ଅଫିସ୍‌ ଅଫ୍‌ ପ୍ରଫିଟ୍‌

ସହଦେବ ସାହୁ

 

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ମୁଖ୍ୟ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ୨୦୨୧ରେ ଖଣି ମନ୍ତ୍ରୀ ଥିବା ବେଳେ ନିଜେ ଏକ ଖଣି ଲିଜ୍‌ ନେଇଥିଲେ, ଅର୍ଥାତ୍‌ ସରକାର ଅଧୀନରେ ଖଣି କାରବାର କରୁଥିବା ଠିକାଦାର ହୋଇଗଲେ, ତେଣୁ ଲାଭପ୍ରଦ କାମ ବା ଅଫିସ୍‌ ଅଫ୍‌ ପ୍ରଫିଟ୍‌ ପାଇଲେ। ଆମ ସମ୍ବିଧାନର ଧାରା ୧୯୧(୧) କହେ- ସରକାରଙ୍କ ଅଧୀନରେ କୌଣସି ପ୍ରକାରର ବୃତ୍ତି ବା ପଦବୀ ଗ୍ରହଣ କରିଥିବା ଲୋକ ଏମ୍‌ଏଲ୍‌ଏ ପଦ ପାଇଁ ଅଯୋଗ୍ୟ। ଏମ୍‌ପିମାନଙ୍କ ପାଇଁ ସମପ୍ରକାରର ବାରଣ ଧାରା ୨୦୧ରେ ଅଛି। ଏବେ ଖବରରେ ପ୍ରକାଶ ଯେ, ନିର୍ବାଚନ କମିଶନ ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ସୋରେନ୍‌ଙ୍କୁ ଏମ୍‌ଏଲ୍‌ଏ ପଦ ପାଇଁ ଅଯୋଗ୍ୟ ବୋଲି ଘୋଷଣା କରିବାକୁ ସୁପାରିସ କରିଛନ୍ତି, ରାଜ୍ୟପାଳ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାନ୍ତି। ଧାରା ୧୦୨(୧) କହେ ଯେ, ବିଧାୟକ ମନ୍ତ୍ରୀ ହେଲେ ତାହା ‘ଲାଭପ୍ରଦ ପଦବୀ’ ବୋଲି ଧରାଯିବ ନାହିଁ; କିନ୍ତୁ ସରକାରଙ୍କ ଅଧୀନରେ ଅନ୍ୟ କୌଣସି ପ୍ରକାରର ବୃତ୍ତି ବା ପଦବୀ ଗ୍ରହଣ କଲେ ତାହା ଏମ୍‌ଏଲ୍‌ଏ ପଦ ପାଇଁ ଅଯୋଗ୍ୟତା ବୋଲି ଧରାଯିବ। ରାଜ୍ୟପାଳ ତାଙ୍କୁ ଏମ୍‌ଏଲ୍‌ଏ ହେବାକୁ ଅଯୋଗ୍ୟ ଘୋଷଣା କଲେ ସେ ମୁଖ୍ୟମନ୍ତ୍ରୀ ପଦ ହରାଇବେ। ସମ୍ବିଧାନ ଓ ଲୋକପ୍ରତିନିଧି ଆଇନ କହେ, ଏମ୍‌ଏଲ୍‌ଏ ନ ହୋଇ ମଧ୍ୟ ଜଣେ ଛ’ ମାସ ପାଇଁ ମନ୍ତ୍ରୀ ହୋଇ ରହିପାରିବ, ଅବଶ୍ୟ ହୋଇଥିବା ବ୍ୟକ୍ତି ଆଗେ ଇସ୍ତଫା ଦେବ। ସେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଚାହିଁଲେ ମିଳିତ ସରକାର ଚଳାଉଥିବା ଦଳଗୁଡ଼ିକ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କଲେ ସେ ମୁଖ୍ୟମନ୍ତ୍ରୀ ହୋଇପାରିବେ। ଥରେ ଏମ୍‌ଏଲ୍‌ଏ ଆସନରୁ ତଡ଼ା ଖାଇ ଆଉ ଥରେ ମୁଖ୍ୟମନ୍ତ୍ରୀ ଭଳି ପଦକୁ ଫେରିବା ଯେଉଁ ଲଜ୍ଜା ଆଣିପାରେ, ତାହାକୁ ଭୁଲିବା ରାଜନୈତିକ ଦଳ ପାଇଁ ବଡ଼ କଥା ନୁହେଁ। ଗାଦି ପାଇଁ ବୁଦ୍ଧିଜୀବୀମାନେ ଚାହଁୁଥିବା ନୈତିକତା ଆମ ସମାଜରେ ବିରଳ ହେଲାଣି।
ଅଫିସ୍‌ ଅଫ୍‌ ପ୍ରଫିଟ୍‌ କ’ଣ ତାହାର ସଂଜ୍ଞା ଆଇନରେ ନାହିଁ। ୧୯୬୪ରେ ସୁପ୍ରିମ୍‌ କୋର୍ଟ କହିଲେ ଯେ, ତିନି ଚାରୋଟି ପ୍ରଶ୍ନର ଉତ୍ତର ହଁ ହେଲେ ତାହା ଅଫିସ୍‌ ଅଫ୍‌ ପ୍ରଫିଟ୍‌ ବୋଲି ଧରାଯିବ। (୧) ସରକାର ନିଯୁକ୍ତି ଦେଉଛନ୍ତି କି, (୨) ସରକାରଙ୍କର କ୍ଷମତା ଅଛି କି ସେ ପ୍ରକାରର ନିଯୁକ୍ତିକୁ ବାତିଲ କରିବାର, (୩) ସରକାରରୁ ପାରିଶ୍ରମିକ ମିଳେ କି ଏବଂ (୪) ଏଭଳି ନିଯୁକ୍ତି ଦ୍ୱାରା ବ୍ୟକ୍ତି ସରକାରୀ କାମ ହାସଲ କରିବାରେ କିଛି କ୍ଷମତା ମିଳେ କି। କିନ୍ତୁ ମନ୍ତ୍ରୀ ପଦ ଅଫିସ୍‌ ଅଫ୍‌ ପ୍ରଫିଟ୍‌ ନୁହେଁ ବୋଲି ସମ୍ବିଧାନ କହେ। ସରକାର ସହିତ ବା ସରକାର ଭିତରେ କାମ କରିବାର ଆଉ ଯେକୌଣସି ପଦବୀ ଅଫିସ୍‌ ଅଫ୍‌ ପ୍ରଫିଟ୍‌ ସଂଜ୍ଞା ଭିତରେ ଆସିବ। କିନ୍ତୁ ଦଳର ମୁଖ୍ୟ ଦଳର ପ୍ରଧାନ ଲୋକମାନଙ୍କୁ ଖୁସି କରିବା ପାଇଁ ମନଇଚ୍ଛା ମନ୍ତ୍ରୀ ସଂଖ୍ୟା ବଢ଼ାଇ ଦେଉଥିଲେ। ୨୦୦୩ରେ ସମ୍ବିଧାନର ୯୩ତମ ସଂଶୋଧନ କରାଯାଇ ତା’ ଉପରେ ସୀମା ଲଗାଗଲା: ମୁଖ୍ୟମନ୍ତ୍ରୀ ସହ ମନ୍ତ୍ରୀମାନଙ୍କ ସଂଖ୍ୟା ବିଧାନସଭାର ମୋଟ ସଦସ୍ୟ ସଂଖ୍ୟାର ୧୫%ରୁ (ଏକ ୟୁନିଅନ ଟେରିଟୋରି ହୋଇଥିବାରୁ ଆସେମ୍ବ୍ଲି ଥିଲେ ବି ଦିଲ୍ଲୀ କ୍ଷେତ୍ରରେ ୧୦%)ରୁ ବେଶି ହେବ ନାହିଁ। କେନ୍ଦ୍ର ସରକାରଙ୍କ କ୍ଷେତ୍ରରେ ମଧ୍ୟ ୧୫% ଲାଗୁ। ତେଣୁ ସନ୍ତୁଷ୍ଟ କରିବା ପାଇଁ ମନ୍ତ୍ରୀ ପଦ ଅଭାବ ପଡ଼ିଲା: ସରକାରୀ ସଂସ୍ଥାର ଅଧ୍ୟକ୍ଷ ବା ନିର୍ଦ୍ଦେଶକ ବା ବୋର୍ଡର ମେମ୍ବର ପଦ (ଅଫିସ୍‌ ଅଫ୍‌ ପ୍ରଫିଟ୍‌) ଦେବା ଦରକାର ପଡ଼ିଲା, କିନ୍ତୁ ତାହା ଅଫିସ୍‌ ଅଫ୍‌ ପ୍ରଫିଟ୍‌ ବୋଲି ଗଣ୍ୟ ହେବା କଥା ନୁହେଁ, ଏଥିପାଇଁ ସଂସଦକୁ କ୍ଷମତା ଦିଆଯାଇଛି ସଂସଦ (ଅଯୋଗ୍ୟତା ନିରାକରଣ) ଆଇନ ୧୯୫୯ ଜରିଆରେ। ସବୁ ରାଜ୍ୟରେ ଆଇନ ତିଆରି ହୋଇଛି- ସେ ରାଜ୍ୟର ଲେଜିସ୍‌ଲେଚରର ସଦସ୍ୟମାନଙ୍କ ପାଇଁ କେଉଁ କେଉଁ କାମକୁ ଅଫିସ୍‌ ଅଫ୍‌ ପ୍ରଫିଟ୍‌୍‌ ନୁହେଁ ବୋଲି ଘୋଷଣା କରିପାରିବେ। ଆମ ରାଜ୍ୟ ପାଇଁ ଆଇନର ନାମ ହେଉଛି ଦି ଓଡ଼ିଶା ଅଫିସେସ୍‌ ଅଫ୍‌ ପ୍ରଫିଟ୍‌ (ରିମୁଭାଲ୍‌ ଅଫ୍‌ ଡିସ୍‌କ୍ୱାଲିଫିକେଶନ୍ସ) ଆକ୍ଟ, ୧୯୫୧। ଅନେକ କାମକୁ ପରିସରର ବାହାରକୁ ନିଆଯାଇଛି, କେତେ କାମକୁ ‘ଅଯୋଗ୍ୟତା’ରୁ ଛାଡ଼ କରାଯାଇ ପାରିବ ତା’ର ସୀମା ନାହିଁ।
୨୦୦୩ ପରେ ମଧ୍ୟ ଦଳଗୁଡ଼ିକ ସେମାନଙ୍କ ଏମ୍‌ପି ଓ ଏମ୍‌ଏଲ୍‌ଏମାନଙ୍କୁ ସରକାରୀ ପଦ ପଦବୀ ଦେଉଛନ୍ତି। ୨୦୧୫ରେ ନାଗାଲାଣ୍ଡ ତା’ର ୬୦ ଜଣଯାକ ଏମ୍‌ଏଲ୍‌ଏଙ୍କୁ ପ୍ରଶାସନିକ କାମ ଦେଲା, ୨୬କୁ ପାର୍ଲାମେଣ୍ଟାରି ସେକ୍ରେଟାରୀ, ଅବଶିଷ୍ଟଙ୍କୁ ଅନ୍ୟ ପଦବୀ ଦେଲା। ଏକ ଅଧ୍ୟାଦେଶ ବଳରେ ଗୋଆରେ ୨୦୧୭ରେ ୪୦ ଏମ୍‌ଏଲ୍‌ଏଙ୍କୁ ୫୦ଟା ପଦବୀ ଦିଆଗଲା। ୨୦୦୯ରେ ପୁଡୁଚେରି ତା’ର ମୋଟ ୩୩ ଏମ୍‌ଏଲ୍‌ଏଙ୍କୁ ୬୦ଟା କର୍ମପଦ ଦେଲା, ସେସବୁକୁ ଅଫିସ୍‌ ଅଫ୍‌ ପ୍ରଫିଟ୍‌ ସଂଜ୍ଞାରୁ ଛାଡ଼ କରିଦେଲା। ଧର୍ମକୁ ଆଖିମିଟିକା ମାରିବାରେ ରାଜନୈତିକ ଦଳଗୁଡ଼ିକ ପାରଙ୍ଗମ, ଦଳର ପ୍ରତିନିଧିଙ୍କୁ ଲୋକ-ପ୍ରତିନିଧି କହୁଛନ୍ତି, ଯେଉଁ ନିର୍ବାଚନମଣ୍ଡଳୀରୁ ସେ ନିର୍ବାଚିତ ହେଉଛନ୍ତି ସେ ମଣ୍ଡଳୀର ବାସିନ୍ଦା ନ ହୋଇଥିଲେ କି ଆଗରୁ କେବେ ସେଠାକାର ବାସିନ୍ଦାମାନଙ୍କୁ ଚିହ୍ନି ନ ଥିଲେ ବି ସେଠାକାର ଲୋକ-ପ୍ରତିନିଧି ବୋଲାଇବେ। ଲୋକ ପ୍ରତିନିଧି କହି ଭୋଟରମାନଙ୍କୁ ଲଜ୍ଜା ଦେବା ଉଚିତ ହେଉ ନାହିଁ ବୋଲି କେବେ ରାଜନୈତିକ ଦଳଗୁଡ଼ିକ ଭାବୁନାହାନ୍ତି! ନିଜେ ନିଜର ଲାଭ ପାଇଁ ଆଇନ କରୁଥିବା ଦଳଗୁଡ଼ିକୁ କେବେ କାଠଗଡ଼ାରେ ପକାଇପାରିବା କି? ସରକାରୀ କାମରେ ହାତ ପୂରେଇବା କି ନାକଗେଞ୍ଜିବା ଆମ ପ୍ରତିନିଧିମାନଙ୍କ ଅଭ୍ୟାସରେ ପଡ଼ିଗଲାଣି ଓ ତାକୁ ଶାସକ ଦଳର ମୁଖ୍ୟ ପ୍ରୋତ୍ସାହିତ କରୁଛନ୍ତି। ଗଣ୍ଡଗୋଳିଆ ମେମ୍ବରଙ୍କୁ ତୁଷ୍ଟ କରିବା ପାଇଁ ନୂଆ ନୂଆ ଚାରଣଭୂଇଁ ଦଳପତି ଖୋଜେ। ଯେମିତି ପାର୍ଲାମେଣ୍ଟାରି ସେକ୍ରେଟାରୀ ପଦବୀ, କାରଣ ଉପୁରି ଦରକାର, ମନ୍ତ୍ରୀ ପଦବୀଟା ସବୁଠୁ ବଢ଼ିଆ, କିନ୍ତୁ ତା’ର ସଂଖ୍ୟା ଉପରେ ସୀମା ସମ୍ବିଧାନ ଧାରା ୧୬୪(୧-କ)ରେ ଥିବାରୁ ପାର୍ଲାମେଣ୍ଟାରି ସେକ୍ରେଟାରୀ ଶବ୍ଦ ଲଗାଗଲା, ମନ୍ତ୍ରୀ ଭଳି କାମ କରିବେ, ମନ୍ତ୍ରୀ ନ କହି। ସତେ ଯେପରି ଜୁନିଅର୍‌ ମିନିଷ୍ଟର! ଏ ଗୋଟିଏ ଗଳାବାଟ ରାଜନୈତିକ ଦଳଗୁଡ଼ିକ କାଢ଼ିଛନ୍ତି। କିନ୍ତୁ ତାହା ମଧ୍ୟ କୋର୍ଟଗୁଡ଼ିକ ଅଫିସ୍‌ ଅଫ୍‌ ପ୍ରଫିଟ୍‌ ବୋଲି ଧରୁଛନ୍ତି। ତେଣୁ ଦିଲ୍ଲୀ ତଥା ଅନ୍ୟ ରାଜ୍ୟରେ ଉଚ୍ଚ ନ୍ୟାୟାଳୟଗୁଡ଼ିକ ପାର୍ଲାମେଣ୍ଟାରି ସେକ୍ରେଟାରୀ ପଦବୀକୁ ଅଫିସ୍‌ ଅଫ୍‌ ପ୍ରଫିଟ୍‌ ବୋଲି ଧରୁଛନ୍ତି।
ଗଣତନ୍ତ୍ରର ମୂଳ ହେଲା ଗଣ ବା ଲୋକେ (ବର୍ତ୍ତମାନ କ୍ଷେତ୍ରରେ ପ୍ରତିନିଧିମାନେ) ସରକାରକୁ ନିୟନ୍ତ୍ରଣ କରିବେ, ଆଇନ ତିଆରି କରିବେ, ଯାହାକୁ ଅନୁସରଣ କରି ସରକାର ବା ପ୍ରଶାସନ ସମାଜକୁ ଶୃଙ୍ଖଳିତ ରଖିବ ଓ ସମାଜ ତଥା ନାଗରିକମାନଙ୍କର ବିକାଶ କରିବ। ଆମେ ମୂଳରୁ ବିଲାତର ଆଦର୍ଶ ଗ୍ରହଣ କରିଛୁ। ଉପନିବେଶ ଥିଲା ବେଳେ ଆମ ଦେଶ ମର୍ଲି-ମିଣ୍ଟୋ ସଂସ୍କାର ପ୍ରସ୍ତାବକୁ ଗ୍ରହଣ କରି ୧୯୦୯ର ଆଇନ ଭିତରେ ଏ ବ୍ୟବସ୍ଥା ଚାଲୁକଲା। ଲେଜିସ୍‌ଲେଚର୍‌ ତା’ର ପବିତ୍ରତା ଆଉ ଶୁଦ୍ଧତା ରକ୍ଷା କରିବା ପାଇଁ ଏକ୍‌ଜିକ୍ୟୁଟିଭ୍‌ର ପ୍ରଲୋଭନକୁ ଏଡ଼ାଇବା ଦରକାର, ସରକାର ବା ଏକ୍‌ଜିକ୍ୟୁଟିଭ୍‌ ଯେପରି ଲୋକପ୍ରତିନିଧିମାନଙ୍କୁ ଅର୍ଥାତ୍‌ ଲେଜିସ୍‌ଲେଚରକୁ ହାତବାରିସି ନ କରେ, ସେଥିଲାଗି ‘ଅଫିସ୍‌ ଅଫ୍‌ ପ୍ରଫିଟ୍‌’ର ଧାରଣା। ଅଫିସ୍‌ ଅଫ୍‌ ପ୍ରଫିଟ୍‌ ମାନେ ନୁହେଁ ଯେ ସବୁବେଳେ ପଇସା ନେଉଥିବ, କେତେକ ସୁବିଧା ପାଇବା ବି ଏହି ଅର୍ଥରେ ଯାଏ। ଷ୍ଟେନୋ, ଡ୍ରାଇଭର୍‌, ପିଅନ, ମାଗଣା ସରକାରୀ ଘର ଆଦି ତ ପଇସାର ରୂପାନ୍ତର! ଟ୍ରାନ୍ସଫର୍‌ ଓ ନିଯୁକ୍ତି କ୍ଷମତା ଯଥେଷ୍ଟ, ଆପେ ଆପେ ପଇସା ଆସିଯିବ ଲାଞ୍ଚ ଆକାରରେ! ବିନା ଦ୍ୱେଷ, ବିନା ପ୍ରୀତିରେ କାମ କରିବାର ନିରପେକ୍ଷତା ଆଉ ନିର୍ବାଚିତ ଲୋକଙ୍କଠାରେ ମିଳିବ ନାହିଁ, ସେମାନେ ତଦାରଖ କରିବା ବା ତଦନ୍ତ କରିବାରେ ହେଳା କରିବେ!
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘରେ ଜାଗା ନ ଥିଲେ ବି ବାହାରେ ରାସ୍ତା କଡ଼ରେ ଉଦ୍ୟାନ କରିପାରିବେ ଓ ଏଥିପାଇଁ ବାଟ ଦେଖାଇଛନ୍ତି ରାଞ୍ଚିର ମନୋଜ ରଞ୍ଜନ। ରାଞ୍ଚି ହରମୁ...

ମାନସିକ ଦୁଶ୍ଚିନ୍ତା

ଡକ୍ଟର ତ୍ରିନାଥ ପଟ୍ଟନାୟକ ଅଧିକାଂଶ ମଣିଷ ପଚାଶ ବର୍ଷ ବୟସରେ ପହଞ୍ଚତ୍ଲେ ଅଧିକ ଚିନ୍ତିତ ହୋଇଯାଆନ୍ତି। ସତେ ଯେମିତି କିଏ ତାଙ୍କର ଗତିପଥକୁ ପଛରୁ ଭିଡ଼ିଧରୁଛି।...

ଆମ ଖାଦ୍ୟାଭ୍ୟାସ ଓ ପରିବେଶ

ମଣିଷଙ୍କର ଖାଦ୍ୟାଭ୍ୟାସ ଅତି ନିଆରା। ଖାଦ୍ୟାଭ୍ୟାସ ଦୃଷ୍ଟିରୁ ମଣିଷମାନେ ୪ଶ୍ରେଣୀରେ ବିଭକ୍ତ। କେବଳ ଉଦ୍ଭିଦଜାତ ଖାଦ୍ୟପଦାର୍ଥ ଖାଉଥିବା ଲୋକଙ୍କୁ ନିରାମିଷାଶୀ ବା ଶାକାହାରୀ, ସେହିଭଳି କେବଳ...

କେରଳ ସୁନା

ନଗଦ ଅର୍ଥ ପରେ ସବୁଠାରୁ ଅଧିକ ଲିକ୍ୟୁଡିଟି ବା ସହଜରେ ଅର୍ଥ ଭଳି କାମ ଦେଉଥିବା ହଳଦିଆ ଧାତୁ ହେଲା ସୁନା। ବିଶେଷକରି ବିମୁଦ୍ରୀକରଣ ପରେ...

ସମୟ ନାହିଁ

ଆତଙ୍କବାଦୀ କାର୍ଯ୍ୟକଳାପରେ ପିଲାଙ୍କୁ ସାମିଲ କରାଯାଉଛି। ଏହାକୁ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ‘ଶିଶୁ ଓ ସଶସ୍ତ୍ର ସଂଘର୍ଷ’ ଶୀର୍ଷକ ଆଲୋଚନାରେ ଭାରତ ଚିନ୍ତାପ୍ରକଟ କରିଛି।...

ତୁଠପଥର

ସୌମ୍ୟା ପରିଡ଼ା ବୁଝିଲୁ ମିନୁ, ତୁ କି ଭାଗ୍ୟ କରିଥିଲୁ ଯେ ଆମ ଘରକୁ ବାହାହେଇ ଆସିଲୁ। ଦେଖୁନୁ ଏ ବଡ଼ଗାଡ଼ି, ବଡ଼ଘର, ସୁଖସୁବିଧା ତତେ...

Dillip Cherian

ଏମ୍‌ଏଚ୍‌ଏରେ ବନ ଅଧିକାରୀ

କେନ୍ଦ୍ର ସରକାର ନିଯୁକ୍ତି କ୍ଷେତ୍ରରେ ଆଇଏଏସ୍‌ ଗୋଷ୍ଠୀକୁ ଅଣଦେଖା କରି ଆସୁଛନ୍ତି। ଏହି ଧାରା ପୂର୍ବରୁ ଲାଗି ରହିଛି ଓ ଏହା ଏବେ ପୁନର୍ବାର ସ୍ପଷ୍ଟ...

ତଥ୍ୟ ବିଜ୍ଞାନ ଓ ଓଡ଼ିଶାର କୃଷି

ସୁକାନ୍ତ କୁମାର ପାଣିଗ୍ରାହୀ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାର ଫଳରେ ବର୍ତ୍ତମାନର କୃଷି ଏକ ନୂତନ ପର୍ଯ୍ୟାୟରେ ପହଞ୍ଚିଛି। ଏଥିରେ ଓଡ଼ିଶାର କୃଷି ଓ...

Advertisement
Archives

Model This Week