥ ହୋଇଛେ; ଯେଉଁଥିପାଇଁ ପୁଣି ଲକ୍‌ଡାଉନ୍‌ ଆସିଲା। ଏବେଠୁ ତୃତୀୟ ଲହରର ପଦଧ୍ୱନି ଶୁଭିଲାଣି। ସେଥିପାଇଁ ଆମେ କେତେ ପ୍ରସ୍ତୁତ ଏବେଠାରୁ ନିଜକୁ ସମୀକ୍ଷା କରିବାର ବେଳ ଉପନୀତ। ଦ୍ୱିତୀୟ ଲହରର ତାଣ୍ଡବ ଏବେଯାଏ ସରିନି; ଯାହାକୁ ନେଇ ଆମେ ଅତିଷ୍ଠ ଓ ମର୍ମାହତ। ଇତିମଧ୍ୟରେ ଅନେକ ପ୍ରିୟଜନଙ୍କୁ ହରାଇଛୁ। ଆଉ ସେ କଷ୍ଟର ପୁନରାବୃତ୍ତି ନ ହେଉ। ଏବେଠୁ ଏସବୁ ନିୟମକୁ ନିଜେ ମାନିବା ସହ ଅନ୍ୟକୁ ପାଳନ କରିବା ନିମନ୍ତେ ପ୍ରବର୍ତ୍ତାଇବା। ଏହାଦ୍ୱାରା ତୃତୀୟ ଲହର ସଂକ୍ରମଣ ଓ ମୃତ୍ୟୁ କିଛି ମାତ୍ରାରେ ହ୍ରାସ ପାଇଯାଇପାରେ।
ମୋର ଜଣେ ବାଲ୍ୟବନ୍ଧୁ କରୋନାକୁ ଭ୍ରୂକ୍ଷେପ ନ କରି ସଭା ସମିତି ଭୋଜିଭାତ ସବୁଠାରେ ବିନା ମାସ୍କ, ବିନା ସାନିଟାଇଜର, ବିନା ସାମାଜିକ ଦୂରତାରେ ଉପସ୍ଥିତ ହୋଇ ଗତବର୍ଷ କରୋନା ସଂକ୍ରମିତ ହେଲା। କୋଭିଡ୍‌ ହସ୍‌ପିଟାଲରେ ଦୀର୍ଘ ପନ୍ଦରଦିନ ରହଣିପରେ ଘରକୁ ଫେରିଲା। ତା’ପରଠାରୁ ମୁଁ ତାକୁ କେବେ ବିନା ମାସ୍କ, ବିନା ସାନିଟାଇଜର, ବିନା ସାମାଜିକ ଦୂରତାରେ ଦେଖିନି। ଏହା ଭିତରେ ସେ ସୁସ୍ଥ ଅଛି ମାନସିକ ଓ ଶାରୀରିକ ଭାବରେ। ସମାଜକୁ ବର୍ତ୍ତା ଦେଉଛି ସମସ୍ତେ ମାସ୍କ ପିନ୍ଧନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ଏହି ସଚେତନତା ଗଁାଗଣ୍ଡାଠାରୁ ଆରମ୍ଭକରି ସହର ପର୍ଯ୍ୟନ୍ତ ବ୍ୟାପକ ହେଉ। ଯେଉଁ ବ୍ୟକ୍ତି ଠିକ୍‌ ରୂପେ ମାସ୍କ ପିନ୍ଧୁ ନାହାନ୍ତି ଓ କ’ଣ କରୋନାକୁ ଏତେ ଭୟ କହି ବାହାଦୁରି ମାରୁଛନ୍ତି ସେମାନେ ହଁି ହେଉଛନ୍ତି ଅଡ୍‌ ମ୍ୟାନ ବା ଭିନ୍ନ ମଣିଷ। ଏ ଅଡ୍‌ ମ୍ୟାନ ବା ଚେଇଁ ଶୋଇଥିବା ଲୋକଙ୍କୁ ଉଠାଇବାର ପ୍ରୟାସ କରାଯାଉ। ନଚେତ ପରବର୍ତ୍ତୀ ସମୟରେ ଏହି ଲୋକ ମାସ୍କ ପିନ୍ଧି କରୋନା ହେବାର ଭୁଲ୍‌ ଖବର ପ୍ରସାରିତ କରିପାରନ୍ତି।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri