ଧାନକିଣା: ଏଥର ସମସ୍ୟା ଟାର୍ଗେଟ୍‌

ଅଶୋକ କୁମାର ବରାଳ

ଧାନ ବିକ୍ରିକୁ ନେଇ ସମସ୍ୟା ଚାଷୀଙ୍କ ପିଛା ଛାଡୁନାହିଁ। ସରକାର ଧାନକିଣାରେ ଯେତେ ସୁଧାର ଆଣିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଧାନକିଣାକୁ ନେଇ ଏବେ ଚାରିଆଡ଼େ ସମସ୍ୟା ଉପୁଜିଥିଲା ବେଳେ ବିଧାନସଭାରେ ଧାନକିଣାରେ ଅନିୟମିତତା ଏକ ମୁଖ୍ୟ ପ୍ରସଙ୍ଗ ହୋଇଛି। ଗତବର୍ଷ ଟୋକନ ବ୍ୟବସ୍ଥାକୁ ନେଇ ରାଜ୍ୟରେ ସମସ୍ୟା ଦେଖା ଦେଇଥିଲାବେଳେ ଚଳିତବର୍ଷ ଧାନକିଣା ପରିମାଣ (ଟାର୍ଗେଟ୍‌)କୁ ନେଇ ସମସ୍ୟା ଉପୁଜିଛି। ଏ ବର୍ଷ ଆଉ ଟୋକନ ସମସ୍ୟା ନାହିଁ। ରାଜ୍ୟର ପ୍ରାୟ ଶତପ୍ରତିଶତ ଚାଷୀଙ୍କୁ ଟୋକନ ମିଳିସାରିଛି। ଟୋକନ ଥାଇ ଚାଷୀ ଧାନ ବିକ୍ରି କରି ପାରୁନାହାନ୍ତି। ଟାର୍ଗେଟ୍‌ ନାହିଁ ବୋଲି କହି ସମବାୟ ସମିତିର ସମ୍ପାଦକମାନେ ଚାଷୀଙ୍କ ଧାନ ଉଠାଉ ନାହାନ୍ତି। ବହୁ ସ୍ଥାନରେ ଟୋକନ ଅବଧି ପୂରି ଯାଇଥିବାବେଳେ ଚାଷୀ ଟୋକନ ଧରି ବାରଦୁଆର ଶୁଣ୍ଢୀପିଣ୍ଡା ହେଉଛନ୍ତି। ଏହା ପଛରେ ରହିଛି କିଛି କର୍ମଚାରୀ, ବ୍ୟବସାୟୀ ଏବଂ ବଡ଼ ଚାଷୀଙ୍କ ଅସାଧୁ ମେଣ୍ଟ। ଟୋକନ ସମସ୍ତଙ୍କ ପାଖରେ ଅଛି, ହେଲେ ଧାନକିଣା ପରିମାଣ (ଟାର୍ଗେଟ୍‌) ମଧ୍ୟରେ କେଉଁ ଚାଷୀ ପ୍ରଥମେ ଧାନ ଦେବ, ତାହା ଧାନ ସଂଗ୍ରହ କରୁଥିବା ସଂସ୍ଥାର ଇଚ୍ଛା ଉପରେ ନିର୍ଭର କରୁଥିବାରୁ ହଜାର ହଜାର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଧାନ ବିକ୍ରିରୁ ବଞ୍ଚତ୍ତ ହେଉଛନ୍ତି। ବଡ଼ଚାଷୀ ବେଶରେ କିଛି ବ୍ୟବସାୟୀ ସମବାୟ ସଂସ୍ଥାର ସମ୍ପାଦକଙ୍କ ସହିତ ସଲାସୁତରା କରି ସେମାନଙ୍କର ସମସ୍ତ ଧାନ ବିକ୍ରି କରି ଦେଉଥିଲା ବେଳେ ଛୋଟ ଚାଷୀ ବେଳକୁ ଟାର୍ଗେଟ୍‌ ସରିଯାଉଛି, ଯାହା ବର୍ତ୍ତମାନର ସବୁଠାରୁ ବଡ଼ ସମସ୍ୟା। ଟାର୍ଗେଟ୍‌ ଶେଷ ହେବାର କାରଣଗୁଡ଼ିକ ମଧ୍ୟରୁ ପ୍ରଥମ କାରଣ ହେଉଛି, କିଛି ସ୍ଥାନରେ ଜଣେ ଜଣେ ବଡ଼ ଚାଷୀ ସେମାନଙ୍କ ସମସ୍ତ ଟୋକନ ଅନୁସାରେ ସମବାୟ ସମିତି ସେମାନଙ୍କର ସଂପୂର୍ଣ୍ଣ ଧାନ କ୍ରୟ କରିଦେଉଛି। ଦ୍ୱିତୀୟ କାରଣ ହେଉଛି, ଚାଉଳର ସୀମିତ ଆବଶ୍ୟକତା।
ଆମ୍ଭ ରାଜ୍ୟର ପ୍ରାୟ ୪୦ ଲକ୍ଷ ହେକ୍ଟର ଚାଷଜମିରେ ଧାନଚାଷ ହୋଇଥାଏ। ହେକ୍ଟର ପିଛା ପ୍ରାୟ ୩୦ କୁଇଣ୍ଟାଲ ଅମଳ ହାରରେ ପ୍ରାୟ ୧୩୦ ଲକ୍ଷ ଟନ୍‌ ଧାନ ଅମଳ ହୋଇଥାଏ। ରାଜ୍ୟର ପାଖାପାଖି ୬୫ ଲକ୍ଷ ଚାଷୀ ପରିବାର ଧାନ ଚାଷ କରି ଏହି ଧାନ ଉପତ୍ାଦନ କରିଥାଆନ୍ତି। ଯେଉଁଥିରେ ୯୨ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବାବେଳେ ୮ ପ୍ରତିଶତ ମଧ୍ୟମ ଏବଂ ବଡ଼ ଚାଷୀ ଅଛନ୍ତି। କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଖରେ ପ୍ରାୟ ୬୦ ଭାଗ ଚାଷଜମି ଥିବାବେଳେ ବଡ଼ ଚାଷୀଙ୍କ ପାଖରେ ୪୦ ଭାଗ ଚାଷଜମି ରହିଛି। ଅର୍ଥାତ୍‌ ୮ ଭାଗ ଚାଷୀଙ୍କ ପାଖରେ ୪୦ ପ୍ରତିଶତ ଚାଷଜମି ଥିବାବେଳେ ୯୨ ଭାଗ ଚାଷୀଙ୍କ ପାଖରେ ମାତ୍ର ୬୦ ପ୍ରତିଶତ ଚାଷଜମି ଅଛି। ଏଥିପାଇଁ ୬୫ ଲକ୍ଷ ଚାଷୀ ପରିବାର ମଧ୍ୟରୁ ମାତ୍ର ୧୪ ଲକ୍ଷ ଚାଷୀ ପରିବାର ଧାନ ବିକ୍ରି ପାଇଁ ସରକାରଙ୍କ ପାଖରେ ନାମ ପଞ୍ଜୀକରଣ କରିଛନ୍ତି। ଏହି ୮ ଭାଗ ଚାଷୀ ଯାହାଙ୍କୁ ଆମେ ବଡ଼ ଚାଷୀ ବୋଲି କହିଥାଉ, ସେମାନେ ସର୍ବଦା ଧାନକିଣାର ଫାଇଦା ନେଇଥିବାବେଳେ କ୍ଷୁଦ୍ର ଓ ନାମକୁମାତ୍ର ଚାଷୀ ଏହାର ସୁଫଳ ପାଇପାରୁ ନାହାନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଏକକାଳୀନ ଗୋଟିଏ ଟୋକନ ମିଳୁଥିବା ବେଳେ ଗୋଟିଏ ଗୋଟିଏ ମଧ୍ୟମ ଓ ବଡ଼ଚାଷୀଙ୍କୁ ଏକାଧିକ ଟୋକନ ମିଳୁଛି। ଫଳରେ ବଡ଼ଚାଷୀ ନିଜର ସମ୍ବଳ, କ୍ଷମତା ଏବଂ ପ୍ରଭାବ ମାଧ୍ୟମରେ ନିଜର ସମସ୍ତ ଧାନକୁ ମଣ୍ଡିରେ ବିକିବାକୁ ସକ୍ଷମ ହେଉଛି। ଏଥିରେ କିଛି ସ୍ଥାନରେ ଧାନ ସଂଗ୍ରହ ସଂସ୍ଥାର କର୍ମଚାରୀଙ୍କ ଭିତିରି ବ୍ୟାପାର ରହିଛି। ଗୋଟିଏ ବଡ଼ଚାଷୀଠାରୁ ଏକାଧିକ ଟୋକନ ବଳରେ ଅଧିକରୁ ଅଧିକ ଧାନ ସଂଗ୍ରହ କରୁଥିବା ବେଳେ ଛୋଟ ଓ ନାମମାତ୍ର ଚାଷୀଙ୍କ ବେଳକୁ ଟାର୍ଗେଟ ସରିଯାଉଛି ବୋଲି ସମବାୟ ସଂସ୍ଥା କହୁଛି।
ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ଗଁାରେ ଚାଷୀମାନଙ୍କ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଗତ ୩ ବର୍ଷ ହେବ ସରକାର ଖାଦ୍ୟ ଓ ଯୋଗାଣ ବିଭାଗ ଏବଂ ସମବାୟ ବିଭାଗ ମାଧ୍ୟମରେ ଚାଷୀ ଉତ୍ପାଦନ କରୁଥିବା ସମସ୍ତ ଧାନ ସଂଗ୍ରହ ପାଇଁ ପ୍ରତିଶ୍ରୁତି ଦେଇ ଆସୁଛନ୍ତି, ହେଲେ ତାହା ସମ୍ଭବ ହେଉନାହିଁ। କିନ୍ତୁ ଏହା ସତ୍ୟ ଯେ, ଧାନକିଣାରେ ଆଗରୁ ଥିବା ନିୟମ ଯେଉଁଥିରେ ଚାଷୀ ନିଜ ପରିବାରର ପ୍ରତି ସଦସ୍ୟଙ୍କ ମୁଣ୍ଡ ପିଛା ୩ କୁଇଣ୍ଟାଲ ଧାନ ରଖି ଅବଶିଷ୍ଟ ଧାନ ସରକାରଙ୍କୁ ବିକ୍ରି କରିବାର ଥିଲା, ତାହା ଉଠିଯିବା ଫଳରେ ରାଜ୍ୟ ସରକାରଙ୍କୁ ବର୍ତ୍ତମାନ ପୂର୍ବ ଅପେକ୍ଷା ପ୍ରାୟ ୨୦ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ଅଧିକ ଧାନ କିଣିବାକୁ ପଡୁଛି। ଅଧିକ ଧାନ କିଣିବା ଦ୍ୱାରା ଚାଷୀର ଆର୍ଥିକ ସ୍ଥିତି ସୁଦୃଢ଼ ହେଉଛି, ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ କଥା ଉଠୁଛି, ସରକାର ଏତେ ଧାନ ସଂଗ୍ରହ କଲେ ତାହାକୁ କରିବେ କ’ଣ? ଯଦି ଗତବର୍ଷର ଧାନକିଣା ଏବଂ ଏହାର ଉପଯୋଗ ପରିସଂଖ୍ୟାନ ଦେଖିବା, ତେବେ ଗତବର୍ଷ ସରକାର ସଂଗ୍ରହ କରିଥିବା ପ୍ରାୟ ୭୧ ଲକ୍ଷ ମେଟ୍ରିକ ଟନ୍‌ ଧାନରୁ ୪୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରିଥିଲେ। ସଂଗୃହୀତ ୪୮ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ମଧ୍ୟରୁ ସାଧାରଣ ବଣ୍ଟନ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଜନହିତକର କାର୍ଯ୍ୟରେ ପ୍ରାୟ ୩୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ବଣ୍ଟନ କରାଯାଇଥିଲା ବେଳେ ଅବଶିଷ୍ଟ ୧୭ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ)କୁ ଯୋଗାଇଥିଲେ। କଥା ହେଉଛି ଯେ ଏଫ୍‌ସିଆଇ ଆଉ ଅଧିକ ଚାଉଳ ନେବାକୁ ଚାହୁଁନାହିଁ। ଗତବର୍ଷ ଦେଶରେ ରେକର୍ଡ ପରିମାଣର ଚାଉଳ ଏବଂ ଗହମ ଏଫ୍‌ସିଆଇ ସଂଗ୍ରହ କରିଛି, ଯାହା ୨୦୨୦ ଜୁନ୍‌ ସୁଦ୍ଧା ୮୩୨ ଲକ୍ଷ ମେଟ୍ରିକ୍‌ ଟନ୍‌। ଅନ୍ୟପଟେ ଦେଖିବାକୁ ଗଲେ ସରକାର ରାଜ୍ୟରେ ଉପତ୍ାଦନ ହେଉଥିବା ସମୁଦାୟ ଧାନର ପ୍ରାୟ ୬୦ ପ୍ରତିଶତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ କ୍ରୟ କରୁଛନ୍ତି। ଧାନ ସଂଗ୍ରହରେ ପଞ୍ଜାବ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ୫ମ ସ୍ଥାନରେ ଅଛି। ଏହା ବ୍ୟତୀତ ପି-ପିଏଏସ୍‌ ମାଧ୍ୟମରେ ଚାଷୀଙ୍କୁ ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ପ୍ରଦାନ। ଆଇରିସ୍‌ ଏବଂ ବାୟୋମେଟ୍ରିକ ଯାଞ୍ଚ ମାଧ୍ୟମରେ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରିବାରେ ଓଡ଼ିଶା ଅନ୍ୟ ରାଜ୍ୟଠାରୁ ଆଗରେ। ହେଲେ ଧାନ କିଣିବା ପାଇଁ ଯୋଗାଣ ବିଭାଗ ପାଖରେ ପର୍ଯ୍ୟାପ୍ତ ପାଣ୍ଠି ନ ଥିବାରୁ ଯୋଗାଣ ବିଭାଗ ବ୍ୟାଙ୍କରୁ ଋଣ ଆଣି ଧାନ କ୍ରୟ କରୁଛି। ଏବେ ସୁଦ୍ଧା ଯୋଗାଣ ବିଭାଗ ଋଣ ଟଙ୍କା ବାବଦରେ ପ୍ରାୟ ୧୨୦୦ କୋଟି ଟଙ୍କା ସୁଧ ଦେବାକୁ ବାକି ଅଛି। ସେହିପରି ପିଡିଏସ୍‌ ମାଧ୍ୟମରେ ଚାଉଳ ଯୋଗାଣର ବହୁ ବିଳମ୍ବରେ କେନ୍ଦ୍ର ସରକାର, ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗକୁ ଅର୍ଥ ପ୍ରଦାନ କରିଥାନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ଯୋଗାଣ ବିଭାଗର ୪୫୦୦ କୋଟି ଟଙ୍କା କେନ୍ଦ୍ର ପାଖରେ ପଡ଼ିରହିଛି।
ସୋସାଇଟି ସ୍ତରରେ ଟୋକନ ବଣ୍ଟନରେ ଅନିୟମିତତା ପରିଲକ୍ଷିତ ହେବାରୁ ୨୦୧୯ରୁ ରାଜ୍ୟ ସରକାର ଧାନ କ୍ରୟବେଳେ ବାୟୋମେଟ୍ରିକ ଯାଞ୍ଚ ସହିତ ଟୋକନର କେନ୍ଦ୍ରୀୟକରଣ କରିଛନ୍ତି। ଏହାଫଳରେ ଚାଷୀ ସୋସାଇଟିର ସମ୍ପାଦକଙ୍କ ପ୍ରାଦୁର୍ଭାବରୁ ରକ୍ଷା ପାଇଛନ୍ତି। ଏହାର ଫଳ ମଧ୍ୟ ଚଳିତବର୍ଷ ଚାଷୀଙ୍କ ନାମ ପଞ୍ଜୀକରଣବେଳେ ପ୍ରତିଫଳିତ ହୋଇଛି। ୨୦୨୦-୨୧ରେ ପାଖାପାଖି ୨୧ ପ୍ରତିଶତ ଅଧିକ ଚାଷୀ ଧାନ ବିକ୍ରି ପାଇଁ ସରକାରଙ୍କ ପାଖରେ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୯ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହୋଇଛନ୍ତି। ଚଳିତମାସ ୧୧ ତାରିଖ ସୁଦ୍ଧା ଗତବର୍ଷ ଅପେକ୍ଷା ୧୯ ପ୍ରତିଶତ ଅଧିକ ଧାନ ସଂଗୃହୀତ ହୋଇଛି।
ହେଲେ ସର୍ବଦା ନିଜର ଫାଇଦା ପାଇଁ ବ୍ୟସ୍ତ ଥିବା କିଛି ସୋସାଇଟି ସମ୍ପାଦକ ନିଜର ମନ୍ଦ ଉଦ୍ଦେଶ୍ୟ ପୂରଣ ପାଇଁ ବେପାରୀ ଏବଂ ବଡ଼ ଚାଷୀଙ୍କଠାରୁ ଆଗୁଆ ଧାନ ସଂଗ୍ରହ କରିଦେଉଛନ୍ତି। କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ଧାନ ଆସିଲେ ଟାର୍ଗେଟ୍‌ ନାହିଁ କହି ତା’ର ଧାନ କିଣୁନାହାନ୍ତି। କିଛି ବେପାରୀ ବଡ଼ ଚାଷୀ ଭାବେ ସୋସାଇଟି କର୍ମଚାରୀଙ୍କ ସହିତ ସଲାସୁତୁରା କରି ଆଗୁଆ ଟୋକନର ଫାଇଦା ନେଉଛନ୍ତି, ଯାହାଫଳରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନର ଏମ୍‌ଏସ୍‌ପି ପାଇବାରୁ ବଞ୍ଚତ୍ତ ହେଉଛି। ସୋସାଇଟି କର୍ମକର୍ତ୍ତାଙ୍କ ଉପରେ ସଂପୃକ୍ତ ବିଭାଗ ଏବଂ ଜିଲା ପ୍ରଶାସନର ସମ୍ପୂର୍ଣ୍ଣ କର୍ତ୍ତୃତ୍ୱ ରହୁନାହିଁ। ଗଳାବାଟ ଦେଇ ସୋସାଇଟି ସମ୍ପାଦକ ଏବଂ ବେପାରୀମାନେ ବ୍ୟବସ୍ଥାର ଅପ-ବ୍ୟବହାର କରୁଛନ୍ତି। କ୍ଷେତ୍ରକୁ ଯାଇ ଧାନ କିଣାବିକାର ତଦାରଖ କରିବା ପାଇଁ ବିଭାଗୀୟ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ବହୁ ଅଧିକାରୀ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି। ରାଜ୍ୟରେ ଥିବା ୧୦ଟି କୃଷି ଭୌଗୋଳିକ ପରିବେଶ ମଧ୍ୟରେ ଚାଷୀମାନେ ଧାନଚାଷ କରିଥାଆନ୍ତି। ଧାନ ଅମଳ ସମୟରେ ବିଭିନ୍ନ ଜିଲାରେ ଭିନ୍ନ ହେଉଥିବା ବେଳେ କେନ୍ଦ୍ରୀୟ ଟୋକନ ବ୍ୟବସ୍ଥାରେ ଧାନ ଦେବା ପାଇଁ ଚାଷୀ କିଛିଟା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏପରିସ୍ଥଳେ ଚାଷୀମାନଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଟୋକନ ପ୍ରଦାନ ଏବଂ ଟୋକନ ବ୍ୟବହାରରେ ସ୍ବଚ୍ଛତା ଆଣିବା ଆବଶ୍ୟକତା ରହିଛି। କେନ୍ଦ୍ରୀୟ ଟୋକନ ବ୍ୟବସ୍ଥାକୁ ବିକେନ୍ଦ୍ରୀକରଣ କରି ଜିଲାସ୍ତରରେ ଟୋକନ ବଣ୍ଟନ କରାଯାଉ। ଜିଲାସ୍ତରୀୟ କ୍ରୟ କମିଟି (ଡିଏଲ୍‌ପିସି)କୁ ସୁଦୃଢ଼ କରିବା ପାଇଁ ଖାଦ୍ୟ ଯୋଗାଣ, ସମବାୟ, କୃଷି, ରାଜସ୍ବ ବିଭାଗ ଅଧିକାରୀଙ୍କ ମଧ୍ୟରେ ଅଧିକ ସମନ୍ବୟ ରଖାଯାଉ। ଜନପ୍ରତିନିଧି ଏବଂ ବିଭାଗ ମଧ୍ୟରେ ସମନ୍ବୟ ରଖିବା ପାଇଁ ଜିଲାସ୍ତରରେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଉ। ସବୁ ପଞ୍ଜୀକୃତ ଚାଷୀ ଯେପରି ଧାନକିଣା ବ୍ୟବସ୍ଥାରେ ନିଜର ଧାନ ବିକ୍ରି କରିପାରିବେ, ସେଥିପାଇଁ ପ୍ରଥମ ପର୍ଯ୍ୟାୟ ଟୋକନ ବଣ୍ଟନ ସମୟରେ ସମସ୍ତ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସହିତ ମଧ୍ୟମ ଏବଂ ବଡ଼ ଚାଷୀଙ୍କୁ ୫୦ କୁଇଣ୍ଟାଲ କିମ୍ବା ୫୦ କୁଇଣ୍ଟାଲରୁ କମ୍‌ ପରିମାଣର ଟୋକନ ପ୍ରଦାନ କରାଯାଉ। ପରବର୍ତ୍ତୀ ପର୍ଯ୍ୟାୟରେ ଟାର୍ଗେଟ ଅନୁସାରେ ମଧ୍ୟମ ଏବଂ ବଡ଼ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଉ। ବଡ଼ ଚାଷୀମାନଙ୍କୁ ଅନ୍ୟ ଚାଷ ଯେପରି ମତ୍ସ୍ୟ, ପଶୁପାଳନ, କୁକ୍କୁଟ ପାଳନ ଏବଂ ଅନ୍ୟାନ୍ୟ ଅର୍ଥକରୀ ଚାଷ କରିବାକୁ ପ୍ରୋତ୍ସାହିତ କରାଯାଉ। ନାମ ପଞ୍ଜୀକରଣ ସମୟରେ ସ୍ବଚ୍ଛତା ଆଣିବା ପାଇଁ ସମବାୟ ବିଭାଗ ସହିିତ କୃଷି ଓ ରାଜସ୍ବ ବିଭାଗ କର୍ମକର୍ତ୍ତାଙ୍କୁ ସାମିଲ କରାଯାଉ। ଏଥିସହିତ ରାଜ୍ୟରେ ଥିବା ସମସ୍ତ ପ୍ରାୟ ୬୫ ଲକ୍ଷ ଚାଷୀ ପରିବାରକୁ ସରକାରୀ ଧାନକିଣା ବ୍ୟବସ୍ଥାରେ ସାମିଲ କରାଯାଉ।
ପାଇକ ନଗର, ଭୁବନେଶ୍ୱର
ମୋ: ୯୪୩୮୦୪୧୦୨୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri