ବସ୍‌ ଭଡ଼ା କଷଣରେ ଯାତ୍ରୀ ହଇରାଣ

ଭୁବନେଶ୍ୱର,୪ା୪(ବ୍ୟୁରୋ): କିଛିଦିନ ହେବ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଛି। ଓଡ଼ିଶାରେ ଗତ ୧୩ ଦିନରେ ତୈଳ ଦର ପ୍ରାୟ ସାଢ଼େ ୮ ଟଙ୍କା ବୃଦ୍ଧି ହୋଇଛି। ଡିଜେଲ ଦର ବୃଦ୍ଧିକୁ ଦେଖି ରାଜ୍ୟ ସରକାର ମାର୍ଚ୍ଚ ୩୧ରେ ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି। ଭଡ଼ା କିଲୋମିଟର ପିଛା ୩ରୁ ୯ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଦରଦାମ୍‌ ବୃଦ୍ଧି ସହ ବସ୍‌ ଭଡ଼ା ବୃଦ୍ଧି ଯାତ୍ରୀଙ୍କ ପାଇଁ ବୋଝ ଉପରେ ନଳିତାବିଡ଼ା ସଦୃଶ ହୋଇଛି। ତେବେ ଅନେକ ସ୍ଥାନରେ ଧାର୍ଯ୍ୟ ଭଡ଼ାଠାରୁ ଅଧିକ ଟଙ୍କା ଯାତ୍ରୀଙ୍କ ଠାରୁ ନିଆଯାଉଥିବା ଅଭିଯୋଗ ହେଉଛି।
ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ରାଜ୍ୟର ୩୦ ଜିଲାର ମୁଖ୍ୟାଳୟ ପାଇଁ ବର୍ଦ୍ଧିତ ଭଡ଼ା ଧାର୍ଯ୍ୟ କରିଛନ୍ତି। ତେବେ ବସ୍‌ ଭଡ଼ାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। ଏପରି କି କେତେକ କ୍ଷେତ୍ରରେ ଘରୋଇ ବସ୍‌ କର୍ମଚାରୀ ଏବଂ ଯାତ୍ରୀଙ୍କ ମଧ୍ୟରେ ଉଚ୍ଚବାଚ ଓ ମାରପିଟ ଭଳି ଘଟଣା ଦେଖିବାକୁ ମିଳୁଛି। ଏସ୍‌ଟିଏ ପକ୍ଷରୁ ପ୍ରକାଶ କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର ବରମୁଣ୍ଡାରୁ କଟକ ବାଦାମବାଡ଼ିକୁ ଯାତ୍ରୀଙ୍କ ପାଇଁ ଅର୍ଡିନାରି ବସ୍‌ ପାଇଁ ୨୭ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଏକ୍ସପ୍ରେସ ପାଇଁ ୨୮, ଡିଲକ୍ସ ପାଇଁ ୩୯, ଏସି ଡିଲକ୍ସ ପାଇଁ ୪୮ ଏବଂ ସୁପର ପ୍ରିମିୟମ ପାଇଁ ୭୪ ଟଙ୍କା ଧାର୍ଯ୍ୟ କରାଯାଇଛି। ଅଧିକାଂଶ ଯାତ୍ରୀ ଅର୍ଡିନାରି, ଏକ୍ସପ୍ରେସ୍‌, ଡିଲକ୍ସ ଭଳି ବସ୍‌ରେ ଯାତାୟାତ କରିଥାଆନ୍ତି। ପ୍ରତ୍ୟେକ ବସ୍‌ରେ କିଲୋମିଟର ପିଛା ଭଡ଼ା ଲେଖି ସୂଚନା ଫଳକ ଝୁଲାଇବାକୁ ନିୟକ ରହିଛି। ହେଲେ ବସ୍‌ ଭଡ଼ା ବଢୁଥିଲେ ମଧ୍ୟ ଜନସାଧାରଣଙ୍କୁ ବସ୍‌ରେ ସୂଚନା ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଫଳରେ କେଉଁ ସ୍ଥାନକୁ କେତେ ଭଡ଼ା ସେ ବିଷୟରେ ଯାତ୍ରୀମାନେ ଜାଣିପାରୁ ନାହାନ୍ତି। ବସ୍‌ କଣ୍ଡକ୍ଟର ମନଇଚ୍ଛା ଭଡ଼ା ଦାବି କରୁଥିବା ଅଭିଯୋଗ ହେଉଛି। ତେବେ କେଉଁଠି ଅଭିଯୋଗ କରାଯିବ ସେ ନେଇ ମଧ୍ୟ ବସ୍‌ରେ କୌଣସି ସୂଚନା ଦିଆଯାଉ ନାହିଁ। ନିୟମିତ ଭୁବନେଶ୍ୱରରୁ କଟକ ବସ୍‌ରେ ଯାଉଥିବା ଯାତ୍ରୀ ରମେଶ ଲେଙ୍କା କହିଛନ୍ତି ଯେ କଟକ-ଭୁବନେଶ୍ୱର ବସ୍‌ ଭଡ଼ା ୫୦ ଟଙ୍କା ହୋଇ ନ ଥିବା ବେଳେ ଅନେକ ସମୟରେ ଆମକୁ ୫୦ ଟଙ୍କା ଦେବାକୁ ପଡ଼େ। ମାତ୍ର ଟିକେଟ ମିଳେ ନାହିଁ। ଗତ ୩୧ ତାରିଖରେ ଭଡ଼ା ବୃଦ୍ଧି ହେବା ପରେ ମଧ୍ୟ ଭୁବନେଶ୍ୱରରୁ କଟକକୁ ଭଡ଼ା ୫୦ ଟଙ୍କା ଛୁଇଁନାହିଁ। ଏହା ପୂର୍ବରୁ ସାଧାରଣ ବସ୍‌ରେ ଗଲେ ମଧ୍ୟ ୪୦ରୁ ୫୦ ଟଙ୍କା ଦେବାକୁ ପଡୁଥିଲା। ଏବେ ଆହୁରି ଅଧିକ ଦେବାକୁ ପଡ଼ିପାରେ। ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ କୌଣସି ବ୍ୟବସ୍ଥା ନାହିଁ। ଝଗଡ଼ା କରିବା ଅପେକ୍ଷା ଅଧିକ ପଇସା ଦେଇ ଯିବାକୁ ପଡୁଛି। ପରିବହନ ବିଭାଗ ଯାତ୍ରୀମାନଙ୍କ ହିତ ଦୃଷ୍ଟିରୁ ବସ୍‌ରେ ଭଡ଼ା ବିଷୟରେ ଲେଖା ଝୁଲାଇବା ବାଧ୍ୟତାମୂଳକ କରିବା ଦରକାର। ନଚେତ୍‌ ଯାତ୍ରୀମାନେ ଶୋଷଣର ଶିକାର ହେବେ। ସେହିପରି ବାଲେଶ୍ୱରରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ କାର୍ଯ୍ୟ କରୁଥିବା ଶ୍ରୀକାନ୍ତ ରାଉତଙ୍କ କହିବା ହେଲା ସେ ବାଲେଶ୍ୱରରୁ ବାରିପଦା ବସ୍‌ ଯୋଗେ ଯିବା ଆସିବା କରୁଛନ୍ତି। ମାତ୍ର ୬୦କି.ମି. ରାସ୍ତାକୁ ପୂର୍ବରୁ ୫୦/୬୦ ଟଙ୍କା ନିଆଯାଉଥିବା ବେଳେ ଏବେ କଣ୍ଡକ୍ଟର ୮୦ ଟଙ୍କା ନେଉଛନ୍ତି। ବସ୍‌ରେ କୌଣସି ରେଟ୍‌ ଚାର୍ଟ ଲାଗୁ ନାହିଁ। ଅଧିକ ଟଙ୍କା ନେବାର କାରଣ ପଚାରିବାରୁ ପ୍ରତିଦିନ ତୈଳ ଦର ବୃଦ୍ଧି ପାଉଥିବା ବସ୍‌ କର୍ମଚାରୀ ଦର୍ଶାଉଛନ୍ତି। ବର୍ଦ୍ଧିତ ମୂଲ୍ୟ ଦେବାକୁ ରାଜି ନ ହେଲେ ବସ୍‌ରେ ଉଠାଉ ନାହାନ୍ତି ବୋଲି ଶ୍ରୀକାନ୍ତ କହିଛନ୍ତି। ସମ୍ବଲପୁର ଖିଣ୍ଡା ହାଇସ୍କୁଲର ଶିକ୍ଷକ ଗୌରୀଦାସ ପ୍ରଧାନଙ୍କ କହିବା ହେଲା ସମ୍ବଲପୁର ସହରରୁ ପ୍ରତିଦିନି ଶିକ୍ଷାଦାନ ପାଇଁ ବସ୍‌ ଯୋଗେ ଖିଣ୍ଡା ହାଇସ୍କୁଲ ପ୍ରାୟ ୪୦ କି.ମି. ଯିବାକୁ ପଡୁଛି। ବସ୍‌ ଭଡ଼ା ବୃଦ୍ଧି ଆର୍ଥତ୍କ ବୋଝ ସଦୃଶ ହୋଇଛି। ଏହା ମାସିକିଆ ବଜେଟରେ ପ୍ରଭାବ ପକାଇବ। ତେଲ ଦର ବୃଦ୍ଧି ଅନୁପାତରେ ବସ୍‌ ମାଲିକମାନେ ଭଡ଼ା ବଢାଇ ଚାଲିଛନ୍ତି। ଲକ୍‌ଡାଉନ ପୂର୍ବରୁ ୨୦ ଟଙ୍କା ଭଡ଼ା ରହିଥିଲା। ଏବେ ବସ୍‌ଭଡ଼ା ବଢିଥିଲେ ମଧ୍ୟ କର୍ମଚାରୀମାନେ ମନଇଚ୍ଛା ଭଡ଼ା ନେଉଛନ୍ତି। କାହାଠାରୁ ୪୦ ତ ଆଉ କାହାଠାରୁ ୫୦ ଟଙ୍କା ନେଉଛନ୍ତି।
ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା ଭଡ଼ା ବିଷୟରେ ଯାତ୍ରୀଙ୍କୁ ସୂଚନା ଦେବା ପାଇଁ ଡ୍ରାଇଭର ସିଟ୍‌ ପଛ ପଟରେ ଲେଖି ଝୁଲାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ କଡ଼ାକଡ଼ି କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ବସ୍‌ ଏହାର ଉଲ୍ଲଂଘନ କରୁଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବ୍ୟବସ୍ଥା ରହିଛି।
ମାତ୍ର ଏହା କରାଯାଉ ନାହିଁ। ବସ୍‌ରେ ଭଡ଼ା ସମ୍ପର୍କରେ କିଛି ସୂଚନା ଦିଆଯାଉ ନାହିଁ। ଫଳରେ ଭଡ଼ାକୁ ନେଇ ଯାତ୍ରୀ ଅନ୍ଧାରରେ ରହୁଛନ୍ତି ଏବଂ ଶୋଷଣର ଶିକାର ହେଉଛନ୍ତି। ଯେଉଁ ଯାତ୍ରୀ ବିରୋଧ କରୁଛନ୍ତି ସେମାନଙ୍କ ସହ ବସ୍‌ କର୍ମଚାରୀମାନଙ୍କର ହାତାହାତି ପର୍ଯ୍ୟନ୍ତ କଥା ଚାଲିଯାଉଛି।
ତେବେ ବସ୍‌ ଭଡ଼ା ଅଧିକ ନେବା ସମ୍ପର୍କରେ ରାଜ୍ୟ ଘରୋଇ ବସ୍‌ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଭଡ଼ା ନିଆଯାଉଛି। କାଁ ଭାଁ କେହି ଜଣେ ଅଧେ ସେଭଳି କରିପାରନ୍ତି। ମାତ୍ର ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ନେବାକୁ ସଂଘ ବିରୋଧ କରେ। ଯଦି କୌଣସି ବସ୍‌ ଅଧିକ ନେଉଛନ୍ତି ତେବେ ସଂଘର ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ କରନ୍ତୁ ବୋଲି ସେ କହିଛନ୍ତି।
ପରିବହନ ବିଭାଗ ଭଡ଼ା ବୃଦ୍ଧି କରି ହାତବାନ୍ଧି ବସି ଯାଉଥିବା ବେଳେ ଆରଟିଓମାନେ ମଧ୍ୟ ଏ ନେଇ ସେତେଟା ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଯାତ୍ରୀମାନଙ୍କୁ ଶୋଷଣର ଶିକାର ହେବାକୁ ପଡୁଛି। ଏହା ଉପରେ ଦୃଷ୍ଟି ଦେବାକୁ ଯାତ୍ରୀମାନେ ଦାବି କରିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri