Posted inଫୁରସତ

ପାଳଭୂତ…

ପାଳକୁଟାର ଶରୀରରେ ତା’ର ଚିରାଫଟା ପୋଷାକ। ମୁଣ୍ଡ ଭାବେ ଥାଏ ତା’ର ଏକ ମାଟିହାଣ୍ଡି ଅବା କଖାରୁ। ମଣିଷ ତାକୁ ନିଜର ପ୍ରତିରୂପ ଭାବେ ଗଢିଛି। ଠିଆ କରାଇଛି ନିଜ ଜମିରେ ଫସଲର ଜଗୁଆଳି ଭାବେ। ଏଇ ଜଗୁଆଳିଟି କେତେବେଳେ ଭାରି କୌତୁକିଆ ଲାଗେ ତ କେବେ ପୁଣି ଅନ୍ଧକାର ରାତିରେ ମନରେ ସୃଷ୍ଟି କରିପାରେ କୋକୁଆଭୟ। ଆଈ ମା’ର କାହାଣୀଠାରୁ ଆରମ୍ଭ କରି କବିର କବିତା, ଗାଳ୍ପିକର ଗଳ୍ପ ପର୍ଯ୍ୟନ୍ତ ସବୁଠି ସ୍ଥାନ ପାଇଛି ଇଏ। ସେ ହେଉଛି ପାଳଭୂତ! ଶହ ଶହ ବର୍ଷ ଧରି ହୋଇଆସୁଛି ଏହାର ବ୍ୟବହାର। ଇଜିପ୍ଟରୁ ଭାରତ ପୁଣି ଆମେରିକାରୁ ସାରା ୟୁରୋପ। ସାରା ପୃଥିବୀରେ ରହିଛି ଏହାର ସତ୍ତା। ସ୍ଥଳବିଶେଷରେ ଯଦିଓ ଏହାର ଆକାର ଆକୃତିରେ ଆସେ ସାମାନ୍ୟ ଭିନ୍ନତା, ହେଲେ ଉଦ୍ଦେଶ୍ୟ ଥାଏ ଗୋଟିଏ। ତାହା ହେଉଛି ଫସଲକୁ ପକ୍ଷୀ ଓ ଅନ୍ୟ ଜୀବଜନ୍ତୁଙ୍କଠାରୁ ରକ୍ଷା କରିବା।

ଇଜିପ୍ଟରୁ ଆରମ୍ଭ: କୃଷକର ବନ୍ଧୁ ଏଇ ପାଳଭୂତର ବ୍ୟବହାର କେବେଠୁ ହେଉଛି ତାହା ଠିକ୍‌ଭାବେ ଜଣା ନ ଥିଲେ ହେଁ କୁହାଯାଏ ୩୦୦୦ ବର୍ଷ ପୂର୍ବେ ସର୍ବପ୍ରଥମେ ପାଳଭୂତର ବ୍ୟବହାର ପୁରାତନ ଇଜିପ୍ଟରେ ହୋଇଥିଲା। ସେମାନେ ପାଳ ଓ ହାଣ୍ଡିରେ ତିଆରି ପାଳଭୂତ ବ୍ୟବହାର କରୁ ନ ଥିଲେ। ବରଂ ବ୍ୟବହାର କରୁଥିଲେ ଏକ ବଡ଼ କାଠର ଫ୍ରେମ୍‌, ଯେଉଁଥିରେ ଜାଲ ଲାଗି ରହୁଥିଲା। ଏହାକୁ ବ୍ୟବହାର କରି ଇଜିପ୍ଟବାସୀ ନୀଳନଦୀ ତୀରରେ ଥିବା ତାଙ୍କର ବିସ୍ତୃତ ଗହମ କ୍ଷେତକୁ ପକ୍ଷୀଙ୍କ ଦାଉରୁ ରକ୍ଷା କରୁଥିବା ଇତିହାସ କହେ। ସେମାନେ ଏହି ଫ୍ରେମ୍‌କୁ କ୍ଷେତ ଭିତରେ ଲୁଚାଇ ରଖୁଥିଲେ। ଆଉ ଚଢ଼େଇ ଆସିଲେ ତାକୁ ଟେକି ଦେଉଥିଲେ। ଏହାଦ୍ୱାରା ଫସଲ ରକ୍ଷାହେବା ସହ ଜାଲରେ ଧରାପଡୁଥିବା ଚଢ଼େଇକୁ ଇଜିପ୍ଟର ଚାଷୀମାନେ ରାତିରେ ରାନ୍ଧି ଖାଉଥିଲେ। ତା’ଛଡା ପୁରାତନ ଇଜିପ୍ଟର ଚାଷୀମାନେ ନୀଳନଦୀ କୂଳରେ
