ଅଙ୍ଗଦାନ

ଜୀବନ ପାଇଁ ଉଭୟ ଅଙ୍ଗଦାନ ଓ ପ୍ରତିରୋପଣର ଗୁରୁତ୍ୱ ରହିଛି। ଜଣେ ବ୍ୟକ୍ତିର ଅଙ୍ଗଦାନ ଏକ କିମ୍ବା ଏକାଧିକ ଜୀବନ ବଞ୍ଚାଇଦେଇପାରେ। କିନ୍ତୁ ଭାରତରେ ଏହି କାର୍ଯ୍ୟକ୍ରମରେ ଶିଥିଳତା ଓ ଅସମାନତା ଦେଖାଯାଇଛି। ଗତ ସପ୍ତାହରେ ଲୋକ ସଭାରେ ଅଙ୍ଗଦାନ ଓ ପ୍ରତିରୋପଣ ସମ୍ପର୍କିତ ପ୍ରଶ୍ନଉତ୍ତରରୁ ଏହା ଜଣାପଡ଼ିଛିି। ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ସାଂସଦ କୁରୁଭା ଗୋରାନ୍ତଲା ମାଧବଙ୍କ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଏସ୍‌.ପି.ସିଂ ବଘେଲଙ୍କ ପ୍ରଦତ୍ତ ତଥ୍ୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ପ୍ରତିରୋପଣ ଅସମାନତାକୁ ସ୍ପଷ୍ଟ କରିଛି। ବଘେଲ କହିଥିଲେ ଯେ, ୧୯୯୫ରୁ ୨୦୨୧ ମଧ୍ୟରେ କରାଯାଇଥିବା ସମସ୍ତ ଅଙ୍ଗ ପ୍ରତିରୋପଣର ୮୦ ପ୍ରତିଶତ ପୁରୁଷଙ୍କଠାରେ ହୋଇଛି। ତଥ୍ୟ ମୁତାବକ ଏହି ସମୟ ମଧ୍ୟରେ ପୁରୁଷଙ୍କଠାରେ ୨୯,୬୯୫ ଅଙ୍ଗ ପ୍ରତିରୋପଣ କରାଯାଇଥିବାବେଳେ ଏ ଦିଗରେ ମହିଳାଙ୍କ ସଂଖ୍ୟା ଥିଲା ୬୯୪୫, ଯାହାର ଅନୁପାତ ପ୍ରାୟ ୪:୧। ସରକାରଙ୍କ ଦ୍ୱାରା ନ୍ୟାଶନାଲ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ କରାଯାଇ ଲୋକଙ୍କୁ ଅଙ୍ଗଦାନ ଉପରେ ସଚେତନ କରାଯାଉଛି ବୋଲି ବଘେଲ କହିଥିଲେ। ଅନ୍ୟ ଏକ ପରିସଂଖ୍ୟାନରୁ ଜଣାପଡ଼େ ଯେ, ଦେଶରେ ମୋଟ ଅଙ୍ଗଦାନ ମଧ୍ୟରୁ ୯୩ ପ୍ରତିଶତ ଜୀବିତ ବ୍ୟକ୍ତି କରିଥାନ୍ତି। ଗୁରୁତ୍ୱପୂର୍ଣ୍ଣ ହେଉଛି, ୫ ଜଣ ଅଙ୍ଗଦାତାଙ୍କ ମଧ୍ୟରେ ୪ ଜଣ ମହିଳା ଥିବାବେଳେ ଅଙ୍ଗ ପ୍ରତିରୋପଣ କରାଯାଉଥିବା ୫ ଜଣଙ୍କ ଭିତରେ ୪ ଜଣ ପୁରୁଷ ଅଛନ୍ତି। ଉଲ୍ଲେଖନୀୟ ଯେ, ଏହି ତଥ୍ୟକୁ ଆଧାରକରି ମାଧବ ପ୍ରଶ୍ନ ଉତ୍‌ଥାପନ କରିଥିଲେ। ତେବେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଯେଉଁ ଅସମାନତା ତଥ୍ୟ ଦର୍ଶାଇଛନ୍ତି ତାହା କାରଣ ମଧ୍ୟ ବୁଝିବା କଷ୍ଟକର ନୁହେଁ। ଭାରତୀୟଙ୍କ ପରିବାରରେ ଯେ କେହି ଏହା ଅନୁଭବ କରିଥିବେ। ଉଦାହରଣସ୍ବରୂପ ପରିବାରରେ ଯଦି କୌଣସି ପୁରୁଷଙ୍କର କିଡ୍‌ନୀ(ବୃକ୍‌କ) ଖରାପ ହୋଇଯାଇଥାଏ ତେବେ ସେ କ୍ଷେତ୍ରରେ ସେହି ବ୍ୟକ୍ତିଙ୍କର ଭାଇ କିମ୍ବା ପୁଅ କିଡ୍‌ନୀ ଦେବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ତାଙ୍କ ସ୍ତ୍ରୀ କିଡ୍‌ନୀ ଦାନ କରିବା ଦେଖାଯାଏ। ଅନେକ କ୍ଷେତ୍ରରେ ଭଉଣୀ କିମ୍ବା ମା’ ମଧ୍ୟ ଅଙ୍ଗଦାନ କରିଥାନ୍ତି। ବିଶେଷକରି ଭାରତୀୟ ସମାଜ ପୁରୁଷପ୍ରାଧାନ୍ୟ। ପୁରୁଷ କେବଳ ପରିବାର ପ୍ରତିପୋଷଣ ଓ ରୋଜଗାରର ଉତ୍ସ ବୋଲି ଧରିନିଆଯାଏ। ସେହି କାରଣରୁ ଅଧିକାଂଶ ପରିବାରରେ ମହିଳାମାନେ ଅଙ୍ଗଦାନ କରିଥାନ୍ତି ଓ ପୁରୁଷମାନେ ତାହାକୁ ଗ୍ରହଣ କରନ୍ତି। କିନ୍ତୁ କୌଣସି ପରିସ୍ଥିତିରେ ପୁରୁଷମାନେ ପରିବାରର ମହିଳାଙ୍କ ପାଇଁ ଅଙ୍ଗଦାନ କରନ୍ତି ନାହିଁ। ଏଭଳି ମାନସିକତା ଯୋଗୁ ଅଙ୍ଗଦାନ ଓ ପ୍ରତିରୋପଣରେ ଅସମାନତା ଉପୁଜିବା ଥୟ।
ଭାରତରେ ଅଙ୍ଗଦାନ ଓ ପ୍ରତିରୋପଣ ଅନୁପାତ କେବଳ ଚିନ୍ତାଜନକ ସ୍ଥିତିରେ ନାହିଁ, ବରଂ ଅଙ୍ଗଦାନ ଅପେକ୍ଷାରେ ଥିବା ବ୍ୟକ୍ତିଙ୍କ ତାଲିକାରେ ପ୍ରତି ୧୦ ମିନିଟ୍‌ରେ ଜଣେ ସାମିଲ ହେଉଛନ୍ତି ବୋଲି ବିଶେଷଜ୍ଞମାନେ ସତର୍କ କରିଦେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁୟାୟୀ ଅଙ୍ଗଦାନ ପାଇଁ ଏବେ ଭାରତରେ ୩ ଲକ୍ଷରୁ ଅଧିକ ଲୋକ ଅପେକ୍ଷାରେ ରହିଛନ୍ତି ଓ ସେମାନଙ୍କ ମଧ୍ୟରୁ ପ୍ରତିଦିନ ଅତିକମ୍‌ରେ ୨୦ ଜଣଙ୍କ ମୃତ୍ୟୁ ଘଟୁଛି। ୨୦୨୨ ସୁଦ୍ଧା ସଦ୍ୟ ମୃତ ତଥା ଜୀବିତ ଅଙ୍ଗଦାତାଙ୍କ ସଂଖ୍ୟା ୧୬,୦୪୧ରେ ପହଞ୍ଚିଥିଲା ଓ ଏବେ ଏହା ସାମାନ୍ୟ ବୃଦ୍ଧି ହୋଇଥାଇପାରେ। ତେବେ ଏଥିରେ ପ୍ରତିରୋପଣ ଅପେକ୍ଷାରେ ଥିବା ୧ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଚାହିଦା ପୂରଣ କରିବା ସମ୍ଭବପର ନୁହେଁ। ଉଲ୍ଲେଖନୀୟ ଯେ, ଗତ ଏକ ଦଶନ୍ଧି ହେଲା ଭାରତରେ ପ୍ରତି ୧୦ ଲକ୍ଷରେ ସଦ୍ୟମୃତ ବ୍ୟକ୍ତିଙ୍କ ଅଙ୍ଗଦାନ ପ୍ରତିଶତ ୧ରୁ କମ୍‌ ରହିଆସିଛି। ଏଣୁ ଦେଶରେ ଥିବା ସମସ୍ତ ସରକାରୀ ମେଡିକାଲ କଲେଜ ଓ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ(ଏଆଇଆଇଏମ୍‌ଏସ୍‌)ଗୁଡ଼ିକରୁ ବର୍ଷକୁ ଯଦି ଅତିକମ୍‌ରେ ଜଣେ ମୃତକଙ୍କ ଅଙ୍ଗଗୁଡ଼ିକ ପାଇପାରିବା ତେବେ ପରିସ୍ଥିତିରେ କିଛି ପରିବର୍ତ୍ତନ ଆସିପାରେ। କାରଣ ଜଣେ ମୃତକଙ୍କ ଅଙ୍ଗଦାନ ୮ଜଣଙ୍କ ଜୀବନ ବଞ୍ଚାଇପାରିବ। ହେଲେ ଭାରତରେ ଅଙ୍ଗଦାନ ସ୍ଥିତି ଅତି ପୁରୁଣା ସ୍ତରରେ ରହିଯାଇଛି। ଉତ୍ତରପୂର୍ବାଞ୍ଚଳରେ ଏହା ଅତି ନଗଣ୍ୟ। ସଂଖ୍ୟାଧିକ ଭାରତୀୟ ଅଙ୍ଗଦାନ ସମ୍ପର୍କିତ ନୀତିନିୟମ ଉପରେ ସଚେତନ ନୁହନ୍ତି। ଏହି ଆଇନଗୁଡ଼ିକ ଜଟିଳ ଓ ଅଙ୍ଗଦାନରେ ଦୁର୍ନୀତି ଜଡ଼ିତ ବୋଲି ଲୋକଙ୍କ ଧାରଣା ରହିଛି। ଅବଶ୍ୟ ରକ୍ତଦାନରେ ବ୍ୟବସାୟିକ ଦିଗ ରହିଛି ଏବଂ ଅନେକ ରକ୍ତଦାନ ଶିବିରରେ ଗ୍ରହଣ କରାଯାଉଥିବା ରକ୍ତ ବିକ୍ରି କରିଦିଆଯାଏ। ସେହିଭଳି ଅଙ୍ଗଦାନରେ ମଧ୍ୟ କିଡ୍‌ନୀ ଚୋରି ହେବାର ଖବର ସମସ୍ତେ ଜାଣିଛୁ, କାରଣ ସେହି ଅଙ୍ଗଗୁଡ଼ିକ ଉଚ୍ଚ ମୂଲ୍ୟରେ ବିକ୍ରି କରିହୁଏ। ଏହା ବ୍ୟତୀତ ସମାଜରେ ପୁନର୍ଜନ୍ମକୁ ନେଇ ରୂଢିବାଦୀ ଧର୍ମୀୟ ଚିନ୍ତାଧାରା ମଧ୍ୟ ଅଙ୍ଗଦାନରେ ବାଧକ ସାଜୁଛି। ଏସବୁ ଦୃଷ୍ଟିରୁ ନୀତିନିର୍ଦ୍ଧାରକ ଓ ବିଭିନ୍ନ ସଂସ୍ଥା ବ୍ୟାପକ ସଚେତନତା ସୃଷ୍ଟି କଲେ ଅଙ୍ଗଦାନ ଏବଂ ପ୍ରତିରୋପଣ ସ୍ଥିତିରେ ଉନ୍ନତି ଅଣାଯିବା ସହ ଅନେକାଂଶରେ ଅସମାନତା ଦୂର କରାଯାଇପାରିବ।

ଭାରତରେ ଅଙ୍ଗଦାନ ସ୍ଥିତି ଅତି ପୁରୁଣା ସ୍ତରରେ ରହିଯାଇଛି। ଉତ୍ତରପୂର୍ବାଞ୍ଚଳରେ ଏହା ଅତି ନଗଣ୍ୟ। ସଂଖ୍ୟାଧିକ ଭାରତୀୟ ଅଙ୍ଗଦାନ ସମ୍ପର୍କିତ ନୀତିନିୟମ ଉପରେ ସଚେତନ ନୁହନ୍ତି। ଏହି ଆଇନଗୁଡ଼ିକ ଜଟିଳ ଓ ଅଙ୍ଗଦାନରେ ଦୁର୍ନୀତି ଜଡ଼ିତ ବୋଲି ଲୋକଙ୍କ ଧାରଣା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri