ବିରୋଧ ନୁହେଁ, ଇଚ୍ଛାଶକ୍ତି ଲୋଡ଼ା

ପ୍ରଭାତ କୁମାର ଦାସ

କିଛିଦିନ ହେଲା ‘ବିରୋଧ’ ଏକ ସଂକ୍ରାମକ ବ୍ୟାଧି ଭଳି ଆମ ରାଜ୍ୟକୁ ଗ୍ରାସ କରିଛି। ଯେ କୌଣସି କାମ ହେଉ ବିରୋଧ ଥମିବାର ନଁା ଧରୁନାହିଁ। ମନେହେଉଛି ଏ ରାଜ୍ୟରେ ଆଉ କୌଣସି ପ୍ରଗତିଶୀଳ କାମ ହେବା ସମ୍ଭବ ନୁହେଁ। ସରକାରଙ୍କର ବି ସାହସ ନାହିଁ ବିରୋଧର ସମ୍ମୁଖୀନ ହୋଇ ବିକାଶ ମାର୍ଗକୁ ଆଗେଇନେବା। ତେଣୁ ଦୃଷ୍ଟି ପ୍ରସାରଣ କଲେ ଆମେ କେବଳ ଦେଖିପାରିବା ବିକାଶ ଆମ ପାଇଁ ଶୂନ୍ୟରେ ପାହାଚ ଗଢ଼ିଲା ଭଳି। ଏଭଳି ନକାରାତ୍ମକ ଭାବାବେଗକୁ ପରିବର୍ତ୍ତିତ କରିବା ପାଇଁ ଓ ରାଜ୍ୟବାସୀଙ୍କ ମନରେ ବିଶ୍ୱାସର ପୁନଃସ୍ଥାପନ କରିବା ପାଇଁ ଆମ ନିର୍ବାଚିତ ପ୍ରତିନିଧିମାନଙ୍କର କୌଣସି ଦାୟିତ୍ୱ କି ଭୂମିକା ଥିବାଭଳି ମନେହୁଏ ନାହିଁ। ସେମାନେ ଚାହାନ୍ତି ଶାସନକୁ ନିଜ ହାତରେ ରଖିବା ପାଇଁ। ବିରୋଧୀ ଦଳ ଚାହାନ୍ତି କେମିତି କ’ଣ କଲେ ଶାସନର ପତନ ଘଟିବ। ବିକାଶ ଏକ ବୃହତ୍ତର ଆବଶ୍ୟକତା ବ୍ୟକ୍ତିଗତ ସ୍ବାର୍ଥଠାରୁ ବହୁ ଊର୍ଦ୍ଧ୍ୱରେ, ଏକଥା କୌଣସି ଦଳ ଭାବନ୍ତି ନାହିଁ।
ରାଜ୍ୟରେ ଇସ୍ପାତ ପ୍ରକଳ୍ପକୁ ସ୍ଥାନୀୟ ଜନସାଧାରଣ ଓ ନିହିତ ସ୍ବାର୍ଥ ରଖିଥିବା କିଛି ତଥାକଥିତ ନେତା କ୍ରମାଗତ ବିରୋଧ କରିଆସୁଛନ୍ତି। ଯୁକ୍ତି ଛଳରେ ସେମାନେ କହୁଛନ୍ତି, ପ୍ରସ୍ତାବିତ ଅଞ୍ଚଳ ଶିଳ୍ପ ପ୍ରତିଷ୍ଠା ପାଇଁ ଉପଯୁକ୍ତ ସ୍ଥାନ ନୁହେଁ। କିନ୍ତୁ ଆଉ କେଉଁଠିକୁ ସ୍ଥାନାନ୍ତର ହେଲେ ବ୍ୟବସାୟିକ ଦୃଷ୍ଟିକୋଣରୁ ପ୍ରକଳ୍ପ ସେଠାରେ ଲାଭପ୍ରଦ ହେବ, ସେଭଳି କୌଣସି ବିକଳ୍ପ ପ୍ରସ୍ତାବ ବି କାହା ପାଖେ ନାହିଁ। ଏପରିକି ଅନ୍ୟ କେଉଁଠି ବିରୋଧ ହେବନି, ସେଭଳି ପ୍ରତିଶ୍ରୁତି କାହା ପାଖରେ ନାହିଁ। ହୋଇପାରେ ଉର୍ବର ଚାଷୋପଯୋଗୀ ଜମି ଓ ଜନବହୁଳ ଅଞ୍ଚଳରେ ପ୍ରକଳ୍ପ ନ କରି ତା’ର ସ୍ଥାନ ପରିବର୍ତ୍ତନ କରାଯିବା ଉଚିତ। କିନ୍ତୁ ତାକୁ ଯଦି କମ୍‌ ଜନସାନ୍ଧ୍ରତା ଥିବା, ଅପେକ୍ଷାକୃତ ଅନୁନ୍ନତ ପାହାଡ଼ିଆ ଅଞ୍ଚଳକୁ ସ୍ଥାନାନ୍ତର କରାଗଲା, ସେଠାରେ କାହିଁକି ବିରୋଧ ହେଲା? ଇଞ୍ଚେ ଜମି ଦେବେ ନାହିଁ ବୋଲି ଲୋକେ ସରକାରକୁ ଘଉଡ଼ାଇ ଦେଲେ। ଏବେ ଭାବିବାର କଥା ଇସ୍ପାତ ପ୍ରକଳ୍ପ ତେବେ ହେବ କେଉଁଠି? ଆକାଶରେ?
ଆମ ରାଜ୍ୟରେ ଇସ୍ପାତ ଶିଳ୍ପର ଆବଶ୍ୟକତା ଅଛି କି ନାହିଁ- ଆମ ଲୁହାପଥର ଆମେ ଆମ ରାଜ୍ୟରେ ପ୍ରକ୍ରିୟାକରଣ କରିବା ନା ଅନ୍ୟ ଦେଶ ବା ରାଜ୍ୟକୁ ଶାଗମାଛ ଦରରେ ବିକିଦେବା। ଏହି ମର୍ମରେ ଏବେ ବିଚାରିବାର କଥା, ଯଦି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପରିଚାଳିତ ଏକ ବୃହତ୍‌ ଇସ୍ପାତ ପ୍ରକଳ୍ପର ନିଷ୍ପତ୍ତି ଦେଶ ଗ୍ରହଣ କରେ, ତେବେ ଆମ ରାଜ୍ୟ ତାକୁ ସ୍ବାଗତ କରିବ ନା ପ୍ରତ୍ୟାଖ୍ୟାନ କରିବ? ଯଦି ସ୍ବାଗତ କରିବ, ତେବେ କେଉଁ ନୀତିରେ ସ୍ଥାନ ନିରୂପଣ ହେବ।
କିଛି ସମୟ ପାଇଁ ଆମେ ଫେରିଯିବା ୮୦ ଦଶକକୁ। ଶେଷ ରାଷ୍ଟ୍ରୀୟ ଇସ୍ପାତ ପ୍ରକଳ୍ପ ପାଇଁ ବିଶାଖାପାଟଣାରେ ଯେତେବେଳେ ସ୍ଥାନ ନିରୂପଣ ହେଲା ବିଜୁବାବୁ ପ୍ରତିବାଦର ସ୍ବର ଉଠାଇଲେ। ଆମ ରାଜ୍ୟକୁ ଉପେକ୍ଷା କରାଗଲା ବୋଲି ଆନ୍ଦୋଳନ ହେଲା। ଦଳ ମତ ନିର୍ବିଶେଷରେ ସାରା ରାଜ୍ୟ ବିଜୁବାବୁଙ୍କୁ ସମର୍ଥନ କଲା। ରାଜ୍ୟର ସ୍ବାଭିମାନ ପାଇଁ ବିଜୁବାବୁ ଅନ୍ୟ ଏକ ପ୍ରକଳ୍ପ ଲାଗି ସ୍ବରାଜ ପଲ୍‌ଙ୍କ ସହ ସମ୍ପର୍କ ସ୍ଥାପନ କଲେ। କିନ୍ତୁ କେନ୍ଦ୍ର ସରକାର ତାହା ମଧ୍ୟ କରାଇ ଦେଲେ ନାହିଁ। ଅନେକ ଘାତପ୍ରତିଘାତ ପରେ ମେସ୍କୋ ଓ ନୀଳାଚଳ ଇସ୍ପାତ ନିଗମ ପ୍ରତିଷ୍ଠା ହେଲା। କାରଣ ତାଙ୍କର ରାଜ୍ୟ ପାଇଁ ନିଷ୍ଠାଥିଲା, ସ୍ବାଭିମାନ ଥିଲା।
ଏକଥା ଲେଖିବାର କାରଣ ହେଲା ୩୦ ବର୍ଷ ତଳେ ରାଜ୍ୟବାସୀ ଇସ୍ପାତ ପ୍ରକଳ୍ପ ପାଇଁ ଆନ୍ଦୋଳନ କରୁଥିଲେ। ଏବେ ନ କରିବା ପାଇଁ ଆନ୍ଦୋଳନ କରୁଛନ୍ତି। କାହିଁକି ଏପରି ହେଲା? କ’ଣ ରାଜ୍ୟବାସୀଙ୍କ ମତିଭ୍ରମ ଘଟିଛି ନା ବିଷବୁଦ୍ଧି ପ୍ରୟୋଗ କରି ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ସେମାନଙ୍କ ମନକୁ ବିଷାକ୍ତ କରିଦିଆଯାଇଛି। ଯଦି ସାମାଜିକ ପରିବର୍ତ୍ତନ ଓ ଶିକ୍ଷା ସଚେତନତା ରାଜ୍ୟବାସୀଙ୍କୁ ସତର୍କ କରିଛି ଯେ, ଇସ୍ପାତ ଶିଳ୍ପ ଆମ ପାଇଁ ଆବଶ୍ୟକ ନୁହେଁ ଓ ତାହାଦ୍ବାରା ବିସ୍ଥାପନ ସମସ୍ୟା ଏବଂ ପ୍ରଦୂଷଣ କ୍ଷତି ଅଧିକ ବିପଜ୍ଜନକ, ତେବେ ଆମେ ସେଭଳି ଶିଳ୍ପ ପ୍ରସଙ୍ଗ ସବୁଦିନ ପାଇଁ ଭୁଲିଯିବା ଉଚିତ। ସେଥିପାଇଁ ରାଜ୍ୟ ଆଭ୍ୟନ୍ତରୀଣ ଏକତା ବିଭାଜିତ ହେବ କାହିଁକି।
ଏବେ ଆସନ୍ତୁ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ କଥା ଭାବିବା। ପ୍ରଦୂଷଣ ଓ ବିସ୍ଥାପନ ବିପଜ୍ଜନକ ସମସ୍ୟା ସୃଷ୍ଟି କରୁଛି, ଏକଥା ସତ। ମଣିଷର ସହଜ ବଞ୍ଚତ୍ବାର ଜୀବନ ଏଥିପାଇଁ ଯଥେଷ୍ଟ କ୍ଷତିଗ୍ରସ୍ତ ହେଉଛି। କିନ୍ତୁ ସେହି ପ୍ରକଳ୍ପକୁ ବିରୋଧ କରିବା କି ସ୍ଥାନାନ୍ତର କରିବା ପ୍ରକୃତ ସମାଧାନ ନୁହଁ। ଯେଉଁ ସ୍ଥାନରେ ପ୍ରକଳ୍ପ ହେବ କିଛି ଅଧିବାସୀ ବିସ୍ଥାପିତ ହେବେ। କିଛି ଅଞ୍ଚଳ ପ୍ରଦୂଷିତ ହେବ। ସେଥିପାଇଁ ସାଧାରଣ ଲୋକ ଆକୃଷ୍ଟ ହେବାଭଳି ବିସ୍ଥାପନ ନୀତି, ସହଜ ସରଳ ଓ ଉପାଦେୟ ହେବା ଉଚିତ। ତଥାପି ଯଦି ରାଜ୍ୟବାସୀ ରାଜି ନ ହୁଅନ୍ତି, ତେବେ ଶକ୍ତି ପ୍ରକଳ୍ପ ନ ହେବା ଭଲ। ଏଥିପାଇଁ ଆମ ଜୀବନ ଧାରଣ ପ୍ରଣାଳୀକୁ ଆମକୁ ୫୦ ବର୍ଷ ପଛକୁ ନେବାକୁ ପଡ଼ିବ। ପୁଣି ଡିବିରି, ଲଣ୍ଠନ ଆଲୁଅ, ତାଳପତ୍ର ପଙ୍ଖାକୁ ଆମକୁ ଆପଣାଇବାକୁ ହେବ। ଆମ ଆବଶ୍ୟକତାକୁ ଦୃଢ଼ ଇଚ୍ଛାଶକ୍ତି ବଳରେ ସୀମିତ କରି ରଖିବାକୁ ହେବ। ୧୦୦୦ ମେଗାଓ୍ବାଟ ଆବଶ୍ୟକତା କମିଗଲେ, ସେହି ପରିମାଣରେ ଅଙ୍ଗାରକାମ୍ଳ ବାଷ୍ପ ଏବଂ ପାଉଁଶଜନିତ ପ୍ରଦୂଷଣ ଆପେ କମିଯିବ। କିନ୍ତୁ ଆମେ ଅଧିକ ଶକ୍ତି ବ୍ୟବହାର କରିବା, ତାହା ଅନ୍ୟ ଅଞ୍ଚଳରେ ଉତ୍ପାଦିତ ହେବ, ଏହା ଏକ ଅନୁଚିତ ଇଚ୍ଛା। ଏବେ ନିଷ୍ପତ୍ତି ନେବାର ସମୟ ଆସିଛି, ଆମେ ପ୍ରଦୂଷଣ ଓ ବିସ୍ଥାପନ ସମସ୍ୟା ଭୋଗିବାନି। ଶକ୍ତି ଉତ୍ପାଦନ କମାଇବା ନା ବ୍ୟବହାରକୁ ଅସୀମିତ କରି ଉତ୍ପାଦନ ବଢ଼ାଇବା?
ପ୍ରକୃତି ପାଇଁ ସନ୍ତୁଳନର ଆବଶ୍ୟକତା ଯଥେଷ୍ଟ ଅଧିକ। ଶକ୍ତି ଏକ ଅପରିହାର୍ଯ୍ୟ ଆବଶ୍ୟକତା। ତାକୁ ସମ୍ପୂର୍ଣ୍ଣ ବର୍ଜନ କରିବା ସମ୍ଭବ ନୁହେଁ କି ଅନାବଶ୍ୟକ ବ୍ୟବହାର ମଧ୍ୟ ଉଚିତ ନୁହେଁ। ପୁଣି ସାମାଜିକ, ରାଷ୍ଟ୍ରୀୟ ସମସ୍ୟା ବ୍ୟକ୍ତିଗତ ସମସ୍ୟାଠାରୁ ଊର୍ଦ୍ଧ୍ୱରେ। ପ୍ରକଳ୍ପ କଲେ କେତେ ଲାଭ, କେତେ କ୍ଷତି ସେକଥା ନୀତିଗତ ଭାବେ ସ୍ଥିର ହେବା ଉଚିତ। ଉଭୟ ଯୁକ୍ତିକୁ ସକାରାତ୍ମକ ମନରେ ବିଚାର କରାଯିବା କଥା। ସ୍ଥାନାନ୍ତର କି ବିରୋଧ ସମାଧାନ ନୁହେଁ। ଏହା ସୁବିଧାବାଦୀ ବିଚାର-ବୃହତ୍ତର ସ୍ବାର୍ଥ ପାଇଁ ସ୍ପୃହଣୀୟ ନୁହେଁ। ଯାହା ରାଷ୍ଟ୍ର ପାଇଁ ଅଧିକ ହିତକର, ତାହାକୁ ଗ୍ରହଣ କରି ନିଆଯିବା ଉଚିତ।
କେବଳ ଶିଳ୍ପାୟନ ନୁହେଁ, ନଦୀବନ୍ଧ ଯୋଜନା ଓ ଜଳସେଚନ ପ୍ରକଳ୍ପ କଥା ଚିନ୍ତା କରାଯାଉ। ସେଠାରେ ସେହି ଏକା ସମସ୍ୟା। ସମସ୍ତେ କହୁଛନ୍ତି ଆମ ଅଞ୍ଚଳରେ ନଦୀବନ୍ଧ ଯୋଜନା ହେବନାହିଁ। ଅନ୍ୟ ଅଞ୍ଚଳକୁ ଜଳ ଓ ଶକ୍ତି ସୁବିଧା ପହଞ୍ଚାଇବାକୁ ଆମେ ବିସ୍ଥାପିତ ହେବୁନାହିଁ। ଯଦି ସମସ୍ତେ ସବୁ ଅଞ୍ଚଳରେ ଏଇ କଥା ଭାବିବେ ତେବେ ନଦୀଜଳ ଉପଯୋଗୀ ସୁବିଧା ରାଜ୍ୟ ପାଇବ କିପରି? ସ୍ଥାନୀୟ ଅଧିବାସୀ ଆଞ୍ଚଳିକ ସମସ୍ୟାକୁ ରାଜ୍ୟ ଆବଶ୍ୟକତାଠାରୁ ଅଧିକ କରି ଦେଖିଲେ, ଏ ସମସ୍ୟାର ସମାଧାନ ହୋଇ ପାରିବ ନାହିଁ। ବିରୋଧୀ ଦଳ ଲୋକଙ୍କୁ ଅତିରଞ୍ଜିତ ବାର୍ତ୍ତା ଦେଇ ସରକାରଙ୍କ ବିରୋଧରେ ତତାଇ ରଖିବାର ଉଦ୍ୟମ କରୁଛନ୍ତି। ଏହା ମଧ୍ୟ ରାଜ୍ୟ ସ୍ବାର୍ଥ ପାଇଁ ସ୍ପୃହଣୀୟ ନୁହେଁ। ସରକାର ଜନବିରୋଧକୁ ଭୟ କରି ନିଷ୍ପତ୍ତିର ଘନଘନ ପରିବର୍ତ୍ତନ କରିବା ଠିକ୍‌ ନୁହେଁ। ଏହା ବିପଦକୁ ଘନୀଭୂତ କରିପାରେ। ଶେଷକୁ ସମୟ ଆସିବ ରାଜପଥ, ରେଳପଥ ବିସ୍ତାର ବି ସମ୍ଭବ ହେବ ନାହିଁ। ଥରେ ଭୁଲ୍‌ ନିଷ୍ପତ୍ତି ନେଲେ ବାରମ୍ବାର ଭୁଲ୍‌ କରିବାକୁ ହେବ। ଏବେ ଜନତା, ସରକାର ଓ ବିରୋଧୀ ସମସ୍ତେ ଏକଥା ଚିନ୍ତା କରନ୍ତୁ।
ଗୁଜରାଟ, ପଶ୍ଚିମବଙ୍ଗ, ତାମିଲନାଡୁ ଏସବୁ ସମୃଦ୍ଧ ରାଜ୍ୟ। କ’ଣ ସେମାନଙ୍କ ପାଖରେ ଅଧିକ ଅଛି, ଯାହା ଆମ ରାଜ୍ୟରେ ନାହିଁ। ଆମ ରାଜ୍ୟ ପ୍ରାକୃତିକ ସମ୍ପଦରେ ଭରପୂର- ବିସ୍ତୀର୍ଣ୍ଣ ବେଳାଭୂମି ଆମ ରାଜ୍ୟରେ। ପର୍ଯ୍ୟଟନ ପାଇଁ ବିପୁଳ ସମ୍ଭାର ଅଛି। ନଦୀ ଜଙ୍ଗଲ ପୂର୍ଣ୍ଣ ହୋଇ ରହିଛି। ତଥାପି ଆମେ ସେମାନଙ୍କଠାରୁ କମ୍‌ କାହିଁକି? ତା’ର ଏକମାତ୍ର ଉତ୍ତର ଆମକୁ ସକାରାତ୍ମକ ଭାବନା, ସୁସ୍ଥ ମନ ଓ ରାଜ୍ୟ ଗଢ଼ିବାର ଇଚ୍ଛାଶକ୍ତି ବଢ଼ାଇବାକୁ ହେବ।
୫୮-ସ୍ବର୍ଣ୍ଣପୁରୀ, ଭୁବନେଶର-୨୪
ମୋ: ୯୪୩୭୦୧୫୨୫୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri