ନୂଆଦିଲ୍ଲୀ, ୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜକୁ ୩-୨ରେ ଜିତିବାରେ ସଫଳ ହୋଇଛି ଭାରତ। ଏହି ସିରିଜେରେ କିଛି ଭାରତୀୟ ଖେଳାଳି ନିଜର ପ୍ରଦର୍ଶନ ବଳରେ ଆଶା ସଞ୍ଚାର କରିଛନ୍ତି। ନୀତୀଶ କୁମାର ରେଡ୍ଡୀ, ନମନ ଧୀର, ପ୍ରିନ୍ସ ଯାଦବ ଏବଂ ମୟଙ୍କ ଯାଦବଙ୍କ ଭଳି ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରିବା ଏକ ବଡ଼ ପରିବର୍ତ୍ତନ ଥିଲା। ଏହି ଖେଳାଳିମାନେ କ୍ରମାଗତ ଦୁଇଟି ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ଅଂଶ ନଥିଲେ।
ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ହେବାକୁ ଥିବା ପରବର୍ତ୍ତୀ ଟୁର୍ନାମେଣ୍ଟକୁ ଆହୁରି ପ୍ରାୟ ଦୁଇ ବର୍ଷ ବାକି ରହିଛି। ତେଣୁ ଟିମ ମ୍ୟାନେଜମେଣ୍ଟ କିଛି ଖେଳାଳିଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇପାରେ। ଏଭଳି ସ୍ଥିତିରେ ଜାଣନ୍ତୁ ସେହି ୩ ଜଣ ଖେଳାଳିଙ୍କ ବିଷୟରେ, ଯେଉଁମାନଙ୍କର ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟର ନ୍ୟୁଜିଲାଣ୍ଡ ସିରିଜ ପରେ ବିପଦରେ ପଡ଼ିପାରେ।
ଗତ କିଛି ବର୍ଷ ଧରି ଏହି ଅଭିଜ୍ଞ ଅଲରାଉଣ୍ଡର ଭାରତ ପାଇଁ ଜଣେ ଉପଯୋଗୀ ଖେଳାଳି ରହିଆସିଛନ୍ତି। କିନ୍ତୁ ନ୍ୟୁଜିଲାଣ୍ଡ ଗସ୍ତରେ ଦଳରେ ସାମିଲ ହେବା ସତ୍ତ୍ୱେ ତାଙ୍କୁ ଗୋଟିଏ ହେଲେ ମ୍ୟାଚ ଖେଳିବାକୁ ସୁଯୋଗ ମିଳିନଥିଲା। ଏହା ଟିମ ମ୍ୟାନେଜମେଣ୍ଟ ଆଗକୁ କେଉଁ ଦିଗରେ ଯିବାକୁ ଚାହୁଁଛି, ତାହାର ଏକ ବଡ଼ ସଙ୍କେତ ଦେଉଛି।
ଏହି ପରିବର୍ତ୍ତନ ପଛରେ ଏକ ପ୍ରମୁଖ କାରଣ ହେଉଛନ୍ତି ପେସ ବୋଲିଂ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ। ନୀତୀଶ ସିମ ବୋଲିଂ କରିବା ସହ ଟପ-୬ରେ ବ୍ୟାଟିଂ ମଧ୍ୟ କରିପାରନ୍ତି। ନିକଟରେ ହାମିଲଟନରେ ସେ ଟିମ ସିଫର୍ଟଙ୍କୁ (୯୩ ରନ) ଆଉଟ କରିଥିଲେ। ଏହାସହ ନ୍ୟୁଜିଲାଣ୍ଡ ୧୮ ଓଭରରେ ୧୯୨ ରନର ଲକ୍ଷ୍ୟ ହାସଲ କରିଥିବା ମ୍ୟାଚରେ ନୀତୀଶ ଭାରତର ସବୁଠାରୁ ମିତବ୍ୟୟୀ ବୋଲର ଥିଲେ।
ଅନ୍ୟପକ୍ଷରେ ନୂଆ ଅଲରାଉଣ୍ଡର ନମନ ଧୀରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଶିବମ ଦୁବେଙ୍କ ପାଖରେ ଏବେ ବାହାରେ ବସି ଅପେକ୍ଷା କରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ। ଶିବମ ଦୁବେଙ୍କ ତୁଳନାରେ ନୀତୀଶ କୁମାର ରେଡ୍ଡୀ ସହଜରେ ନିଜର ୪ ଓଭରର କୋଟା ପୂରଣ କରିପାରନ୍ତି। ଅନ୍ୟପକ୍ଷରେ ଦୁବେ ମାତ୍ର କିଛି ଓଭର ବୋଲିଂ କରିପାରନ୍ତି। ଏଭଳି ସ୍ଥିତିରେ ଭାରତ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଯୁବ ଖେଳାଳିଙ୍କୁ ପ୍ରାଥମିକତା ଦେଇପାରେ। ଶିବମ ଦୁବେଙ୍କ ବୟସ ଏବେ ୩୩ ବର୍ଷ। ପରବର୍ତ୍ତୀ ବିଶ୍ୱକପ ବେଳକୁ ତାଙ୍କୁ ୩୫ ବର୍ଷ ହୋଇଯିବ। ତେଣୁ ଏହା ତାଙ୍କ କ୍ୟାରିୟର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ହୋଇପାରେ।
ଭୁବନେଶ୍ୱର କୁମାରଙ୍କୁ ଦଳରେ ସାମିଲ କରାଯିବା ପରେ ଆଶା କରାଯାଉଥିଲା ଯେ ତାଙ୍କ ସୁଇଂ ବୋଲିଂ ମ୍ୟାଚରେ ପ୍ରଭାବ ପକାଇବ। କିନ୍ତୁ ସେପରି କିଛି ହୋଇନଥିଲା। ଟି-୨୦ ସିରିଜରେ ଭୁବନେଶ୍ୱର ସମ୍ପୂର୍ଣ୍ଣ ବିଫଳ ରହିଥିଲେ। ସେ ୪ଟି ମ୍ୟାଚ୍ରେ ୧୮୦ ରନ ବ୍ୟୟ କରି ମାତ୍ର ଗୋଟିଏ ଉଇକେଟ୍ ନେଇପାରିଥିଲେ।
ଏଭଳି ପ୍ରଦର୍ଶନ ପରେ ଆଗାମୀ ଟି-୨୦ ସିରଜରେ ଭୁବନେଶ୍ୱରଙ୍କୁ ସୁଯୋଗ ମିଳିବା କଷ୍ଟକର ହୋଇପାରେ। ଉଲ୍ଲେଖଯୋଗ୍ୟ, ୪ ବର୍ଷ ପରେ ଭୁବନେଶ୍ୱର କୁମାର ଟିମ ଇଣ୍ଡିଆକୁ ଫେରିଥିଲେ। କିନ୍ତୁ ତାଙ୍କୁ ଟି-୨୦ ଦଳରେ ସାମିଲ କରାଯିବାକୁ ପୂର୍ବତନ କ୍ରିକେଟର ଇରଫାନ ପଠାନ ମଧ୍ୟ ଏକ ବଡ଼ ଭୁଲ ବୋଲି କହିଛନ୍ତି।
ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ମଧ୍ୟ ନିଜ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଠିଆ ହୋଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ୪ଟି ମ୍ୟାଚରେ ତାଙ୍କୁ ଦଳରେ ସାମିଲ କରାଯାଇନଥିଲା। ଏହା ଆଗାମୀ ଦିନରେ ବରୁଣଙ୍କୁ ନେଇ ଟିମ ମ୍ୟାନେଜମେଣ୍ଟ କୌଣସି ବଡ଼ ନିଷ୍ପତ୍ତି ନେଇପାରେ ବୋଲି ସଙ୍କେତ ଦେଉଛି।
ଆହତ ସମସ୍ୟା କାରଣରୁ ଦଳରୁ ବାହାରେ ରହିବା ପରେ ବରୁଣ ସେଡନ ପାର୍କରେ ଖେଳାଯାଇଥିବା ପଞ୍ଚମ ଟି-୨୦ ମ୍ୟାଚରେ ପ୍ଲେଇଂ ଇଲେଭେନକୁ ଫେରିଥିଲେ। କିନ୍ତୁ ତାଙ୍କ ପ୍ରଦର୍ଶନ ନିରାଶାଜନକ ରହିଥିଲା। ସେ ୪୫ ରନ ବ୍ୟୟ କରି ମାତ୍ର ଗୋଟିଏ ଉଇକେଟ୍ ନେଇଥିଲେ। ଫଳରେ ଭାରତ ୭ ଉଇକେଟ୍ରେ ପରାଜୟ ବରଣ କରିଥିଲା।
ନ୍ୟୁଜିଲାଣ୍ଡ ଗସ୍ତରେ ୱାଶିଂଟନ ସୁନ୍ଦରଙ୍କୁ କେବଳ ପ୍ଲେଇଂ ଇଲେଭେନ୍ରେ ନୁହେଁ, ବରଂ ପୂରା ଦଳରୁ ମଧ୍ୟ ବାଦ ଦିଆଯାଇଥିଲା। ଚୟନକର୍ତ୍ତା ଏବଂ ଟିମ ମ୍ୟାନେଜମେଣ୍ଟ ଚାହୁଁଛନ୍ତି ଯେ ଏହି ଅଫ ସ୍ପିନ ଅଲରାଉଣ୍ଡର ଲମ୍ବା ଫର୍ମାଟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ତେଣୁ ତାଙ୍କୁ ନ୍ୟୁଜିଲାଣ୍ଡରେ ଇଣ୍ଡିଆ-ଏ ପକ୍ଷରୁ ରେଡ ବଲ ଅର୍ଥାତ୍ ଟେଷ୍ଟ ମ୍ୟାଚ ଖେଳିବାକୁ ପଠାଯାଇଥିଲା।
ଏହା ଦ୍ୱିତୀୟ ଥର ଯେତେବେଳେ ସୁନ୍ଦରଙ୍କୁ ଟି-୨୦ ସିରିଜର ବାଦ ଦିଆଯାଇଛି। ଏହା ପୂର୍ବରୁ ଟେଷ୍ଟ ସିରିଜର ପ୍ରସ୍ତୁତି ପାଇଁ ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ମଧ୍ୟ ବାଦ ଦିଆଯାଇଥିଲା। କ୍ରମାଗତ ଦୁଇଟି ଟି-୨୦ ସିରିଜରୁ ଦୂରେଇ ରହି ଅନ୍ୟ ଫର୍ମାଟ ଉପରେ ଧ୍ୟାନ ଦେବା ଏହା ସଙ୍କେତ ଦେଉଛି ଯେ ବୋଧହୁଏ ସେ ଆଉ ଟିମ ମ୍ୟାନେଜମେଣ୍ଟର ଟି-୨୦ ଯୋଜନାର ଅଂଶ ନାହାନ୍ତି।
ଅନ୍ୟପକ୍ଷରେ ଟିମ ମ୍ୟାନେଜମେଣ୍ଟକୁ ନମନ ଧୀରଙ୍କ ରୂପରେ ଜଣେ ଆଧୁନିକ ଟି-୨୦ ଅଲରାଉଣ୍ଡର ମିଳିଛନ୍ତି। ସେ ବ୍ୟାଟିଂରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା ସହ ବୋଲିଂରେ ମଧ୍ୟ କିଛି ଓଭର ପକାଇପାରନ୍ତି। ନ୍ୟୁଜିଲାଣ୍ଡ ସିରିଜ ସମୟରେ ଅକ୍ଷର ପଟେଲ ଭାରତର ପ୍ରମୁଖ ସ୍ପିନ ଅଲରାଉଣ୍ଡର ରହିଥିଲେ।
ତେବେ ୱାଶିଂଟନ ସୁନ୍ଦରଙ୍କ ପାଖରେ ଏବେ ମଧ୍ୟ ନିଜକୁ ପ୍ରମାଣିତ କରିବା ପାଇଁ ଯଥେଷ୍ଟ ସମୟ ରହିଛି। ନିଜ ପ୍ରଦର୍ଶନ ବଳରେ ସେ ନିଜ ଭାଗ୍ୟ ବଦଳାଇବାର ସୁଯୋଗ ରଖିଛନ୍ତି।

