ଚିକିତ୍ସାରେ ଚିତ୍ରକଳା

ପ୍ରଫେସର ରମେଶ ଚନ୍ଦ୍ର ପରିଡା

ସୁନ୍ଦର ଚିତ୍ରକଳାଟିଏ ମନକୁ ବିମୋହିତ କରିଥାଏ। ଏହାର କାରଣ ବୁଝିବା ଆମ ପକ୍ଷେ ସମ୍ଭବ ହୋଇ ନ ପାରେ, କିନ୍ତୁ ଏ ଅନୁଭୂତି ସତ୍ୟ। ଅନ୍ୟପକ୍ଷରେ ଜଣେ କବି ବା ଦାର୍ଶନିକ ଭଳି ଅସାଧାରଣ ମାନସିକତା ସମ୍ପନ୍ନ ହୋଇଥିବା ଚିତ୍ରକର ଆମ ମନକୁ ଅତି ନିପୁଣ ଭାବେ ସ୍ପର୍ଶ କରିପାରେ। ତା’ ଚିନ୍ତାର ଦୁନିଆ ସାଧାରଣ ଦୁନିଆଠାରୁ ଅନେକ ଊର୍ଦ୍ଧ୍ୱରେ। ତାହା ଏକ ସ୍ବପ୍ନର ରାଜ୍ୟ, ଯାହାକି ସେ ହିଁ କେବଳ ଉପଲବ୍ଧି କରିପାରେ। କେବଳ ଚିତ୍ରକୁ ରୂପାନ୍ତରିତ ହେଲେ ଆମ ସାଧାରଣ ଚକ୍ଷୁ ତାହାକୁ ଦେଖିପାରେ ଏବଂ ମନ ଅନୁଭବ କରିପାରେ। ମନ ସହିତ ସମ୍ପୃକ୍ତ ଆମ ଚିନ୍ତାଶକ୍ତି ଏବଂ ତାହାକୁ ନିୟନ୍ତ୍ରଣ କରେ ମସ୍ତିଷ୍କ ଓ ତା’ର ସ୍ବାୟୁ ବ୍ୟବସ୍ଥା। ସେଥିପାଇଁ ଚିତ୍ରକରକୁ ଜଣେ ସ୍ନାୟୁବିଜ୍ଞାନୀ ବୋଲି ଅଭିହିତ କରିଛନ୍ତି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗର ଦୃଷ୍ଟିବିଜ୍ଞାନ ବିଜ୍ଞାନାଗାରର ନିର୍ଦ୍ଦେଶକ ପାଟ୍ରିକ କାଭାଜାଘ। ଏହି ପ୍ରତିଷ୍ଠିତ ସ୍ନାୟୁ ତତ୍ତ୍ୱବିତ୍‌ଙ୍କ ମତରେ ଚିତ୍ରକର ତା’ କଳାକୃତିରେ ଯେଉଁ ବିଶେଷତାମାନ ଖଞ୍ଜି ଦେଇଥାଏ ତାହା ଆମ ଚାକ୍ଷୁଷ ଅବବୋଧ ଅପେକ୍ଷା ଅନ୍ତର୍ଦୃଷ୍ଟିକୁ ଅଧିକ ସମ୍ପ୍ରସାରିତ କରେ।
ଦୃଷ୍ଟିପ୍ରକ୍ରିୟା ମସ୍ତିଷ୍କର ପ୍ରମସ୍ତିଷ୍କୀୟ ବହିସ୍ଥା (ସେରେବ୍ରାଲ କୋରଟେକ୍ସ)ର ଏକ ତୃତୀୟାଂଶ ଉପଯୋଗ କରେ ଏବଂ ଏଥିରେ ନିୟୋଜିତ ହୋଇଥିବା ପ୍ରାୟ ୩୦ ହଜାର ନିୟୁତ (ବିଲିୟନ) ସ୍ନାୟୁକୋଷର କିଛି ଅଂଶରେ ରଙ୍ଗର ଦୁନିଆ, ଚକ୍ଷୁଚଳନ ଏବଂ ଆପେକ୍ଷିକ ସ୍ଥିତି ଆଦି ବିଶ୍ଳେଷଣ କରିଥାଏ। ଏହି ଚାକ୍ଷୁଷ ସ୍ବୟଂଚାଳିତ ବ୍ୟବସ୍ଥାଟି ଏତେ ଶକ୍ତିଶାଳୀ ଯେ, ଅଧିକାଂଶ ସମୟରେ ମସ୍ତିଷ୍କକୁ ଚିତ୍ରଟିଏ ଉତ୍ପନ୍ନ କରିବା ପାଇଁ କେବଳ ଆଭାସଟିଏ ଆବଶ୍ୟକ କରେ, ଯାହାକି ଏହା ମୁଖ୍ୟତଃ ‘ସଞ୍ଚିତ ତଥ୍ୟ’ରୁ ପୁନରୁଦ୍ଧାର କରିଥାଏ। ପ୍ରଫେସର କାଭାନାଘ କହନ୍ତି ଯେ, ଏଥିରୁ ଚାକ୍ଷୁଷ-ମସ୍ତିଷ୍କ ଧାରଣାମାନ ଆକଳନ କରେ ଏବଂ କାହାଣୀଟି ତିଆରି କରେ। ତାଙ୍କ ମତରେ ଚିତ୍ରକରମାନେ ଅଧିକ ମାତ୍ରାରେ ପ୍ରକୃତଭୌତିକ ବିଜ୍ଞାନ ଅପେକ୍ଷା ଏଗୁଡ଼ିକର କାରବାର କରିଥାନ୍ତି।
ସେମାନେ ଉନ୍ମୋଚନ କରନ୍ତି ଯେ, ଆମ ଚାକ୍ଷୁଷ ମସ୍ତିଷ୍କ ବାସ୍ତବ ଦୁନିଆକୁ ଦେଖିବା ପାଇଁ ପ୍ରକୃତ ଭୌତିକ ବିଜ୍ଞାନ ଅପେକ୍ଷା ଭିନ୍ନ ଏକ ବିଜ୍ଞାନର ଉପଯୋଗ କରେ, ଯାହାକି ସ୍ମୃତି ସିଦ୍ଧାନ୍ତ ଉପରେ ନିର୍ଭର କରେ ଏବଂ ଖୁବ୍‌ଶୀଘ୍ର ତଥା ଦକ୍ଷଭାବେ ଅବବୋଧ(ସୂକ୍ଷ୍ମଦର୍ଶନ)ଟିଏ ସୃଷ୍ଟି କରେ। ସେଥିପାଇଁ ପ୍ରଫେସର କାଭାନାଘଙ୍କ ବର୍ଣ୍ଣନା ଅନୁସାରେ ସେମାନେ ବନବାସୀ ହୋଇଥିବା ସମୟରେ ଗୁମ୍ଫାଗୁଡ଼ିକରେ ଅଙ୍କନ କରୁଥିବା ଚିତ୍ରଗୁଡିକଠାରୁ ଆରମ୍ଭକରି ବର୍ତ୍ତମାନ ପର୍ଯ୍ୟନ୍ତ ସୁଦୀର୍ଘ ୪୦,୦୦୦ ବର୍ଷ ଧରି ପରୀକ୍ଷା ଚଳାଇ ଆସିଛନ୍ତି। ତେଣୁ ସେମାନଙ୍କୁ ସ୍ନାୟୁ ବିଜ୍ଞାନୀ ବୋଲି କୁହାଯାଇପାରିବ।
ସୁପ୍ରସିଦ୍ଧ ଗବେଷଣା ପତ୍ରିକା ‘ନେଚର’ରେ ୨୦୦୫ ମସିହାରେ ଲିଖିତ ଏକ ନିବନ୍ଧରେ ସେ ସୂଚିତ କରିଥିଲେ ଯେ, ସମ୍ଭବତଃ ଚିତ୍ରକରମାନଙ୍କର ଶହ ଶହ ବର୍ଷ ଧରି ଆମ ଚାକ୍ଷୁଷ ମସ୍ତିଷ୍କ ସମ୍ପର୍କରେ କିଛି କୌତୂହଳପ୍ରଦ ଉପଲବ୍ଧି ଥିଲା, ଯାହାକି ଖୁବ୍‌ ନିକଟରେ ବୈଜ୍ଞାନିକ ପରୀକ୍ଷା ମାଧ୍ୟମରେ ପ୍ରତିଷ୍ଠିତ ହୋଇପାରିଛି। ସେଗୁଡ଼ିକ ହେଲା ପ୍ରତିଫଳନ, ଦର୍ପଣ ଏବଂ ଛାୟାକୃତି ସମ୍ପର୍କିତ ଧାରଣ l ଗୋଟିଏ ଚିତ୍ରକଳା ଯେ କୌଣସି ପ୍ରତିଫଳନଟିଏ ହେଲେ ଚଳିବ। ତେବେ ଏହାର ପ୍ରତିରୂପ ପ୍ରାକୃତିକ ଦୃଶ୍ୟମାନଙ୍କର ବିବିଧ ଧର୍ମ ସହିତ ଖାପ ଖାଇଲେ ହେଲା। ତାହା ହେଲେ ନିହାତି ଅସମ୍ଭବ ପ୍ରତିଫଳନ ମଧ୍ୟ ଦର୍ଶକ ଦ୍ୱାରା ସମ୍ପୂର୍ଣ୍ଣରୂପେ ଗୃହୀତ ହୋଇଥାଏ।
ଆଜିକାଲି ବଡ଼ ବଡ଼ ବେସରକାରୀ ଚିକିତ୍ସାଳୟରେ ରୋଗୀମାନଙ୍କ ଅପେକ୍ଷାଗୃହ, ସେମାନେ ସେଠାରେ ରହି ଚିକିତ୍ସିତ ହେଉଥିବା ପ୍ରକୋଷ୍ଠ ଏବଂ ଅନ୍ୟାନ୍ୟ ସ୍ଥାନର କାନ୍ଥରେ ସୁଦୃଶ୍ୟ ଚିତ୍ରମାନ ଅଙ୍କନ କରାଯାଉଛି, ତାହା ସୁନ୍ଦର ଦିଶିବା ପାଇଁ। ତେବେ କଷ୍ଟ ଭୋଗୁଥିବା ରୋଗୀମାନଙ୍କ ଯନ୍ତ୍ରଣା ହ୍ରାସ କରିବାରେ ଏହା ସହାୟକ ହୁଏ ବୋଲି ଏବେ ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ିଛି। ବିଗତ ୨୦୦୭ ମସିହାରେ ଡେନ୍‌ମାର୍କର କିଛି ବୈଜ୍ଞାନିକ ‘ଦ ଇଣ୍ଟର ନ୍ୟାଶନାଲ ଜର୍ନାଲ ଅଫ୍‌ କ୍ୱାଲିଟେଟିଭ ଷ୍ଟଡିଜ୍‌ ଅନ୍‌ ହେଲ୍‌ଥ ଏଣ୍ଡ ଓ୍ବେଲବିଂ’ରେ ପ୍ରକାଶ କରିଥିଲେ ଏକ ଗବେଷଣାତ୍ମକ ନିବନ୍ଧ। ସେଥିରେ ସେମାନେ ଏହି ଚିତ୍ରଗୁଡ଼ିକ ରୋଗୀ ଓ ରୋଗକୁ କିପରି ପ୍ରଭାବିତ କରେ ସେଥି ସମ୍ପର୍କରେ ସମ୍ୟକ୍‌ ସୂଚନାଟିଏ ପ୍ରଦାନ କରିଛନ୍ତି।
ତାଙ୍କ ଦ୍ୱାରା ଏଥିପାଇଁ ଅନୁଷ୍ଠିତ ଅଧ୍ୟୟନରେ ସେମାନେ ନେଇଥିଲେ କିଛି ଦୀର୍ଘଦିନ ଧରି ଏକ ଚିକିତ୍ସାଳୟର ସାଧାରଣ ପ୍ରକୋଷ୍ଠରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କୁ। ପ୍ରଥମେ ସେଗୁଡ଼ିକର କାନ୍ଥ ଶୂନ୍ୟ ଥିଲା। ସେଠାରେ ରହୁଥିବା ରୋଗୀମାନେ ନିଜ ନିଜ ରୋଗଜନିତ ଦୁଃଖକୁ ନେଇ ମନମାରି ରହୁଥିଲେ। କ୍ୱଚିତ୍‌ ସେମାନେ ପରସ୍ପର ସହିତ କଥାବାର୍ତ୍ତା ହେଉଥିଲେ। କିନ୍ତୁ ସେଥିରେ ଚିତ୍ରମାନ ଅଙ୍କନ କରାଯିବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ତାହାକୁ ମନଧ୍ୟାନ ଦେଇ ଦେଖିବାକୁ ଲାଗିଲେ। ଫଳରେ ସେମାନଙ୍କ ଉଦାସଭାବ ହ୍ରାସ ପାଇବାକୁ ଲାଗିଲା। ସେମାନେ ମନମାରି ବସିବା ପରିବର୍ତ୍ତେ ଚତ୍ରଗୁଡ଼ିକୁ ନିଜ ନିଜ ଢଙ୍ଗରେ ବିଶ୍ଳେଷଣ କରିବାକୁ ଲାଗିଲେ ଏବଂ ତାହାକୁ ନେଇ ପରସ୍ପର ସହିତ ମତ ବିନିମୟ କରିବାକୁ ଲାଗିଲେ। ଏଣୁ ତାଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ ଆରମ୍ଭ ହେଲା। ଏହାପରେ ସେମାନେ ରୋଗ ଓ ଚିକିତ୍ସାଠାରୁ ଆରମ୍ଭକରି ପାରିବାରିକ ସମସ୍ୟା, ରାଜନୀତି ଇତ୍ୟାଦି ପର୍ଯ୍ୟନ୍ତ ନାନା ବିଷୟରେ ଆଲୋଚନା କରିବାକୁ ଲାଗିଲେ ଏବଂ ଡାକ୍ତର, ନର୍ସ ତଥା ଅନ୍ୟ ସେବାକାରୀମାନଙ୍କ ଉପଦେଶ ଅଧିକ ଧ୍ୟାନପୂର୍ବକ ଶୁଣିଲେ ଓ ସେଥି ଅନୁସାରେ କାର୍ଯ୍ୟ କଲେ। ଫଳରେ ତାଙ୍କ ଯନ୍ତ୍ରଣା ହ୍ରାସ ପାଇବା ଏବଂ ରୋଗ ଉପଶମ ହେବା ପ୍ରକ୍ରିୟା ତ୍ୱରାନ୍ବିତ ହେଲା। ଏହାପରେ ପରୀକ୍ଷାଟିକୁ ବାରମ୍ବାର ଦୋହରାଇ ତହିଁରୁ ଗବେଷକମାନେ ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଚିତ୍ରକଳା ଏପରି ଏକ ପରିବେଶ ସୃଷ୍ଟି କରେ, ଯହିଁରେ ରୋଗୀମାନେ ନିଜକୁ ଅଧିକ ନିରାପଦ ମଣନ୍ତି। ଅତଏବ ତାଙ୍କର ମନର ବଳ ବଢ଼େ। ‘ଇଣ୍ଟେନସିଭ କେୟାର ୟୁନିଟ୍‌’ (ସଂଘ ବୈକ୍ଳବ୍ୟ)ରେ ରହୁଥିବା ରୋଗୀମାନଙ୍କ ପାଇଁ ଏହା ବିଶେଷ ଭାବେ ପ୍ରଜୁଯ୍ୟ।
ବର୍ତ୍ତମାନ ୟୁରୋପୀୟ ସୋସାଇଟିରେ ମଧ୍ୟ ଏହା ଉପରେ ଅଧ୍ୟୟନ ଚାଲୁ ରହିଛି। ଏଣୁ ଆମ ଦେଶ ସମେତ ଅନ୍ୟତ୍ର ଏ କାର୍ଯ୍ୟ ଆରମ୍ଭ ହେବା ଦରକାର। ସମାଜସେବୀ, ମନୋବିଜ୍ଞାନୀ ଏବଂ ସମ୍ବେଦନଶୀଳ କଳାକାରମାନେ ଏଥିପାଇଁ ଡାକ୍ତରମାନଙ୍କ ସହିତ ପରାମର୍ଶ କରି ଚିତ୍ରଗୁଡ଼ିକ କି ପ୍ରକାରର ହେବା ଅଧିକ ଉପାଦେୟ ତାହା ସ୍ଥିର କରିବା ଉଚିତ। ଏପରିକି ଡାକ୍ତରୀପାଠ ପଢୁଥିବା ଛାତ୍ରୀଛାତ୍ରମାନେ ମଧ୍ୟ ଚିତ୍ରକଳା ଶିକ୍ଷା କରିବା ଦରକାର ବୋଲି ମତପୋଷଣ କଲେଣି ଆମେରିକାର ଡକ୍ଟର ରୋବର୍ଟ ପ୍ଲାଟରଙ୍କ ସମେତ ଅନେକ ମନୋବିଜ୍ଞାନୀ। ଡାକ୍ତରୀ ଶିକ୍ଷାର ନୀତି ନିର୍ଦ୍ଧାରଣକାରୀମାନେ ଏହାକୁ ଗୁରୁତ୍ୱର ସହ ବିଚାର କରିବା ଉଚିତ।
ଉଷାନିବାସ, ୧୨୪/୨୪୪୫,
ଖଣ୍ଡଗିରି ବିହାର, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାରେ ଦକ୍ଷତା

ହରିଶଙ୍କର ମିଶ୍ର କିଛିଦିନ ପୂର୍ବରୁ ଏଇ ପୃଷ୍ଠାର ସମ୍ପାଦକୀୟ ନକଲି ପ୍ରମାଣପତ୍ରଧାରୀ ଠକ ଶିକ୍ଷକ ସମ୍ବନ୍ଧୀୟ ଥିଲା। ଜାଲିଆତି ଓ ଦୁର୍ନୀତି ଅନେକ ବର୍ଷରୁ ଶିକ୍ଷା...

ସତ୍ୟାଗ୍ରହର ଶକ୍ତି

ଡ. ପ୍ରଫୁଲ୍ଲ କୁମାର ସାହୁ ମହାମାନବ ମହାତ୍ମା ଗାନ୍ଧୀ । ବିଶ୍ୱ ଇତିହାସର ସର୍ବମାନ୍ୟ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ। ଜଣେ ସତ୍ୟନିଷ୍ଠ ମୁକ୍ତିଯୋଦ୍ଧା, ଜଣେ ସମାଜ ସଂସ୍କାରକ,...

ରକ୍ତଚାପ ଫାଶରେ ଯୁବଗୋଷ୍ଠୀ

ଈପ୍ସିତା ମହାନ୍ତି ଯୁବକମାନଙ୍କର ଦେଶ ରୂପେ ଭାରତ ପରିଚିତ, ଯାହାର ମୋଟ ଜନସଂଖ୍ୟାର ୬୫% ହେଉଛନ୍ତି ଯୁବକ। ଏମାନଙ୍କର ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ।...

ଘାତକ କୋଲେଷ୍ଟରଲ

ମାନେକା ଗାନ୍ଧୀ ମହମ ତଥା ଚର୍ବି(ଫ୍ୟାଟ୍‌) ଭଳି ପଦାର୍ଥ କୋଲେଷ୍ଟରଲ ଆମ ଶରୀରର ସବୁ କୋଷିକାରେ ମିିଳିଥାଏ। ଶରୀରରେ ଭିଟାମିନ ଡି’, ହର୍ମୋନ ତିଆରି କରିବା...

ଏଇ ଭାରତରେ

‘ଗଛର ସୁରକ୍ଷା ହିଁ ପରିବେଶ ସୁରକ୍ଷା’ ଏହା ମର୍ମେ ମର୍ମେ ଉପଲବ୍ଧି କରିଛନ୍ତି ବି.ଏଲ୍‌. ବେଙ୍ଗାନି। ଚେନ୍ନାଇ ନିବାସୀ ବେଙ୍ଗାନି ଧାନ କୁଣ୍ଡାରୁ ବିକଳ୍ପ ଉଡ୍‌...

ନେପାଳ ଛଡ଼େଇନେବ

ନେପାଳ ପାର୍ଲାମେଣ୍ଟର ନିମ୍ନ ସଦନ ଭାରତର ସୀମାନ୍ତ ତିନୋଟି ଅଞ୍ଚଳ ଲିପୁଲେଖ, କାଲାପାଣି ଏବଂ ଲିମ୍ପିଆଧୁରାକୁ ଏହାର ମାନଚିତ୍ରରେ ସ୍ଥାନ ଦେବା ସଂକ୍ରାନ୍ତ ବିଷୟକୁ ୧୩...

ଦୁର୍ବଳ ହୋଇପଡ଼ିଲେ

୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ଭଳି ଅର୍ଥନୈତିକ ଅସ୍ତ୍ର ପ୍ରୟୋଗ କରାଯିବା ପରେ ସେତେବେଳେ ଦେଶବାସୀଙ୍କୁ ବାର୍ତ୍ତା ଦିଆଯାଇଥିଲା ଯେ ଭାରତୀୟ ଅର୍ଥନୀତି ଦୀର୍ଘମିଆଦୀ ସଫଳତା...

ଏଇ ଭାରତରେ

ଜୀବନ ଧଳା କି କଳା ନୁହେଁ, ଭଲ କି ମନ୍ଦ ବି ନୁହେଁ, ଏହା କେବଳ ତୁମ ପସନ୍ଦ ଓ ତୁମ କାର୍ଯ୍ୟର ସମଷ୍ଟି ।...

Advertisement
Archives

Model This Week