ଥିବା ତାଙ୍କ ଫସଲକୁ ଚଢ଼େଇମାନଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ନଦୀପାର୍ଶ୍ୱରେ ଥିବା ମୋଟା କାଣ୍ଡବିଶିଷ୍ଟ ଗଛରେ ପୁରୁଣା ପୋଷାକ ଝୁଲାଇ ରଖୁଥିଲେ, ଯାହାକୁ ଦେଖି ପକ୍ଷୀ ଓ ଜୀବଜନ୍ତୁ କ୍ଷେତରେ ପଶିବାକୁ ସାହସ କରୁ ନ ଥିଲେ। ଫସଲ ରକ୍ଷା କରିବାର ଏହି ପଦ୍ଧତି ଧୀରେ ଧୀରେ ବିଭିନ୍ନ ଅଞ୍ଚଳର ଲୋକେ ଅନୁସରଣ କରିବାକୁ ଲାଗିଲେ।

ଦିନେ ପିଲା ବି କରୁଥିଲେ ପାଳଭୂତର କାମ : ପୁରାତନ ଗ୍ରୀସ୍‌ରେ ଚଢ଼େଇଙ୍କୁ ଡରେଇବା ଲାଗି କାଠରେ ଉର୍ବରତାର ଦେବତା ‘ପ୍ରାଇଆପସ୍‌’ଙ୍କ ପ୍ରତିମୂର୍ତ୍ତି ଗଢ଼ି ଚାଷଜମିରେ ଠିଆ କରାଉଥିଲେ। ପରେ ରୋମ୍‌ବାସୀ ଗ୍ରୀସ୍‌ର ପାଳଭୂତକୁ ଅନୁସରଣ କରିଥିଲେ। ଆଉ ଯେବେ ୟୁରୋପର ସୈନ୍ୟ ରୋମ୍‌କୁ ଆସିଥିଲେ ସେମାନେ ପାଳଭୂତ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଆଉ ସେହି ସମୟରେ ଅର୍ଥାତ୍‌ ଅଷ୍ଟମ ଶତାବ୍ଦୀରେ ଜାପାନୀମାନେ ବି ପୁରୁଣା ମଇଳା ଡ୍ରେସ୍‌ପିନ୍ଧା ଓ ଘଣ୍ଟି ବନ୍ଧାଯାଇଥିବା ପୁତ୍ତଳିକା ‘କୁଏବିକୋ’କୁ ଧାନକ୍ଷେତରେ ଶୁଆଙ୍କୁ ଘଉଡ଼େଇବା ପାଇଁ ବ୍ୟବହାର କରିବା ଆରମ୍ଭ କରିଥିଲେ ବୋଲି ଜଣାଯାଏ। ତାଙ୍କ ପାଳଭୂତ ଦେଖିବାକୁ ମଣିଷ ପରି ଥିଲା, ଯାହାକୁ ସେମାନେ ରେନ୍‌କୋଟ ଓ ହ୍ୟାଟ୍‌ ପିନ୍ଧାଉଥିଲେ। ଆଉ ଚାଷବାସର ଋତୁ ସରିଲେ ସେହି ପୁତ୍ତଳିକା ବା ପାଳଭୂତକୁ କ୍ଷେତରେ ପୋଡ଼ିଦେଉଥିଲେ, ଯାହାର ଧୂଆଁ ଓ ଗନ୍ଧ ଚଢ଼େଇଙ୍କୁ ଦୂରେଇ ରଖୁଥିଲା। ନେଟିଭ ଆମେରିକାରେ ଲୋକମାନେ ଉଚ୍ଚସ୍ଥାନରେ ବସି କ୍ଷେତକୁ ଜଗୁଥିଲେ। ଆଉ ଚଢେଇ କି ବନ୍ୟଜନ୍ତୁ ଆସିଲେ ଜୋର୍‌ ପାଟିରେ ଚିଲ୍ଲାଉଥିଲେ। ୟୁରୋପରେ ପାଳଭୂତକୁ ଦୈତ୍ୟ ‘ବୁଗିମ୍ୟାନ’ ସହ ତୁଳନା କରାଯାଏ, ଯେକି ଫଟା ପୋଷାକ ପିନ୍ଧେ। ଏଇ ପାଳଭୂତ ଚଢେଇଙ୍କୁ ଫସଲଠୁ ଦୂରେଇବା ସହ ଲୁଚକାଳି ଖେଳିବା ପାଇଁ କ୍ଷେତକୁ ଆସି ଫସଲ ନଷ୍ଟ କରିଦେଉଥିବା ଛୋଟପିଲାଙ୍କୁ ବି ଡରାଇବା କାମ କରୁଥିଲା। ଜର୍ମାନୀରେ ପାଳଭୂତ କାଠରେ ତିଆରି ହେଉଥିଲା, ଯାହା ଦେଖିବାକୁ ଓ୍ବିଚ୍‌ ବା ଡାହାଣୀ ପରି। ମଧ୍ୟଯୁଗୀୟ ବ୍ରିଟେନ୍‌ରେ ତ ଛୋଟପିଲାମାନେ ତାଳି ମାରି ମାରି କ୍ଷେତରେ ଦୌଡୁଥିଲେ ଅବା ପଥର ମାରି ପକ୍ଷୀଙ୍କୁ ଘଉଡାଉଥିଲେ। ସେତେବେଳେ ଛୋଟପିଲାମାନେ ପାଳଭୂତର କାମ କରୁଥିଲେ। ତେବେ ଏକ ମହାମାରୀରେ ଯେତେବେଳେ ଅନେକ ପିଲା ମୃତ୍ୟୁବରଣ କଲେ, ଚାଷୀମାନେ ପୁରୁଣା ପୋଷାକରେ ପାଳକୁଟା ଭର୍ତ୍ତି କରି ଓଲକୋବି ଅବା ଲାଉକୁ ମୁଣ୍ଡଭାବେ ବ୍ୟବହାର କରି ଏକ ପୁତ୍ତଳିକା ତିଆରି କରି ତାକୁ ଏକ ଠେଙ୍ଗାରେ ଲଗାଇ କ୍ଷେତ ମଝିରେ ପୋତିଦେଉଥିଲେ। ଏହି ସମୟରେ ଆମେରିକାରେ ଥିବା ଆପ୍ରବାସୀ ଜର୍ମାନୀ ଚାଷୀମାନେ ମଣିଷ ପରି ଦେଖିବାକୁ ପାଳଭୂତ ବା ସ୍କେୟାର୍‌ କ୍ରୋ ତିଆରି କରିବାକୁ ଆରମ୍ଭ କରିଥିଲେ, ଯାହାର ନାମ ‘ବୁଟସ୍‌ଆମୋନ’ ବା ‘ବୁଗିମ୍ୟାନ’ ଥିଲା। ଏହି ପାଳଭୂତକୁ ସେମାନେ ପୁରୁଣା ପୋଷାକରେ ପାଳକୁଟା ଭର୍ତ୍ତିକରି ତିଆରି କରୁଥିଲେ, ଯାହାର ବେକରେ ଲାଲ ସ୍କାର୍ଫ ପରି ଏକ କପଡ଼ା ବନ୍ଧାଯାଉଥିଲା। ପଞ୍ଚଦଶ ଓ ଷଷ୍ଠଦଶ ଶତାବ୍ଦୀରେ ପାଳଭୂତର ଏକ ନୂଆ ଯୁଗ ଆରମ୍ଭ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଚାଷୀମାନେ ପେଷ୍ଟିସାଇଡ୍‌ ବ୍ୟବହାର କରି ଚଢେଇ ଓ ଅନ୍ୟ ପ୍ରାଣୀଙ୍କୁ ଘଉଡ଼ାଇବା ଆରମ୍ଭ କଲେ। ସମୟ ବଦଳିବା ସହ ପରେ ଅନେକ ପଦ୍ଧତି ଆସିଛି ପକ୍ଷୀ ଓ ଫସଲ ଖାଉଥିବା ପ୍ରାଣୀଙ୍କୁ ଘଉଡାଇବା ପାଇଁ। ହେଲେ ଏବେବି ଅନେକ ଚାଷୀ ପାଳଭୂତକୁ ହିଁ କ୍ଷେତର ରଖୁଆଳୀ ଭାବେ ବ୍ୟବହାର କରୁଛନ୍ତି।
ଏବେ ପାଳଭୂତ ପରିବର୍ତ୍ତେ ଏସବୁ: ଯେଉଁ କୃଷକଙ୍କର ଜମି ବହୁତ ବଡ଼ ସେଠି ଗୋଟିଏ ପାଳଭୂତ ପୂରା ଫସଲକୁ ସୁରକ୍ଷା ଦେବା ସମ୍ଭବ ହୋଇ ନ ଥାଏ। ସେ କ୍ଷେତ୍ରରେ ଆଜିକାଲି ଚାଷୀମାନେ ବ୍ୟବହାର କରୁଛନ୍ତି ଅନେକ ଦୁର୍ଗନ୍ଧଭରା ତଥା ଖରାପ ସ୍ବାଦର ସ୍ପ୍ରେ। ତା’ଛଡା କ୍ଷେତ ଚାରିପଟେ ବାଡ଼ ବି କରୁଛନ୍ତି। ଆଉ ବଗିଚାକୁ ରକ୍ଷା କରିବା ପାଇଁ ଅନେକେ ଶବ୍ଦ କରୁଥିବା ବିଭିନ୍ନ ଜିନିଷ ତଥା ଉଇଣ୍ଡ ଚାଇମ୍‌ ଓ ସ୍ପିନର୍‌ର ବ୍ୟବହାର କରୁଛନ୍ତି। ଏହାବାଦ୍‌ ଚମକ୍‌ଦାର ସିଡୀ ଓ ଥାଳିଆକୁ ଏକ ଖମ୍ବରେ ଝୁଲାଇ ରଖୁଛନ୍ତି, ଯାହାର ଚମକ୍‌ ଓ ଖଡ଼ ଖଡ଼ ଶବ୍ଦ ଅନେକ ସମୟରେ ଚଢ଼େଇଙ୍କୁ ଘଉଡ଼ାଇବାରେ ସାହାଯ୍ୟ କରିଥାଏ।
ରାଜନୀତିରେ ପାଳଭୂତ: କ୍ଷେତରେ ଜଗୁଆଳି କାମ କରୁଥିବା ପାଳଭୂତ ଆଜିକାଲି ରାଜନୀତିରେ ବି ସାମିଲ ହେଉଥିବା ଦେଖିବାକୁ ମିଳୁଛି। ଗୟାର ଓ୍ବଜିରଗଞ୍ଜ ବିଧାନସଭା କ୍ଷେତ୍ରର କରଜରା ଗାଁର କୃଷକମାନେ ନିଜର ଦାବିକୁ ନେତାଙ୍କ ନଜରକୁ ଆଣିବା ଲାଗି ଆପଣେଇଥିଲେ ଏକ ଅଭିନବ ଉପାୟ। ସେମାନେ ନିଜ ନିଜ କ୍ଷେତରେ ପାଳଭୂତ ସ୍ଥାପିତ କରି ଏକ କାଗଜରେ ନିଜର ଦାବିକୁ ବଡ଼ ବଡ଼ ଅକ୍ଷରରେ ଲେଖି ପାଳଭୂତର ବେକରେ ମାଳ ପରି ଟଙ୍ଗାଇ ଦେଇଥିଲେ। ଯେମିତିକି ନେତାମାନଙ୍କ ନଜର ସେଆଡ଼କୁ ଯିବ ଓ ତାଙ୍କର ଦାବି ସମ୍ପର୍କରେ ସେମାନେ ଅବଗତ ହୋଇପାରିବେ। କୃଷକଙ୍କ ଦାବି ଥିଲା ଗାଁରେ ସୌରଶକ୍ତି ବା ଅକ୍ଷୟ ଉର୍ଜାର ବ୍ୟବସ୍ଥା କରାଇବା। ଗାଁରେ ବିଜୁଳି ହିଁ ଏକମାତ୍ର ଭରସା ହୋଇଥିଲେ ହେଁ ସବୁବେଳେ ବିଜୁଳି ରହୁ ନ ଥିବାରୁ ଜଳସେଚନ ହୋଇ ନ ପାରି ଫସଲ ନଷ୍ଟ ହେଉଥିଲା। ସେଥିପାଇଁ ଗ୍ରାମବାସୀ ଏଭଳି ଉପାୟ ଆପଣାଇଥିଲେ ନିଜର ଦାବି ଉପସ୍ଥାପନ କରିବା
ପାଇଁ।

ଏହାବାଦ୍‌ ଯଦି କୌଣସି ରାଜନେତାଙ୍କ ବିରୋଧରେ କେହି ସ୍ବର ଉତ୍ତୋଳନ କରନ୍ତି ଅବା ତାଙ୍କ ବିରୋଧରେ ଧାରଣା ଦିଅନ୍ତି, ଅନେକ ସମୟରେ ଦେଖାଯାଏ ଲୋକେ ସେହି ନେତାଙ୍କର ଏକ ପୁତ୍ତଳିକା କୁଟାରେ ତିଆରି କରି କେବେ ତାକୁ ଚପଲ ମାଳ ପିନ୍ଧାଇ ବିରୋଧ ପ୍ରଦର୍ଶନ କରନ୍ତି ତ କେବେ ତାକୁ ଜଳାଇଥାନ୍ତି। ସେତେବେଳେ ପାଳଭୂତ ପରି ଏହି ପୁତ୍ତଳିକା ‘କୁଶପୁତ୍ତଳିକା’ ନାମରେ ପରିଚିତ ହୁଏ।
ବହୁ ଉପକାରୀ ପାଳଭୂତ: ଭଦ୍ରକର କୃଷି ଅଧିକାରୀ ଅନୁପ କୁମାର ପାତ୍ର କୁହନ୍ତି,‘ଫସଲର ବିଭିନ୍ନ ପ୍ରକାର ଶତ୍ରୁ ଥାଆନ୍ତି। ରୋଗ ଓ ପୋକ ଶତ୍ରୁ ଭାବରେ ଫସଲର କ୍ଷତି କରିଥାନ୍ତି। ତା’ଛଡା ବିଭିନ୍ନ ପ୍ରକାର ପକ୍ଷୀ ଓ ପଶୁ ବି ଫସଲର କ୍ଷତି ପହଞ୍ଚାନ୍ତି। ମଞ୍ଜି ବୁଣା ଯାଇଥିବାବେଳେ ପକ୍ଷୀମାନେ ମାଟିରୁ ଖୋଳି ଖାଇଦିଅନ୍ତି। ଫସଲର ବୃଦ୍ଧି ଅବସ୍ଥାରେ ମଧ୍ୟ କେତେପ୍ରକାରର ପକ୍ଷୀ ଯଥା ବଗ, ବାଇଚଢ଼େଇ ଆଦି ଖାଦ୍ୟ ଖାଇବାବେଳେ ଫସଲର କ୍ଷତି ଘଟାନ୍ତି। ଏମାନଙ୍କ ଦାଉରୁ ଫସଲକୁ ରକ୍ଷା କରିବା ପାଇଁ ଚାଷୀଭାଇ ତାଙ୍କ ଜମିରେ ନଡ଼ାରେ ତିଆରି ବିଭିନ୍ନ ଆକୃତିର ଢାଞ୍ଚା ସ୍ଥାନିତ କରିଥାନ୍ତି। ଏହାକୁ ନଡ଼ାରେ ତିଆରି କଲାପରେ ମଣିଷର ପୁରୁଣା ପୋଷାକ ପିନ୍ଧାଇ ଦେଇଥାନ୍ତି। ଏହାକୁ ସାଧାରଣତଃ ‘ପାଳଭୂତ’ ବୋଲି କୁହାଯାଏ। ଏହି ପାଳଭୂତ ରଖିବାର ପ୍ରଥା ଆମ ରାଜ୍ୟ, ଦେଶ ଓ ବିଦେଶରେ ମଧ୍ୟ ପ୍ରଚଳିତ। ଭାରତରେ ଏହା ବ୍ୟବହାର କେବେଠାରୁ କରାଯାଉଛି ତାହାର ଠିକ୍‌ ତଥ୍ୟ ନାହିଁ। ହେଲେ ଏହା ଶହ ଶହ ବର୍ଷ ଧରି ଚାଷୀଭାଇଙ୍କର ସାଥୀ ହୋଇ ରହିଆସିଛି। ସ୍ଥାନ ବିଶେଷରେ ଏହି ପାଳଭୂତର ନିର୍ମାଣ ସାମଗ୍ରୀ ଓ ଆକୃତି ଭିନ୍ନ ଭିନ୍ନ ହୋଇଥାଏ। ଏହାକୁ ଇଂଲିଶରେ ‘ସ୍କେୟାର କ୍ରୋ’ ବୋଲି କୁହାଯାଏ। ଫସଲକୁ ନ ଯିବା ପାଇଁ କାଉମାନଙ୍କୁ ଭୟଭୀତ କରାଯିବାର ଅର୍ଥ ବୁଝାଉଥିଲେ ହେଁ ବିଭିନ୍ନ ପ୍ରକାରର ପକ୍ଷୀ ଓ ପଶୁ ଏହି ଢାଞ୍ଚାକୁ ଦେଖି ଭୟ ପାଇ କ୍ଷେତକୁ ଆସନ୍ତି ନାହିଁ। ଅଞ୍ଚଳ ଭିତ୍ତିରେ ଏହି ପାଳଭୂତର ମସ୍ତକରେ ମାଟିହାଣ୍ଡି, କଳସୀ ଘୋଡ଼ାଇ ଚିତ୍ର ବିଚିତ୍ର କରାଯାଇଥାଏ। ଏହା ଏକ କାଳ୍ପନିକ ଭୂତର ରୂପ ପ୍ରକାଶ କରିଥାଏ। ପାରମ୍ପରିକ ଭାବେ ପାଳଭୂତକୁ ପଶୁପକ୍ଷୀଙ୍କୁ ଘଉଡାଇବା ଉଦ୍ଦେଶ୍ୟରେ ସ୍ଥାନିତ କରାଯାଉଥିଲେ ହେଁ ସାମ୍ପ୍ରତିକ କୃଷି ବିଜ୍ଞାନରେ ଏହାର ଅନ୍ୟ ଦିଗଗୁଡିକ ଉନ୍ମୋଚନ କରାଯାଉଛି। ଫସଲକୁ ନଷ୍ଟ କରୁଥିବା କୀଟମାନଙ୍କର ଜୈବନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଫସଲ ଜମିରେ ମଞ୍ଚା ପ୍ରସ୍ତୁତ କରିବା ପାଇଁ ଚାଷୀଭାଇମାନଙ୍କୁ ପରାମର୍ଶ ଦିଆଯାଉଛି। ଏହି ମଞ୍ଚା ବାଉଁଶ କଣିରେ ପ୍ରସ୍ତୁତ କରାଯାଉଛି। ଏଥିରେ ପକ୍ଷୀମାନେ ଆସି ବସିଥାନ୍ତି ଓ ସେହି ଜମିରେ ଥିବା ଅନିଷ୍ଟକାରୀ କୀଟମାନଙ୍କୁ ଖାଇଥାନ୍ତି। ପାଳଭୂତର ମଧ୍ୟ ଏଭଳି ଭୂମିକା ରହିଛି। ପକ୍ଷୀମାନେ ଏହା ଉପରେ ବସି ଫସଲରୁ ପୋକ ଖାଇଯିବାର ଦେଖାଯାଉଛି। ଅନ୍ୟ କେତେକଙ୍କ ମତରେ ଫସଲ କ୍ଷେତକୁ ଦେଖଣାହାରି ଓ ପଥଚାରୀଙ୍କ ଦୃଷ୍ଟିରୁ ଦୂରେଇବା ପାଇଁ ଏଭଳି ଚିତ୍ର ବିଚିତ୍ର ଢାଞ୍ଚା ସ୍ଥାନିତ କରାଯାଇଥାଏ।

ବିଦେଶରେ ପାଳଭୂତ ମହୋତ୍ସବ: ବିଦେଶର ପାଳଭୂତ ଆମ ଦେଶର ପାଳଭୂତ ପରି ଦେଖିବାକୁ ହୋଇଥିଲେ ହେଁ ଏହାର ମୁଣ୍ଡ ଓ ପୋଷାକରେ ଥାଏ କିଛିଟା ଭିନ୍ନତା। ବିଦେଶରେ ପାଳଭୂତର ମୁଣ୍ଡକୁ ଅନେକେ କଖାରୁରେ ତିଆରି କରିଥାନ୍ତି। ଆଉ ତା’ ପୋଷାକ ପୁରୁଣା ହୋଇଥିଲେ ହେଁ ସେଥିରେ ପଶ୍ଚିମ ସଂସ୍କୃତିର ଛାପ ସ୍ପଷ୍ଟ ବାରି ହୋଇଯାଏ। ପଶ୍ଚିମ ସଂସ୍କୃତିରେ ପାଳଭୂତର ମହତ୍ୱ ବହୁତ ରହିଛି। ତେଣୁ ତାକୁ ନେଇ ଅନେକ ମହୋତ୍ସବ ବି ପାଳନ କରାଯାଇଥାଏ। ଇଂଲଣ୍ଡରେ ୧୯୯୦ରେ ଦି ଅର୍କଫଣ୍ଟ ସ୍କେୟାର କ୍ରୋ ଫେଷ୍ଟିଭାଲ ଆରମ୍ଭ ହୋଇଥିଲା। ଏହା ହେଉଛି ଦକ୍ଷିଣ ଇଂଲଣ୍ଡର ପ୍ରଥମ ସ୍କେୟାର କ୍ରୋ ଫେଷ୍ଟିଭାଲ। ସେହିଭଳି ଇଂଲଣ୍ଡର ନର୍ଥ ଓ୍ବର୍ସଷ୍ଟରସାୟରରେ ପ୍ରତିବର୍ଷ ସେପ୍ଟେମ୍ବର ଶେଷ ଓ୍ବିକେଣ୍ଡରେ, ଷ୍ଟାଫୋର୍ଡଶାୟରସ୍ଥ ମିରବ୍ରୁକ୍‌ ଗ୍ରାମରେ ପ୍ରତିବର୍ଷ ମେ ମାସରେ ଏବଂ ଟେଟଫର୍ଡ, ସାଲମନବାୟ, ଲିଙ୍କଲନ୍‌ଶାୟ ଆଦି ସହର ମିଳିତଭାବେ ଏହି ଉତ୍ସବ ପାଳନ କରିଥାନ୍ତି। ନରଲାଣ୍ଡ, ଓ୍ବେଷ୍ଟ ୟୋର୍କଶାୟରରେ ବି ଏହି ଉତ୍ସବ ପାଳିତ ହୁଏ। ତା’ସହ ନର୍ଥ ୟୋର୍କଶାୟରର କେଟଲଓ୍ବେଲରେ ୧୯୯୪ଠାରୁ ପ୍ରତିବର୍ଷ ଏହି ଉତ୍ସବ ପାଳିତ ହେଉଛି। ସ୍କଟ୍‌ଲାଣ୍ଡର ପ୍ରଥମ ସ୍କେୟାର କ୍ରୋ ଉତ୍ସବ ୨୦୦୪ରେ ଓ୍ବେଷ୍ଟ କିଲବ୍ରାଇଡରେ ପାଳିତ ହୋଇଥିଲା। ଆଉ ଆମେରିକାର ସେଣ୍ଟ ଚାର୍ଲସ୍‌, ଇଲିନଏସ୍‌ରେ ପ୍ରତିବର୍ଷ ଏହି ଉତ୍ସବ ପାଳିତ ହୁଏ। ନିକଟରେ ଫିଲିପାଇନ୍ସରେ ବି ଏହି ପର୍ବ ପାଳନ ଆରମ୍ଭ ହୋଇଛି। ଏହି ଉତ୍ସବରେ ଲୋକେ ବିଭିନ୍ନ ପ୍ରକାରର ପାଳଭୂତ ତିଆରି କରିଥାନ୍ତି। କେଉଁଟି ଭୟାନକ ତ କେଉଁଟି ଭାରି ମଜାଳିଆ ହୋଇଥାଏ। ବିଭିନ୍ନ ପ୍ରକାରର ପୋଷାକ ଓ ଭଙ୍ଗୀରେ ତିଆରି ହେଉଥିବା ଏହି ପାଳଭୂତକୁ ଦେଖିବା ପାଇଁ ଅନେକ ଦର୍ଶକ ମଧ୍ୟ ଆସନ୍ତି।
ପଢ଼ାବହିରେ, ସାହିତ୍ୟରେ ପାଳଭୂତ: ଅଜବ ଆକାର ଓ ଆକୃତିର ହୋଇଥିଲେ ହେଁ ଏହା କବି ଗାଳ୍ପିକଙ୍କ ମନକୁ ଏପରି ଆନ୍ଦୋଳିତ କରିଛି ଯେ, ଦେଶ ଓ ବିଦେଶର ଅନେକ ଲେଖକଙ୍କ ଲେଖନୀରୁ ଝରିପଡିଛି ଅନେକ ଗଳ୍ପ କବିତା। ତେବେ ଖାଲି ଲେଖକ ଲେଖନୀରେ ନୁହେଁ ପିଲାଙ୍କ ପାଠ୍ୟପୁସ୍ତକରେ ବି ଏହା ସ୍ଥାନ ପାଇଛି। ଯଦ୍ଦ୍ବାରା ଆମ ସମାଜ, ସଂସ୍କୃତି ସହ ଜଡ଼ିତ ଏହି ନିର୍ଜୀବ ପାଳଭୂତର ମହତ୍ୱ ସମ୍ପର୍କରେ ଆଗାମୀ ପିଢ଼ି ଅବଗତ ହୋଇପାରୁଛନ୍ତି।
ଭାରତର ଚର୍ଚ୍ଚିତ ପାଳଭୂତ: ଲେହେଙ୍ଗା ସାଙ୍ଗକୁ ଶାର୍ଟ ଓ ମୁଣ୍ଡରେ ବନ୍ଧା ହେଡ୍‌ସ୍କାର୍ଫକୁ ଦେଖିଲେ ଜଣାପଡ଼େ ତାହା ଜଣେ ମହିଳା ପରି। ହାତରେ ଧରିଛି ସାଇକେଲ ହ୍ୟାଣ୍ଡେଲ। ଆଉ ସେଇ ହ୍ୟାଣ୍ଡେଲଟି ଭୂମିରେ ଥିବା ଏକ ବଡ଼ ସ୍ପ୍ରିଂ ସହ ଲାଗି ରହିଛି। ପବନର ବେଗ ବଢ଼ିଲେ ଆରମ୍ଭ ହୁଏ ଏକ ଭୟଙ୍କର ଦୃଶ୍ୟ। ଲାଗେ ସତେଯେମିତି ନାରୀରୂପୀ ଭୂତଟିଏ ସାଇକେଲର ହ୍ୟାଣ୍ଡେଲ ଧରି ଡେଉଁଛି, ପବନରେ ଉଡୁଛି। ଯଦି କେହି ନିଶୂନ ରାତିରେ ଏହି ଦୃଶ୍ୟ ଦେଖିଦିଏ ତ ଭୟରେ ସେଇଠି ମୃତ୍ୟୁ ହେଇଯିବା ସୁନିଶ୍ଚିତ। ତେବେ ଭୂତର ଭ୍ରମ ସୃଷ୍ଟି କରୁଥିବା ଏଇ ଜିନିଷଟି ହେଉଛି ଏକ ପାଳଭୂତ, ଯାହାକୁ ଭାରତର କେହି ଜଣେ ଜୁଗାଡ଼ ଲଗାଇ ତିଆରି କରି ନିଜ ଜମିରେ ଲଗାଇଥିବାର ଭିଡିଓ ନିକଟରେ ବେଶ୍‌ ଚର୍ଚ୍ଚାକୁ ଆସିଥିଲା।
ସେହିଭଳି ଆଉ ଏକ ଜୁଗାଡ ପାଳଭୂତର ଭିଡିଓ ବି ଚର୍ଚ୍ଚାକୁ ଆସିଥିଲା, ଯାହାକୁ ଆନନ୍ଦ ମହିନ୍ଦ୍ରା ନିଜର ଟୁଇଟର୍‌ ଆକାଉଣ୍ଟରେ ଶେୟାର କରିଥିଲେ। ଏଥିରେ ଦେଖିବାକୁ ମିଳେ ଗୋଟିଏ ଖୁଣ୍ଟରେ ଏକ ଫ୍ୟାନ୍‌ର ପଙ୍ଖା ବନ୍ଧାଯାଇଛି, ଯାହାର ପଛପଟେ ଧାତୁର ଏକ ବଙ୍କା ରଡ୍‌ ଲାଗିଛି ଓ ପଙ୍ଖା ପଛଭାଗରେ ଖୁଣ୍ଟରେ ଏକ ଷ୍ଟିଲ୍‌ଥାଳି ବି ଲାଗିଛି। ପବନ ବହିବା ସହ ଯେବେ ପଙ୍ଖାଟି ବୁଲୁଛି ପଙ୍ଖା ପଛପଟେ ବନ୍ଧା ରଡ୍‌ଟି ସେହି ଥାଳିରେ ପିଟି ହୋଇ ଖୁବ୍‌ ଜୋର୍‌ରେ ଢଣ୍‌ ଢଣ୍‌ ଶବ୍ଦ ହେଉଛି। ସେ ଶବ୍ଦ ଏତେ ତୀବ୍ର ଯେ କୌଣସି ପକ୍ଷୀ କି ପ୍ରାଣୀ ଚାଷଜମି ଭିତରକୁ ପ୍ରବେଶ କରିବେନି।
୍ଶଦରକାରୀ, ମୂଲ୍ୟହୀନ ସାମଗ୍ରୀରୁ ତିଆରି ହେଉଥିଲେ ହେଁ ଏହି ପାଳଭୂତର ମହତ୍ୱ ଯେ କେତେ ତାହା ତା’ର ହଜାର ହଜାର ବର୍ଷ ଧରି ବଞ୍ଚତ୍ ରହିଥିବା ସତ୍ତା ପ୍ରମାଣିତ କରେ। ଆଜିର ଆଧୁନିକ ଯୁଗରେ ଉନ୍ନତଧରଣର ଜ୍ଞାନକୌଶଳର ଉପସ୍ଥିତିରେ ବି ପାଳଭୂତ କୃଷକର ବନ୍ଧୁଟିଏ ହୋଇ ରହିଛି।
-ଶିବାନୀ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?