
ଭଞ୍ଜନଗର,୫।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତନରଡା ଆଇଆର୍ବି ୮ମ ସ୍ବତନ୍ତ୍ର ବାଟାଲିୟନର ଯବାନ ଅଶୋକ ଦଣ୍ଡସେନା ଆମେରିକାର ବର୍ମିହୋମରେ ଚାଲିଥିବା ବିଶ୍ବ ପୋଲିସ ଓ ଫାୟାର କ୍ରୀଡ଼ାରେ ଚମକିଲେ । ବିଶ୍ବ ପୋଲିସ ଓ ଫାୟାର କ୍ରୀଡ଼ାରେ ଦଣ୍ଡସେନା ଭାଗ ନେଇ ଦୌଡ଼ରେ ୪ଟି ସ୍ବର୍ଣ୍ଣ ପଦକ ଶନିବାର ସୁଦ୍ଧା ଜିତିଛନ୍ତି।
ସେ ଦେଶ, ରାଜ୍ୟ, ବାଟାଲିୟନ ଓ ଜନ୍ମ ମାଟି ପାଇଁ ଗର୍ବ ଆଣିଛନ୍ତି। ଦଣ୍ଡସେନାଙ୍କ ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁଶି ବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଆଇଆର୍ବି ସ୍ବତନ୍ତ୍ର ଅଷ୍ଟମ ବାଟାଲିୟନ ଦୁର୍ଗପତି ସୁଧାକର ମିଶ୍ର ପ୍ରମୁଖ ଶୁଭେଛା ଜଣାଇଛନ୍ତି।
ସୂଚନା ଯୋଗ୍ୟ, ଦଣ୍ଡସେନାଙ୍କ ନିଜ ବାସଭବନ ହେଉଛି ବୌଦ୍ଧ ଜିଲାରେ। ସେ ୨୦୧୩ରୁ ତନରଡା ଆଇଆର୍ବି ୮ମ ସ୍ବତନ୍ତ୍ର ବାଟାଲିୟନର ଯବାନ ଭାବେ କାର୍ଯ୍ୟରତ ଅଛନ୍ତି। ସେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇ ବିଗତ ଦିନରେ ବାଟାଲିୟନ ପାଇଁ ସଫଳତା ଆଣିଥିଲେ।
ଏନେଇ ବିଶ୍ବସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଥିଲା। ତେଣୁ ସେ ରିଲାଏନ୍ସ କମ୍ପାନୀ ସହଯୋଗରେ ସାଢ଼େ ୩ ବର୍ଷ ହେଲା ସେ ଭୁବନେଶର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଥିଲେ। ବର୍ତ୍ତମାନ ସେ ୮୦୦ ମିଟର ଦୌଡ଼, ୧୫୦୦, ୫୦୦୦ ଏବଂ ୧୦୦୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଆଗାମୀ ଦିନରେ ଏସିଆନ ଗେମ୍ସ ଏବଂ ଅଲିମ୍ପିକରେ ଭାଗ ନେବା ପାଇଁ ଦଣ୍ଡସେନା ପ୍ରସ୍ତୁତ ହେଉଥିବା ବାଟାଲିୟନ ପକ୍ଷର ସୂଚନା ଦିଆଯାଇଛି।
ଦଣ୍ଡସେନାଙ୍କ ସମେତ ରାଜ୍ୟର ଆଉ ୩ଜଣ ଯୁବ ପୋଲିସ ଉକ୍ତ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ପୋଲିସ ବାହିନୀ ପାଇଁ ଗୌରବ ଆଣିଛନ୍ତି। କନେଷ୍ଟବଲ ସସ୍ମିତା ଟିଗା ୧୫୦୦ ମିଟର ଦୌଡରେ ସର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। କନେଷ୍ଟବଲ ଭଗବାନ ରେଡ୍ଡୀ ୬୪ କିଗ୍ରାରୁ କମ କରାଟରେ ଭାଗ ନେଇ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି।
କନେଷ୍ଟବଲ ସୁମନ ଶେଖର ଦାସ ୮୪ କିଗ୍ରାରୁ କମ୍ ବର୍ଗରେ ଭାଗ ନେଇ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ସମସ୍ତଙ୍କ ସଫଳତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଶୁଭେଚ୍ଛା ଜଣାଇଛନ୍ତି।