ମଙ୍ଗଳରେ ଅମ୍ଳଜାନ ଉତ୍ପାଦନ

ମଙ୍ଗଳ ହେଉଛି ଆମର ପଡ଼ୋଶୀ ଗ୍ରହ। ଏହା ଅନେକାଂଶରେ ପୃଥିବୀ ସହ ସମାନ। ପୃଥିବୀ ଭଳି ଏହା ୨୪ ଘଣ୍ଟାରେ ଥରେ ନିଜ କକ୍ଷ ଚାରିପଟେ ଘୂରିଥାଏ ଏବଂ ଏଥିଯୋଗୁ ଏଠାରେ ପୃଥିବୀ ଭଳି ପ୍ରାୟ ପ୍ରତି ୧୨ ଘଣ୍ଟାରେ ଦିନ ରାତିରେ ପରିବର୍ତ୍ତନ ହୋଇଥାଏ। ପୃଥିବୀ ଭଳି ମଙ୍ଗଳର ବାୟୁମଣ୍ଡଳ ଅଛି; କିନ୍ତୁ ସେଥିରେ ଜୀବନଧାରଣ ପାଇଁ ଆବଶ୍ୟକ ଅମ୍ଳଜାନ ନାହିଁ। ମଙ୍ଗଳର ବାୟୁମଣ୍ଡଳରେ ୯୫ ପ୍ରତିଶତ ହେଉଛି ଅଙ୍ଗାରକାମ୍ଳ ଓ ଅବଶିଷ୍ଟ ପାଞ୍ଚ ପ୍ରତିଶତ ଯବକ୍ଷାରଜାନ ଓ ଆରଗନ ଗ୍ୟାସ। ଜୀବନ ତିଷ୍ଠିବା ପାଇଁ ଅନ୍ୟ ଏକ ଆବଶ୍ୟକ ଉପାଦାନ ଜଳ ମଧ୍ୟ ଏଠାରେ ନାହିଁ। ମାତ୍ର ମଙ୍ଗଳ ପୃଷ୍ଠରେ ଅନେକ ଶୁଖିଲା ନଈ ଓ ଧୂସର ଉପତ୍ୟକା ଦେଖିଲେ ମନେହୁଏ, ବହୁ ପୂର୍ବରୁ ଏଠାରେ ଜଳ ଥିଲା ଏବଂ କୌଣସି କାରଣରୁ ଏହା ବାଷ୍ପୀଭୂତ ହୋଇଯାଇଛି।
ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ, ବହୁ ପୂର୍ବରୁ ମଙ୍ଗଳରେ ଜୀବଜଗତ ଥିଲା ଏବଂ ଜଳଗୁଡ଼ିକ ବାଷ୍ପୀଭୂତ ହୋଇଯିବାରୁ ଏହା ଜୀବଶୂନ୍ୟ ଗ୍ରହରେ ପରିଣତ ହୋଇଛି। ପୂର୍ବରୁ ସେଠାରେ ଜୀବଜଗତ ଥିଲା ନା ନାହିଁ, ତାହାର ଅନୁସନ୍ଧାନ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଗତବର୍ଷ ଜୁଲାଇ ୩୦ ତାରିଖରେ ମଙ୍ଗଳ ଅଭିମୁଖେ ଗୋଟିଏ ମହାକାଶ ଯାନ ପଠାଇଥିଲା। ଏହା ସାଥିରେ ଥିବା ପର୍ସିଭିୟରେନ୍ସ ରୋଭର ଏହି ବର୍ଷ ଫେବୃୟାରୀ ୧୮ ତାରିଖରେ ମଙ୍ଗଳ ପୃଷ୍ଠରେ ଅବତରଣ କରିଛି। ବିଭିନ୍ନ ପରୀକ୍ଷା କରିବା ପାଇଁ ଏଥିରେ ୭ଟି ଯନ୍ତ୍ର, ୧୯ଟି କ୍ୟାମେରା ଓ ଦୁଇଟି ମାଇକ୍ରୋଫୋନ ଖଞ୍ଜାଯାଇଛି। ପୂର୍ବରୁ ମଙ୍ଗଳରେ ଜୀବଜଗତ ଥିଲା ନା ନାହିଁ ଏହା ପରୀକ୍ଷା କରିବ ଏବଂ ବିଭିନ୍ନ ସ୍ଥାନରୁ ମୃତ୍ତିକା ଓ ପଥର ସଂଗ୍ରହ କରିବ। ଏହା ସାଥିରେ ମଧ୍ୟ ଗୋଟିଏ ଛୋଟ ହେଲିକପ୍ଟର ଯାଇଛି, ଯାହା ଏହି ବର୍ଷ ଏପ୍ରିଲ ୧୯ ତାରିଖରେ ତାହାର ପ୍ରଥମ ଉଡ଼ାଣ କରିଛି। ପୃଥିବୀ ବାହାରେ କୌଣସି ଗ୍ରହରେ ହେଲିକପ୍ଟର ଉଡ଼ିବାରେ ଏହା ହେଉଛି ପ୍ରଥମ। ୧୨୦ ସେ.ମି. ବ୍ୟାସ ଓ ୧.୮ କି.ଗ୍ରା ଓଜନର ଏହି ହେଲିକପ୍ଟର ହେଉଛି ଗୋଟିଏ ପରୀକ୍ଷାମୂଳକ ବିମାନ। ଏହାର ସଫଳତା ପରେ ଭବିଷ୍ୟତର ମଙ୍ଗଳ ଅଭିଯାନରେ ଏହାଠାରୁ ଶକ୍ତିଶାଳୀ ଓ ବଡ଼ ହେଲିକପ୍ଟର ପଠାଯିବାର ଯୋଜନା ଅଛି। ମଙ୍ଗଳର ପୃଷ୍ଠରେ ପାହାଡ଼, ପର୍ବତ, ଖାଲ, ଗର୍ତ୍ତ ଆଦି ଅଛି। ଏଣୁ ଯେଉଁସବୁ ଅଞ୍ଚଳକୁ ରୋଭର ଯାଇ ପାରିବ ନାହିଁ, ସେଠାକୁ ହେଲିକପ୍ଟର ପଠାଇ ତଥ୍ୟ ସଂଗ୍ରହ କରିବା ହେଉଛି ଲକ୍ଷ୍ୟ। ଯୁକ୍ତରାଷ୍ଟ୍ର ଆମେରିକା ୨୦୩୩ ମସିହା ସୁଦ୍ଧା ମଙ୍ଗଳ ଗ୍ରହକୁ ମହାକାଶ ଯାତ୍ରୀ ପଠାଇବାର ଯୋଜନା କରିଛି। ଆମେରିକାର ଗୋଟିଏ ଘରୋଇ କମ୍ପାନୀ ‘ସ୍ପେସଏକ୍ସ’ ମଙ୍ଗଳରେ ବସତି ସ୍ଥାପନ କରି ସେଠାରେ ସ୍ଥାୟୀ ଭାବରେ ଲୋକମାନଙ୍କୁ ରଖିବାର ଯୋଜନା ମଧ୍ୟ କରିଛି। ସେଥିପାଇଁ ଏହା ପୂର୍ବରୁ ମହାକାଶ ଯାନ ଓ ରୋଭର ପଠାଯାଇ ବିଭିନ୍ନ ପରୀକ୍ଷା କରାଯାଉଛି। ମନୁଷ୍ୟ ରହିବା ପାଇଁ ଅମ୍ଳଜାନ ନିହାତି ଆବଶ୍ୟକ। ଅବଶ୍ୟ ମହାକାଶଚାରୀ ମାନଙ୍କୁ ପୃଥିବୀରୁ ଅମ୍ଳଜାନ ସାଥିରେ ନେଇ ଯିବାକୁ ହେବ। କିନ୍ତୁ ସେଠାରେ ସ୍ଥାୟୀ ଭାବରେ ରହିବାକୁ ହେଲେ ପୃଥିବୀରୁ ଅମ୍ଳଜାନ ପଠାଇବା ସମ୍ଭବ ହେବ ନାହିଁ। ଏଣୁ ସେଠାରେ ହିଁ ଅମ୍ଳଜାନ ପ୍ରସ୍ତୁତ କରିବାକୁ ପଡ଼ିବ।
ନାସା ମଙ୍ଗଳକୁ ପଠାଇଥିବା ପର୍ସିଭିୟରେନ୍‌ସ ରୋଭରରେ ମାକ୍‌ସି ନାମକ ଗୋଟିଏ ଅମ୍ଳଜାନ ଉତ୍ପାଦନକାରୀ ଯନ୍ତ୍ର ଅଛି। ଏହା ପରୀକ୍ଷାମୂଳକ ଭାବେ ଏପ୍ରିଲ ୨୧ ତାରିଖରେ ମଙ୍ଗଳ ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଳରୁ ଅମ୍ଳଜାନ ପ୍ରସ୍ତୁତ କରିଛି। ସୂଚନାଯୋଗ୍ୟ, ଗୋଟିଏ କାର୍ବନ ପରମାଣୁ ଓ ଦୁଇଟି ଅମ୍ଳଜାନ ପରମାଣୁକୁ ନେଇ ଅଙ୍ଗାରକାମ୍ଳ ଅଣୁ ଗଠିତ। ମାକ୍‌ସି ଯନ୍ତ୍ରରେ ଅଙ୍ଗାରକାମ୍ଳକୁ ଉତ୍ତପ୍ତ କରି ଅମ୍ଳଜାନ ପରମାଣୁ ଓ କାର୍ବନ ମନୋକ୍‌ସାଇଡ ଅଣୁରେ ପରିଣତ କରାଯାଏ। ଏହାପରେ ଗୋଟିଏ ଉତ୍ତପ୍ତ ଚାର୍ଜିତ ସିରାମିକ ପାତ୍ରରେ ଅମ୍ଳଜାନ ପରମାଣୁ ଅଲଗା ହୁଏ ଏବଂ ଶେଷରେ ଦୁଇଟି ଅମ୍ଳଜାନ ପରମାଣୁ ମିଶି ଗୋଟିଏ ଅମ୍ଳଜାନ ଅଣୁ ସୃଷ୍ଟି ହୁଏ। ଏଥିପାଇଁ ଅଙ୍ଗାରକାମ୍ଳକୁ ୮୦୦ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ଉତ୍ତପ୍ତ କରିବାକୁ ପଡ଼ିଥାଏ। ଏଣୁ ଏହି ଉଚ୍ଚ ତାପମାତ୍ରାକୁ ସହ୍ୟ କରିପାରିବା ଭଳି ନିକେଲ ମିଶ୍ରଧାତୁରୁ ମାକ୍‌ସି ଯନ୍ତ୍ର ନିର୍ମିତ ହୋଇଛି। ଏଥିରୁ ତାପ ବାହାରି ଯାଇ ରୋଭରର କ୍ଷତି ନ ପହଞ୍ଚାଇବା ପାଇଁ ଏହାକୁ ଗୋଟିଏ ପତଳା ସୁନା ଆବରଣରେ ଆଚ୍ଛାଦିତ କରାଯାଇଛି।
ପରୀକ୍ଷାରେ ମାକ୍‌ସି ୫.୪ ଗ୍ରାମ ଅମ୍ଳଜାନ ପ୍ରସ୍ତୁତ କରିଛି। ଏଥିରେ ଜଣେ ମହାକାଶଚାରୀ ୧୦ ମିନିଟ୍‌ ଶ୍ୱାସକିୟା ନେଇପାରିବ। ଯଦିଓ ଏହି ପରିମାଣ ଯଥେଷ୍ଟ ନୁହେଁ, ଗବେଷଣା ଦୃଷ୍ଟିରୁ ଏହା ହେଉଛି ଗୋଟିଏ ବଡ଼ ସଫଳତା। ମାକ୍‌ସିର ପ୍ରତି ଘଣ୍ଟାରେ ୧୨ ଗ୍ରାମ ଅମ୍ଳଜାନ ପ୍ରସ୍ତୁତ କରିବାର କ୍ଷମତା ଅଛି। ଗୋଟିଏ ବଡ଼ ଗଛର ଅମ୍ଳଜାନ ନିର୍ଗତ ସହ ଏହା ସମାନ।
ଏହି ସଫଳତା ପରେ ଭବିଷ୍ୟତ ଅଭିଯାନରେ ଏହାଠାରୁ ବଡ଼ ଯନ୍ତ୍ର ପଠାଇ ଅଧିକ ଅମ୍ଳଜାନ ଉତ୍ପାଦନ ପାଇଁ ଯୋଜନା ଅଛି। ଏହାକୁ ଡିଜାଇନ କରିଥିବା ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ଇଞ୍ଜିନିୟର ମାଇକେଲ ହେକଟ ପ୍ରକାଶ କରିଛନ୍ତି ଯେ, ୨୫ ଟନ ଓଜନର ଏହିଭଳି ଏକ ଯନ୍ତ୍ର ୨୫ ଟନ ଅମ୍ଳଜାନ ପ୍ରସ୍ତୁତ କରିପାରିବ, ଯାହା ମଙ୍ଗଳ ପୃଷ୍ଠରୁ ଗୋଟିଏ ରକେଟ ଉତ୍‌କ୍ଷେପଣ ପାଇଁ ଆବଶ୍ୟକ ଇନ୍ଧନ ହୋଇପାରିବ। ମହାକାଶଚାରୀମାନେ ମଙ୍ଗଳ ପୃଷ୍ଠରେ ଅବତରଣ ପରେ ସେଠାରୁ ପ୍ରତ୍ୟାବର୍ତ୍ତନ ସମୟରେ ସେଠାରେ ଉତ୍ପାଦିତ ଅମ୍ଳଜାନ ବ୍ୟବହାର କରିପାରିବେ। ଫଳରେ ମହାକାଶଯାନର ଓଜନ, ଇନ୍ଧନ ଓ ଖର୍ଚ୍ଚ ହ୍ରାସ ହୋଇପାରିବ। ଉଲ୍ଲେଖନୀୟ, ପୃଥିବୀଠାରୁ ମଙ୍ଗଳର ହାରାହାରି ଦୂରତା ହେଉଛି ୨୯.୨୭ କୋଟି କି.ମି. ଏବଂ ପୃଥିବୀରୁ ମଙ୍ଗଳକୁ ଯିବା ପାଇଁ ଯାନକୁ ସାତରୁ ନଅ ମାସ ଲାଗିଥାଏ।
ମଙ୍ଗଳ ଗ୍ରହକୁ ଯାଇପାରିଲେ ଏହାର ଅନେକ ବର୍ଷର ସ୍ବପ୍ନ ପୂରଣ ହେବ। ବିଜ୍ଞାନ ଆଜି ଏହି ଅସାଧ୍ୟକୁ ସାଧନ କରିବାକୁ ଯାଉଛି। ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ମଧ୍ୟ ଆଧୁନିକ ପ୍ରଯୁକ୍ତି ବିଦ୍ୟା ସୁବିଧାରେ ପରିଣତ କରିପାରୁଛି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର ଫେଜ୍‌ ୧
ଭୁବନେଶ୍ୱର-୭୫୧୦୧୮
ମୋ: ୯୪୩୮୦୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?