ଓବାମାଙ୍କ ଗାନ୍ଧୀଖୋଜା

ବିଜୟ ନାୟକ

 

୨୦୧୦ ମସିହା ନଭେମ୍ବର ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମା ପ୍ରଥମ ଭାରତ ଗସ୍ତରେ ଆସି ମୁମ୍ବାଇରେ ସସ୍ତ୍ରୀକ ପଦାର୍ପଣ କରିଥିଲେ। ଏସିଆ ମହାଦେଶକୁ ତାଙ୍କର ନଅଦିନିଆ ଗସ୍ତର ଏହା ଥିଲା ପ୍ରଥମପାଦ। ଏଥିପୂର୍ବରୁ ସେ କେବେ ଭାରତ ଆସି ନ ଥିଲେ ବି ଏହି ମହାନ୍‌ ଦେଶ ତାଙ୍କ କଳ୍ପନାରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା। ଏହାର କାରଣ ହୋଇପାରେ ଭାରତବର୍ଷର ବିଶାଳତା ଓ ବିବିଧତା। ଜନବହୁଳତା ସାଙ୍ଗକୁ ଭୌଗୋଳିକ ବିସ୍ତୃତି ତଥା ଭାରତବର୍ଷରେ ଧର୍ମ, ଗୋଷ୍ଠୀ ଓ ଭାଷାର ବିଭିନ୍ନତା ତାଙ୍କୁ ହୁଏତ ଅଭିଭୂତ କରିଥିଲା। ତାଙ୍କ ଶୈଶବର କିୟଦଂଶ ଇଣ୍ଡୋନେସିଆରେ ଅତିବାହିତ ହୋଇଥିବାରୁ ସେ ରାମାୟଣ ଓ ମହାଭାରତ କାହାଣୀ ଶୁଣିବାର ସୁଯୋଗ ପାଇଥିଲେ। କଲେଜରେ ତାଙ୍କ ଭାରତୀୟ ଓ ପାକିସ୍ତାନୀ ସହପାଠୀଙ୍କଠାରୁ ‘ଡାଲି’ ଓ ‘କିମା’ ରୋଷେଇ ମଧ୍ୟ ଶିଖିଥିଲେ। ତେବେ ସବୁରି ଊର୍ଦ୍ଧ୍ୱରେ ଥିଲା ତାଙ୍କ ଗାନ୍ଧୀଭକ୍ତି, ଯାହା ତାଙ୍କୁ ଭାରତ ପ୍ରତି ଆକର୍ଷିତ କରିଥିଲା। ଆବ୍ରାହମ୍‌ ଲିଙ୍କନ୍‌, ମାର୍ଟିନ୍‌ ଲୁଥର କିଙ୍ଗ, ନେଲ୍‌ସନ୍‌ ମଣ୍ଡେଲା ଏବଂ ସର୍ବୋପରି ମହାତ୍ମା ଗାନ୍ଧୀ ତାଙ୍କ ଚିନ୍ତାଚେତନାକୁ ଗଭୀର ଭାବରେ ପ୍ରଭାବିତ କରିଥିଲେ ବୋଲି ଓବାମା ତାଙ୍କ ସ୍ମୃତିକଥା ‘ଏ ପ୍ରୋମିଜ୍‌ଡ ଲ୍ୟାଣ୍ଡ’ରେ ଉଲ୍ଲେଖ କରିଛନ୍ତି।
ମୁମ୍ବାଇରେ ଅବସ୍ଥାନ ସମୟରେ ଏକଦା ମହାତ୍ମା ଗାନ୍ଧୀଙ୍କ କର୍ମସ୍ଥଳୀ ଥିବା ‘ମଣି ଭବନ’ ସଂଗ୍ରହାଳୟ ପରିଦର୍ଶନରେ ଯାଇଥିଲେ ଓବାମା ଦମ୍ପତି। ୧୯୫୯ରେ ଡକ୍ଟର ମାର୍ଟିନ୍‌ ଲୁଥର କିଙ୍ଗ୍‌ (କନିଷ୍ଠ) ଏହି ସଂଗ୍ରହାଳୟକୁ ଆସି ପରିଦର୍ଶକ ପୁସ୍ତିକାରେ ସ୍ବାକ୍ଷର କରିଥିବା ଦେଖି ଓବାମା ବେଶ୍‌ ଖୁସି ହୋଇଥିଲେ। ଏଠାରେ ଉଲ୍ଲେଖନୀୟ ଯେ, ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହୋଇ ଡକ୍ଟର କିଙ୍ଗ୍‌ ଆମେରିକାରେ ବର୍ଣ୍ଣଗତ ନ୍ୟାୟ ପାଇଁ ଲଢ଼େଇ କରୁଥିଲେ। ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ସେତେବେଳେ ଭାରତ ଆସିଥିଲେ ଏବଂ ମଣି ଭବନକୁ ଯାଇଥିଲେ।
ଯୁବକ ବୟସରେ ମହାତ୍ମା ଗାନ୍ଧୀଙ୍କ ଲେଖା ପଢ଼ି ନିଜ ମନ ଭିତରେ ଉଙ୍କି ମାରୁଥିବା ଅସୁମାରି ଅନ୍ବେଷାର ଉତ୍ତର ପାଇଥିଲେ ଓବାମା। ମହାତ୍ମାଙ୍କ ସତ୍ୟ, ସତ୍ୟାଗ୍ରହ ଓ ଅହିଂସ ପ୍ରତିବାଦ ଆଦି ବିଚାର ମାନସ ମନ୍ଥନର ଚିରନ୍ତନ ପ୍ରଚୋଦନା। ସବୁ ଧର୍ମର ସାରାଂଶ ସମାନ ଏବଂ ସବୁ ମଣିଷର ଗରିମା ସମାନ- ଗାନ୍ଧିଜୀଙ୍କର ଏହି ବାଣୀ ମାନବିକତାର ମାର୍ମିକ ମୂର୍ଚ୍ଛନା। ଏସବୁ ପଢ଼ିଲା ପରେ ଗାନ୍ଧୀମନ୍ତ୍ରରେ ଅଭିମନ୍ତ୍ରିତ ହୋଇଥିଲେ ଯୁବକ ବାରାକ୍‌। ଗାନ୍ଧୀ ବିଚାର ଅପେକ୍ଷା ଗାନ୍ଧୀ ଆଚାର ଅଧିକ ଆନ୍ଦୋଳିତ କରିଥିଲା ବାରାକ୍‌ଙ୍କୁ। ୧୯୧୫ ମସିହାଠାରୁ ୧୯୪୭ ମସିହା ପର୍ଯ୍ୟନ୍ତ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ବ୍ୟାପୀ ବ୍ରିଟିଶ୍‌ ଶାସନ ବିରୋଧରେ ଗାନ୍ଧିଜୀଙ୍କ ନିରବଚ୍ଛିନ୍ନ ଅହିଂସ ସଂଗ୍ରାମର ଇତିହାସ ତାଙ୍କୁ ଅନୁପ୍ରେରିତ କରିଥିଲା। ଏତେକ କେବଳ ଓବାମା ତାଙ୍କ ଆମତ୍ ଚରିତରେ ବର୍ଣ୍ଣନା କରିଛନ୍ତି ତା’ନୁହେଁ, ଏହି ସଂଗ୍ରାମ ସମଗ୍ର ବିଶ୍ୱରେ ଏକ ନୈତିକ ଶକ୍ତି ସଂଚାର କରିଥିଲା ବୋଲି ଲେଖିବାକୁ ସେ ଭୁଲିନାହାନ୍ତି। ଭୁଲିନାହାନ୍ତି ଲେଖିବାକୁ ଯେ, ତାଙ୍କ ନିଜ ଦେଶର କଳାଲୋକଙ୍କ ପରି ପୃଥିବୀର ଅନେକ ଅବହେଳିତ ଓ ଲାଞ୍ଛିତ ଜନସଂପ୍ରଦାୟ ପାଇଁ ଗାନ୍ଧୀ ସଂଗ୍ରାମ ଥିଲା ଆଶା, ଆଶ୍ୱାସନା, ସାହସ ଓ ସାମର୍ଥ୍ୟର ଆଲୋକବର୍ତ୍ତିକା। (ଗାନ୍ଧିଜୀ ବର୍ଣ୍ଣବୈଷମ୍ୟ ବିରୋଧରେ ଲଢ଼ି ନ ଥିଲେ କଳା ଓବାମା ଗୋରା ଦେଶର ଅଧିପତି ହୋଇଥା’ନ୍ତେ ବା କିପରି?)
ଡକ୍ଟର କିଙ୍ଗ୍‌ଙ୍କ ପରେ ଓବାମା ଥିଲେ ଅନ୍ୟ ଜଣେ ବିଶିଷ୍ଟ ଆମେରିକୀୟ, ଯିଏ ‘ମଣି ଭବନ’ର ପରିଦର୍ଶକ ପୁସ୍ତିକାରେ ମହତ୍ତ୍ୱପୂର୍ଣ୍ଣ ମନ୍ତବ୍ୟ ପ୍ରଦାନ କରିଛନ୍ତି- ”ଗାନ୍ଧୀଙ୍କ ଜୀବନର ଏହି ସ୍ମାରକୀ ଦେଖିବା ପରେ ଆଶା ଓ ପ୍ରେରଣାରେ ମୋ ମନ ପରିପୂର୍ଣ୍ଣ ହୋଇଛି। ସେ କେବଳ ଭାରତର ନୁହନ୍ତି, ପୃଥିବୀର ମହାନାୟକ।“ ଗାନ୍ଧୀଙ୍କ ଜୀବନ ଓ ଜୀବନାଦର୍ଶ ବିଷୟରେ ସାରା ପୃଥିବୀର ଶିଶୁମାନେ ପରିଚିତ ହେବା ଚାହି ବୋଲି ଲେଖିଥିଲେ ତାଙ୍କ ପନତ୍ୀ ମିଶେଲ୍‌ ଓବାମା। ତପତ୍ରେ ସେମାନେ ଉପର ମହଲାକୁ ଯାଇଥିଲେ।
ମଣି ଭବନର ଉପର ମହଲାର ଏକ ଛୋଟ, ସାଦାସିଧା କୋଠରିରେ ଗାନ୍ଧିଜୀ ରହୁଥିଲେ। ସ୍ବଳ୍ପାଲୋକିତ ସେହି କୋଠରିରେ ବିଛଣା, ତକିଆ ଏବଂ ନୁଅଁାଣିଆ କାଠ ଡେସ୍କ ସାଙ୍ଗକୁ କେତୋଟି ଅରଟ ମଧ୍ୟ ଥିଲା। ଏସବୁ ଦେଖି ଗାନ୍ଧିଜୀଙ୍କ ଆମତ୍ିକ ଉପସ୍ଥିତି କଥା ଭାବୁଥିଲେ ଓବାମା। କଳ୍ପନା ଚକ୍ଷୁରେ ଦେଖୁଥିଲେ ଗାନ୍ଧିଜୀ ଯେମିତି ଖଦଡ଼ ଧୋତି ଖଣ୍ଡେ ପିନ୍ଧି ଚେକାମାଡ଼ି ବସିଛନ୍ତି ଏବଂ ବ୍ରିଟିଶ୍‌ ବଡ଼ଲାଟ୍‌ ପାଖକୁ ଚିଠି ଲେଖୁଛନ୍ତି ବା ଲବଣ ସତ୍ୟାଗ୍ରହର ପରବର୍ତ୍ତୀ କାର୍ଯ୍ୟସୂଚୀ ପ୍ରସ୍ତୁତ କରୁଛନ୍ତି। ଓବାମା ଲେଖିଛନ୍ତି, ”ତାଙ୍କ ପାଖରେ ବସି ତାଙ୍କ ସହିତ କଥାହେବା ପାଇଁ ସେତେବେଳେ ମୋର ଭାରି ଇଚ୍ଛା ହେଉଥିଲା। ଇଚ୍ଛା ହେଉଥିଲା ତାଙ୍କୁ ପଚାରିବା ପାଇଁ ଯେ ଏତେ ସ୍ବଳ୍ପତା ଭିତରେ ଏଡ଼େ ବଡ଼ କାମସବୁ କରିବା ପାଇଁ ଶକ୍ତି ଓ ସୃଜନ ସେ କେଉଁଠୁ ପାଇଲେ। … …।“
କଳ୍ପନାରେ ଗାନ୍ଧିଜୀଙ୍କ ସ୍ମୃତିଚିତ୍ର କେବଳ ଆଙ୍କିନାହାନ୍ତି ଓବାମା, ସମକାଳ ବିଶ୍ୱପାଇଁ ଗାନ୍ଧିଜୀଙ୍କ ପ୍ରାସଙ୍ଗିକତାକୁ ସଂକ୍ଷେପରେ ବଖାଣିଛନ୍ତି ମଧ୍ୟ। ପୃଥିବୀର ଗଣତନ୍ତ୍ରଗୁଡ଼ିକର ସଂକଟ ଓ ସମସ୍ୟା ପ୍ରତି ସେ ଦୃକ୍‌ପାତ କରିଛନ୍ତି। ତାଙ୍କ ମତରେ ହିଂସା, ଦ୍ୱେଷ, ଲୋଭ, ସଂକୀର୍ଣ୍ଣତା ଏବଂ ଧାର୍ମିକ ଅସହିଷ୍ଣୁତା ଆଦିକୁ ସମ୍ଭାଳିବା ପାଇଁ ସାଂପ୍ରତିକ ଶାସନ ବ୍ୟବସ୍ଥା ଅସମର୍ଥ। ଶାସକମାନେ ପରିସ୍ଥିତିର ସୁଯୋଗ ନେଉଛନ୍ତି ସିନା ସମାଧାନର ପନ୍ଥା ନିର୍ଣ୍ଣୟ କରୁନାହାନ୍ତି। ଗାନ୍ଧୀ ଥିଲେ ସେ ତାଙ୍କୁ ଅବଶ୍ୟ ସମାଧାନର ସୂତ୍ର ପଚାରିଥା’ନ୍ତେ ବୋଲି ଓବାମା ତାଙ୍କ ପୁସ୍ତକରେ ସୂଚିତ କରିଛନ୍ତି। ସେହିପରି ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ ବିବାଦ ବିଷୟରେ ବ୍ୟାଖ୍ୟା କଲାବେଳେ ଗାନ୍ଧିଜୀଙ୍କ ଅହିଂସ ଆନ୍ଦୋଳନର ଆବଶ୍ୟକତା ଉପଲବ୍ଧି କରିଛନ୍ତି ଓବାମା। ତାଙ୍କ ଉକ୍ତି ଓ ଉଲ୍ଲେଖରୁ ବୁଝାପଡ଼େ ଯେମିତି ତାଙ୍କ ଗାନ୍ଧୀଖୋଜା ସରିନାହିଁ।
କେବଳ ବାରାକ୍‌ ଓବାମା ଗାନ୍ଧୀଙ୍କୁ ଖୋଜୁଛନ୍ତି ତା’ ନୁହେଁ, ସେ ଏକ ଦୃଷ୍ଟାନ୍ତ ମାତ୍ର। ଗାନ୍ଧିଜୀଙ୍କ ସଂପର୍କରେ ବିଶ୍ୱବନ୍ଦିତ ବୈଜ୍ଞାନିକ ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ମନ୍ତବ୍ୟର ତ ପଟାନ୍ତର ନାହିଁ- ରକ୍ତମାଂସଧାରୀ ଏପରି ଜଣେ ମଣିଷ ପୃଥିବୀ ପୃଷ୍ଠରେ ବିଚରଣ କରିଥିଲେ ବୋଲି ହୁଏତ ଆଗାମୀ ପିଢ଼ି ବିଶ୍ୱାସ କରିବ ନାହିଁ। ୨୦୧୫ ମସିହା ମାର୍ଚ୍ଚ ମାସରେ ଲଣ୍ଡନର ପାର୍ଲିଆମେଣ୍ଟ ଛକରେ ମହାତ୍ମାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ତଦାନୀନ୍ତନ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଡ୍ୟାଭିଡ୍‌ କ୍ୟାମେରନ୍‌ ସତ୍ୟ ଓ ଅହିଂସାକୁ ଲଣ୍ଡନ ସହରରେ ସବୁଦିନ ପାଇଁ ସ୍ଥାନ ଦିଆଯିବା କଥା କେବଳ କହି ନ ଥିଲେ, କହିଥିଲେ ମଧ୍ୟ ଗାନ୍ଧିନୀତି ନିତ୍ୟ ନୂତନ ଓ ସାର୍ବଜନୀନ।
ଏଥିରୁ ମନେହୁଏ, ଗାନ୍ଧୀ ନୀତିର ପ୍ରଚାର ଓ ପ୍ରଭାବ ଭାରତ ବାହାରେ ଅଧିକ ଯେମିତି। ନିଜ ଲୋକଙ୍କୁ ନ୍ୟାୟଦେବା ପାଇଁ ଡକ୍ଟର କିଙ୍ଗ୍‌ ଏବଂ ନେଲସନ୍‌ ମଣ୍ଡେଲା ଗାନ୍ଧିଜୀଙ୍କଠାରୁ ପ୍ରେରଣା ପାଇଥିବା କଥା ସମସ୍ତଙ୍କୁ ଜଣା। ଯୁବକ ବେଳୁ ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ବୋଲି ବହୁ ଅବସରରେ କହନ୍ତି ଓବାମା। ପୃଥିବୀର ଅନେକ ରାଷ୍ଟ୍ର ଓ ରାଷ୍ଟ୍ରମୁଖ୍ୟ ଗାନ୍ଧୀ ଆଚାର ଓ ବିଚାରରେ ଆସ୍ଥା ରଖନ୍ତି। ସେହିପରି ଅନେକ ବିଦେଶୀ ବିଦ୍ୱାନ୍‌ଙ୍କ ଲେଖନୀରେ ଗାନ୍ଧିଜୀଙ୍କ ଜୀବନ ଓ ଦର୍ଶନ ବେଶ୍‌ ପ୍ରାଞ୍ଜଳ ଓ ପ୍ରମୂର୍ତ୍ତ। କିନ୍ତୁ ଭାରତୀୟ କବି, କୋବିଦ ବା କର୍ଣ୍ଣଧାରଙ୍କଠାରୁ ଏମନ୍ତ ଉଚ୍ଚାରଣ କେତେ ଶୁଣିବାକୁ ମିଳେ? ମନେହୁଏ, ସେଥିପାଇଁ ଗାନ୍ଧୀ ହୁଏତ ଭାରତର ଯୁବବର୍ଗଙ୍କ ନିକଟରେ ଅପହଞ୍ଚ।
ତେବେ ସମସ୍ତେ ଗାନ୍ଧୀଙ୍କୁ ଖୋଜିବାର ସମୟ ଉପଗତ। ଗାନ୍ଧୀଙ୍କୁ ଖୋଜିଲେ ଅନେକ ଜଟିଳ ପ୍ରଶ୍ନର ସରଳ ଉତ୍ତର ଛାଏଁ ମିଳିିଯିବ।
ଭି-ଏ, ୯/୨, ୟୁନିଟ୍‌-୨, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri