ବିକଳ୍ପ ଦିଶିଲାଣି

ବିହାରରେ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଓ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ୨୦୨୦ରୁ ଚାଲିଆସିଥିବା ମେଣ୍ଟ ସରକାର ୯ ଅଗଷ୍ଟରେ ଭାଙ୍ଗିଯାଇଛି। ନିଜେ ନୀତୀଶ କୁମାର ଏହା ଘୋଷଣା କରି ରାଜ୍ୟପାଳ ଫାଗୁ ଚୌହ୍ବାନଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହା ପରେ ଲାଲୁପ୍ରସାଦଙ୍କ ପୁତ୍ର ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ବୀ ଯାଦବଙ୍କ ଘରକୁ ଯାଇ ନୀତୀଶ ଆଲୋଚନା କରିଥିଲେ। ବିହାର ବିଧାନସଭାର ସମୁଦାୟ ଆସନ ସଂଖ୍ୟା ୨୪୩ ଥିବାବେଳେ ଜେଡିୟୁର ୪୫ ସହିତ ଆର୍‌ଜେଡିର ୭୯ ଆସନ ମିଶିଗଲେ ମୋଟ ୧୨୪ ହେଉଛି, ଯାହାକି ସରକାର ଗଠନ ଲାଗି ଯଥେଷ୍ଟ। ଏଥିସହିତ କଂଗ୍ରେସର ୧୯ ଜଣ ବିଧାୟକ ମଧ୍ୟ ସରକାରରେ ସାମିଲ ହେବେ। ଅବଶ୍ୟ ଯଦି କଂଗ୍ରେସ ମିଶେ ତେବେ ତାହା ଏହି ଦୁଇ ଦଳର ମେଣ୍ଟ ପାଇଁ କ୍ଷତିକାରକ ହୋଇପାରେ। ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ବିହାରରେ ନୂଆ ମହାଗଠବନ୍ଧନ ସରକାର ୧୦ ଅଗଷ୍ଟରେ ଶପଥ ନେବ। ଏହି ଘଟଣା କେବଳ ବିହାରରେ ସୀମିତ ରହୁ ନାହିଁ, ଏହା ଜାତୀୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି। କାରଣ ଭାଜପାର ଦେଶବ୍ୟାପୀ କ୍ଷମତା ଦଖଲ ଲାଗି ହେଉଥିବା ଅଭିଯାନକୁ ଏହାଦ୍ୱାରା ଘୋର ଆଘାତ ପହଞ୍ଚତ୍ଛି।
ଇତିହାସ କହୁଛି ଯେ, ନୀତୀଶ କେବେହେଲେ ଜେଡିୟୁକୁ ଏକାକୀ ସଂଖ୍ୟାଗରିଷ୍ଠ କରି ବିଧାନସଭାରେ ଜିତାଇପାରି ନ ଥିଲେ। ତଥାପି ୬ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତୀଶ ଅତି ଚତୁର ଓ ଅଭିଜ୍ଞ ରାଜନେତା ଭାବେ ଦେଶରେ ପରିଚିତ। ତାଙ୍କ ବିରୋଧରେ କେବେହେଲେ କୌଣସି ଦୁର୍ନୀତି ଅଭିଯୋଗ ଆସିନାହିଁ। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୂଳ ଅସ୍ତ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନୀତୀଶଙ୍କ ବିରୋଧରେ ବ୍ୟବହାର କରିବା ସମ୍ଭବପର ହୋଇ ନ ପାରେ। ହୁଏତ ଏଭଳି ଏକ ସ୍ଥିତି ସୃଷ୍ଟି ହୋଇପାରେ ଯେଉଁଥିରେ ୨୦୨୪ରେ ମୋଦିଙ୍କ ବିରୋଧୀମାନେ ସମସ୍ତେ, ବାଧ୍ୟବାଧକତାମୂଳକ, ସଚ୍ଚୋଟ ଓ ନିର୍ମଳ ଭାବମୂର୍ତ୍ତି ଥିବା ରାଜନେତା ହେବେ। ଅନ୍ୟପଟେ ଯେଉଁମାନେ ମୋଦିଙ୍କ ସମର୍ଥକ ରହିବେ ସେମାନେ ସମସ୍ତେ ଦୁର୍ନୀତିଗ୍ରସ୍ତ ଓ କଳଙ୍କିତ ଭାବେ ପରିଚିତ ହେବେ। କାରଣ ସେମାନେ ଇଡି ଓ ସିବିଆଇକୁ ଭୟ କରି ମୋଦିଙ୍କ ସମ୍ମୁଖରେ ଆଣ୍ଠେଇବାକୁ ବାଧ୍ୟ ହେବେ।
ବିହାରରେ ଗତ କିଛି ମାସ ହେବ ଜେଡିୟୁ ଓ ଭାଜପା ମଧ୍ୟରେ ଫାଟ ହୋଇଥିବା ବିଷୟ ପଦାକୁ ଆସିଥିଲା। ନିକଟରେ ଶେଷ ହୋଇଥିବା ନୀତି ଆୟୋଗ ବୈଠକରେ ନୀତୀଶ ଯୋଗ ନ ଦେବା ଏହି ଆଶଙ୍କାକୁ ଦୃଢ଼ୀଭୂତ କରିଥିଲା। ୯ ଅଗଷ୍ଟର ଘଟଣାକ୍ରମ ଦେଖିଲେ ନୀତୀଶ ତାଙ୍କ ବିଧାୟକ ଓ ଏମ୍‌ପିମାନଙ୍କ ସହିତ ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା କ’ଣ ରହିବ ସେ ନେଇ ଏକ ବୈଠକ କରିଥିଲେ। ସେଥିରେ ନେତାମାନେ କହିଥିଲେ, ୨୦୨୦ ବିଧାନସଭା ନିର୍ବାଚନରେ ଜେଡିୟୁ ଆସନ ସଂଖ୍ୟା କମ୍‌ କରିବା ଲାଗି ଭାଜପା ଷଡ଼ଯନ୍ତ୍ର କରିଥିଲା। ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ନେତା ଚିରାଗ ପାଶ୍ୱାନ ଭାଜପାର ବିଦ୍ରୋହୀ ପ୍ରାର୍ଥୀଙ୍କୁ ଜେଡିୟୁ ଲଢ଼ୁଥିବା ନିର୍ବାଚନମଣ୍ଡଳୀରେ ଛିଡ଼ା କରାଇଥିଲେ। ଅର୍ଥାତ୍‌ ପୁନଶ୍ଚ ବିହାରରେ ନୀତୀଶଙ୍କ ଶାସନ ଚାଲୁ ବୋଲି ଭାଜପା ଚାହୁଁ ନ ଥିଲା। ଏସବୁ ଭିତିରି କଥା ଜଣାପଡ଼ିବା ପରେ ଭାଜପାକୁ ଜେଡିୟୁ ସନ୍ଦେହ କରିଆସୁଥିଲା। ନିର୍ବାଚନରେ ଭାଜପା ଏକାକୀ ସଂଖ୍ୟାଗରିଷ୍ଠତା ଲାଭ କରିପାରି ନ ଥିବା ହେତୁ ବାଧ୍ୟହୋଇ ଜେଡିୟୁ ସହିତ ମିଶି ସରକାର ଗଢ଼ିଥିଲା। ସେତେବେଳେ ସମସ୍ତଙ୍କ ଧାରଣା ହୋଇଥିଲା ଯେ, ଜେଡିୟୁ ଅଳ୍ପସଂଖ୍ୟକ ହୋଇଥିବା ସତ୍ତ୍ୱେ ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବସାଇ ମୋଦି ତାଙ୍କ ଉଦାର ମନୋଭାବ ଦର୍ଶାଇଥିଲେ। ଆଜି କିନ୍ତୁ ବାସ୍ତବ ଚିତ୍ର ପଦାକୁ ଆସିଛି। ଏବେ ନୀତୀଶ ଓ ତେଜସ୍ବୀଙ୍କ ମଧ୍ୟରେ କଥାବାର୍ତ୍ତା ଶେଷ ହୋଇ ସରକାର ଗଠନ ହେବାକୁ ଯାଉଛି। ଫଳରେ ନୀତୀଶ ମୁଖ୍ୟମନ୍ତ୍ରୀ ହେବେ ଓ ତେଜସ୍ବୀ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ। ବାଚସ୍ପତି ପଦବୀ ଆର୍‌ଜେଡିକୁ ଯିବ ବୋଲି କୁହାଯାଉଥିବା ବେଳେ ସରକାରରେ କଂଗ୍ରେସ ସାମିଲ ହେଉଥିବାରୁ ତାହାକୁ କିଛି ମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବିହାରରେ ଜେଡିୟୁ ଏବଂ ଆର୍‌ଜେଡି ମିଳିତ ସରକାର ଗଠନ କରିଥିଲେ ମଧ୍ୟ ତାହା ଦୀର୍ଘବର୍ଷ ତିଷ୍ଠିପାରି ନ ଥିଲା। ହେଲେ ଏବର ରାଜନୈତିକ ସ୍ଥିତି ଦେଖିଲେ ଭାଜପାର ଗତିରୋଧ କରିବା ଲାଗି ଜେଡିୟୁ ଓ ଆର୍‌ଜେଡି ହାତ ମିଳାଇବାକୁ ନିଷ୍ପତ୍ତି ନେଇଛନ୍ତି।
ମହାରାଷ୍ଟ୍ରରେ ଶିବସେନା ମଧ୍ୟରେ ଫାଟ କରି ଭାଜପା ଫାଇଦା ନେବା ପରେ ଧରିନେଇଥିଲା ସେହିଭଳି ସୂତ୍ର ଅନ୍ୟ ରାଜ୍ୟଗୁଡ଼ିକରେ ପ୍ରୟୋଗ କରି ଦଳର ଉପସ୍ଥିତି ଦେଶବ୍ୟାପୀ ଜାହିର କରିବ। ଭାଜପା ଟାର୍ଗେଟରେ ବିହାର ଓ ଝାଡ଼ଖଣ୍ଡ ରହିଥିଲା। ଗୋଆରେ ଭାଜପା ନେତୃତ୍ୱାଧୀନ ସରକାର ଚାଲିଥିଲେ ମଧ୍ୟ ସଂଖ୍ୟା କମ୍‌ ଥିବାରୁ କଂଗ୍ରେସ ବିଧାୟକଙ୍କୁ ନିଜ ଆଡ଼କୁ ଟାଣିବା ଲାଗି ପ୍ରୟାସ କରିଥିଲା। ହେଲେ ଭାଜପା ସବୁଆଡ଼ୁ ବିଫଳ ହୋଇଥିଲା। ଏବେ ଭାଜପାକୁ ଜେଡିୟୁ ଠେଲି ଦେଇ ବିରୋଧୀ ଦଳରେ ଥିବା ଆର୍‌ଜେଡିକୁ ଆପଣାଇ ନେବା ପରେ ଆଲୋଚନା ହେଉଛି ଯେ, କିଛି ମାସ ପରେ ଜାତୀୟ ରାଜନୀତି ଏକ ନୂଆ ମୋଡ଼ ନେଇପାରେ। ସେହି ମୋଡ଼ ଆଣିପାରନ୍ତି ନୀତୀଶ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୩ ମସିହାରେ ନୀତୀଶ କୁମାର ଚାହିଁଥିଲେ ପ୍ରଧାନମନ୍ତ୍ରୀ ଭାବେ ଅଣକଂଗ୍ରେସ ଦଳଗୁଡ଼ିକ ତାଙ୍କୁ ପ୍ରାର୍ଥୀ କରାନ୍ତୁ। ତେବେ ସେହି ବର୍ଷ ୯ ଜୁନ୍‌ରେ ଗୋଆଠାରେ ଅନୁଷ୍ଠିତ ଭାଜପା ଜାତୀୟ କାର୍ଯ୍ୟକାରିଣୀରେ ମୋଦିଙ୍କ ନାମ ଘୋଷଣା ହେବା ପରେ ନୀତୀଶ ଅସନ୍ତୁଷ୍ଟ ହୋଇ ମେଣ୍ଟ ଭାଙ୍ଗିଥିଲେ। ପରବର୍ତ୍ତୀ ସମୟରେ ନୀତୀଶଙ୍କ ଜେଡିୟୁ ଓ ଆର୍‌ଜେଡି ମିଶିଥିବା ସତ୍ତ୍ୱେ ପୁନର୍ବାର ନୀତୀଶ ଭାଜପା ଆଡ଼କୁ ଢଳିଥିଲେ। ଏବେ ମୋଦିଙ୍କ ବିପକ୍ଷରେ ଜଣେ ଟାଣୁଆ ନେତା ପ୍ରଦର୍ଶିତ ହୋଇପାରୁ ନ ଥିବାରୁ ବିରୋଧୀ ଗୋଷ୍ଠୀ ଦୁର୍ବଳ ହୋଇଯାଉଛି। କିନ୍ତୁ ଦେଶର ଅର୍ଥନୀତିରେ ପ୍ରବଳ ଦୁରବସ୍ଥା ଓ ଧର୍ମକୁ ନେଇ ଲାଗି ରହିଥବା ଦ୍ୱେଷ ଯୋଗୁ ସାଧାରଣ ନାଗରିକ ଅସନ୍ତୁଷ୍ଟ ହୋଇ ପଡ଼ିଲେଣି। ହୁଏତ ଏହି ବାତାବରଣକୁ ହିସାବକୁ ନେଇ ଚତୁର ନୀତୀଶ ଏକ ନୂଆ ରାଜନୈତିକ ସମୀକରଣ କରାଇପାରିଲେ ବୋଲି ଭାବୁଛନ୍ତି। ସବୁଆଡ଼େ ପ୍ରଶ୍ନ ହେଉଛି ‘ମୋଦିଙ୍କ ବିରୋଧରେ କିଏ’? ଏଇ ପ୍ରଶ୍ନରୁ ଉତ୍ତର ମିଳିପାରେ ଯେ ଭାରତରେ ମୋଦିଙ୍କ ବିକଳ୍ପ ଖୋଜା ହେଲାଣି। ନୀତୀଶ ସେହି ବିକଳ୍ପ ଭାବେ ଦେଖୁଥିବା ସ୍ବପ୍ନରେ ସଫଳ ହେବେ କି ନାହିଁ ୨୦୨୪ରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri