ଅନ୍‌ଲାଇନ୍‌ ଜୁଆ

ବିଚିତ୍ର ବିଶ୍ୱାଳ

ଗତ ଦେଢ଼ମାସ ହେବ ଆଇପିଏଲ୍‌ ଖେଳ ଟିଭିରେ ସିଧା ପ୍ରସାରଣ ହେଉଛି। ସନ୍ଧ୍ୟାଠାରୁ ରାତି ସାଢ଼େ ଏଗାରଟା ଯାଏ ଟିଭିରେ ପ୍ରସାରିତ ହେଉଥିବା ଏହି ଖେଳକୁ ଯେଉଁମାନେ ଦେଖୁଥିବେ, ସେମାନେ ନିଶ୍ଚିତ ଭାବେ ଲକ୍ଷ୍ୟକରୁଥିବେ ଯେ, ଖେଳ ମଝିରେ ଦେଉଥିବା ବିଜ୍ଞାପନର ସିଂହ ଭାଗ ଅକ୍ତିଆର କରିଛି ଅନ୍‌ଲାଇନ୍‌ ଖେଳର ଆପ୍‌। ଡ୍ରିମ୍‌ ଇଲେଭେନ୍‌, ଏଟୁଥ୍ରି, କ୍ରେଡ୍‌ ବାଉଂଟି, ମାଇଁ ଇଲେଭେନ୍‌ ସର୍କଲ, ୟୁଓ, ଏମ୍‌ପିଏଲ୍‌, ବଲ୍ଲେବାଜି, ମାଇଁ ଟିମ୍‌ ଇଲେଭେନ୍‌, ରମି ସର୍କଲ, କ୍ରିକ୍‌ ପ୍ଲେ ଆଦି ଆପ୍‌ର ବିଜ୍ଞାପନ ପ୍ରମୁଖ ଭାବେ ଆଇପିଏଲ୍‌ ଖେଳର ପ୍ରସାରଣ ସମୟରେ ଦେଖାଉଛି। ଏହି ସବୁ ବିଜ୍ଞାପନ ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକ ସମୟରେ ମଧ୍ୟ ଟିଭିରେ ପ୍ରସାରଣ ହେଉଛି। ଖେଳର ପ୍ରସାରଣ ସମୟରେ ବା ଅନ୍ୟ କାର୍ଯ୍ୟକ୍ରମରେ ବିଜ୍ଞାପନ ଦେବାରେ ଅସୁବିଧା ନାହଁି। କିନ୍ତୁ ଚିନ୍ତାର ବିଷୟ ହେଉଛି, ଆର୍ଥିକ ସମ୍ପୃକ୍ତି ଥିବା ଏହିପରି ଅନ୍‌ଲାଇନ୍‌ ଖେଳର ବିଜ୍ଞାପନ ଟିଭିରେ ପ୍ରସାରଣ ହେବା ଓ ତାହାକୁ ଉତ୍ସାହିତ କରାଯିବା। ଏହି ସବୁ ବିଜ୍ଞାପନ ପ୍ରଚାରର ଶେଷରେ କୁହାଯାଉଛି, ଉକ୍ତ ଅନ୍‌ଲାଇନ୍‌ ଖେଳରେ ଆର୍ଥିକ କ୍ଷତି ସହିବାର ସମ୍ଭାବନା ଅଛି। ନିଜ ରିସ୍କରେ ନିଜେ ଖେଳନ୍ତୁ। ଏଥିରୁ ସିଧା ବୁଝିହେଉଛି ଯେ, ଏହି ସବୁ ଖେଳରେ ଆର୍ଥିକ କାରବାର ନିହିତ ରହିଛି। ଯଦି ଜିତିବ ଟଙ୍କା ପାଇବ ଓ ହାରିଲେ ଟଙ୍କା ହରେଇବ। ସିଧା ଅର୍ଥରେ କହିଲେ ଏହା ଏକ ପ୍ରକାର ଜୁଆ, ଯାହା ଅନ୍‌ଲାଇନ୍‌ ବା ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଖେଳାଯାଉଛି। କୋମଳମତି କିଶୋର ଓ ଯୁବକମାନେ ସହଜ ଟଙ୍କା ପାଇବା ଆଶାରେ ଏହିସବୁ ଖେଳ ମାୟାରେ ପଡ଼ି ଲକ୍ଷ ଲକ୍ଷ ଟଙ୍କା ହରାଉଥିବା ଖବର ଶୁଣିବାକୁ ମିଳୁଛି। ଏହି ଡିଜିଟାଲ୍‌ ଜୁଆ ଭବିଷ୍ୟତର ଯୁବ ସମାଜକୁ ଘୋର ଅନ୍ଧାର ମଧ୍ୟକୁ ଟାଣିନେବ।
ଜ୍ଞାନକୌଶଳର ବିକାଶ ଓ ସ୍ମାର୍ଟଫୋନ୍‌ର ବହୁଳତା ଯୋଗୁ ଅନ୍‌ଲାଇନ୍‌ରେ ବହୁତ ଖେଳ ଉପଲବ୍ଧ ହୋଇଛି। ତାହାରି ସୁଯୋଗ ନେଇ ଅନେକ କମ୍ପାନୀ ଅନ୍‌ଲାଇନ୍‌ ଜୁଆ ମାଧ୍ୟମରେ ନିଜ ବେପାର ବଢ଼େଇବାରେ ଲାଗିଛନ୍ତି। ଆମ ଦେଶରେ ଆର୍ଥିକ ସମ୍ପୃକ୍ତି ଥିବା ଏହି ଅନ୍‌ଲାଇନ୍‌ ଖେଳର ବଜାର ଆକାର ୨୦୨୧ରେ ୭୯୦୦ କୋଟି ଥିବା ବେଳେ ୨୦୨୦ରେ ଏହାର ଆକାର ୬୫୦୦ କୋଟି ଟଙ୍କା ଥିଲା। ୨୦୨୪ରେ ଏହା ୧୫୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏକ ରିପୋର୍ଟ ଅନୁସାରେ ୨୦୧୮ରେ ଆମ ଦେଶରେ ୨୫ କୋଟି ବ୍ୟବହାରକାରୀ ଏପରି ଅନ୍‌ଲାଇନ୍‌ ଗେମ୍‌ ଖେଳୁଥିବା ବେଳେ ୨୦୨୧ରେ ଏହା ୪୦ କୋଟିକୁ ବୃଦ୍ଧି ପାଇଛି। ଦୁର୍ଭାଗ୍ୟର ବିଷୟ ଯେ, ଏପରି ଭାବେ ଅନ୍‌ଲାଇନ୍‌ ଜୁଆ ବଢ଼ିଚାଲୁଥିବା ବେଳେ ସରକାରଙ୍କ ତରଫରୁ କୌଣସି ପ୍ରତିକାର ବ୍ୟବସ୍ଥା କରା ନ ଯାଇ ଓଲଟି ଟିଭିରେ ଏହାର ବିଜ୍ଞାପନ ଦିଆଯାଉଛି। କୋମଳମତି କିଶୋର ଓ ଯୁବକମାନେ ନିଜ ପ୍ରିୟ କ୍ରିକେଟ୍‌ ତାରକା ଓ ସେଲିବ୍ରିଟିଙ୍କ ମୁହଁରୁ ଏପରି ଜୁଆର ପ୍ରଚାର ଶୁଣି ସେ ଦିଗରେ ମନ ବଳେଇ ଭବିଷ୍ୟତକୁ ଘୋର ସଂକଟ ମଧ୍ୟକୁ ଠେଲି ଦେଉଛନ୍ତି।
ଆମ ଦେଶରେ ଜୁଆ ଖେଳ ରାଜ୍ୟର କ୍ଷମତା ଅଧୀନରେ ଆସୁଛି। ଆର୍ଥିକ ସମ୍ପୃକ୍ତି ଥିବା ଅନ୍‌ଲାଇନ୍‌ ଖେଳ ତଥା ଅନ୍‌ଲାଇନ୍‌ ଜୁଆକୁ ନେଇ ଆମ ଦେଶରେ କୌଣସି ପ୍ରକାର ସ୍ପଷ୍ଟ ଆଇନ ନାହଁି। ଅନ୍‌ଲାଇନ୍‌ ଖେଳରୁ ହେଉଥିବା ରୋଜଗାର ଉପରେ ସରକାରଙ୍କର ୩୦% ଜିଏସ୍‌ଟିର ବ୍ୟବସ୍ଥା ମଧ୍ୟ ଅଛି। କିଛି ରାଜ୍ୟ ଏପରି ଖେଳକୁ ନେଇ ଆଇନ ତିଆରି କରିଛନ୍ତି। ଆସାମ, ଓଡ଼ିଶା ଓ ତେଲଙ୍ଗାନାରେ ଅନ୍‌ଲାଇନ୍‌ ଜୁଆକୁ ନିଷେଧ କରାଯାଇଛି।
ଆର୍ଥିକ ସମ୍ପୃକ୍ତି ଥିବା ଦକ୍ଷତାଭିତ୍ତିକ ଖେଳଗୁଡ଼ିକୁ ଜୁଆ ଭାବେ ପରିଗଣିତ କରାଯାଏ ନାହଁି। କିନ୍ତୁ ଦିଲ୍ଲୀର ଏକ ଜିଲା କୋର୍ଟଙ୍କ ମତରେ ଆର୍ଥିକ ସମ୍ପୃକ୍ତି ଥିବା ଦକ୍ଷତାଭିତ୍ତିକ ଅନ୍‌ଲାଇନ୍‌ ଖେଳ ଜୁଆ ଭାବେ ପରିଗଣିତ ହେବ। ଏହା ବେଆଇନ। କାରଣ ଏପରି ଅନ୍‌ଲାଇନ୍‌ ଖେଳରେ ଖଳ କାରସାଦି ଓ ଠକେଇ ଆଦିର ସମ୍ଭାବନା ରହିଛି। ଯଦିଓ ଆମ ଦେଶରେ ଅନ୍‌ଲାଇନ୍‌ ଜୁଆକୁ ନେଇ କୌଣସି ଆଇନ ନାହଁି, କିନ୍ତୁ କମ୍ପାନୀଗୁଡ଼ିକୁ କେତେକ ବୈଷୟିକ ବୈଧତାକୁ ପାଳନ କରିବାକୁ ପଡ଼େ, ଯାହା ଏପରି ଆପ୍‌ ତିଆରି କରୁଥିବା ଓ ଚଳାଉଥିବା କମ୍ପାନୀଗୁଡ଼ିକ କରୁନାହାନ୍ତି। ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଘୋଷଣା ୨୦୧୫ ଅନୁସାରେ ଆମ ଦେଶରେ ଲଟେରି ବ୍ୟବସାୟ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶକୁ ନିଷେଧ କରାଯାଇଛି। ନିକଟ ଅତୀତରେ ଆନ୍ଧ୍ରପ୍ରଦେଶ ସରକାର ପ୍ଲେ ୱିନ୍‌ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅନ୍‌ଲାଇନ୍‌ ଜୁଆ ଖେଳକୁ ନେଇ ଆମ ଦେଶରେ କୌଣସି ସ୍ପଷ୍ଟ ଆଇନ ନ ଥିବାରୁ କମ୍ପାନୀଗୁଡ଼ିକ ତା’ର ସୁଯୋଗ ନେଇ ଦରକାରୀ ନିୟମଗୁଡ଼ିକ ମଧ୍ୟ ପାଳନ ନ କରି ଅନ୍‌ଲାଇନ୍‌ ଜୁଆ ଚଳାଇ ରଖିଛନ୍ତି। ବ୍ୟାଙ୍କ୍‌ ଓ ପେମେଣ୍ଟ ଗେଟ୍‌ୱେଗୁଡ଼ିକ ମଧ୍ୟ ଏପରି ଅନ୍‌ଲାଇନ୍‌ ଜୁଆକୁ ସମର୍ଥନ ଦେଉଛନ୍ତି। ଏପରି ଅନ୍‌ଲାଇନ୍‌ ଜୁଆକୁ ନେଇ କୌଣସି ଆଇନ ନ ଥିବାରୁ କୋର୍ଟ ମଧ୍ୟ କିଛି ନିଷ୍ପତ୍ତି ନେଇପାରୁନାହଁି। ଜୁଆ ଓ ଅନ୍‌ଲାଇନ୍‌ ଖେଳକୁ ନେଇ ଏଯାବତ୍‌ ଆମ ଦେଶରେ କେନ୍ଦ୍ରୀୟ ସ୍ତରରେ କେବଳ ପବ୍ଲିକ୍‌ ଗ୍ୟାମ୍ବଲିଂ ଆକ୍ଟ-୧୮୬୭ ହଁି ବଳବତ୍ତର ଅଛି। ବର୍ତ୍ତମାନର ଆଧୁନିକ ଅନ୍‌ଲାଇନ୍‌ ଖେଳକୁ ଏହି ଆଇନ ଛୁଇଁ ପାରୁନାହଁି। ଫଳରେ ଅନ୍‌ଲାଇନ୍‌ ଖେଳର ଆପ୍‌ କମ୍ପାନୀଗୁଡ଼ିକ ଅନାୟାସରେ ତାଙ୍କ କାରବାର ଚଳାଇ ରଖିଛନ୍ତି। ନିକଟ ଅତୀତରେ ଏହି ସନ୍ଦର୍ଭରେ ଡି. ସିଲୁଭାଇ ଭେନାନ୍‌ସ ବନାମ ରାଜ୍ୟ ମାମଲାରେ ମାଡ୍ରାସ୍‌ ହାଇକୋର୍ଟର ମଦୁରାଇ ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ଭାରତର ଯୁବକମାନଙ୍କୁ ଆର୍ଥିକ ସମ୍ପୃୃକ୍ତି ଥିବା ଅନ୍‌ଲାଇନ୍‌ ଖେଳର ମାୟାରୁ ବଞ୍ଚାଇବା ପାଇଁ ହେଲେ ଆଧୁନିକ ଅନ୍‌ଲାଇନ୍‌ ଖେଳକୁ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ପଷ୍ଟ ଓ ଦୃଢ଼ କେନ୍ଦ୍ରୀୟ ଆଇନ୍‌ର ଆବଶ୍ୟକତା ରହିଛି। କୋର୍ଟ ଆହୁରି ପୋଲିସକୁ ପଚାରିଛନ୍ତି ଯେ, ତାସ୍‌ ମାଧ୍ୟମରେ ଖେଳା ଯାଉଥିବା ଜୁଆକୁ ପ୍ରତିରୋଧ କରାଯାଉଥିବା ବେଳେ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ଖେଳା ଯାଉଥିବା ଜୁଆକୁ ପୋଲିସ ମୌନ ଅନୁମତି ଦେଉଛି କିପରି। ଉତ୍ତରରେ ପୋଲିସ ବିଭାଗ କହିଛି ଯେ, ଅନ୍‌ଲାଇନ୍‌ ଜୁଆକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଆଇନ୍‌ର ବ୍ୟବସ୍ଥା ନାହିଁ। ମାଡ୍ରାସ ହାଇକୋର୍ଟ ଆହୁରି କହିଛନ୍ତି ଯେ, ତାମିଲନାଡ଼ୁ ସରକାର ଅନ୍‌ଲାଇନ୍‌ ଜୁଆକୁ ନିୟନ୍ତ୍ରଣ କରିବା ପାଇଁ ଯଥାଶୀଘ୍ର ସିକିମ୍‌, ନାଗାଲାଣ୍ଡ ଓ ତେଲଙ୍ଗାନା ପରି ଏକ ଦୃଢ଼ ଆଇନ ଆଣନ୍ତୁ।
କଥାରେ ଅଛି ମଦ ଓ ଜୁଆ ଯୁବ ସମାଜକୁ ନଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେଣୁ ଯଥାଶୀଘ୍ର ସରକାର ଅନ୍‌ଲାଇନ୍‌ ଜୁଆକୁ ନିୟନ୍ତ୍ରଣ କରିବା ପାଇଁ ଦୃଢ଼ ଆଇନ ଆଣିବାର ବ୍ୟବସ୍ଥା କରିବା ଉଚିତ। ତା’ ପୂର୍ବରୁ ପ୍ରଥମେ ଏପରି ଅନ୍‌ଲାଇନ୍‌ ଜୁଆ ଆପ୍‌ର ବିଜ୍ଞାପନକୁ ନିଷେଧ କରାଯିବା ଉଚିତ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ-୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?