କେବଳ ବାହାନା

ସରକାରଙ୍କ ବିଭିନ୍ନ ବିଷୟରେ ବ୍ୟସ୍ତ ରହି ଗତ କିଛି ସପ୍ତାହ ହେଲା ମୁଁ ଖବର ଜାଣିବାକୁ ସୁଯୋଗ ପାଇପାରି ନ ଥିଲି। ସେଥିପାଇଁ ସମସ୍ତ ମାନବ ଅଧିକାର ସୁରକ୍ଷା ଏବଂ ସେଗୁଡ଼ିକୁ ପ୍ରୋତ୍ସାହିତ କରିବାରେ ଭାରତ ପ୍ରତିବଦ୍ଧତା ଦୋହରାଇଥିବା ଖବର ଜାଣିବା ପରେ ମୁଁ ଆଶ୍ଚର୍ଯ୍ୟ,ଏପରିକି ସ୍ତବ୍ଧ ହୋଇଗଲି। ସୁରକ୍ଷା, ପ୍ରୋତ୍ସାହନ ତଥା ପ୍ରତିବଦ୍ଧତା ଭଳି ଶବ୍ଦ ଜୁଲାଇ ୧୫ରେ ଅନୁଷ୍ଠିତ ଦଶମ ଭାରତ – ୟୁରୋପୀୟ ସଂଘ ମାନବ ଅଧିକାର ବୈଠକର ମିଳିତ ପ୍ରେସ୍‌ ରିଲିଜରେ ଉଲ୍ଲେଖ ରହିଥିଲା। ଏହି ଡକ୍ୟୁମେଣ୍ଟ ଅତ୍ୟନ୍ତ କୌତୂହଳପ୍ରଦ। ଏଥିରେ ରହିଛି ୯ଟି ପଏଣ୍ଟ। ପ୍ରଥମଟି ହେଉଛି ଭାରତ ଓ ୟୁରୋପୀୟ ସଂଘ (ଇୟୁ) ନିଜକୁ ସମସ୍ତ ମାନବ ଅଧିକାରର ସର୍ବବ୍ୟାପକତା, ଅବିଭାଜ୍ୟତା, ଆନ୍ତଃ ନିର୍ଭରଶୀଳତା ଏବଂ ପାରସ୍ପରିକ ସମ୍ବନ୍ଧ ଉପରେ ଗୁରୁତ୍ୱ ଦେଉଥିବା ଏକ ମୁକ୍ତ ଓ ଗଣତାନ୍ତ୍ରିକ ସମାଜ ବୋଲି ସୂଚିତ କରିଛନ୍ତି। ମୂଳ କଥା ହେଉଛି ନାଗରିକ ଓ ରାଜନୈତିକ ଅଧିକାର, ସଂଖ୍ୟାଲଘୁ ଲୋକଙ୍କ ଅଧିକାର; ସମ୍ଭାବ୍ୟ ବିପଦରେ ଥିବା ବର୍ଗର ଧର୍ମ କିମ୍ବା ବିଶ୍ୱାସ ସମ୍ପର୍କିତ ଅଧିକାର, ବାକ୍‌ ସ୍ବାଧୀନତା ଏବଂ ଅନ୍‌ଲାଇନ ଓ ଅଫ୍‌ଲାଇନ ମତ ଉପରେ ଭାରତ ଏବଂ ଇୟୁ ସେମାନଙ୍କର ଦୃଷ୍ଟିକୋଣ ଓ ବିଚାର ବିନିମୟ କରିଛନ୍ତିି। ଏହାବାଦ୍‌ ଉଲ୍ଲେଖନୀୟ ବିଷୟ ହେଉଛି, ଭାରତ ସରକାର କହିଛନ୍ତି ଯେ, ମାନବ ଅଧିକାରଗୁଡ଼ିକର ରକ୍ଷକ ଓ ସାମ୍ବାଦିକମାନଙ୍କ ସ୍ବତନ୍ତ୍ରତା, ସଂଗଠନର ସ୍ବାଧୀନତା ପ୍ରତି ସମ୍ମାନ ଓ ଶାନ୍ତିପୂର୍ଣ୍ଣ ସମାବେଶ ସ୍ବାଧୀନତା ସହ ସିଭିଲ ସୋସାଇଟି କର୍ମକର୍ତ୍ତାଙ୍କ ସ୍ବତନ୍ତ୍ରତା, ସ୍ବାଧୀନତା ଏବଂ ବିବିଧତା ସୁରକ୍ଷାର ଗୁରୁତ୍ୱକୁ ନେଇ ଉଭୟ ସହମତ। ଏହା ବ୍ୟତୀତ ଅନ୍ତର୍ଜାତୀୟ ସ୍ବୀକୃତ ମାନବ ଅଧିକାର ଆଇନ ଓ ମାନକ ଆଧାରରେ ମାନବ ଅଧିକାର ପ୍ରସଙ୍ଗଗୁଡ଼ିକରେ ଅଧିକ ଜଡ଼ିତ ରହିବା ଲାଗି ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ଭାରତ ପ୍ରକାଶ କରିଛି। କିନ୍ତୁ ମାନବ ଅଧିକାର, ଜାତୀୟ ମାନବ ଅଧିକାର ସଂସ୍ଥା, ସିଭିଲ୍‌ ସୋସାଇଟି ଏବଂ ସାମ୍ବାଦିକମାନଙ୍କ ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ଉଭୟେ ଜାତୀୟ ଅନ୍ତର୍ଜାତୀୟ ମାନବ ଅଧିକାର ପ୍ରକ୍ରିୟାଗୁଡ଼ିକୁ ମଜଭୁତ କରିବାର ଗୁରୁତ୍ୱକୁ ସ୍ବୀକୃତି ଦେଇଛନ୍ତି।
ଡକ୍ୟୁମେଣ୍ଟର ଆଗକୁ ଆଗକୁ ଗଲେ ଭାରତ ମାନବ ଅଧିକାର ସମ୍ପର୍କିତ କାର୍ଯ୍ୟରୁ ଦୂରେଇ ଯାଇ କେବଳ ପ୍ରବଚନ ଦେଉଥିବା ଜାଣିବାକୁ ମିଳେ। ପ୍ରଶ୍ନ ହେଉଛି ଭାରତ ଏଭଳି କାହିଁକି କରୁଛି। ଭାରତ ସରକାର କେବଳ ଏହାକୁ ଅଣଦେଖା କରିନାହାନ୍ତି, ବରଂ ଭୀମା କୋରେଗାଁଓ ଘଟଣାରେ ୧୬ ଜଣ ମାନବ ଅଧିକାର ରକ୍ଷକ, ମହମ୍ମଦ ଜୁବେରଙ୍କ ଭଳି ସାମ୍ବାଦିକ ଏବଂ ସାମାଜିକ କର୍ମୀ ତୀସ୍ତା ସିତଲଭାଦଙ୍କୁ ସମ୍ପୂର୍ଣ୍ଣ ଘୃଣା ଓ ଅବମାନନା କରିଛନ୍ତି। ବାସ୍ତବରେ ସେମାନଙ୍କୁ ଏବଂ ସେମାନଙ୍କ କାର୍ଯ୍ୟକୁ ଭଲ ପାଏ ବୋଲି କାହିଁକି ବାହାନା କରୁଛି? ଏହାର କାରଣ ପୂରା ସ୍ପଷ୍ଟ। ପ୍ରଥମେ ଭାରତ ନିଜ ନାଗରିକମାନଙ୍କ ଉପରେ ଶକ୍ତି ପ୍ରୟୋଗ କରୁଥିବା ଏକ ବହୁସଂଖ୍ୟାବାଦ, ଏକଚ୍ଛତ୍ରବାଦ ଦେଶ ବୋଲି ବାହାରେ ପରିଚୟ ଦେବାକୁ ଚାହଁୁନାହିଁ। ଅନ୍ୟ ଗଣତାନ୍ତ୍ରିକ ଦେଶଗୁଡ଼ିକରେ ଭାରତର କୂଟନୀତିଜ୍ଞ ଥିବାବେଳେ ସେମାନେ ମଧ୍ୟ ବାହାନା କରୁଛନ୍ତି ଯେ ଭାରତ ହେଉଛି ନେହେରୁବାଦୀ ଓ ଧର୍ମନିରପେକ୍ଷ। ସେମାନେ ବି ହିନ୍ଦୁତ୍ୱ ଶବ୍ଦ ବ୍ୟବହାର କରୁନାହାନ୍ତି। ଭାରତରେ ବିଶେଷକରି ସଂଖ୍ୟାଲଘୁଙ୍କ ବିରୋଧରେ ଭାଜପା ଏବଂ ତା’ ନେତାମାନେ ଯେଉଁ ହିନ୍ଦୁତ୍ୱ ଶବ୍ଦ ବ୍ୟବହାର କରୁଛନ୍ତି ତାହା ଆମ ବାହ୍ୟ କାର୍ଯ୍ୟକଳାପରେ ପ୍ରକାଶ ପାଉନାହିଁ। ପାଶ୍ଚାତ୍ୟ ଦେଶଗୁଡ଼ିକ ବିଗତ ଶତାବ୍ଦୀରେ ମାନବ ଅଧିକାର ପ୍ରସଙ୍ଗ, ସ୍ବାଧୀନ ମତ ଏବଂ ସଂଖ୍ୟାଲଘୁଙ୍କ ଅଧିକାର ଉପରେ ସହମତି ପ୍ରକାଶ କରିଥିଲେ। ହେଲେ ଭାରତ ସରକାର ଏସବୁକୁ ବିରୋଧ କରନ୍ତି, କିନ୍ତୁ ବାହାରେ ସେ ସବୁ ଉପରେ ସହମତି ପ୍ରକାଶ କରିପାରନ୍ତି ନାହିଁ। କାରଣ, ଆମର ଆମତ୍ବିଶ୍ୱାସ ନାହିଁ କି ଶକ୍ତିି ନାହିଁ। ସେଥିପାଇଁ ଆମେ ମିଛ କହୁଛୁ। ବାହାନା କରିବାର ଦ୍ୱିତୀୟ କାରଣ ହେଉଛି ପ୍ରଭାବୀ ବାହ୍ୟ ପ୍ରଭାବ। ଯଦି ଆମେ ଚାପରେ ନ ଥାଆନ୍ତେ, ତେବେ ଆମେ ଇୟୁକୁ ଦୂରେଇ ଯିବା ଲାଗି କହିଥାନ୍ତେ। ଏକ ବର୍ଷ ତଳେ ଇୟୁ ଅଧିକାରୀମାନେ ମାନବ ଅଧିକାର କର୍ମୀ ତଥା ଫାଦର ଷ୍ଟାନ୍‌ ସ୍ବାମୀଙ୍କୁ ସନ୍ତ୍ରାସବାଦର ମିଥ୍ୟ ଅଭିଯୋଗରେ ଗିରଫ କରାଯିବାର ୯ ମାସ ପରେ ଜେଲରେ ତାଙ୍କର ମୃତ୍ୟୁ ଘଟିଥିବା କହିଥିଲେ। ମାନବ ଅଧିକାର ରକ୍ଷକମାନଙ୍କୁ ଜେଲରେ ରଖିବା ଅକ୍ଷମଣୀୟ ବୋଲି ପ୍ରକାଶ କରିଥିଲେ। ଇୟୁ ଲଗାତର ଏହି ମାମଲା ଉଠାଇ ଆସୁଥିବା ବି କହିଥିଲେ ୟୁରୋପୀୟ ସଂଘର ସ୍ବତନ୍ତ୍ର ପ୍ରତିନିଧି ଏମୋନ୍‌ ଗିଲ୍‌ମୋର। ମାନବ ଅଧିକାର ରକ୍ଷକଙ୍କୁ ଏବଂ ସେମାନଙ୍କ କାର୍ଯ୍ୟ କରିବାର ଅଧିକାରକୁ ସମ୍ମାନ କରୁ ବୋଲି ଯେତେବେଳେ ଆମେ କହୁଛୁ ସେତେବେଳେ ଏହି ବ୍ୟକ୍ତିମାନଙ୍କ ସହ ଆମେ ଏକମତ ହେଉଛୁ। ଆମ ପାଖରେ କୌଣସି ବିକଳ୍ପ ନ ଥିବାରୁ ଆମେ ଏଭଳି କରୁଛୁ।
ସଚ୍ଚୋଟ, ଶକ୍ତିଶାଳୀ ଏବଂ ବାସ୍ତବରେ ଏକ ସାର୍ବଭୌମ ସରକାରଙ୍କୁ ତାଙ୍କ କାର୍ଯ୍ୟ ସମ୍ପର୍କରେ ମିଛ କହିବା ବା ବାହାନା କରିବା ଦରକାର ନାହିଁ। ଚାଇନା ଇୟୁ ସହ ମାନବ ଅଧିକାର ସମ୍ପର୍କିତ ଆଲୋଚନା କରେ ନାହିଁ। ଯେଉର୍ଁମାନେ ଭାବୁଛନ୍ତି ଯେ, ଭାରତ ଉପରେ କୌଣସି ବାହ୍ୟ ପ୍ରଭାବ ନାହିଁ, ସେମାନେ ଏହା ବୁଝିବା ଦରକାର। ମାନବ ଅଧିକାର ଏମିତି ଏକ ବିଷୟ ଯାହାକୁ ଇୟୁ ଗମ୍ଭୀରତାର ସହ ନିଏ, କାରଣ ଏହାର ନାଗରିକମାନେ ମଧ୍ୟ ଏହାକୁ ସେହିଭଳି ନେଇଥାନ୍ତି। ଭାରତୀୟ ନେତାମାନେ ଦେଶରେ ଏହା ଉପରେ ଗମ୍ଭୀରତା ପ୍ରକାଶ ନ କରି ବାସ୍ତବତାକୁ କିଭଳି ପରିଚାଳନା କରାଯିବ ସେଥିପାଇଁ ଚେଷ୍ଟା କରୁଛନ୍ତି। ଏହାର ଏକ ସଙ୍କେତ ହେଲା ଉକ୍ତ ମାନବ ଅଧିକାର ବୈଠକର ଇୟୁର ଆମ୍ବାସାଡାରମାନେ ପ୍ରତିନିଧିତ୍ୱ କରିଥିଲାବେଳେ ଭାରତ ପକ୍ଷରୁ ପାଶ୍ଚାତ୍ୟ ୟୁରୋପ ପାଇଁ ନିଯୁକ୍ତ ଯୁଗ୍ମ ସଚିବ ସ୍ତରର କୂଟନୀତିଜ୍ଞମାନେ ପ୍ରତିନିଧିତ୍ୱ କରିଥିଲେ। ଆଉ ଏକ ସଙ୍କେତ ହେଉଛି, ଏହି ବୈଠକ ସମ୍ପର୍କରେ ପ୍ରାୟ କୌଣସି ଖବର ନ ଥିଲା। ବୈଦେଶିକ ମନ୍ତ୍ରଣାଳୟ ଏହି ସ୍ତରୀୟ କାର୍ଯ୍ୟକଳାପର ଯେମିତି ଟୁଇଟ୍‌ କରେ ସେଭଳି କରି ନ ଥିଲା। ଏହା ହିଁ ହେଉଛି ଆମ ସରକାରଙ୍କ ଆଚରଣ ଯାହା ନିଜ ନାଗରିକମାନଙ୍କୁ ବିଷଦାନ୍ତ ଦେଖାଉଥିବାବେଳେ ବିଶ୍ୱକୁ ଏକ ଉଦାର ମୁଖା ଦେଖାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri