ଗଞ୍ଜାମ,୧୮।୧୧: ବିରଳ ସାମୁଦ୍ରିକ ପ୍ରଜାତି ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣକୁ ନେଇ ବନ ବିଭାଗ ପକ୍ଷରୁ ତତ୍ପରତା ଆରମ୍ଭ ହୋଇଛି। ଏନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣାବନ୍ଧ ଗ୍ରାମରେ ବ୍ରହ୍ମପୁର ବନଖଣ୍ଡ ସ୍ତରୀୟ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ଡିଏଫଓ ସନି ଖୋଖରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଛି।
ଆଗାମୀ ଦିନରେ ସମୁଦ୍ର ମଧ୍ୟରେ ଅଲିଭ ରିଡଲେ କଇଁଛଙ୍କ ମିଳନ ପ୍ରକ୍ରିୟା, ଗଣ ଅଣ୍ଡାଦାନ ଏବଂ ଅଣ୍ଡାରୁ ଛୁଆ ଫୁଟିବା ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ଆସନ୍ତା ମେ’ ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଚାଲିବ। ଏହାକୁ ଦୃଷ୍ଟିରେ ରଖି କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସମୁଦ୍ରରେ ନୋ ଫିସିଂ ଜୋନ ଘୋଷଣା କରାଯାଇଛି।
ଏହି ସମୟରେ ସମୁଦ୍ର ତଟବର୍ତ୍ତୀ ମତ୍ସ୍ୟଜୀବୀ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଇଁଛଙ୍କ ମିଳନ, ଅଣ୍ଡାଦାନ ଓ ଛୁଆ ଫୁଟିବା ପ୍ରକ୍ରିୟା ସମୟରେ କିଭଳି ସେମାନଙ୍କୁ ସୁରକ୍ଷା ଦିଆଯାଇପାରିବ ଏବଂ ବନ ବିଭାଗକୁ କିପରି ସହଯୋଗ କରାଯାଇପାରିବ, ସେନେଇ ବୈଠକରେ ସଚେତନ କରାଯାଇଥିଲା।
ବୈଠକରେ ଆଡିସନାଲ ଏସିଏଫ ମାନସ କୁମାର ମୁର୍ମୁ, ଗଜେନ୍ଦ୍ରପାଲ ସିଂ ମାଥୁର, ଖଲ୍ଲିକୋଟ ରେଞ୍ଜ ଅଧିକାରୀ କୁଳେଶ ଚନ୍ଦ୍ର ସାହୁ, ବ୍ରହ୍ମପୁର ରେଞ୍ଜ ଅଧିକାରୀ ବିସମେଧର ସାହୁ, ଗଞ୍ଜାମ ଥାନା ଅଧିକାରୀ ସୁମିତ୍ରା ପାତ୍ର, ମେରାଇନ ଥାନା ଅଧିକାରୀ ବିଦ୍ୟା ଭାରତୀ ନାୟକ ଏବଂ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ରବିନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଏହା ସହ ଡେପୁଟି କମାଣ୍ଡାଣ୍ଟ, କୋଷ୍ଟଗାର୍ଡ, ମତ୍ସ୍ୟ ବିଭାଗ, ଗ୍ରାସିମ କମ୍ପାନୀ, ଆଇଆରଇ, ବିଭିନ୍ନ ଏନ୍ଜିଓ, ସ୍ଥାନୀୟ ଗ୍ରାମର ଯୁବକ ସଂଘ ସଭାପତି ଏବଂ ଜନପ୍ରତିନିଧିମାନେ ଯୋଗଦେଇଥିଲେ। ସମସ୍ତେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ବନ ବିଭାଗକୁ ପୂର୍ଣ୍ଣ ସହଯୋଗ କରିବାକୁ ସୱୀକୃତି ପ୍ରଦାନ କରିଥିଲେ। ସାମୁଦ୍ରିକ ଜୈବ ବିବିଧତାର ସୁରକ୍ଷା ସହ ଅଲିଭ ରିଡଲେ କଇଁଛଙ୍କ ନିରାପଦ ଗଣ ଅଣ୍ଡାଦାନ ଓ ବଂଶବୃଦ୍ଧି ସୁନିଶ୍ଚିତ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।
Dharitri – Odisha’s No.1 Odia Daily

